Unknown

 

 

 

 

 

 

 

 

 

ବଳାଙ୍ଗୀ

ଶ୍ରୀ ଚକ୍ରଧର ମହାପାତ୍ର

 

-୧-

 

ଏ କଥା ଯେଉଁ କାଳର, ସେତେବେଳେ ଗଡ଼ଜାତରେ ଲଢ଼େଇ ଲାଗିଥାଏ । ଏପରି ଲଢ଼େଇ ଦେଖା ନାହିଁ କି ଶୁଣା ନାହିଁ । କିଏ କାର ରାଜ୍ୟରୁ ଖଣ୍ଡେ ନେଇଗଲା–କିଏ କାର ଜଙ୍ଗଲରୁ ଗଛ କାଟିନେଲା, ଏଥିପାଇଁ ମଣିଷ ଉପରେ ମଣିଷ ମରୁଥାନ୍ତି । ପୁଣି ବର୍ଗୀମାନେ ଆସନ୍ତି ଯେ ଗାଁ ଗଣ୍ଡାରେ ନିଆଁ ଲଗାଇ ପୋଡ଼ିଦିଅନ୍ତି । ଯାହା ଯେଉଁଠି ପାଆନ୍ତି ତା ସବୁ ବୋହି ନିଅନ୍ତି । ଆପଣା ଆପଣା ଭିତରେ ମାଡ଼ ଲାଗି ଶତ୍ରୁ ସର୍ବନାଶ କରୁଥାଏ ପଛେ, ଲୋକେ ବୁଝି ପାରନ୍ତି ନାହିଁ ।

 

ଶୁଣିଲେ ତୁମେ ସୁଖୀ ହେବ ନରସିଂହପୁର ରାଜା, ସବୁ ଦିନେ–ତାଙ୍କ ବୟାଳିଶ ପୁରୁଷ ଗଲାଣି ପ୍ରଜାଙ୍କ ପକ୍ଷ । ପ୍ରଜା ଯାହା କରିବେ–ଯେଉଁ ବାଟେ ଯିବେ, ସେ ସେଇ ବାଟେ ଯିବେ । କାରଣ ସେଠାରେ ରଜା ଭଲ କରି ଜାଣନ୍ତି–ପ୍ରଜା ପାଇଁ ରଜା, ରଜା ପାଇଁ ପ୍ରଜା ନୁହେଁ । ସେଥିପାଇଁ ନରସିଂହପୁରରେ ଯେତିକି ପ୍ରଜା ଥାଆନ୍ତୁ ନା କାହିଁକି, ସମସ୍ତେ ବଡ଼ ଭଲରେ ଥାଆନ୍ତି । ରଜା ପ୍ରଜା ଭିତରେ କେବେ ବାଦ ବିବାଦ ଲାଗେ ନାହିଁ ।

 

ଥରେ କ’ଣ ହେଲା ବର୍ଗୀମାନେ ସେ ରାଜ୍ୟରେ ଆସି ପହଞ୍ଚିଲେ । ସେତେବେଳେ ରଜା ମନ୍ଦରଧର ମାନସିଂହ । ମନ୍ଦରଧର ବର୍ଗୀ ଆସିବା ଖବର ଶୁଣି ତାଙ୍କ ଉଆସରୁ ରାଣୀ ଆଉ ପୋଇଲି ପରିବାରୀଙ୍କୁ ନେଇ ‘ବରାହଖୋଲ’ ବୋଲି ଗୋଟାଏ ଜଙ୍ଗଲ ଭିତରେ ରଖିଦେଲେ; କାରଣ ତାଙ୍କର ରାଣୀ ବଡ଼ ଡରକୁଳୀ ଥିଲେ । ଚିର ସୁକୁମାରୀ–ରଜାର କୁମାରୀ ! ତାଙ୍କ ମନ ସବୁ କଥା ବୁଝୁଥିଲା; ମାତ୍ର ସେ ଡରି ଡରି କାଳ କଟାଉଥିଲେ ।

 

ସେତେବେଳେ ସେ ଗର୍ଭବତୀ ଥିଲେ ଯେ, ବାଟରେ ଯାଉ ଯାଉ ତାଙ୍କର କୋଚିଲାଗଛ ମୂଳରେ ଗୋଟିଏ ପୁଅ ଜନ୍ମ ହୋଇ ପଡ଼ିଲା । ରଜାଘର ହେଲେ କ’ଣ ହେବ–ଏଣେ ତ ବର୍ଗୀଙ୍କ ଡରରେ ପ୍ରାଣ ଯାଉଚି, ଭଲ ମନ୍ଦ ମହୁରୀ ତୁରୀ କିଏ ପଚାରୁଚି ? ରାଣୀ କଅଁଳା ଯୁବରାଜଟିକୁ ଧରି ‘ବରାହଖୋଲ’ ଭିତରେ ବନ୍ଦୀ ରହିଲେ । ସେଇ ପୁଅଟି ଇନ୍ଦୁ ପୁନିଅଁ ଦିନ ଜନ୍ମ ହୋଇଥାଏ । କେତେ ଲୋକ କୋଚିଲାଗଛ ମୂଳରେ ଜନ୍ମ ବୋଲି ‘କୋଚିଲି’, ଆଉ କେତେ ପୁନିଅଁରେ ଜନ୍ମ ବୋଲି ‘ପୂର୍ଣ୍ଣଚନ୍ଦ୍ର’ ବୋଲି ଡାକୁଥାନ୍ତି ।

 

ବରାହଖୋଲ ଗୋଟାଏ ଭାରି ବଡ଼ ଥାନ । ତା ଚାରିପାଖ ଯାକ ବଡ଼ ବଡ଼ ଉଚ୍ଚ ପର୍ବତ, ପୁଣି ଜଙ୍ଗଲରେ ଭର୍ତ୍ତି । ଭିତରେ ମଧ୍ୟ ଗଛବଣର ସୀମା ନ ଥାଏ । ତେବେ ସେଠି ଝରପାଣି ମିଳେ-। ଜାଗାଟି ଏପରି ନିକାଞ୍ଚନ ଯେ, ନ ଜାଣିବା ଲୋକ ପଚିଶ ବର୍ଷ ଖୋଜିଲେ ସୁଦ୍ଧା ପାଇପାରିବ ନାହିଁ । ସେଥିପାଇଁ ରଜା ତାଙ୍କର ରାଣୀ ରହିବା ପାଇଁ ଗଛ ଆଢ଼ୁଆଳରେ କୁଡ଼ିଆ କରିଦେଇ ଥାଆନ୍ତି–ସେଇଠି ରାଣୀ ପୋଇଲି ପରିବାରୀ ଧରି ରହିଥାନ୍ତି । ଲୋକମାନେ ବଡ଼ କଷ୍ଟରେ ଲୁଚି ଲୁଚି ଖାଇବା ଜିନିଷ ଦେଇ ଆସନ୍ତି । ଯେଉଁ ଦିନ ବର୍ଗୀଙ୍କ ହାବୁଡ଼େ ଖାଇବା ଜିନିଷ ପଡ଼େ, ସେ ଦିନ ରାଣୀଙ୍କର ଉପବାସ । କ’ଣ କରିବେ–ଉପାୟ କ’ଣ ଅଛି ଯେ କାହାକୁ କହିବେ-? କର୍ମ ଆଦରି ମାଇପି ଲୋକଗୁଡ଼ିକ ପାଣି ମୁନ୍ଦିଏ ମୁନ୍ଦିଏ ପିଇ ବା ସେମିତି ତୁଚ୍ଛାକୁ ତୁଚ୍ଛା ଶୋଇପଡ଼ନ୍ତି । ଶିଶୁ ଯୁବରାଜଟି ପାଇଁ ଦୁଧ ଟିକିଏ ମିଳେ ନାହିଁ । ଯୁଆଡ଼େ ଦେଖିବ, ସେ ଆଡ଼େ ବର୍ଗୀଙ୍କର ସୀମା ନ ଥାଏ । ଲୋକେ ଉଚ୍ଚୁନ୍ତରୀ ହୋଇ କୋଉ ଉହାଡ଼ରେ, କୋଉ ଖୋଲରେ ଲୁଚି ରହି ବର୍ଗୀଙ୍କୁ ତଡ଼ିବାକୁ ବିଚାର କରୁଥାନ୍ତି । ସେତେବେଳେ ରଜାଙ୍କର ଦେଖା ଦରଶନ ମୂଳରୁ ମିଳେ ନାହିଁ । ରଜା ପ୍ରଜା ସମସ୍ତେ ଶତ୍ରୁକୁ କିପରି ରାଜ୍ୟରୁ ହଟାଇବେ, ସେଇକଥା ବିଚାର କରୁଥାନ୍ତି ।

 

-୨-

 

ରଜା ବର୍ଗୀଙ୍କୁ କହିଥାନ୍ତି ଯେ–‘‘ମୁଁ ତୁମମାନଙ୍କୁ ମାନେ ନାହିଁ । ତୁମେ ସବୁ ଚୋର ଡକାଏତ । ଦେଖ, ଅଳ୍ପ ଦିନ ଭିତରେ ତୁମ ରକ୍ତରେ ନଈ ବୁହାଇ ଦେବି । ପର ରାଜ୍ୟରେ ତୁମର କି ଅଧିକାର ? ମୋ ଦେହରେ ପ୍ରାଣ ଥିବାଯାଏ ମୋର ଜନ୍ମ ମାଟି, ମୋର ପ୍ରଜା ତୁମ ଅଧୀନ ହେବେ ନାହିଁ । ତୁମର ଲୁଟି କରିବା ମନ୍ଦଗୁଣକୁ ମୁଁ ଭାଙ୍ଗିବି-ଭାଙ୍ଗିବି । ମୋର ବାପା, ଯେଜବାପେ ତୁମକୁ କେବେ ମାନି ନାହାନ୍ତି । ମୋର ଆଗ ପୁରୁଷର ଜଣେ ରଜା ଦିଗମ୍ୱର ସିଂହ ଆଉ ତାଙ୍କର ରାଣୀ ସୁଲୋଚନା ପାଟମହାଦେଈ ଭୟଙ୍କର ଯୁଦ୍ଧ କରି ତୁମରି ଆଡ଼ର ବୀର ବଘେଲ ସିଂହଙ୍କୁ ସତର ହଜାର ସୈନ୍ୟଙ୍କ ସାଙ୍ଗରେ ଏକାବେଳେ ହାଣି ମାରି ପଦା କରି ଦେଇଥିଲେ । ଏବେ ବ୍ରାହ୍ମଣୀଦେଇ ପାହାଡ଼ ତଳେ ସେଇ ଯୁଦ୍ଧଚିହ୍ନ ରହିଚି । ଆଉ ତୁମ ପରି ଖଣ୍ଟଙ୍କୁ ମୁଁ ସେଇ ବଂଶର ପୁଅ ଡରିବି ? ତୁମ କଥା ମାନି ଖଜଣା ଦେବି ? ଅସମ୍ଭବ ।’’

 

ସେଥିପାଇଁ ବର୍ଗୀଯାକ ରଜାଙ୍କୁ ବଡ଼ ହଇରାଣ କରୁଥାନ୍ତି । ରଜା ଏପରି ହଇରାଣରେ ପଡ଼ି ପଡ଼ି ନଅ ବର୍ଷ ବିତିଗଲା । ବର୍ଗୀମାନଙ୍କୁ ସେ ଯେତେ ମରାମରି କଲେ, ସେ କେବେ ରାଜ୍ୟ ଛାଡ଼ିଲେ ନାହିଁ । କହିଲେ–‘ଆମର ଦଶବର୍ଷର ଖଜଣା ଆମକୁ ଦିଅ ।’ ଏ ଚୋର ଡକାଏତଙ୍କୁ ଖଜଣା କିଏ ଦେବ ? ରାଜ୍ୟରେ ପ୍ରଜାଏ ଚାଷବାସ କରନ୍ତି, ବର୍ଗୀଏ ତାହା ଲୁଟ୍‍ପାଟ କରି ନେଇଯାଆନ୍ତି । ପାଇକମାନେ ବର୍ଗୀଙ୍କୁ ମଧ୍ୟ ଅଳ୍ପ ହଟହଟା କରନ୍ତି ନାହିଁ । ତେବେ ବର୍ଗୀଗୁଡ଼ାକ ଅସୁମାରୀ ଆସି ରହିଥାନ୍ତି । ଗୋଟିଏ ରାଜ୍ୟ କାହିଁକି, ସେମାନେ ଯେଉଁଠି ଯାହା ପାଆନ୍ତି ତା ଲୁଟିକରି ନିଅନ୍ତି । ଏଥିପାଇଁ ବର୍ଷତମାମ ଯୁଦ୍ଧ ଲାଗିଥାଏ ।

 

ରାଜ୍ୟଟି ସେତେବେଳେ ଯେପରି ଉଠୁଥାଏ ପଡ଼ୁଥାଏ, ଯେପରି ଭୀଷଣ ଜଙ୍ଗଲ ଭିତରେ ହଣାମରା ଲୀଳା ଲାଗିଥାଏ, ତାକୁ ଗୋଟିଏ ରକ୍ତକୁଣ୍ତ କହିଲେ କହିଲେ ଅସୁନ୍ଦର ହେବ ନାହିଁ ।

 

-୩-

 

ଭାନୁ ମଙ୍ଗରାଜ ବୋଲି ଜଣେ ବଡ଼ ଟାଣୁଆ ବୀର ରଜାଙ୍କର ସେନାପତି ଥାଆନ୍ତି । ତାଙ୍କର ଏପରି ବଳ, ଏପରି ବୁଦ୍ଧି ଯେ କହି ହେବ ନାହିଁ । ସେ ଖଣ୍ଡା ଧଇଲେ ଶହ ଶହ ଲୋକ ମାରି ଫିଙ୍ଗିଦେବେ, ଖଣ୍ଡେ କୁନ୍ତ ଧଇଲେ ଥରକେ ପୁଳାପୁଳା ଲୋକ ଗୁନ୍ଥି ପକାଇବେ । ତାଙ୍କ ଜାତକରେ ପଛଘୁଞ୍ଚା ଆଦୌ ନ ଥାଏ । ସେ ଯେତେ ଯୁଦ୍ଧ କରିଚନ୍ତି, କେବେ ଶତ୍ରୁ ହାବୁଡ଼ରୁ ଫେରି ଆସି ନାହାନ୍ତି । ତାଙ୍କୁ ବର୍ଗିମାନେ ବଡ଼ ଡରନ୍ତି । ରଜାଙ୍କୁ ଯେତେ ନ ଡରନ୍ତି–ମଙ୍ଗରାଜଙ୍କ ନାଁ ଶୁଣିଲେ ଥରି ଉଠନ୍ତି ।

 

ସେତେବେଳେ ନରସିଂପୁରର ରାଜଧାନୀ ଜୟପୁର ଗୋଟିଏ ଜଙ୍ଗଲ ଭିତରେ ଥାଏ । ଆଉ ସେ ଗଡ଼କୁ ମଧ୍ୟ ଜୟପୁର ବୋଲି ଲୋକେ କହୁଥାନ୍ତି । ନରସିଂହପୁରର ରଜା କି ପ୍ରଜା କେତେବେଳେ ପର ରାଜ୍ୟ ଅବା ପରଧନ ପାଇଁ ଲୋଭ କରନ୍ତି ନାହିଁ । ତାଙ୍କ ରାଜ୍ୟରେ, କି ତାଙ୍କ ଧନରେ କେହି ହାତ ମାଇଲେ ସେ ନାଗ ସାପ ଲାଞ୍ଜରେ ହାତ ମାଇଲା ପରି ତେଜି ଉଠନ୍ତି । ନରସିଂହପୁରର ଦୁଇଟି ରାଜଧାନୀ ଥାଏ । ସୁଖ ଓ ସୁବିଧା ବେଳେ ପାଇକପଡ଼ାପାଟଣାକୁ–ଯାହା ଏବେ ରାଜଧାନୀ, ଆଉ ଦୁଃଖ ଓ ବିପଦ ପଡ଼ିବାବେଳେ ଜୟପୁରକୁ ରାଜଧାନୀ କରାଯାଏ। ଜୟପୁର ରାଜବଂଶରୁ ଯେଉଁ ଧର୍ମଜୟ ସିଂହ ଆସି ନରସିଂହ ଜେନା ଓ ପୁର ଜେନା ନାମକ କନ୍ଧ ରଜାଙ୍କୁ ମାରି ତାଙ୍କ ନାମରେ ‘ଅରାଟ’ ନାଁକୁ ବଦଳାଇ ନରସିଂହପୁର କରିଚନ୍ତି, ଏହି ଦୁଇଟିଯାକ ରାଜଧାନୀକୁ ସେଇ କରିଥିଲେ। ନିଜେ ନାଁରେ ଜୟପୁର, ଆଉ କନ୍ଧ ରଜା ଭାନୁ ପାଏକରାୟଙ୍କ ନାଁରେ ପାଇକପଡ଼ାପାଟଣା ନାଁ ରଖିଥିଲେ । ଏବେ ଜୟପୁର ଜଙ୍ଗଲ ହୋଇ ଯାଇଚି । ଦେଉଳ ଅଟ୍ଟାଳିରେ ପଥରଗୁଡ଼ିଏ କେବଳ ସେଥିର ସାକ୍ଷିସ୍ୱରୂପ ଅଛି । ଠାକୁରାଣୀ ପ୍ରଗଳାଙ୍କର ମଣ୍ଡପଟି ମାତ୍ର ରହିଅଛି ।

 

ଭାନୁ ମଙ୍ଗରାଜ ବହୁତ ଦିନ ନିଜର ତେଜ, ବଳ ଦେଖାଇ ଜୟପୁରରେ ତାଙ୍କ ପୁଅ ବୋହୂଙ୍କୁ ଧରି ରହିଥାନ୍ତି । ଲୋକ ସମସ୍ତେ ଯେତେବେଳେ ରାଜ୍ୟ ଛାଡ଼ି ପଳାଇଲେ, ସେତେବେଳେ ସେ କ’ଣ କରିବେ ବୋଲି ବୁଦ୍ଧି ଆଉ ପାଇଲେ ନାହିଁ । ଯଦି ପିଲାଙ୍କୁ ଜଙ୍ଗଲ ଭିତରେ ଲୁଚାଇଦେବେ, ତେବେ ବର୍ଗୀ ସରଦାର ଜାଣିବେ ଯେ ଏ ମଧ୍ୟ ରାଜାଙ୍କ ପକ୍ଷର ଲୋକ । ସେଥିପାଇଁ ସେ ସାଇପଡ଼ିଶା କେହି ନ ଥିଲେ ସୁଦ୍ଧା ବର୍ଗୀଙ୍କର ବିଶ୍ୱାସୀ ହେବାକୁ ନିକାଞ୍ଚନ ସହରଟାରେ ରହିଥାନ୍ତି । ବର୍ଗୀମାନେ ତାଙ୍କ ପାଖକୁ ଆସି ଦୁଃଖ ସୁଖ ହୁଅନ୍ତି । ସେ ତାଙ୍କୁ ନାନା ବାଟରେ ଭୁଲାଇ ରଖିଥାନ୍ତି ।

 

ମଙ୍ଗରାଜ ରାଜାଘର ଜାତିଆ ସାଆନ୍ତ । ତାଙ୍କର ଗୋଟିଏ ବୋଲି ପୁଅ । ତା ନାଁ ମୁକୁନ୍ଦ ସିଂହ । ସେହି ମୁକୁନ୍ଦ ଛଡ଼ା ଆଉ ପୁଅ କି ଝିଅ ତାଙ୍କର କିଛି ନ ଥାଏ । ବର୍ଗୀମାନେ ମଙ୍ଗରାଜ ଏବଂ ତାଙ୍କ ପୁଅକୁ ବିଶ୍ୱାସ କରି-ଆଉ ମଧ୍ୟ ଭୟ କରି ତାଙ୍କ ସଙ୍ଗରେ କେବେ ହେଲେ ଗୋଳମାଳ କରନ୍ତି ନାହିଁ । କାରଣ ସେମାନେ ମଙ୍ଗରାଜଙ୍କଠାରୁ ଜାଣିଥାନ୍ତି–ସେ ରାଜବଂଶର ଲୋକ, ରଜାଙ୍କଠାରୁ ସେପରି କିଛି ଭାଗ ରାଗ ପାଆନ୍ତି ନାହିଁ । ରଜା ସାଙ୍ଗରେ ତାଙ୍କର ମଧ୍ୟ ପଟେ ନାହିଁ। ବର୍ଗୀମାନେ ଏପରି କଥା ଶୁଣି କହନ୍ତି–‘‘ଧୈର୍ଯ୍ୟ ଧର, ଆମେ ତୁମର ଭାଗ ରାଗ କ’ଣ, ତୁମକୁ ନିକଟରେ ରଜା କରିଦେବୁଁ ।’’

 

ମଙ୍ଗରାଜ ବର୍ଗୀଙ୍କ ଭିତରେ ପଶି ଯଦି ସବୁ ବୁଝି ନ ଥାନ୍ତେ, ତେବେ ସେମାନଙ୍କୁ ୧୦ ବର୍ଷରେ କାହିଁକି ୨୫ ବର୍ଷରେ ସୁଦ୍ଧା ମନ୍ଦରଧର ରାଜ୍ୟ ପାରି କରିପାରି ନ ଥାନ୍ତେ ।

 

-୪-

 

ସେତେବେଳେ ରାତି ପାହାନ୍ତିଆ । ଜହ୍ନ ଆଲୁଅରେ ଜଙ୍ଗଲ ଭୂଇଁଟା ଚକଚକ ଦିଶୁଥାଏ-। ଗୋଟିଏ ଗଛ ଆଢ଼ୁଆଳରେ ରହି ରଜା ମନ୍ଦରଧର ଆଉ ମଙ୍ଗରାଜ କ’ଣ ଟୁପୁଟୁପୁ କଥାବାର୍ତ୍ତା ହେଉଥାନ୍ତି । ଦୁଇଟା ବର୍ଗୀ ସେତିକିବେଳେ ଆଉ ଗୋଟାଏ ଗଛ ଉପରେ ଧୀରେ ଧୀରେ ଚଢ଼ି ତାକୁ ସବୁ ଶୁଣୁଥାନ୍ତି । ମଙ୍ଗରାଜ କଥା କହୁଥାନ୍ତି–ଏଣେ କ’ଣ ହଜାଇଲା ପରି ଚାରିଆଡ଼କୁ ଚାହିଁ ଦିଅନ୍ତି । ହଠାତ୍‌ କେଜାଣି କାହିଁକି ଏପରି ସମୟରେ ତାଙ୍କ ଦେହ ଶୀତେଇ ଉଠିଲା । ସେ ରଜାଙ୍କୁ କହିଲେ–ହେଇ ଦେଖ, ଶତ୍ରୁ ଆମର ପଛେ ପଛେ ଲାଗିଚି କିପରି ?’’ ରଜା କହିଲେ–‘‘ସର୍ବନାଶ ! ବହୁଦିନ ଲୁଚି ରହି ଏବେ ଧରା ପଡ଼ିଲି । ମୋ ଯୋଗୁ ତୁମେ ବହୁତ କଷ୍ଟ ପାଇଲଣି, ମୁଁ ଜାଣେ । ତେବେ ସେଥିପାଇଁ କ’ଣ ବା ଉପାୟ ଅଛି ?’’

 

ମଙ୍ଗରାଜ କହିଲେ–‘‘ମୁଁ କଷ୍ଟ କିଛି ଭୋଗି ନାହିଁ–ଭୋଗିବାର ବେଳ ଆସୁଚି–ଶୀଘ୍ର ସାବଧାନ ହୁଅ ।’’ ଏପରି କଥାବାର୍ତ୍ତା ହେଉ ହେଉ ରଜା ହଠାତ୍‌ଏପରି ଗୋଟିଏ ଗୁଳି ମାରିଦେଲେ ଯେ ଗଛ ଉପରୁ ଗୋଟାଏ ବର୍ଗୀ ଚାହୁଁ ଚାହୁଁ ମରି ତଳେ ପଡ଼ିଗଲା, ଆଉ ଗୋଟାକୁ ଯେତେ ଖୋଜିଲେ ସେ ପାଇଲେ ନାହିଁ । କୁଆଡ଼େ ଝାମ୍ପ ଦେଇ ସେ ଚାଲିଗଲେ; ତାର ସନ୍ଧାନ ଆଦୌ ମିଳିଲା ନାହିଁ ।

 

ମଙ୍ଗରାଜ ଆଉ କାଳ ବିଳମ୍ୱ ନ କରି ରଜାଙ୍କୁ କେତେ କ’ଣ କହି ଦେଇ ବିଦା କରିଦେଲେ । ନିଜେ ଘୋଡ଼ା ଉପରେ ଚଢ଼ି ଘରକୁ ପଳାଇ ଆସିଲେ । ସେ ଏତେ ଶୀଘ୍ର ରଜାଙ୍କ ପାଖେ ରହି ଧରା ପଡ଼ିଯିବେ, ତାଙ୍କର ଏ ଚିନ୍ତା ଆଦୌ ନ ଥିଲା । ଅକସ୍ମାତ୍‌ ଧରା ପଡ଼ିଯିବାରୁ ତାଙ୍କ ମନରେ ଆଶଙ୍କା ଆସିଲା । ବର୍ଗୀମାନେ ସିନା ଏପର୍ଯ୍ୟନ୍ତ ଜାଣି ନ ଥିଲେ–ତେବେ ବର୍ତ୍ତମାନ ଆଉ ଲୁଚି ରହିବେ କେଉଁଠି ? ଯେଉଁ ଲୋକଟା ପଳାଇଚି, ସେ ନିଶ୍ଚୟ ଏ କଥା ବର୍ଗୀ ସରଦାରକୁ କହିଦେବ । କହିଲେ ସେମାନେ ଆଉ ତାଙ୍କ ଉପରେ ବିଶ୍ୱାସ ନ ରଖି ଯେ ଅତ୍ୟାଚାର କରିବେ, ଏଥିରେ ସନ୍ଦେହ ବା କେଉଁଠି ?

 

ଘରେ ପହଞ୍ଚି ଭାବିଲେ ମରିବା ଆଗରୁ ମୁଁ କେବେ ମୋ ପିଲାଙ୍କୁ ସେ ଦୁଷ୍ଟଙ୍କ ହାତରେ ଛୁଆଇଁ ଦେବି ନାହିଁ । ଏଥର ତାଙ୍କୁ ଗୋଟିଏ ବୁଦ୍ଧି ଦିଶିଗଲା । ପୁଅ ଆଉ ବୋହୂଙ୍କୁ କହିଲେ–‘‘ତୁମେ ଦୁହେଁ ଘୋଡ଼ାରେ ଚଢ଼ି ଅତି ଶୀଘ୍ର ସାତଘରିଆ ଜଙ୍ଗଲକୁ ଚାଲିଯାଅ । ରଜାଙ୍କୁ ସେଇଠି ଦେଖିବ । ତାଙ୍କ ପାଖରୁ କନ୍ଧ ପାଇକ ୩୦/୪୦ ଜଣ ନେଇ ସେ ବରାହଖୋଲକୁ ଚାଲିଯିବ । ଯଦି ଶତ୍ରୁ ହାବୁଡ଼େ ପଡ଼, ତେବେ ମନେ ରଖ–ଯେପରି ମରିବା ଆଗରୁ ତାଙ୍କର ଅଧୀନ ହେବ ନାହିଁ । ମାଆ ପ୍ରଗଳା ଅଛନ୍ତି । ଯାଅ, ମୁଁ ଏଠାରେ ଶତ୍ରୁମାନଙ୍କୁ ଜଗି ରହିଚି–ତା ନ ହେଲେ ମୂଳରୁ ଯାଇ ପାରିବ ନାହିଁ । ସେମାନେ ନିଶ୍ଚୟ ଆସି ଆଗ ଘର ଘେରାଉ କରିବେ ।’’

 

ପୁଅ ବୋହୂଙ୍କୁ ସବୁ କଥା ଗୋଟି ଗୋଟି କରି କହିଦେଲେ । ତାଙ୍କ ବୋହୂଙ୍କ ନାଁ ଥିଲା ମାଳତୀ । ସେ ସେତେବେଳକୁ ନଅ ମାସ ଗର୍ଭବତୀ । କିପରି ଘୋଡ଼ାରେ ଚଢ଼ି ଯିବେ, ଏଥିପାଇଁ ଚିନ୍ତା ପଡ଼ିଲା । ନ ଗଲେ ବର୍ଗୀମାନେ ଇଜତ ମହତ ରଖିବେ ନାହିଁ । ବୃଥାରେ ପ୍ରାଣ ସିନା ଯିବ । ଏଥିପାଇଁ ମାଳତୀ ତାଙ୍କ ସ୍ୱାମୀ ମୁକୁନ୍ଦଙ୍କ ସାଙ୍ଗରେ ଘୋଡ଼ାରେ ବସି ଆସ୍ତେ ଆସ୍ତେ ଘୋର ଗହନ ଅରଣ୍ୟରେ ପଶିଲେ ।

 

-୫-

 

ମାଳତୀ ନଅ ମାସର ଗର୍ଭବତୀ । ମୁକୁନ୍ଦ ଏକୁଟିଆ, କାଳେ ଶତ୍ରୁ ହାବୁଡ଼େ ପଡ଼ିଯିବେ, ଏଥିପାଇଁ ମଙ୍ଗରାଜଙ୍କ ମନରେ ସୁଖ ନ ଥିଲା, ସେ ଏ ପାଖ ସେପାଖ ହେଉଥାନ୍ତି । ପ୍ରକାଣ୍ଡ ଜକଜକ ତରବାରୀଟି ତାଙ୍କ ହାତରେ ଝଲୁଥାଏ । ବେଳେବେଳେ ତାଙ୍କ ମନ କ’ଣ ହୋଇ ଯାଉଥାଏ–ଦେହ ଶୀତେଇ ଉଠୁଥାଏ; ତଥାପି ସେ ଗମ୍ଭୀର ମୂର୍ତ୍ତିରେ ଟହଲ କରୁଥାନ୍ତି । ସେ କ୍ଷତ୍ରିୟ । ତାଙ୍କର ଭୟ ତିଳେ ମାତ୍ର ନ ଥାଏ । ମଲେ ତ ମରିବେ–ତାଙ୍କ ପାଇଁ ଚିନ୍ତା ନ ଥିଲା–ଖାଲି ଚିନ୍ତା ମାଳତୀ ପାଇଁ ।

 

ଭାବୁଥାନ୍ତି ‘ଆହା, ଆଗରୁ ଯଦି ରାଣୀଙ୍କ ପାଖକୁ ପଠାଇ ଦେଇଥାନ୍ତି, ତେବେ ଏତେ ଦୁଃଖ କରନ୍ତି କାହିଁକି ? ନଅ ମାସର ଗର୍ଭବତୀ ବାଳିକା, ରାଜକନ୍ୟା, ହାୟ ତାର କି ଅବସ୍ଥା ହେବ-?’ ଏପରି ଅନେକ ଚିନ୍ତା ତାଙ୍କ ମନକୁ ଅଇଲା । ତେବେ ସେ ନିଜକୁ ସମ୍ଭାଳି ନେଇ ଭାବିଲେ ‘ତାଙ୍କପରି ଲୋକ ଯଦି ଦୁଃଖ ବେଳେ କାତର ହୁଅନ୍ତି, ତେବେ ସାଧାରଣ ଲୋକ କ’ଣ କରିବେ ?’ ସେ କିଛି ବୋଇଲେ କିଛ ଥଳକୂଳ ପାଇଲେ ନାହିଁ । ବର୍ଗୀଙ୍କୁ ଚାହିଁ ରହିଲେ ।

 

ଚାହିଁ ଚାହିଁ ତାଙ୍କ ଆଖିରୁ ପାଣି ମଲା । ପୁଣି ମନେ ମନେ ଭାବିଲେ ‘ମୁଁ ବୃଥାରେ ବର୍ଗୀମାନଙ୍କୁ ଅବିଶ୍ୱାସ କରୁଚି । ବର୍ଗୀ ସରଦାର ମୋ ଘର ଚଢ଼ଉ କରିବାକୁ ଯେବେ ଅନୁମତି ନ ଦିଏ ? ତେବେ ତ ମୁଁ ଭୁଲ କଲି’ ଏହିପରି ସେ କେତେ କ’ଣ ଭାବୁଚନ୍ତି, ତାଙ୍କ ଆଖି ଆଗରେ ଗୋଟିଏ ଛବି ନାଚି ଉଠିଲା । ଚନ୍ଦ୍ରଗିରି ଗୁହାରେ ବର୍ଗୀମାନେ ସେ ଦିନ ସ୍ତ୍ରୀଲୋକମାନଙ୍କୁ ନେଇ ଯେପରି ହଟହଟା କରିଥିଲେ, ସେ କଥା ସେ ଆଖିରେ ଦେଖିଥିଲେ । ଆଉ କିଛି ନ ଭାବି, ସବୁ ପ୍ରଭୁଙ୍କ ଉପରକୁ ପକାଇ ଦେଇ ଦମ୍ଭରେ ଛିଡ଼ା ହୋଇ ରହିଲେ । ବୋକଡ଼ା–ଦଳପତି ବଡ଼ଜେନା ଘରେ ଖାଇ ପିଇ ରହି ତାକୁ ତ ସେମାନେ ହଟହଟା କଲେ, ଆଉ କ’ଣ ମଙ୍ଗରାଜଙ୍କୁ ସେ ଡରିବେ-? ରଜାଙ୍କର ପ୍ରଧାନ ଦଳପତି ବଡ଼ଜେନା ହଜାର ହଜାର ସୈନ୍ୟଙ୍କ ଉପରେ ସରଦାର ବୋଲି ସେମାନେ ଜାଣନ୍ତି–ଆଉ ମଙ୍ଗରାଜଙ୍କୁ ତ ସେମାନେ ଜାଣନ୍ତି ସେ ରଜାଙ୍କ ଶତ୍ରୁ, ଆଉ ତାର ରାଜ୍ୟରେ କିଏ ବନ୍ଧୁ ଅଛି ?

 

ସତକୁ ସତ ସେ ଶୁଣିଲେ ଯେ ଘିଡ଼ିଘାଡ଼ ହୋଇ କ’ଣ ଶୁଭୁଚି । ହଠାତ୍‌ ବାହାରକୁ ଚାହିଁ ଦେଖିଲେ, ବର୍ଗୀମାନେ ଘର ଚାରିପାଖ ଘେରି ଗଲେଣି । କେହି ଘୋଡ଼ସବାର, କେହି ପଦାତିକ ଭାବରେ ଆସିଅଛନ୍ତି । ହାତରେ ଶୂଳ, ଭାଲି, ତେଣ୍ଟା, ଖଣ୍ଡା, ତରବାର, ବର୍ଚ୍ଛା ସବୂ ରହିଚି । ସେ ପ୍ରାୟ ଶହେ ଜଣକୁ ମଙ୍ଗରାଜ ଜଣେ ।

 

ମଙ୍ଗରାଜେ ତାଙ୍କୁ ସବୁ ଦେଖିଲେ–ସମସ୍ତେ କାଳାନଳ ମୂର୍ତ୍ତି । ଏଥର ତାଙ୍କର ଭୟ ଭାଙ୍ଗିଗଲା । ମାଳତୀ ପାଇଁ ଯେଉଁ ଭୟ ଆସିଥିଲା, ତା ଆଉ ରହିଲା ନାହିଁ । ବୀର ପୁରୁଷ ଶତ୍ରୁକୁ ସାମନାରେ ପାଇଲେ ନିଡରୁଆ ହୋଇଯାଏ । ମଙ୍ଗରାଜଙ୍କ ମୁହଁରେ ହସ ଦେଖାଗଲା । ଆଖି ଦୁଇଟି ଝଲସି ଉଠିଲା । ମନେ ମନେ ଭାବିଲେ ‘ଆଉ ଭୟ କ’ଣ ?’

 

ସେମାନେ ଶହେ ଜଣ, ସେ ଜଣେ–ଏହିପାଇଁ ତାଙ୍କ ମନ ଫୁଲି ଉଠିଲା । ସେ ତରବାରୀର ତୀକ୍ଷ୍‌ଣ ଧାରକୁ ଚୁମ୍ବନ ଦେଇ କହିଲେ ‘‘ଅନେକ ଦିନରୁ ଶତ୍ରୁର ତତଲା ରକ୍ତ ପାଇ ନାହୁଁ ସାଙ୍ଗ ! ଆଜି କିଛି ପାଇବୁ । ଚିରଦିନ ମୋ ହାତଛଡ଼ା ହେବୁ ବୋଲି ଭାବୁଚି ? ତେବେ ଦେଖା ଯାଉ ? ଧର୍ମଜୟ ସିଂହ ବଂଶର ପୁଅ କେବେ ହତାଶା କ’ଣ ଜାଣେ ନାହିଁ ?’’

 

ଏହା କହି ସେ ତରବାରୀଟିକୁ ଘନ ଘନ ଚୁମ୍ୱନ ଦେଲେ ଏବଂ ତାଙ୍କର ମନେ ପଡ଼ିଲା କାଳେ ଘର ନିଶୂନ ଜଣାଗଲେ, ପଳାଇଲେଣି ଭାବି, ସେମାନେ ଏଣେତେଣେ ଖୋଜି ବୁଲନ୍ତି ତେବେ ତ ସର୍ବନାଶ ! ମାଳତୀ ମୁକୁନ୍ଦ ଧରା ପଡ଼ିଯିବେ । ଏଥିପାଇଁ ସେ ଶତ୍ରୁଙ୍କୁ ସାମନାରେ ପାଇବା ପାଇଁ ଗୁଣୁ ଗୁଣୁ ହୋଇ ଗୀତ ଗାଇ ଉଠିଲେ ।

 

ବର୍ଗୀମାନେ ଚାରିପାଖେ ଜଗି ରହି କାନ ପାରିଥିଲେ । ହଜାରେ କି ଦେଢ଼ହଜାର ଘର ଥିବା ସହରଟାରେ କୁଆ କୋଇଲି ସୁଦ୍ଧା ନ ଥିଲେ । ବର୍ଗୀଙ୍କ ଯୋଗୁଁ ସମସ୍ତେ ଯାଇ ବଣ ଜଙ୍ଗଲରେ ଆଶ୍ରା କରି ରହିଥିଲେ । କାହା ମନରେ ଏଥିପାଇଁ ତିଳେ ଭୟ ନ ଥିଲା; କାରଣ ସେ ରାଜ୍ୟରେ ଲୋକଙ୍କ ଭିତରେ କେହି ନିରକ୍ତିଆ ନ ଥିଲା । ଖୋଲା ତରବାରୀ ଧରି ଶତ୍ରୁ ସାଙ୍ଗରେ ଦେଖା ଶୁଣା ହେବ, ଚିନ୍ତା କାହିଁକି ? ଥରେ ଶତ୍ରୁକୁ ରାଜ୍ୟ ଛାଡ଼ିଦେଲେ ତା ଅଧୀନରେ ପୁରୁଷ ପୁରୁଷ ନୌକର ହୋଇ ରହିବାକୁ ହେବ ଏ କଥା ବୁଝି ସମସ୍ତେ ‘ମରି ସ୍ୱର୍ଗ’, ନ ହେଲେ ବଞ୍ଚି ରାଜ୍ୟ ଭୋଗ କରିବା’ ଏହି ଦୁଇଟି କଥା ଠିକ୍‌ କରିଥିଲେ । ଦରମରା ହୋଇ ବଞ୍ଚିବା ଆଦୌ ଭଲ ନୁହେଁ; କାରଣ ସେଥିରେ ମନରୁ ଭୟ କେବେହେଲେ ଛାଡ଼େ ନାହିଁ । ଭୟ ମଣିଷର ମୃତ୍ୟୁ । ଲୋକଙ୍କୁ ରଜା ମନ୍ଦରଧର ଏବଂ ମଙ୍ଗରାଜ ଏହି କଥା ବୁଝାଇ ଦେଇଥିଲେ ।

 

ବର୍ଗୀମାନେ ଘର ଭିତରକୁ କାନ ଡେରି ଯେତେବେଳେ ଶବ୍ଦ ଶୁଣିଲେ, ସେତେବେଳେ ଜାଣିଲେ ଯେ ଘରେ ମଣିଷ ଅଛନ୍ତି । ବର୍ଗୀ ସରଦାରର ଆଜ୍ଞା, ମଙ୍ଗରାଜ ବଉଁଶକୁ ଜିଅନ୍ତା ଧରିନେବାକୁ ହେବ । ସେମାନେ ବୁଝିଥିଲେ, ନରସିଂହପୁରର ଜଣେ ସାଧାରଣ ପାଇକ କି ଚଷାକୁ ଜିଅନ୍ତା ଧରି ନେଇ ହେଉ ନାହିଁ–ସେ ଝାଡ଼ ଜଙ୍ଗଲରେ ପାଣି ପିଆଇ ଦେଉଛନ୍ତି–ଆଉ ଏ ତ ବୀରେନ୍ଦ କେଶରୀ ଭାନୁ ମଙ୍ଗରାଜ ! ସେ ଯେବେ ପଳାଇଥିବେ, ତାକୁ ଧରିବା ବଡ଼ ମୁସ୍କିଲ ହେବ-। ପୁଣି ନ ଧଇଲେ ତେଣେ ସରଦାରଠାରୁ ଶାସ୍ତି ! କ’ଣ କରିବେ ବୋଲି ବର୍ଗୀମାନେ ଭାବି ଭାବି ଯେତେବେଳେ ଘରୁ ଶବ୍ଦ ଶୁଣିଲେ, ସେତେବେଳେ ସାଙ୍ଗେ ସାଙ୍ଗେ ତାଙ୍କ ମନରେ ସାହାସ ଅଇଲା-। ସେମାନେ ଧଡ଼୍‌ ଧାଡ଼୍‌ କିନା କବାଟକୁ ଧକା ମାରିବାକୁ ଲାଗିଲେ ।

 

ମଙ୍ଗରାଜଙ୍କର ବଜ୍ର କବାଟ ଟିକିଏ ସେ ଗୋଇଠା ଶୁଣିଲା ନାହିଁ । ସେ ଯେ କେତେ ତୋପ ଆଉ ହାତୀର ଧକା ଖାଇଚି, ସୀମା ନାହିଁ । ସେ କବାଟ ବହୁ ଦିନ ଆଗେ ଶକୁନ୍ତଳା ପାଟମହାଦେଈ ତିଆରି କରାଇ ଲଗାଇ ଥିଲେ । ଯେଉଁ ଘରେ ମଙ୍ଗରାଜ ଅଛନ୍ତି, ସେଇ ଘର ତିଆର କରାଇ ଦିନେ ବୀରବାଳା ଶକୁନ୍ତଳା ବୀରବିକ୍ରମ ଠାରୁ ତଡ଼ା ଖାଇ ଆସି ରହିଥିଲେ । ବୀରା ଶକୁନ୍ତଳା ଚରିତ ଯଦି ଶୁଣନ୍ତି, ତେବେ ବୁଝନ୍ତି ଶକୁନ୍ତଳା କିପରି ସନ୍ୟାସିନୀ ବେଶରେ ଜଳରେ ଥଳରେ ଯୁଦ୍ଧ କରି ରାଜ୍ୟକୁ ଉଦ୍ଧାର କରିଥିଲେ–ଏକଥା ଯିଏ ଶୁଣିବ ତାର ରକ୍ତ ତାତି ଉଠିବ । ତୁମେ ଅବିଶ୍ୱାସ କରିବ–ଏପରି ଘଟଣା ଓଡ଼ିଶାରେ, ପୁଣି ଗଡ଼ଜାତରେ ଘଟିଥିଲା ।

 

ଓଡ଼ିଶା ଚିରଦିନ ସ୍ୱାଧୀନତା ଚାହିଁ ଆସିଅଛି । ସେ କେବେ ପରାଧୀନ ହୋଇ ରହିବାକୁ ଭଲ ପାଏ ନାହିଁ । ପୂର୍ଣ୍ଣ ସ୍ୱାଧୀନତା ସେ ବହୁ ଦିନ ଯାଏ ରଖି ପାରିଥିଲା । ଆଜି କେବଳ ଦୈବକୂଟରେ ଏପରି ହୋଇଅଛି–ନିଜ ପାପ ଏବଂ ଦୁଷ୍କୃତ ଫଳରୁ ।

 

ମଙ୍ଗରାଜେ ଘର ଭିତରେ ରହି ବହୁତ ବେଳ ଅପେକ୍ଷା କଲେ । ଯେତେବେଳେ ଶୁଣିଲେ ଯେ ବର୍ଗୀମାନେ ଦୁଆର ଫିଟାଇବାକୁ ବଳ ନ ପାଇ ପଥର କାନ୍ଥ ଡେଇଁବାକୁ ବିଚାର କରୁଚନ୍ତି–ସେତେବେଳେ ସେ ଧଡ଼୍‌ ଧାଡ଼୍‌ କରି କବାଟଟା ଫିଟେଇଦେଲେ । ହସି ହସି ସେମାନଙ୍କୁ ଯାଇ କହିଲେ–ତୁମେ ସବୁ କିଏ ? ଏଠିକି କାହିଁକି ଆସିଚ ? ତାଙ୍କର ଶାଳ ଗଛ ଭଳି ଲମ୍ୱା ଗୋରା ତକ ତକ ଦେହଟା ପଚାରୁ ପଚାରୁ ଲାଲ ହୋଇଗଲା । ରାଗରେ ତାଙ୍କ ନାକ ବାଟେ ପ୍ରଳୟ ପବନ ବୋହିଲା । ଆଖି ଦୁଇଟା ନିଆଁ ପରି ଜଳି ଉଠିଲା । ତାଙ୍କ ମୁହଁ ତାଙ୍କ ଲାଲ ପଗଡ଼ି ସାଙ୍ଗରେ ମିଶି ଯାଇଥାନ୍ତା କେବଳ ସେ ପଗଡ଼ି ଦେହରେ ଯେଉଁ ସବୁ ଜରି ପାଟ ମଣି ମୁକ୍ତା ହୀରା ଇତ୍ୟାଦି ଥିଲା–ସେଇଥିରୁ ସେ ବାରି ହୋଇ ଜଣା ଯାଉଥିଲା ।

 

ବର୍ଗୀଗୁଡ଼ାକ ଭେଣ୍ଡା ଭେଣ୍ଡା ମଣିଷ । ସେମାନେ ବଡ଼ ଟାଣୁଆ । ସେମାନେ ମଙ୍ଗରାଜଙ୍କର ବଳ ଜାଣନ୍ତି । ଥରେ ତାଙ୍କ ସରଦାର ସାଙ୍ଗରେ ମଙ୍ଗରାଜଙ୍କର ବଳ କସା କସି ହୋଇଥିଲା ଯେ ମଙ୍ଗରାଜଙ୍କୁ ସରଦାର ପାରିବ ନାହିଁ ଜାଣି କସରତ ମଝିରୁ କହିଦେଲା–ତୁମର ବଳ ଅଛି । ସେଇଥିପାଇଁ ଆଗେ ତାଙ୍କ କଥା ଶୁଣି ସେମାନେ ଟିକିଏ ଡରିଗଲେ । ଜଣେ ପଛରୁ ଆସି ଆଗଭରି କହିଲା–ତୁ ଅବିଶ୍ୱାସୀ, ତୋର ବଂଶ କୁଟୁମ୍ୱ ମାରି ଆଜି ପଦା କରିଦେବୁ, ଏଇଥିପାଇଁ ଆସିଚୁଁ ! ତୁ ଆମ ପାଖେ ଅଛୁ ବୋଲି କହି ଆମ ସାଙ୍ଗରେ ଆଠ ବର୍ଷ ରହି ଆମଠାରୁ ସବୁ କଥା ଦେଖି ଶୁଣି ଏବେ ରଜାକୁ ବାଟ ବତାଇ ଦେଇଚୁ ?

 

ମଙ୍ଗରାଜ ଏ କଥା ଶୁଣି ହସି ଉଠିଲେ । କହିଲେ–ମୁଁ ରଜାର ପକ୍ଷ ବୋଲି ତୁମ୍ଭଙ୍କୁ କିଏ କହିଲା ?

 

ଆଉ ଜଣେ କହିଲା–ମୁଁ ନିଜେ ଜାଣେ । ଆମେ ଖୁବ୍‌ପାହାନ୍ତିଆରେ ଖୋଲ ବାଟେ ଗଲା ବେଳେ ତୁ ରଜାଙ୍କ ସାଙ୍ଗେ କଥା ହେଉଥିଲୁ । ମୁଁ ମୋ ସାଙ୍ଗକୁ ଧରି ଗଛ ଉହାଡ଼ରେ ଶୁଣିବା ବେଳେ ତୁ ରଜାକୁ ଦେଖାଇ ଦେବାରୁ ସେ ମୋ ସାଙ୍ଗକୁ ମାରିଦେଲା । ମୁଁ ପଳାଇଗଲି । ଏ କଥା କ’ଣ ମିଛ ?

 

ମଙ୍ଗରାଜ କହିଲେ–ମୁଁ ରଜା ପକ୍ଷରେ ଅଛି, ତୁମେ ମୋ କଥାରୁ ଶୁଣିଥିଲ ?

 

ସେ କହିଲା–ନ ଶୁଣିଲେ କ’ଣ ହେଲା, ଆମର ସରଦାର ସବୁ ବୁଝିଚନ୍ତି, ତୋର ସତ ମିଛ ସବୁ ଜଣା ପଡ଼ିଗଲାଣି ।

 

ମଙ୍ଗରାଜ କହିଲେ–ହଉ ଚାଲ, ତୁମ ସରଦାର ପାଖକୁ ଯିବା । ସେଇଠି ସତ ମିଛ ଠିକ୍‌ କରିବା ।

 

ଏହି ସମୟରେ ଗୋଟାଏ ଭିତରୁ କିଏ ପାଟି କରି କହିଲା–ତୋର ପିଲାକୁଟୁମ୍ୱ ଧରି ତୁ ଆମ ସାଥିରେ ଚାଲ । ନ ହେଲେ ତୋର ଆମର ଭୟଙ୍କର ଯୁଦ୍ଧ ହେବ ।

 

ମଙ୍ଗରାଜେ କହିଲେ–ମୁଁ ଦୋଷ କଲେ ମୋର ପିଲାପିଲି କିଆଁ ଯିବେ ? ସେମାନେ କ’ଣ ଦୋଷ କରିଚନ୍ତି ? ତୁମେ କିଏ ଜଣେ ଦୋଷ କଲେ କ’ଣ ତୁମ ବଂଶ ଯାକକୁ ଦଣ୍ଡ ଦିଆଯିବ, କି ତୁମର ଦଳଯାକକୁ ଦଣ୍ଡ ଦିଆଯିବ ?

 

ଜଣେ ସାହାସରେ କହିଲା–‘‘ହଁ, ହଁ, ଦିଆଯିବ ।’’ ଏହା କହି ତାହାଭିତରୁ କେହି କେହି ସାହାସ କରି ମଙ୍ଗରାଜଙ୍କର ଭିତର ଉହାଡ଼କୁ ଯିବାକୁ ବାହାରିଲେ । ମାତ୍ର ମଙ୍ଗରାଜ–କେହି ଯେପରି ଘରେ ଅଛନ୍ତି–ଏପରି ଅଭିନୟ ଦେଖାଇ ସେମାନଙ୍କୁ ବାଟ ଛାଡ଼ି ନ ଦେଇ ପ୍ରାୟ ଘଣ୍ଟାଏ ହେବ କେତେ ଏଣୁ ତେଣୁ ଗପ କଲେ । ଆଉ ବର୍ଗୀମାନେ ତାଙ୍କ କଥା ନ ଶୁଣି ରାଗି ଗଲେ ଏବଂ ତାଙ୍କୁ ତରବାରୀ ଦେଖାଇଲେ । ମଙ୍ଗରାଜ କେତେ ଧମକ ଚମକ ପକାଇଲେ ‘‘ଦେଖ, ବୃଥାରେ ଯୁଦ୍ଧ କରି ମରିବ ଆଉ କିଛି ଲାଭ ନାହିଁ । ମୁଁ ଥାଉଁ ଥାଉଁ ତୁମେ ମୋ ଘରଭିତରକୁ ଚାଲି ଯିବ ? ତୁମର ଏତେ ସାହାସ ହେଲାଣି ?’’ ଏହା କହି ତୀକ୍ଷ୍ଣ ତରବାରୀକୁ ପ୍ରଚଣ୍ଡ ବେଗରେ ବୁଲାଇଲେ । ଯୁଦ୍ଧ ଘମାଘୋଟ ଲାଗିଲା । ମଙ୍ଗରାଜଙ୍କର ତରବାରୀ ବାଜି ୫୦ ଜଣ ବର୍ଗୀ ଖଣ୍ଡିଆ ହୋଇ ପଡ଼ିଗଲେ । ୨୦ ଜଣ ଯାଏ ମରିଗଲେ ।

 

ମଙ୍ଗରାଜ ତିନି ଘଣ୍ଟା କାଳ ଯୁଦ୍ଧ କଲେ । ଶେଷକୁ ବହୁତଗୁଡ଼ାଏ ବର୍ଗୀ ଏକାଠି ହୋଇ ତାଙ୍କ ଉପରକୁ ହାମୁଡ଼ି ପଡ଼ି ଧରି ପକାଇଲେ । ମସ୍ତ ବଡ଼ ଦଉଡ଼ାରେ ତାଙ୍କୁ ବାନ୍ଧି ଦେଇ ଏଥର ଘର ଚାରିପାଖ ଖୋଜି ବସିଲେ । ଅନ୍ଧି, ସନ୍ଧି, ଉହାଡ଼, ସଙ୍ଘା, ଅଡ଼ଙ୍ଗ, କ’ଣ, ଭାଡ଼ି, ଗମ୍ଭୀରୀ, ହାଣ୍ଡିଶାଳ, ମେଲା ଘର, ପହଡ଼ ଘର, ଦାଣ୍ଡଘର, ଦିଅଁଘର ଇଥ୍ୟାଦି କେତେ ଜାଗା ଖୋଜିଲେ; ମାତ୍ର ତାଙ୍କ ଘର ଲୋକଭିତରୁ କାହାର କିଛି ବୋଇଲେ କିଛି ସନ୍ଧାନ ପାଇଲେ ନାହିଁ । ଶେଷକୁ ଆସି ମଙ୍ଗରାଜଙ୍କୁ ବେତ ପାହାର ବସାଇଲେ । ଆଉ ପଚାରିଲେ- ‘କହ, କହ, ତୋର ପିଲାପିଲି କେଉଁଆଡ଼ ଗଲେ ?’

 

ମଙ୍ଗରାଜେ କିଛି କହିଲେ ନାହିଁ । କେବଳ ହାତ ଠାରିଲେ ‘ଚାଲ ମୋ ସାଥିରେ–ଦେଖାଇ ଦେବି ।’ ବର୍ଗୀମାନେ ତାଙ୍କୁ ସତର ପ୍ରସ୍ତ ଦଉଡ଼ାରେ ଭିଡ଼ି ଜଙ୍ଗଲ ଭିତରେ ଭିତରେ ଟାଣି ଟାଣି ଚାଲୁଥାନ୍ତି; ମଙ୍ଗରାଜେ ଭାବୁଥାନ୍ତି–‘‘ଏତେବେଳକୁ ମୁକୁନ୍ଦ ଆଉ ମାଳତୀ ଖୋଲ ଆଡ଼କୁ ଚାଲି ଯାଇଥିବେ କି !’’

 

-୬-

 

ଏଣେ କ’ଣ ହୋଇଥାଏ ନା, ମାଳତୀ ଆଉ ମୁକୁନ୍ଦ କିଛି ଦୂର ଯାଇଚନ୍ତି, ପ୍ରାୟ କୋଶକ ବାଟ ପରେ ମାଳତୀଙ୍କ ପେଟ ବଥେଇଲା । ଘୋଡ଼ା ଦଉଡ଼ରେ ସେ ଅଜ୍ଞାନ ହୋଇଗଲେ-। ଘୋଡ଼ାରୁ ଦୁହେଁ ଉତୁରି ଗୋଟିଏ ବଙ୍ଗାଳୀ ବାଉଁଶବଣିରେ ପଶିଲେ ।

 

ବଙ୍ଗାଳୀ ବାଉଁଶରେ ଫୁଙ୍କନଳି ହୁଏ । ସେ ବାଉଁଶଗୁଡ଼ିକ ଯେପରି ସୁନ୍ଦର, ସେ ବାଉଁଶବଣି ମଧ୍ୟ ସେହିପରି ସୁନ୍ଦର ଓ ସଫା । ସେଥିରେ ଅଗରୁ ମୂଳ ପର୍ଯ୍ୟନ୍ତ କେଉଁଠି କଣ୍ଟା ଫଣ୍ଟା କିଛି ନ ଥାଏ । ନରସିଂହପୁରରେ ଏପରି ବାଉଁଶ ବହୁତ ମିଳେ । ସେଥିରେ ବଡ଼ ସୁନ୍ଦର ବଂଶୀ ହୁଏ । ମୁକୁନ୍ଦ ଗୁଡ଼ିଏ ପତ୍ର ବିଛେଇ ଦେବାରୁ ମାଳତୀ ଝଟକିନା ଶୋଇ ପଡ଼ିଲେ । ତାଙ୍କର ପେଟ ବେଳୁ ବେଳ ବଥା କଲା । ମୁକୁନ୍ଦ ପାଖରେ ଥିବା ଝରଣା ପାଖକୁ ଯାଇ ଶିଆଳିପତ୍ର ଠୋଲାରେ ଝର ପାଣି ଆଣି ମାଳତୀଙ୍କ ମୁଣ୍ଡରେ ଓ ଦେହରେ ଲଗାଇଲେ । ନଅ ମାସର ଗର୍ଭଣୀ ସ୍ତ୍ରୀ । ମାଳତୀଙ୍କି ଏଥର ବଡ଼ ଦୁଃଖ ହେଲା । ଦୁଃଖରେ ସେ ପୁଣି ଅଚେତ ହୋଇ ପଡ଼ିଗଲେ । ଏହି ଅଚେତା ବେଳେ ତାଙ୍କର ଗୋଟିଏ ପିଲା ଜନ୍ମ ହୋଇପଡ଼ିଲା ।

 

ଘୋର ଜଙ୍ଗଲ ଭିତରେ ମୁକୁନ୍ଦ ଏକୁଟିଆ, କ’ଣ କରିବେ ? ବୁଦ୍ଧି ଉପାୟ ତାଙ୍କୁ ଦିଶିଲା ନାହିଁ । ଏଣେ ପିଲା ଜନ୍ମ ହେଲାମାତ୍ରେ ମାଳତୀଙ୍କର ଚେତା କି ଚଇତନ କିଛି ରହିଲା ନାହିଁ । ଚାରିଆଡ଼େ ଶତ୍ରୁ–ମାଳତୀଙ୍କୁ କ’ଣ କରିବେ-କେଉଁଠିକି ନେବେ ଭାବି ମୁକୁନ୍ଦ ତଳେ ବସିପଡ଼ିଲେ । ତାଙ୍କ ଦେହ ବରଫ ହୋଇଗଲା । ଏତେ ବଡ଼ ବୀର ସେ । ପୁଣି ବୀରକେଶରୀ ମଙ୍ଗରାଜର ପୁଅ ହୋଇ ସୁଦ୍ଧା କାନ୍ଦି ପକାଇଲେ-ତାଙ୍କ ଆଖିରୁ ଲୁହ ବୋହିଗଲା; ମାତ୍ର ସେ ସମ୍ଭାଳି ନେଲେ । ହେଲେ ଯୁବା ବୟସ, ସ୍ତ୍ରୀଙ୍କୁ ପାଣି ଆଣି ଚେତା କଲେ । ମାଳତୀ ବହୁତ ଡେରିରେ ଚେତା ହେଲେ-

 

ଚେତା ହେଲା ମାତ୍ରେ ଜନ୍ମ ହେଲା ପିଲାଟିକୁ ସାଉଁଟି ଧଇଲେ । ତାପରେ ପିଲା ଜନ୍ମହେଲେ ଯାହା ଯେପରି କରିବାକୁ ହୁଏ, ସେହିପରି କଲେ । ନିଜର ଲୁଗାରୁ ଖଣ୍ଡିଏ ଚିରି ସେଥିରେ ପୋଛି ଦେଲେ । ଆଉ ଖଣ୍ଡିଏ ଚିରି ତହିଁରେ ପିଲାଟିକୁ ଶୁଆଇଲେ । ବିପଦ କଥା ଭାବି ଆଖିରୁ ତାଙ୍କର ଲୁହ ବୋହି ଯାଉଥାଏ ।

 

ମାଳତୀଙ୍କୁ ବୟସ ଅଠର ହେବ । ସେ ଏହିପରି ବିପଦ ଜନ୍ମ କାଳରୁ ଜାଣି ନ ଥିଲେ । ରଜାଘରେ ଜନ୍ମହୋଇ ଗେଲବସରରେ ବଢ଼ିଥିଲେ । ତାଙ୍କର ଯୁଦ୍ଧ ବିଦ୍ୟାରେ ବେଶ୍‌ ଦଖଲ ଥିଲା । କିନ୍ତୁ ପିଲା ଜନ୍ମ ହେଲେ କ’ଣ କରନ୍ତି, ସେ ଜାଣିବେ କାହୁଁ ? ଯାହା ଜାଣିଲେ ତା କଲେ । ଆଉ ଆପଦରୁ କିପରି ବର୍ତ୍ତିବେ, ଏଥିପାଇଁ ‘ମାଆ ପରଗଳା’ ଙ୍କୁ ସୁମରଣା କଲେ । ‘ମାଆ ପରଗଳା’ ନରସିଂହପୁରର ଇଷ୍ଟଦେବତା । ସେ ଏଭଳି ଦିଅଁ ଯେ, ତାଙ୍କ ନାଁ ଶୁଣିଲେ ମଣିଷର ସିଂହ ସମାନ ବଳ କାହୁଁ କାହୁଁ ଆସେ ।

 

ମାଳତୀ ଉଠିପଡ଼ି ପିଲାଟିକୁ ଧରିବାରୁ ମୁକୁନ୍ଦଙ୍କ ଦେହରେ ବଳ ଆସିଲା । ଯାହା ବା ମନରେ ଦୁଃଖ ଓ ଭୟ ଥିଲା, ସୁନ୍ଦରୀ ମାଳତୀର କଥାରେ ସେ ସବୁ ଚାଲିଗଲା । ମାଳତୀ ବୁଦ୍ଧିମତୀ ଓ ଗୁଣବତୀ । ତାଙ୍କର ହୃଦୟରେ ସତ ସାହସ ପୂରି ରହିଥିଲା । ସ୍ୱାମୀ ପାଖରେ ଥିବାରୁ ତାଙ୍କ ମନରେ ଆହୁରି ଦମ୍ଭ ଥିଲା ।

 

ମାଳତୀଙ୍କ ବିବାହ ଯେତେବେଳେ ଦୁଇ ବର୍ଷ ତଳେ ହୋଇଥିଲା–ସେତେବେଳେ ତାଙ୍କର ବାପ, ମାଆ ଏକମାତ୍ର ଝିଅଟିକୁ ଜାଣିଶୁଣି ବପଦ–ନଈକି ଭସାଇ ଦେଇଥିଲେ । ସେମାନେ ଭଲ କରି ଜାଣିଥିଲେ ଯେ, ନରସିଂହପୁରରେ ବର୍ଗୀ ସାତ ବର୍ଷ ହେଲା ଘେରାଉ କରିଚି, ବଣଜଙ୍ଗଳରେ ନିତି ରକ୍ତକୁଣ୍ଡ ତିଆରି ହେଉଚି, ବର୍ଗୀ ଫେରୁ ନାହିଁକି ରଜା ମାନୁ ନାହିଁ । ଏପରି ଥାନରେ ଝିଅ ବିଭା ଦେଲେ ଯାହା ଫଳ ଫଳେ ତା ଫଳିବ । ମାଳତୀ ମଧ୍ୟ ତାହା ବୁଝିଥିଲେ । ତାଙ୍କ ବିଭଘର ଆଶ୍ଚର୍ଯ୍ୟ ପ୍ରକାର ହୋଇଥିଲା । ତାଙ୍କ ବିଭାଘରେ ବାଜା ନ ଥିଲା; ଗହଣା ନ ଥିଲା-। ମୋଟରେ କହିଲା କିଛି ନ ଥିଲା । ଠିକ୍‌ କଣ୍ୱ ଋଷିଙ୍କ ଆଶ୍ରମରେ ଶକୁନ୍ତଳାଙ୍କ ସାଙ୍ଗରେ ଦୁଷ୍ମନ୍ତଙ୍କର ଯେପରି ବିଭାଘର ହୋଇଥିଲା, ସେହିପରି । ସେ ବିଭା ଘରରେ ମହାବୀର ମଙ୍ଗରାଜ ଆଉ ରାଜପୁତନାରୁ ଆସିଥିବା କମଳ ସିଂହ କେବଳ ସାକ୍ଷୀ ରହିଲେ । ସେତେବେଳେ କମଳ ସିଂହ ଫୁଲଝରରେ ଆଶ୍ରୟ ନେଇ ଥିଲେ । କମଳସିଂହ କିଏ, ସେ କେଉଁଠୁ କାହିଁକି ଆସି ଫୁଲଝରରେ ରହିଥିଲେ, ସେ ଏକ ବଡ଼ କଥା । ତେବେ ବିଭାଘରରେ ବରକୁ କନ୍ୟା ତରବାରୀଟିଏ ଏବଂ କନ୍ୟା ବରକୁ ଭାଲିଟିଏ ଉପହାର ଦେଇ ବିବାହ ଶେଷ କରିଥିଲେ । ଏ ବିଭାଘର ଘୋର ଜଙ୍ଗଲରେ ହୋଇଥିଲା ।

 

ଏ କଥା ଅନ୍ୟ ଲୋକେ ଆଦୌ ଜାଣିପାରି ନ ଥିଲେ । ମାଳତୀଙ୍କ ଆଖିରେ ସେ ଦିନର କଥା ସବୁ ଫୁଟି ଉଠିଲା । ସେ କେତେ କଷ୍ଟରେ ସେଥର ଚାଲି ଚାଲି ଆସି ବିପଦରୁ ଉଦ୍ଧାର ପାଇଥିଲେ । ଆଗେ ୧୪ ବର୍ଷ ଯାଏ ମହାସୁଖରେ ରହି ତାପରେ ବିପଦରେ ପଡ଼ି ପୁଣି ରକ୍ଷା ପାଇଥିଲେ ଆଜିଯାଏ । ଏଥର ତାଙ୍କ ଜୀବନରେ ବିପଦର ଦିନ ପୁଣି ଆସିଲା ବୋଲି ସେ ମନେ ମନେ କେତେ ଭାବିଲେ । ସେ ଭାବି ନ ଥିଲେ ମଣିଷ ଏପରି ବିପଦରେ ପଡ଼େ ବୋଲି ! ତଥାପି ନିରାଶ ହୃଦୟରେ ତାଙ୍କର ଆଶା ପୂରି ରହିଥିଲା ।

 

ଏଥର ମୁକୁନ୍ଦ ବଣଭିତରକୁ ପଶିଯାଇ ଆହୁରି କଅଁଳ ପତ୍ରଗୁଡ଼ିଏ ଛିଣ୍ଡାଇ ଆଣିଲେ । ସେଥିରେ ଗୋଟିଏ ଶେଯ କରି ପିଲାଟି ସହିତ ଦୁଇ ପ୍ରାଣୀ ବସିଲେ । ବସି ଭାବୁଥାନ୍ତି–କ’ଣ କରିବା-? କିପରି ଯିବା ? ତେଣେ ବାପାଙ୍କର ଅବସ୍ଥା କ’ଣ ହେଲା ?

 

ମାଳତୀ କହୁଥାନ୍ତି–‘‘ଆହା, ବାପା ମୋରି ପାଇଁ ଶତ୍ରୁ ହାତରେ ହଣା ହେବେ । ମୁଁ ମରିଥିଲେ ବା କ’ଣ ସରି ଯାଉଥିଲା ?’’ କେତେ କଥା ବାର୍ତ୍ତା ହେଲେ । ଶେଷକୁ ଠିକ୍‌ କଲେ ଯେ, ଘୋଡ଼ାରେ ବସି ଗୋଟିଏ ଗୋଟିଏ ଚାଲିଯିବେ । ତା ନ ହେଲେ ରକ୍ଷା ନାହିଁ ।

 

-୭-

 

ବିପଦ ଅଇଲା ବେଳେ କାହୁଁ କାହୁଁ ମାଡ଼ି ଆସେ । କିଛି ସମୟ ଯାଇଚି, ଏପରି ସମୟରେ ଦଣ୍ଡକେ ମେଘ ଘୋଟିଗଲା । ଆଶ୍ୱିନ ମାସ । ବର୍ଷ ହେବ ବୋଲି ସେ ଦୁହିଙ୍କର ବିଶ୍ୱାସ ହେଲା ନାହିଁ; କାରଣ ଆଡ଼ମ୍ୱରିଆ ମେଘ ବରଷେ ନାହିଁ । ତେବେ କାଳେ ବର୍ଷା ହେବ, ଏଥିପାଇଁ ଦୁହେଁଯାକ ଘୋଡ଼ା ସଜ କରିବାକୁ ବିଚାର କରୁଛନ୍ତି–ଶୁଣିଲେ, ଦୂରରେ କ’ଣ ଗୋଟାଏ ମଟ୍‌ ମଟ୍‌ ହେଲା । ମୁକୁନ୍ଦ ବଣଜଙ୍ଗଲ କଥା ସବୁ ଜାଣନ୍ତି । ସେ ବଣହାତୀ ବୋଲି ସନ୍ଦେହ କରି ଛିଡ଼ା ହୋଇ ପୁଣି କାନପାରିଲେ । ହାତୀସବୁ ବଳାଙ୍ଗୀ ବାଉଁଶବଣିରେ ବହୁତ ଥାନ୍ତି ।

 

ସତକୁ ସତ ଚାହୁଁ ଚାହୁଁ ମଡ଼ ମାଡ଼ କରି ବଣହାତୀ ପ୍ରାୟ ୧୫/୧୬ଟା ଯାଏ ଆସି ପାଖେଇ ଗଲେ । କ’ଣ କରିବେ ବୋଲି ମୁକୁନ୍ଦ ବୁଦ୍ଧି ଉପାୟ ପାଇଲେ ନାହିଁ । ଆଜି ତାଙ୍କର ଜଳ ଥଳ ସବୁଆଡ଼େ ବିପଦ । ବଣୁଆ ହାତୀଗୁଡ଼ାକ ବଡ଼ ମାରଣା, ମଣିଷ ଦେଖିଲେ ଦାନ୍ତରେ ଚିରି ମାରିଦେବେ । ଏଗୁଡ଼ାକ ମଧ୍ୟ କମ୍‌ ହାତୀ ନୁହନ୍ତି । ମସ୍ତ ବଡ଼ ଦନ୍ତା ହାତୀ ସେ ଦଳରେ ଗୋଟାଏ ଥିଲା, ଆଉ ଛୋଟ ବଡ଼ ହୋଇ କେତେ ଗୁଡ଼ାଏ । ତାଙ୍କର ଆଖି ପଡ଼ିଗଲେ ସେମାନେ ଆଉ ବାକୀ ରଖିବେ ନାହିଁ । ମୁକୁନ୍ଦ ଲୁଚି ଲୁଚି ଦେଖିଲେ ଯେ, ହାତୀସବୁ ମେଲି ଆସୁଚନ୍ତି–କେଉଁଠି କେଉଁଠି ବା ଠିଆ ହୋଇ ଟିକିଏ ଝୁଲୁଚନ୍ତି । ହାତୀକୁ ଲୁଚି ରହି ଟେଳା ପଥର ଘିଁ ଘାଁ ମାଇଲେ ସେ ସବୁ ହୁରୁଡ଼ି ପଳାଇ ଯାଆନ୍ତି । ନ ହେଲେ ହାବୁଡ଼େ ପଡ଼ିଗଲେ ସର୍ବନାଶ !

 

ମୁକୁନ୍ଦ ହାତୀସବୁ ପାଖେଇ ଆସିବା ଦେଖି ଗୁଡ଼ିଏ ପଥର ଗୋଟାଇ ଏପରି ଭାବରେ ଘିଁ ଘାଁ କରି ମାଇଲେ ଯେ, ସେ ବଣ ଗୋଟାକ ଯାକ କମ୍ପିଗଲା । ହାତୀସବୁ ଠିଆ ହୋଇ ଶବ୍ଦ ବାରୁଚନ୍ତି, ଏତିକିବେଳେ ସେ ଘୋଡ଼ାରେ କଅଁଳ ପିଲା ଓ ମାଳତୀଙ୍କୁ ଧରି ଧୀରେ ଚାଲିଲେ । ସେତେବେଳେ ଦନ୍ତା ହାତୀଟା ଏପରି ଗୋଟାଏ କିରିକିଛିଆ ରଡ଼ି କଲା ଯେ ସେ ଜଙ୍ଗଲଟା ଭାଙ୍ଗି ପଡ଼ିଲା ପରି ଲାଗିଲା ।

 

ମାଳତୀ ଆଉ ମୁକୁନ୍ଦ ସେପରି ସାହାସୀ ବୋଲି ସହି ସମ୍ଭାଳି ନିଡ଼ରରେ ବାଟ ଚାଲିଲେ-। ନ ହେଲେ ସେ ସେଇଠି ଗୋଡ଼ି ଭୂଇଁରେ ଖସିପଡ଼ି ମରି ଯାଇଥାନ୍ତେ ।

 

ଶହେ କି ଦୁଇଶ କଦମ ଯାଇଚନ୍ତି କି ନାହିଁ, ମୁକୁନ୍ଦ ମାଳତୀଙ୍କୁ ଆଉ ଗୋଟିଏ ନୂଆ ବିପଦ ଦେଖାଗଲା । ସେ ସପନରେ ଭାବି ନ ଥିଲେ ତାଙ୍କୁ ଏତେ ବିପଦ ଉପରେ ପୁଣି ବିପଦ ପଡ଼ିବ ବୋଲି ! ମଣିଷ ତ ଜନ୍ମ ହୋଇଚି ସହିବ ବୋଲି । ସେ ଯଦି ନ ସହିପାରେ, ତେବେ ସେ ଭୟାଳୁ କାପୁରୁଷ । ହାତୀଗୁଡ଼ାକ ସିନା ତାଙ୍କର ଖୋଜ ଖବର ପାଇଲେ ନାହିଁ–ଏଣେ ଯାହାକୁ ଡରି ସେ ପଳାଇ ଯାଉଥିଲେ, ଏବେ ତାଙ୍କରି ହାବୁଡ଼େ ପଡ଼ିଗଲେ ।

 

ସେ ସବୁ ବାଙ୍ଗରା ବାଙ୍ଗରା ବର୍ଗୀଙ୍କୁ ଦେଖି ମୁକୁନ୍ଦଙ୍କର ଛାତି ଢିଙ୍କି ପାହାର ପଡ଼ିଲା ପରି ହେଲା । ଦେଖିଲେ, ପ୍ରାୟ ପନ୍ଦର ଜଣ ହେବ ବର୍ଗୀ ତେଣୁ ଚାଲୁଚନ୍ତି । ଏଣେ ଆକାଶରେ ମେଘ ଘୋଟି ରହିଚି । ବିଜୁଳି ଘଡ଼ଘଡ଼ିରେ ପୃଥ୍ୱୀ ଦୁଲୁକୁଚି । ଟିପି ଟିପି ହୋଇ ବର୍ଷା ପଡ଼ୁଚି । ମୁକୁନ୍ଦ ସେ ସବୁକୁ ଦେଖି ଘୋଡ଼ାକୁ ଲୁଚାଇ ଦେବେ ବୋଲି ଭାବିଲେ । ମାତ୍ର ଗୋଟାଏ ବର୍ଗୀ ସେତିକିବେଳେ ‘ହୋ’ ‘ହୋ’ ହୋଇ ହସି ଉଠିଲା । ମୁକୁନ୍ଦ ଘୋଡ଼ା ଲୁଚାଇବେ କ’ଣ, ତରବାରୀ ଧରି ତଳକୁ ଡେଇଁ ପଡ଼ିଲେ ।

 

ବର୍ଗୀମାନେ ପାଖକୁ ଆସି ଯେତେବେଳେ ମାଳତୀଙ୍କୁ ଦେଖିଲେ, ତାଙ୍କ ରୋମମୂଳ ଟାଙ୍କୁରି ଉଠିଲା । ସେ ଏପରି ସୁନ୍ଦରୀ ସ୍ତ୍ରୀ କେବେ ଦେଖି ନ ଥିଲେ । ତଳିପାରୁ ବାଳ ଯାଏ ସବୁ ଆଡ଼ ଏପରି ଗଢ଼ଣ ଯେ, ସେମାନେ କାହିଁକି, ସ୍ୱର୍ଗର ଦେବତା ଦେଖିଲେ ଲୋଭାଇବେ । ଚୋର ବର୍ଗୀଗୁଡ଼ାକ ମାଳତୀଙ୍କୁ ଲୋଭ କରି କହିଲେ–‘‘ବୀର, ତରବାରୀ ଦେଖାଇ ଲାଭ କ’ଣ ? ଆମକୁ ସେ ସ୍ତ୍ରୀଟିକୁ ଦେଇ ପଳାଇ ଯା । ନ ଗଲେ, ଆମ ହାତରେ ନ ମଲେ–ଆମର ଆଉ କୌଣସି ଦଳ ହାତରେ ପଡ଼ିଲେ ତୁ ବଞ୍ଚିବୁ ନାହିଁ । ଆମେ କହୁଚୁ–ତୋର ପ୍ରାଣକୁ ଲୋଭ ଥିଲେ ତୁ ଆମ କଥା ଶୁଣି କାମ କର । ଆମେ ଜାଣୁଚୁ ତୁ ମଧ୍ୟ ସ୍ତ୍ରୀଟିକୁ କେଉଁଠୁ ଚୋରି କରି ଆଣିଚୁ । ତୋ ସାଙ୍ଗକୁ ସେ ବଡ଼ ସମକଚ୍ଛ ହୋଇଚି । ହେଲେ କ’ଣ ହେବ, ଆମେ ଯେ ରାଇଜର ରଜା–ଏ ଏ ପୃଥିବୀର ଈଶ୍ୱର । ଆମକୁ ତାକୁ ଦେଇ ତୁ ବାଟେ ବାଟେ ଆନନ୍ଦରେ ଚାଲିଯା ।’’

 

ଏକଥା ଶୁଣି ମୁକୁନ୍ଦଙ୍କର ଶିରାରେ ଶିରାରେ ରକ୍ତ ତାତି ଉଠିଲା । ମାଳତୀ ପାପୀର ଏପରି କଥା ଶୁଣି ଯୁଦ୍ଧ ପାଇଁ ତିଆର ହେଲେ । ସେ କଅଁଳା ପିଲାଟିକୁ ଅଣ୍ଟିରେ ପୂରାଇ ଦେଇ ଏପରି ଭାବରେ ଲୁଗା କାନିକୁ ଭିଡ଼ି ଦେଲେ ଯେ, ପିଲାଟି ପେଟରେ ଲାଖି ରହିଗଲା । ମାଳତୀ ସ୍ୱମୀର, ନିଜର ଏବଂ ପିଲାର ଜୀବନ ଆଶା ଛାଡ଼ିଥିଲେ ।

 

ବର୍ଗୀମାନଙ୍କର ବହୁତ କଟୁ କଥା ମୁକୁନ୍ଦ ଶୁଣିଲେ । ଯେତେବେଳେ ମଳତୀଙ୍କୁ ଅପମାନ କରି ଆଗରେ ଥିବା ବର୍ଗୀଟା ଏଣୁତେଣୁ ବହୁତ କହିଲା, ମୁକୁନ୍ଦ ରାଗରେ ଅସମ୍ଭାଳ ହୋଇ ଖଣ୍ଡାରେ ଏପରି ଗୋଟାଏ ଚୋଟ ପକାଇଲେ ଯେ, ସେ ଦିଗଡ଼ ହୋଇ ସେଇଠି ଭୂଇଁତଳେ ପଡ଼ିଗଲା । ଝଟ କିନା ମୁକୁନ୍ଦ ତାର ଖଣ୍ଡାଟାକୁ ଭିଡ଼ି ଆଣି ମାଳତୀ ହାତକୁ ଦେଇ ଖଣ୍ଡା ବୁଲାଉ ବୁଲାଉ କହିଲେ–‘‘ବୀରବାଳା, ପ୍ରାଣ ଥିବାଯାଏ ଯେପରି ଶତ୍ରୁ ହାତକୁ ନ ଯାଉ । ମନେ ରଖ, ତୁ ଜୟପୁର ରାଜବଂଶର ବୋହୂ । ଯୋଉ ରାଜପୁତନାର ଚିତୋରବାସିନୀ ପଦ୍ମିନୀ ପ୍ରାଣ ଥାଉଁ ଶତ୍ରୁ ଆଲ୍ଲାଉଦ୍ଦିନର ହାତକୁ ନ ଯାଇ ଜହର ବ୍ରତ କରି ନିଆଁରେ ପୋଡ଼ି ହୋଇ ମରିଥିଲେ–ତୁ ସେଇ ରାଜପୁତନାର ଜୟପୁର ରାଜବଂଶର ଧର୍ମ୍ମଜୟ ବଂଶର ବୋହୂ । ଜୟପୁରର ପହ୍ଲନ ରମଣୀ ଶତ୍ରୁକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ–ଧର୍ମ୍ମଜୟଙ୍କ କନ୍ୟା ପ୍ରଗଳା ପିତାଙ୍କୁ ବଞ୍ଚାଇବା ପାଇଁ ନିଜ ମୁଣ୍ଡ ଖଣ୍ଡାରେ ପାତି ଦେଇ ଏବେ ଏ ରାଜ୍ୟର ଇଷ୍ଟଦେବୀ ପ୍ରଗଳା ଠାକୁରାଣୀ ହୋଇଅଛନ୍ତି । ସବୁ ମନେ ରଖି ତିଆରି ହୁଅ । ବିବାହ ବେଳରେ ତୋର ଭାଲି, ମୋ ଖଣ୍ଡା ମୋର ହତରେ । ଆଉ ଶତ୍ରୁର ତରବାରୀ ତୋ ହାତରେ । ମୁଁ ବଞ୍ଚିଥିବା ଯାଏ ତୋର କିଛି ହେବ ନାହିଁ ।’’

 

ଏହା କହି ମୁକୁନ୍ଦ ତରବାରୀ ଘୂରାଇଲେ । ଚକ୍ରଭଳି ତରବାରୀ ଦଶ ଦିଗକୁ ବୁଲିଲା । ବହୁତ ବେଳ ଯୁଦ୍ଧ କଲେ । ଯେଉଁ ବର୍ଗୀ ତାଙ୍କ ସହିତ ଯୁଦ୍ଧ କରୁଥିଲେ, ସେମାନେ ବର୍ଗୀମାନଙ୍କ ଭିତରେ ପ୍ରଧାନ ବ୍ୟକ୍ତି-ମଧ୍ୟ ଅତି ବଳବାନ୍‌ । ସେମାନେ ତାଙ୍କ ପ୍ରାଣକୁ ତିଳେ ଡରନ୍ତି ନାହିଁ । ସେମାନଙ୍କ ଭିତରୁ ଜଣ ଜଣ ହୋଇ ସାତ ଜଣ ମଲେ । ମାତ୍ର ଗୋଟାଏ ବର୍ଗୀର ଖଣ୍ଡାଘାତରେ ମୁକୁନ୍ଦଙ୍କର ତରବାରୀଟି ହାତରୁ ଖସିଗଲା । ମୁକୁନ୍ଦ ତଥାପି ଯୁଦ୍ଧରୁ ନିରସ୍ତ ହେଲେ ନାହିଁ । ସେ ଭାଲି ଧରି ସେଥିରେ ଯୁଦ୍ଧ କଲେ । ସେତେବେଳ ଯାଏ ମାଳତୀ ଯୁଦ୍ଧ ପାଇଁ ତିଆରି ହୋଇ ନ ଥିଲେ । ନୂଆ ଜନ୍ମ କରିଥିବା ସ୍ତ୍ରୀଲୋକ–ଯେ ଅନ୍ତୁଡ଼ିଶାଳରେ ରହିଥାନ୍ତା, ସେ ଯୁଦ୍ଧ କରିବା କଥା କେହି ଶୁଣିଥିବେ କି ନାହିଁ । ମାଳତୀ କଥା ଶୁଣିଲେ ଆଉ କେବେ ଆଶ୍ଚର୍ଯ୍ୟ ମଣିବ ନାହିଁ ।

 

ଯେତେବେଳେ ମାଳତୀ ତାଙ୍କ ସ୍ୱାମୀଙ୍କର ଦଶା ଅତି ମନ୍ଦ ହେବାର ଦେଖିଲେ, ସେତେବେଳେ ଖଣ୍ଡା ବୁଲାଇ ଧାଇଁଲେ । ଏଭଳି ଅଦ୍ଭୁତ ଖଣ୍ତା ବୁଲାଇଲେ ଯେ, ମହାବଳବନ୍ତ ବର୍ଗୀଗୁଡ଼ାକ ଆଉ ଭରସି ଆଗେଇଲେ ନାହିଁ । ମୁକୁନ୍ଦଙ୍କର ମଧ୍ୟ ଆଶ୍ରା ପାଇ ସାହାସ ବଢ଼ିଗଲା । ସେ ଥାଉ ଥାଉ ତାଙ୍କ ସ୍ତ୍ରୀ ଯୁଦ୍ଧକୁ ବାହାରିବେ, ତାଙ୍କର ଏପରି ଭରସା ନ ଥିଲା । ଯେତେବେଳେ ମାଳତୀ ରଣଚଣ୍ଡୀ ମୂର୍ତ୍ତିରେ ବର୍ଗୀମାନଙ୍କୁ ମାରି ପଦା କରିଦେଲେ, ସେତେବେଳେ ତାଙ୍କ ଦେହ ରକ୍ତରେ ଭାସିଗଲା ।

 

ମଣିଷ ରକ୍ତରେ ମାଳତୀଙ୍କର କଅଁଳ ପିଲାର ଗାଧୁଆ ହୋଇଗଲା । ଏତେ ହଲଚଲ ଯୁଦ୍ଧ ଦାଉରେ ସେ ପିଲା ମଲା ନାହିଁ । ମାଳତୀଙ୍କ ଖଣ୍ଡା ଦାଢ଼ରେ ସବୁ ବର୍ଗୀ ମଲେ; ମାତ୍ର ଗୋଟାଏ, ପ୍ରାଣ ବିକଳରେ କୁଆଡ଼େ ଲୁଚିଗଲା । ମୁକୁନ୍ଦ ଯୁଦ୍ଧରେ ଜୟୀ ହେବା ମାତ୍ରେ ପୁଣି ଘୋଡ଼ାରେ ଚଢ଼ି ପଳାଇଲେ ।

 

-୮-

 

ସେ ଦିନ ବିପଦ ଉପରେ ବିପଦ ତାଙ୍କୁ ଲାଗି ରହିଥିଲା । ବର୍ଗୀ ପ୍ରାଣ ବିକଳରେ ସମସ୍ତେ ମରିଯିବା ଦେଖି ସେମାନେ ଆଗକୁ ଦଉଡ଼ିଲେ । ମୁକୁନ୍ଦ ବାଟ ଭାଙ୍ଗି ଶହେ କଦମ ଆଗକୁ ଯାଇଚନ୍ତି କି ନାହିଁ ଦେଖିଲେ, ଅସୁମାରି ବର୍ଗୀ ତାଙ୍କ ଆଡ଼କୁ ଆସୁଚନ୍ତି । ବୋଧ ହୁଏ ସେଇ ଲୋକଟା ଯାଇ ସେମାନଙ୍କୁ ଖବର ଦେଇଥିଲା । ମୁକୁନ୍ଦ ଆଉ ଏଥର ବଞ୍ଚିବେ ବୋଲି ଆଶା କଲେ ନାହିଁ । ମାଳତୀକୁ ଗୋଟିଏ ଶେଷ ଚୁମ୍ୱନ ଦେଇ କହିଲେ–‘‘ମାଳତୀ, ବୀର ଜୀବନ ଏହିପରି । ପ୍ରଭୁ କରନ୍ତୁ–ଯେପରି ତୁମର ହୃଦୟ ଆଶଙ୍କରେ ଦୁର୍ବଳ ନ ହୁଏ । ଯୁଦ୍ଧ କଲେ ଜୟ ଅଛି, ପରାଜୟ ଅଛି; ମାତ୍ର ମନେ ରଖ ସତୀ, ଭୀତି ଓ ଦୁର୍ବଳତା ମଣିଷର ମୃତ୍ୟୁ–ମୃତ୍ୟୁଠୁ ଆହୁରି ଭୟଙ୍କର । ଆଉ ଏ ଜନ୍ମରେ ଭେଟ ହେବ ନାହିଁ । ତୁମେ ଯଦି ପ୍ରାଣରେ ବଞ୍ଚିପାର, ତେବେ ଏଇ ପିଲାଟି ପାଇଁ ତୁମେ ପୃଥ୍ୱୀରେ ରହିବ । ମନେ ରଖ, ମୋ କଥା ପାଶୋରିବ ନାହିଁ–ଏହାକୁ ମଣିଷ କରି ତାପରେ ପଛେ ମରିବ ।’’

 

ମାଳତୀଙ୍କ ଆଖି ଛଳ ଛଳ ହେଲା । ସେ ତାଙ୍କର ସ୍ୱାମୀଙ୍କୁ କରୁଣ ଦୃଷ୍ଟିରେ ଚାହିଁଲେ; ମାତ୍ର ତାଙ୍କର ତେଜ ପୁଣି ଫୁଟି ଉଠିଲା । ସେ ସ୍ୱାମୀଙ୍କୁ ସାହାସ ଦେଇ କହିଲେ–‘‘ନିରାଶ ହୁଅ ନାହିଁ । ନିରାଶ ପ୍ରାଣ ଜଗତରେ ଅଭିଶପ୍ତ ପ୍ରାଣ । ଦୁଃଖ ଆସୁ, ସୁଖ ଆସୁ, ବିପଦ ଆସୁ, ମୃତ୍ୟୁ ଆସୁ, ସବୁ ସହିବାକୁ ହେବ । ଭୟ କର ନାହିଁ । ତୁମର ସତୀ ସ୍ତ୍ରୀ କେବେ ପଛଘୁଞ୍ଚା ଦେବେ ନାହିଁ । ଯେ କମଳ ସିଂହ ଭାଇର ସାମାନ୍ୟ ଅସତ୍ୟ ଯୋଗୁଁ ରାଜ୍ୟ ଧନ ଛାଡ଼ି ଦାଣ୍ଡର ଭିକାରୀ ହେବାକୁ ସୁଖ ମଣିପାରେ–ସେହି କମଳ ସିଂହର ଗୋଟିଏ ବୋଲି ଝିଅ, କେବେ ବୀର ସିଂହ ମଙ୍ଗରାଜର ବୋହୂ ହୋଇ ସାଧାରଣ ବର୍ଗୀର ବଶତା ସ୍ୱୀକାର କରିପାରେ ? ତୁମର କଥା ମୁଁ ଅକ୍ଷରେ ଅକ୍ଷରେ ନିଶ୍ଚୟ ପାଳନ କରିବି ।’’

 

କହୁ କହୁ ଘୋଡ଼ସବାର ବର୍ଗୀସବୁ ଆସି ତାଙ୍କୁ ବେଢ଼ିଗଲେ । କିଛି ବୋଇଲେ କିଛି କଥାବାର୍ତ୍ତା ନ କହି ସମସ୍ତେ ତାଙ୍କୁ ଏପରି ଭାବରେ ଆକ୍ରମଣ କଲେ ଯେ, ସେ ବନସ୍ତଟା ଥରି ଉଠିଲା । ମୁକୁନ୍ଦ ସେମାନଙ୍କ ଭିତରୁ ଏପରି ଭାବରେ ଘୋଡ଼ାକୁ ଡିଆଇଁ ନେଇଗଲେ ଯେ ବର୍ଗୀମାନଙ୍କର ଆଖି ଝାପ୍‌ସା ହୋଇଗଲା । ଦୂରରେ ମାଳାତୀଙ୍କୁ ଛାଡ଼ି ଦେଇ କହିଲେ–‘‘ମାଳତୀ, ତୁମେ ଘୋଡ଼ାରେ ଚାଲିଯାଅ । ମୁଁ ଏଇଠି ଏମାନଙ୍କୁ ଅଟକାଇଛି ।’’

 

କିନ୍ତୁ ମାଳତୀ ଗଲେ ନାହିଁ । ସ୍ୱାମୀଙ୍କୁ ଛାଡ଼ି ଯିବାକୁ ତାଙ୍କର ମନ ହେଲା ନାହିଁ । ମୁକୁନ୍ଦ ପାଦରେ ଚାଲି ଯୁଦ୍ଧ କରିବାରୁ ସବୁ ବର୍ଗୀଯାକ ମଧ୍ୟ ତଳକୁ ଡେଇଁ ପଡ଼ିଲେ । ମୁକୁନ୍ଦ ଭାଲି ଦେଖାଇ ସେମାନଙ୍କୁ କହିଲେ–‘‘ଦେଖ, ମଙ୍ଗରାଜ ପୁଅ କେବେ ବଞ୍ଚି ଥାଉ ଥାଉ ତୁମ୍ଭଙ୍କୁ ଧରାଦେବ ନାହିଁ । ଆସ ଯୁଦ୍ଧ କର । ଜଣଙ୍କୁ ଜଣ ମୋ ଆଗରେ ଛିଡ଼ା ହୁଅ ।’’

 

ମୂର୍ଖ ବର୍ଗୀମାନେ ତା ଶୁଣିଲେ ନାହିଁ ।ଚାରିଆଡ଼ୁ ବେଢ଼ି ଅନ୍ୟାୟ ଯୁଦ୍ଧ କଲେ । ଏହିପରି ଯୁଦ୍ଧ ଦିନେ ଅଭିମନ୍ୟୁ କୌରବମାନଙ୍କ ସହିତ କରିଥିଲେ । ଅନ୍ୟାୟରେ ଯୁଦ୍ଧ କରି ସେ ଦିନ ଦୁଃଶାସନ ଅଭିମନ୍ୟୁଙ୍କୁ ଗଦାରେ ପିଟି ଧୂଳି କରି ଦେଇଥିଲା । ଆଜି ଠିକ୍‌ ସେଇପରି ମୁକୁନ୍ଦ ଚବିଶ ବର୍ଷର ଯୁବକ ଜଣେ-ବର୍ଗୀ ସୈନ୍ୟ ଅସୁମାରି ।

 

ମୁକୁନ୍ଦ ଆଗରୁ ଯୁଦ୍ଧ କରି କରି ହାଲିଆ ହୋଇଥିଲେ ସୁଦ୍ଧା ଯେପରି ଯୁଦ୍ଧ କଲେ, ସେଥିରେ ଶହ ଶହ ବର୍ଗୀ ତଳେ କସିପଡ଼ି ମରିଗଲେ । ତାଙ୍କ ଦେହ ରକ୍ତରେ ବୁଡ଼ିଗଲା । ଦେହ ଫୁଟି ରକ୍ତ ବୋହି ଯାଉଥାଏ; ତଥାପି ମୁକୁନ୍ଦଙ୍କ ହାତର ତରବାରୀ ବର୍ଗୀଙ୍କ ଗର୍ବ ଚୂନା କରିଦେଲା । ବର୍ଗୀମାନେ ଶେଷକୁ ଉପାୟ ନ ପାଇ ଏକାବେଳେ ତାଙ୍କ ଉପରେ ହାବୁଡ଼ି ପଡ଼ିଯାଇ କେତେ ଜଣ ମଲେ ଓ ଦରମରା ମୁକୁନ୍ଦଙ୍କୁ ଧରି ପକାଇଲେ ।

 

ସିଂହ ଶିଶୁ ସହଜରେ ଧରା ଦେଲା ନାହିଁ । ଦୁଷ୍ଟ ବର୍ଗୀଗୁଡ଼ାକ ନିର୍ଦ୍ଦୋଷ ପ୍ରାଣୀ ଉପରେ ଅକାରଣ ଅତ୍ୟାଚାର କଲେ । ତାଙ୍କୁ ମାଳତୀ ପାଖକୁ ନେଇ କହିଲେ- ‘‘ସୁନ୍ଦରୀ, ଏଥର ଆଉ କ’ଣ ଭାବୁଚୁ ? ଆସ ।’’ କହି ଗୋଟାଏ ବର୍ଗୀ ହାତ ବଢ଼ାଇବା ସାଙ୍ଗେ ସାଙ୍ଗେ ସେ ଏପରି ଗୋଟାଏ ଚୋଟ ଦେଲେ ଯେ, ସେ ସେଇଠି ତଳେ ପଡ଼ି ଛଟପଟ ହୋଇ ମଲା । ଅନନ୍ତର ମାଳତୀ ସ୍ୱାମୀଙ୍କୁ ରକ୍ଷା କରିବା ପାଇଁ ସେ ଦୁଷ୍ଟମାନଙ୍କୁ କେତେ ଅନୁନୟ ବିନୟ କଲେ; କିନ୍ତୁ ସେମାନେ ତାଙ୍କ କଥାରେ ଆଦୌ କାନ ଦେଲେ ନାହିଁ; ବରଂ କହିଲେ–ଏହାକୁ ଏକାବେଳେ ନ ମାଇଲେ ତୋତେ ପାଇବା ଅସମ୍ଭବ ହେବ।

 

ବର୍ଗୀସବୁ ମୁକୁନ୍ଦଙ୍କୁ ମାଳତୀ ଆଗରେ ଯେତେବେଳେ ହାତ, ଗୋଡ଼, ଜଙ୍ଘ ଏପରି ଗୋଟି ଗୋଟି କରି କାଠ ଗଡ଼ ପରି ପକାଇ କାଟିଲେ, ମାଳତୀ ଆଉ ସମ୍ଭାଳି ପାରିଲେ ନାହିଁ । ସେ ତୀକ୍ଷ୍‌ଣ ତରବାରୀ ଧରି ଚହଟି ଆସିଲେ । ଏତେବେଳେ ବର୍ଗୀଗୁଡ଼ାକ ହୋ ହୋ ହୋଇ ହସି ଉଠି ମୁକୁନ୍ଦଙ୍କୁ ପ୍ରାୟ ଏକ ମିନିଟ୍‍ରେ ଶହ ଗଡ଼ କରି ହାଣି ଦେଇ କହିଲେ–‘‘ହେଲା, ହେଲା, ଆଉ କ’ଣ ଚାହୁଁ ?’’

 

ମାଳତୀଙ୍କର ତରବାରୀ ନଇଁଗଲା । ଦେହରୁ ଯେପରି ପ୍ରାଣବାୟୁ ଉଡ଼ିଗଲା । ସେ ‘ପରଗଳା’ ‘ପରଗଳା’ ଡାକୁଥିଲେ । ଆହା, ଏଭଳି ବିପଦରେ କ’ଣ ମଣିଷ ପଡ଼େ ? ତେବେ ସେ ଜିଇ ଥାଉ ଥାଉ ଧରା ଦେବେ ନାହିଁ ବୋଲି ଶପଥ କଲେ । ଦୁଷ୍ଟଗୁଡ଼ାକୁ କହିଲେ–‘‘ଦେଖ, ଶିଶୁ ପିଲା ଯାହା ଦଣ୍ଡେ ହେଲା ଜନ୍ମ ହୋଇଚି, ମୁଁ ତାକୁ ଧରିଚି । ତୁମେ ମୋ ସହିତ ନ ଲାଗି ମୋତେ ଛାଡ଼ିଦିଅ । ମୋର ସ୍ୱାମୀଙ୍କୁ ତ ଖଣ୍ଡ ଖଣ୍ଡ କରି କାଟିଦଲ, ଆଉ କ’ଣ ଲୋଡ଼ୁଚ ?’’

 

ଗୋଟାଏ ଦୁଷ୍ଟ କହିଲା–‘‘ଆରେ, କାହାପାଇଁ ଆମେ ଦେଢ଼ଶ ଯାଏ ମଲୁଣି ? ପୁଣି ତୋର ସ୍ୱାମୀ କାହା ପାଇଁ ମଲା ? ତୋରି ପାଇଁ ତ ? ସରଦାର କଥାରେ କ’ଣ ଆମେ ଏପରି ମରିଥାନ୍ତୁ ? ତୁ ଆମର ହୋଇଗଲେ ଆମେ ତୋର କିଛି କରିବୁ ନାହିଁ । ମରିବାକୁ ଯଦି ଥାଏ, ତେବେ ସେ ଆଗ କଥା ଭୁଲି ତରବାରୀ ପକାଇ ଦେ ! ତୋ ପରି କନ୍ୟା ହାତକୁ ଏ ତରବାରୀ ! ଛି, ଛି !’’

 

ସ୍ୱାମୀର ମୃତ୍ୟୁ, ରକ୍ତବୋଳା ଛିଣ୍ଡା ମୁଣ୍ଡ, ପୁଣି ଖଣ୍ଡ ଖଣ୍ଡ ହାତ ଗୋଡ଼ ଦେଖି ମାଳତୀଙ୍କର ପ୍ରଳୟ-ରାଗ ଜଳି ଉଠିଲା । ସେ ଭାବିଲେ–‘‘ହାୟ, ଯେଉଁ ମରହଟ୍ଟା ଦେଶରେ ବୀରେନ୍ଦ୍ରକେଶରୀ ଶିବାଜୀଙ୍କର ଜନ୍ମ, ଯେଉଁଠି ମହାତ୍ମା ରାମଦାସ, ତୁକାରାମ ପ୍ରଭୃତି ମହାପୁରୁଷମାନେ ସତୀ ପାଇଁ ପ୍ରାଣବଳି ଦେବାକୁ କହି ଯାଇଚନ୍ତି, ଯେଉଁ ସ୍ଥାନର ଲୋକେ କେବଳ ସତୀତ୍ୱ ଓ ମହତ୍ତ୍ୱ ପାଇଁ ରକ୍ତନଈ ବୁହାଇ ଦେଇଚନ୍ତି, ଏ ଚଣ୍ଡାଳଗୁଡ଼ାକ ସେହି ଦେଶର ଲୋକ ।’’

 

ବର୍ଗୀ ବୋଇଲେ ଯେପରି କେହି ମରହଟ୍ଟା ବୁଝିବେ ନାହିଁ । ବର୍ଗୀଗୁଡ଼ାକ ମହାରାଷ୍ଟ୍ର ଦେଶର ନୀଚ ଶ୍ରେଣୀୟ ଲୋକ । ଏମାନଙ୍କର ସରଦାର ମରହଟ୍ଟା । ମହାତ୍ମା ଶିବାଜୀ ସେମାନଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଇ ସୈନିକ କରିଥିଲେ । କିନ୍ତୁ ତାଙ୍କ ପରେ ସେମାନେ ରାକ୍ଷସ ପାଲଟିଥିଲେ ।

 

ମାଳତୀ କାଳାନଳ ମୂର୍ତ୍ତିଧରି ଠିକ୍ ଚଣ୍ଡୀ ପରି ଛିଡ଼ା ହୋଇ କହିଲେ–‘‘ଜାଣ ନା ପାପିଷ୍ଠ, ଆମ ବଂଶରେ ଶକୁନ୍ତଳା ପାଟ ମହାଦେଈ କ’ଣ କରିଥିଲେ ? ଶକୁନ୍ତଳା ଏହି ନାଁ ଧଇଲେ ଦେହ ଥରି ଉଠେ । ରତ୍ନହୀରା ତରବାରୀରେ ଯେ ଏକାକୀ ନରସିଂହପୁରକୁ ଶତ୍ରୁଠାରୁ ରକ୍ଷା କରିଥିଲେ, ମୁଁ ସେଇ ବଂଶର ବୋହୂ–ମୋଠି ସେଇ ବଂଶର ରକ୍ତ ଅଛି । ଏ ବଂଶରେ ବିଧାତା ଆମକୁ ସୌନ୍ଦର୍ଯ୍ୟ କାହିଁକି ଦିଏ, ମୁଁ ଜାଣେ ନାହିଁ–ତେବେ ଆମର ରୂପ ସାଙ୍ଗକୁ ଆଉ କ’ଣ ଜିନିଷ ଅଛି ବୁଝିବ ଦୁଷ୍ଟ ! ଶକୁନ୍ତଳା ମୋଠାରୁ ଶତଗୁଣ ସୁନ୍ଦରୀ ଥିଲେ । ତାଙ୍କୁ ପାପିଷ୍ଠ ‘ବୀରବିକ୍ରମ’ ସେଇଥିପାଇଁ ଯେପରି ଦୁଃଖ ଦେଇଚି- ଯେପରି ଅତ୍ୟାଚାର କରିଚି, ତାହା କହି ହେବ ନାହିଁ । ମାତ୍ର ଶେଷରେ କ’ଣ ଭୋଗିଲା ଜାଣ ? ଯାହା ଭୋଗିଲା, ତୁମେ ସବୁ ମୋ ଠାରୁ ସେଇ ଦଶା ଭୋଗିବ । ତୁମର କ’ଣ ମାଆ ଭଉଣୀ ନାହାନ୍ତି ? ତୁମକୁ ଲାଜ ଲାଗୁ ନାହିଁ ? ତୁମେମାନେ ପରର ପ୍ରସୂତି ସ୍ତ୍ରୀପ୍ରତି ପାଷଣ୍ଡ ବ୍ୟବହାର କରିବାକୁ ଇଚ୍ଛା କରୁଚ ? ଧିକ୍, ଧିକ୍, ଶତ ଧିକ୍ ତୁମକୁ !’’

 

ଜଣେ ବର୍ଗୀ ମାଳତୀଙ୍କର ପାଖକୁ ଲାଗିଯାଇ କହିଲା–‘‘ସୁନ୍ଦରୀ ! ଆମ୍ଭେମାନେ ବର୍ତ୍ତମାନ ତୋ ପାଇଁ ପାଗଳ । ଆମ ମାଆ ଭଉଣୀ, ଆଉ ତୁ–ଏ କ’ଣ ସମାନ ?’’

 

ମାଳତୀ ପୁଣି ଥରି ଉଠିଲେ, କହିଲେ–‘‘ନରାଧମ ! ମହାପୁରୁଷ ଶିବାଜୀ ପରା ସେ ଦିନ ତୁମ ଜାତିକୁ ଶିଖାଇଥିଲେ–ଯେତେ ସ୍ତ୍ରୀଲୋକ ସମସ୍ତେ ମୋର ମାଆ, ‘ଜିଜାବାଇ’ ବୋଲି । ସେ ସବୁ ତୁମେ କ’ଣ ପାଶୋରି ଦେଲଣି ?’’

 

ମୁର୍ଖ ସେ କଥାରୁ କିଛିମାତ୍ର ବୁଝିଲେ ନାହିଁ । ସେ ବା ସେଥିରୁ କ’ଣ ବୁଝିବେ ? ସେମାନେ ପାଗଳ ଭଳି ମାଳତୀଙ୍କ ଉପରକୁ ଝାମ୍ପି ପଡ଼ିଲେ । ମାଳତୀ ଏଥର ତରବାରୀ ବୁଲାଇ ହଣା ପର୍ବ ଆରମ୍ଭ କଲେ । ଭୀଷଣ ଯୁଦ୍ଧ ହେଲା । ଏକା ମାଳତୀ ପ୍ରସୂତି ସ୍ତ୍ରୀଲୋକ, ଆଉ ଏ ପାଖେ ଶହ ଶହ ଗୁଣ୍ଡା ବଦମାସ୍ ବର୍ଗୀ । ମାଳତୀ ପରଗଳା ନାମ ସୁମରଣା କରି ଖଣ୍ଡା ବୁଲାଇଲେ । ରକ୍ତରେ ବୋଳି ହୋଇ ମାଳତୀ ସେ ଯୁଗର ମହିଷମର୍ଦ୍ଦିନୀ ଦୁର୍ଗା ପରି ଦିଶିଲେ ।

 

-୯-

 

ଏଣେ କ’ଣ ହୋଇଚି ନା–ମଙ୍ଗରାଜଙ୍କୁ ଗୁଡ଼ାଏ ବର୍ଗୀ ଦଉଡ଼ାରେ ବାନ୍ଧି ସେତିକିବେଳେ ସେଇ ବାଟେ ନେଉଥାନ୍ତି । ସେମାନେ କିଛି ଦୂର ଯାଇ ଦେଖିଲେ ଯେ, ତାଙ୍କ ଜାତି ଭାଇରୁ ବହୁତ ଲୋକ ମରି ତଳେ ପଡ଼ିଚନ୍ତି । ଦେଖିଲା ମାତ୍ରେ ସେ ବର୍ଗୀଙ୍କର ନିଶ୍ୱାସ ବନ୍ଦ ହୋଇଗଲା; କାରଣ ରଜାଙ୍କ ଠାରେ ସେମାନଙ୍କର ପ୍ରାଣର ଭୟ ଥିଲା । ଯେଉଁଦିନୁ ମଙ୍ଗରାଜେ ଗୁପ୍ତ ଭେଦସବୁ ଜାଣି ପାରିଲେଣି, ସେ ଦିନୁଁ ବର୍ଗୀ ମରୁଥାନ୍ତି ଯେ ସୀମା ନ ଥାଏ । ଭାବିଲେ ଯେ, ରଜା ବୋଧ ହୁଏ ସମସ୍ତଙ୍କୁ ମାରି ଧରି ଶେଷ କରିଦେଲାଣି । ଏହା ଭାବି ମଡ଼ାସବୁ ଲେଉଟାଇ ଦେଖିଲେ- ତାଙ୍କ ସାଥୀ ସାଙ୍ଗ ସୈନ୍ୟମାନଙ୍କ ଭିତରୁ ଆଛା ଆଛା ବୀରସବୁ ମରି ପଡ଼ିଚନ୍ତି–କେତେ ପ୍ରାଣ ବିକଳରେ ଯୋଉ ରଡ଼ି କରୁଥାନ୍ତି, ଶୁଣିଲେ ଛାତି ଥରି ଉଠିବ ରକ୍ତ ପାଣି ହୋଇଯିବ ।

 

ଠିକ୍ ସେତିକି ବେଳକୁ ସେ ହାତୀ ପଲଟା କେଉଁଠି ଥିଲେ, ଚଟ୍‌କିନା ଭଡ଼୍‍ ଭାଡ଼୍ ଥୋଡ଼ ପାହାରରେ ଗଛଡାଳ ଭାଙ୍ଗି ଆସି ହାବୁଡ଼ିଗଲେ । ସେଗୁଡ଼ାକ ପହଞ୍ଚିଯିବା ମାତ୍ରେ ବର୍ଗୀଗୁଡ଼ାକ ମଙ୍ଗରାଜଙ୍କୁ ଧପ୍‌କିନା ପକାଇ ଦେଇ ବାଟ ଭାଙ୍ଗି ପଳାଇଲେ । ସେମାନଙ୍କ ମନରେ ହଣା ମଣିଷ ମୁଣ୍ଡ ଦେଖି ବଡ଼ ଭୟ ଅଇଲା । ସେମାନେ ଆଜକୁ ପ୍ରାୟ ଦୁଇ ମାସ ହେଲା ରଜାଙ୍କ ଖବର କିଛି ଜାଣି ନ ଥିଲେ । ରଜା କେଉଁଠି କ’ଣ କରୁଚନ୍ତି, ତାହା ଜାଣି ନ ପାରି ମନସବୁ ତାଙ୍କର ବଡ଼ ଦୁଃଖ ଥିଲା । ଏଣେ ହଣା ମୁଣ୍ଡକୁ ତେଣେ ହାତୀ ପଲ । ଏ ବିପଦରେ ବର୍ଗୀଯାକ ପ୍ରାଣ ବିକଳରେ ପଳାଇଲେ ଯେ, କିଏ ଝୁଣ୍ଟି କରି ପଡ଼ିଗଲା-କିଏ କାଟିଦେଲା କଦଳୀ ଗଛ ପରି ଖସି ପଡ଼ିଲା । ଏହିପରି ପଡ଼ି ଉଠି ରକ୍ତ ସ୍ନାନ ହୋଇ ଅଳ୍ପ ଦୂରରେ ଯାଇ ଛିଡ଼ା ହୋଇ ଚାହିଁଛନ୍ତି- ହାତୀ ପଲ ମଙ୍ଗରାଜଙ୍କୁ କ’ଣ କରିବେ ବୋଲି; ମାତ୍ର ସେମାନେ ବେଶୀ ବେଳ ଆଉ ଦେଖି ପାରିଲେ ନାହିଁ । କାହୁଁ ଆସି ନିଜେ ରଜା ମନ୍ଦରଧର ତିନିଶ ଘୋଡ଼ସବାର ସୈନ୍ୟଙ୍କୁ ଧରି ବେଢ଼ି ଯାଇ ଅଳ୍ପ କ୍ଷଣରେ ଯେତେ ବର୍ଗୀ ଥିଲେ, ସମସ୍ତଙ୍କୁ ମାରି ତଳେ ପକାଇ ଦେଲେ । ସେଥିରୁ ବର୍ତ୍ତିବାକୁ ଆଉ କେହି ଜଣେ ହେଲେ ରହିଲା ନାହିଁ ।

 

ସେତେବେଳକୁ ମାଳତୀଙ୍କୁ ସେ ଖଣ୍ଟମାନେ ବେଢ଼ି ରହିଥାନ୍ତି । ଯୁଦ୍ଧ ଲାଗିଥାଏ । ଏହି ସମୟରେ ଗୋଟାଏ ଚୋରା ଦୂତ ଯାଇ ବଡ଼ ପାଟିରେ ଡାକ ଛାଡ଼ିଲା–‘‘ହେ, ହେ, ରଜା ବର୍ଗୀଙ୍କ ମୁଣ୍ଡ କାଟି କାଟି ଆସୁଚି–ଏହିକ୍ଷଣି ଆସି ବେଢ଼ିଯିବ–ଧାଇଁ ଚାଲ, ଧାଇଁ ଚାଲ ।’’

 

ବର୍ଗୀମାନେ ବଣଜଙ୍ଗଲରେ ଲୁଚି ଯାହା କିଛି କରନ୍ତି, ବୃଥାରେ ମରିଯିବା ଡରରେ । ଏ କଥା ଶୁଣିବା ମାତ୍ରେ ମୂର୍ଖଯାକ ଏପରି ବେଗରେ ଛିନିଛତ୍ର ହୋଇ ପଳାଇଲେ ଯେ, ତାଙ୍କୁ ଗୋଡ଼ି, ପଥର, କଣ୍ଟା, ବୁଦା, ଗଛ, ବଣ, ଲଇ, କିଛି ଦିଶିଲା ନାହିଁ । କିଏ ଘୋଡ଼ା ଛାଡ଼ିଗଲା, କିଏ ତରବାରୀ ନେବାକୁ ଭୁଲିଗଲା । ପ୍ରାଣ ରଖିବାକୁ ପଳାଇ ଯାଇ ଏପରି ଭାବରେ କିଏ କେଉଁଠି ଲୁଚିଗଲେ ଯେ, ତାଙ୍କ ପତା କେହି ସୁଦ୍ଧା ଜାଣି ପାରିଲେ ନାହିଁ । ଚୋରର ତ ସବୁ ଦିନେ ଡର । ପରଜିନିଷରେ ଅଧିକାର କରିବାକୁ ଅଇଲେ କି ଅନ୍ୟାୟ କଲେ ଅତ୍ୟାଚାର କଲେ ଏପରି ଲୋକେ ଡରିଥାନ୍ତି । ସତ୍ୟ ଓ ଅହିଂସା ସମ୍ମୁଖରେ ଡର କିଛି ବୋଇଲେ କିଛି ନ ଥାଏ ।

 

ବର୍ଗୀମାନେ ତାଙ୍କୁ ଛାଡ଼ି ପଳାଇବା ଦେଖି ମାଳତୀ ଆଶ୍ଚର୍ଯ୍ୟ ହେଲେ । କଥା କ’ଣ କିଛି ବୁଝିପାରିଲେ ନାହିଁ । ପିଲାଟିକୁ ଡରିଡରି ବାହାର କରି ଦେଖିଲେ; ତଥାପି ଏତେ ଭୀଷଣ ଯୁଦ୍ଧ ଭିତରେ ସୁଦ୍ଧା ସେ ମରି ନାହିଁ । ପିଲାଟି ବାହାର ପବନ ବାଜିବା ମାତ୍ରେ ଚେଇଁଉଠି କାନ୍ଦିଲା । ସେ ତାକୁ ଦୁଧ ଟିକିଏ ଖୁଆଇଲେ । ତାପରେ ସ୍ୱାମୀଙ୍କର ମୁଣ୍ଡଟିକୁ ଗୋଟାଇ ଆଣି ତାକୁ ଛାତିରେ, କୋଡ଼ରେ, ମୁଣ୍ଡରେ ଚାରିଆଡ଼େ କେତେ ରଖିଲେ, କେତେ ଚୁମା ଦେଲେ । ତାଙ୍କ ଆଖିରୁ ଲୁହଧାରା ବୋହି ଯାଉଥାଏ । ସେ ହଣା ମୁଣ୍ଡକୁ ଲକ୍ଷ ଥର ଚୁମିଲେ ସୁଦ୍ଧା ତାଙ୍କ ପ୍ରାଣରେ ସନ୍ତୋଷ ଆସିଲା ନାହିଁ । ତାଙ୍କ ଦେହ କ’ଣ ହୋଇଗଲା । ଛାତି ଫାଟିଯିବା ଭଳି ହେଲା । ବୀରା ରମଣୀ ସେ । ତା ନ ହେଲେ ସ୍ୱାମୀର ଏଭଳି ଦୁର୍ଦ୍ଦଶା ଆଖି ଆଗରେ ଦେଖି କେତେ ଜଣ ଫୁଲପରି କୋମଳହୃଦୟା ସ୍ତ୍ରୀଲୋକ ସହିପାରନ୍ତି ? ମାଳତୀ ସ୍ୱାମୀଙ୍କର ଶେଷ କଥା ପଦକ ମନେ ରଖି ବଞ୍ଚିଲେ–ନ ହେଲେ ସେ ସେଇଠି ମରିଯାଇଥାନ୍ତେ । ତେବେ ଅସମ୍ଭାଳ ହୋଇ କାନ୍ଦି ଉଠିଲେ । ରକ୍ତ ଆଉ ଲୁହ ଏକାଠି ମିଶିଗଲା ।

 

ମଙ୍ଗରାଜ ତ ହାତୀ ହାବୁଡ଼େ ପଡ଼ିଥାନ୍ତି । ତାଙ୍କ ହାତରେ, ଅଣ୍ଟାରେ ଚାରିଆଡ଼େ ଦଉଡ଼ା ବନ୍ଧା ହୋଇଥାଏ । ସେ କ’ଣ କରିବେ, କିଛି ମାତ୍ର ଉପାୟ ପାଇଲେ ନାହିଁ । ଶେଷକୁ ତାଙ୍କର ଗୋଟାଏ ବୋବାଳି ମନେ ପଡ଼ିଗଲା । ଅକସ୍ମାତ୍ ହାତୀ ହାବୁଡ଼େ ପଡ଼ିଗଲେ ବଣୁଆ କନ୍ଧମାନେ ଏପରି ଏକପ୍ରକାର ବୋବାଳି କରନ୍ତି ଯେ, ସେଥିରେ ହାତୀ ଡରି ପଳାନ୍ତି । ମଙ୍ଗରାଜ କନ୍ଧଙ୍କଠାରୁ ତାହା ଶିଖିଥିଲେ । ବର୍ତ୍ତମାନ ଠିକ୍ ସେହିପରି ପାଟି କରିବା ମାତ୍ରେ ହାତୀ ପଲ କୁଆଡ଼େ ଏଣେ ତେଣେ ଘୋର ଗର୍ଜନ କରି ପଳାଇଲେ । ତାପରେ ସେ ଆଖି ବୁଲାଇ ଦେଖିଲେ, ପାଖରେ ଖଣ୍ଡେ ତରବାରୀ ପଡ଼ିଚି । ସେ ସେଖଣ୍ଡ ବଡ଼ କଷ୍ଟରେ ପଛ ପାଖେ ରଖି ହାତବନ୍ଧା ଦଉଡ଼ିକୁ କାଟି ହାତ ଫିଟାଉଚନ୍ତି–ଏତିକି ବେଳେ ରଜା ଖୋଜି ଖୋଜି ଯାଇ ପହଞ୍ଚିଲେ ଏବଂ ଝଟକିନା ନିଜ ବାଘମାରୀ ତରବାରୀ ଧାରରେ ଦଉଡ଼ାଗୁଡ଼ାକ କାଟି ବଡ଼ଜେନାଙ୍କୁ ମୁକୁଳାଇଦେଲେ । ସେତେବେଳେ ଆଉ କିଛି କଥାବାର୍ତ୍ତା ହେବାକୁ ତର ନ ଥିଲା ।

 

ଗୋଟାଏ ଚୋରା ଦୂତ ଆସି ଖବର ଦେଲା ଯେ, ଆଗରେ ବହୁତ ବର୍ଗୀ ଦଉଡ଼ି ପଳାଉଚନ୍ତି । ସେ ଯେଉଁ ବାଟେ ଆସିଥିଲା, ସେ ବାଟ ମାଳତୀଙ୍କ ଥିବା ବାଟଠାରୁ ଅଲଗା । ସେଥିପାଇଁ ସେ ମାଳତୀଙ୍କର ଖବର କିଛି ବୋଇଲେ କିଛି ଦେଇପାରିଲା ନାହିଁ । କେବଳ କହିଲା ଯେ, ମୁକୁନ୍ଦ ଆଉ ମାଳତୀ ସାତଘରିଆ ଯାଇ ନାହାନ୍ତି । ରଜା ଏବଂ ସେନାପତି ମଙ୍ଗରାଜଙ୍କ ମନରେ ସନ୍ଦେହ ଘାରିଲା । ନିଶ୍ଚୟ ସେମାନେ ବିପଦରେ ପଡ଼ିଚନ୍ତି ।

 

ରାଜା ଆଉ ଟିକିଏ ଆଗରୁ ଆସିଥିଲେ ମଙ୍ଗରାଜ ଏତେ କଷ୍ଟ ପାଇ ନ ଥାନ୍ତେ । ହେଲେ ପାହାନ୍ତାରେ ରଜା ମଙ୍ଗରାଜଙ୍କଠାରୁ ବିଦା ହୋଇଗଲା ପରେ ବର୍ଗୀ ହାବୁଡ଼େ ପଡ଼ିଥିଲେ । ତାଙ୍କର ଭୀଷଣ ଯୁଦ୍ଧ ହେଲା । ସେ ଯୁଦ୍ଧରେ ବର୍ଗୀ ହଟିଗଲା ପରେ ସେ ଜୟପୁର ଯାଇ ସେଠି କୌଣସି ପ୍ରକାର ଖବର ନ ପାଇ ପୁଣି ବାଟରେ ଖୋଜି ବୁଲିଲେ । ଏହିସବୁ ଘେନି ଅଳ୍ପ କଥାବାର୍ତ୍ତା ହେଉଚନ୍ତି–ଗଛ ଉପରୁ ଗୋଟିଏ ପାଇକ ସରଦାର ଡାକିଲା–‘ମହାପ୍ରଭୁ, ଶୀଘ୍ର ମଝି ବାଟରେ ଆଗକୁ ଚାଲ । ଦେଖ ବର୍ଗୀ ପଳାଉଚନ୍ତି ।’ ସେତେବେଳକୁ ମାଳତୀଙ୍କୁ ଛାଡ଼ି ବର୍ଗୀମାନେ ପଳାଉଥାନ୍ତି ।

 

ଏ କଥା ଶୁଣିବା ମାତ୍ରେ ମଙ୍ଗରାଜେ ଗୋଟାଏ ଘୋଡ଼ସବାରଠାରୁ ଘୋଡ଼ାଟାଏ ନେଇ ସେଥିରେ ବସି ରଜାଙ୍କୁ ସାଙ୍ଗରେ ନେଇ ଦଉଡ଼ିଲେ । ପଛରେ ଅସୁରମାରି ସୈନ୍ୟ ମଧ୍ୟ ଧମ୍ ଧାମ୍ ଚାଲିଲେ । ସେମାନେ ଖଣ୍ଡେ ଦୂର ଯାଇଚନ୍ତି କି ନାଇଁ ଦେଖିଲେ, ବର୍ଗୀସବୁ ପଳାଉଚନ୍ତି । ମାତ୍ର ଚାହୁଁ ଚାହୁଁ ସେମାନେ କୁଆଡ଼େ ଲୁଚିଗଲେ । ଶୁଣିଲେ ଠିକ୍ ତାଙ୍କରି ମାଳତୀ ପରି ପାଟି କରି କିଏ ଗୋଟିଏ କାନ୍ଦୁଚି । ମଙ୍ଗରାଜେ ସେ କାନ୍ଦକୁ ଅନୁସରଣ କଲେ, ଆଉ ରଜା ବର୍ଗୀଙ୍କର ଅନୁସରଣ କଲେ ।

 

ମଙ୍ଗରାଜେ ଅସମ୍ଭାଳ ହୋଇ ପହଞ୍ଚି ଦେଖିଲେ, ତାଙ୍କର ବୀର ପୁଅ ମୁକୁନ୍ଦର ହଣା ମୁଣ୍ଡଟିକୁ କୋଳରେ ଧରି-ଗୋଟିଏ ଶିଶୁକୁ ତଳେ ଶୁଆଇ ରକ୍ତରେ ଗାଧୋଇ ପାଧୋଇ ମାଳତୀ କାନ୍ଦୁଚି । ମାଳତୀର ଏ ଅବସ୍ଥା ଦେଖି ତାଙ୍କର କୋହ ଉଠିଲା । ସେ ପୁଅର ମୁଣ୍ଡ ନେଇ ପାଗଳ ପରି କେତେ ବେଳେ କାନ୍ଦିଲେ; ମାତ୍ର ଶେଷକୁ ନିଜକୁ ଦମ୍ଭ ଦେଇ, ଧର୍ମଜୟ, ଦିଗମ୍ବର, ଦୟାନିଧି, ଶକୁନ୍ତଳାଙ୍କର ବଂଶର ପୁଅ ବୋଲି ଭାବି, ମାଳତୀକୁ ସାଙ୍ଗରେ ଧରି ବରାହଖୋଲକୁ ଯିବାକୁ ବାହାରିଲେ । ସଙ୍ଗେ ସଙ୍ଗେ ବଂଶୀଧ୍ୱନି କଲାମାତ୍ରେ ଅକଳନ୍ତା ସୈନ୍ୟ ଆସି ପହଞ୍ଚିଗଲେ । ଗୋଟିଏ ସବାରି ଅଣାଇ ସେଥିରେ ମାଳତୀଙ୍କୁ ବସାଇ ତାଙ୍କୁ ବରାହଖୋଲକୁ ପଠାଇଦେଲେ । ବାଟରେ ଯାଉ ଯାଉ ମାଳତୀଙ୍କଠାରୁ ସବୁ କଥା ଶୁଣି ଭାବିଲେ–ବୀର ପୁଅ ମୋର, ବୀରତ୍ୱ ଦେଖାଇ ମରିଚି । ମାଳତୀଙ୍କୁ ଆଶ୍ୱାସନା ଦେଇ କେତେ କଥା କହିଲେ ଏବଂ ଶେଷରେ ଏତିକି କହି ବିଦାୟ ନେଲେ–‘‘ମାଳତୀ, ତୁ ମୋର ପୁଅ ।’’

 

ମାଳତୀଙ୍କୁ ବାଟେଇ ଦେଇ ଫେରିଆସି ପୁଅର ଶବକୁ ବାପ ହୋଇ ନିଆଁରେ ପୋଡ଼ିଲେ, ତାପରେ କିଛି ଦୂର ଯାଇ ଦେଖିଲେ–ଲୁଚିଥିବା ବର୍ଗୀମାନଙ୍କୁ ରାଜସୈନ୍ୟମାନେ ହାଣୁଚନ୍ତି । ସେଠାରେ ଗୋଟିଏ ଛୋଟ ଯୁଦ୍ଧ ହୋଇଗଲା । ବର୍ଗୀ କେତେ ମଲେ, ଆଉ କେତେ ପ୍ରାଣ ଘେନି ପଳାଇଗଲେ ।

 

ଏଣେ ମାଳତୀ ରାଣୀଙ୍କ ପାଖରେ ଯାଇ ପହଞ୍ଚିଲେ । ରାଣୀ ମାଳତୀଙ୍କୁ କୋଡ଼କୁ ନେଇ କେତେ ଆଶ୍ୱାସନା ଦେଲେ, ଦମ୍ଭ ଦେଲେ, ବହୁତ ବୁଝାଇଲେ–ତଥାପି ମାଳତୀଙ୍କ ଆଖିରୁ ଲୁହଧାର ବନ୍ଦ ହେଲା ନାହିଁ । ରକ୍ତ ଲୁହ ଥରେ ବାହାରିଲେ, ସହଜରେ ଆଉ ଶୁଖେ ନାହିଁ ।

 

-୧୦-

 

ଅଳ୍ପ ଦିନ ଭିତରେ ସାତଘରିଆ ପର୍ବତ ସନ୍ଧିରେ ରଜା ମଙ୍ଗରାଜଙ୍କୁ ଧରି ଏପରି ଯୁଦ୍ଧ କଲେ ଯେ, ବର୍ଗୀମାନଙ୍କର ବହୁତ ସୈନ୍ୟ ମଲେ; ମାତ୍ର ସେମାନେ ରାଜ୍ୟ ଛାଡ଼ି ପଳାଇଲେ ନାହିଁ-। ଚାରିଆଡ଼େ ଲୁଚି ରହି ପୂର୍ବଠୁ ଅଧିକ ଅତ୍ୟାଚାର ଆରମ୍ଭ କଲେ । ବରାହଖୋଲଟି ବର୍ଗୀଙ୍କ ଆଖି ହାବୁଡ଼େ ଏହି ୯ ବର୍ଷ ଭିତରେ କେବେ ହେଲେ ପଡ଼ି ନ ଥିଲା । ପଡ଼ିଥିଲେ ପ୍ରାୟ ଶହେ ଜଣ ସ୍ତ୍ରୀଲୋକ ପିଲାଟିମାନଙ୍କ ସହିତ ଯମପୁରକୁ ଯାଇଥାନ୍ତେ ।

 

ଚାହୁଁ ଚାହୁଁ କିଛି ଦିନ ବିତିଗଲା । ପ୍ରଜାମାନେ ଦୁଃଖରେ ଅସମ୍ଭାଳ ହୋଇ ରଜାଙ୍କ କଥାରେ ଅମାନିଆ ହେବାକୁ ବିଚାରିଲେ । କେତେ ସହିବେ ? କେତେ ଲୁଚି ଲୁଚି ରହିବେ ? ମହାକାଳ ବିପଦ ତାଙ୍କୁ ଏହି ନଅ ବର୍ଷ କାଳ ଦେହରୁ ରକ୍ତ ଶୁଖାଇଦେଲା । ସେମାନେ ରଜାଙ୍କୁ ଚାହିଁ ନଅ ବର୍ଷ ଆଗେ ପ୍ରତିଜ୍ଞା କରିଥିଲେ- ‘‘ନରସିଂହପୁର ପଛେ ରକ୍ତରେ ଭାସିଯିବ, ସେମାନେ କେବେ ବର୍ଗୀର ଅଧୀନତା ସ୍ୱୀକାର କରିବେ ନାହିଁ । ଘାଟି ପର୍ବତ ତଳୁ ମହାନଦୀ ଯାଏ ପଛେ ମଣିଷ ମୁଣ୍ଡରେ ଭୂତପ୍ରେତ ଖେଳିବେ; ମାତ୍ର ନରସିଂହପୁର ପରର ଅଧୀନ ହେବ ନାହିଁ । ମହାବୀର ଦୟାନିଧିଙ୍କର ସେହି କୁଜଙ୍ଗ କୁଞ୍ଜର-ଦଳା, ଗଜପତିଙ୍କର ଉପହାର–‘ବୃଷଭାଙ୍କିତ ପତାକା’ ତଳକୁ ନଇଁବ ନାହିଁ ।’’

 

ପ୍ରଜାମାନେ ଢେର ସହିଲେ–ଆଉ କେତେ ସହିବେ ? ନରସିଂହ ପୁରରେ ରକ୍ତ କୁଣ୍ଡ ତିଆର ହେଲା । ଶହ ଶହ ମୁଣ୍ଡ ଗଡ଼ିଲା । ବିଧବାର କରୁଣ କ୍ରନ୍ଦନରେ ପଥର ସୁଦ୍ଧା ପାଣି ହେଲା । ସେମାନେ ଆଉ କେତେ ସହିବେ ? ପ୍ରଜା ପ୍ରତିଜ୍ଞା ଭାଙ୍ଗି ବର୍ଗୀର ଶରଣ ନେବାକୁ ଠିକ୍ କଲେ । ଗୁପ୍ତହତ୍ୟା ତାଙ୍କୁ ଦାରୁଣ କଷ୍ଟ ଦେଲା; ତେଣୁ ସେ ମରହଟ୍ଟା ସହ ସନ୍ଧି କଲେ ।

 

ଦିନେ ସନ୍ଧ୍ୟାବେଳେ ବିରାଟ ମଧୁବନ ତୋଟାରେ ଗୋଟାଏ ସଭା ହେଲା । ମହାନଦୀ କୂଳରେ ଏହି ମଧୁବନ ତୋଟା ୨୦୦ ହାତ ଓସାରରେ ୭ କୋଶ ଲମ୍ବର ଗୋଟିଏ ତୋଟା । ଆଜି ସେ ତୋଟା ମହାନଦୀର ଉତ୍ପାତରେ ଭାଙ୍ଗିଗଲେ ସୁଦ୍ଧା ବହୁତ ସ୍ଥାନରେ ଶହ ଶହ ହାତ ଲମ୍ବର ଖଣ୍ଡେ ଖଣ୍ଡେ ରହି ସେହି ଦିନର ପୁରୁଣା କଥା ମନେ ପକାଇଦିଏ ।

 

ସଭାକୁ ବର୍ଗୀ ସରଦାର ଡକରା ହୋଇ ଅଇଲେ । ନରସିଂହପୁରରେ ଏହିପରି ସଭା ସମିତି ଆଜିଯାଏ ଅଛି । ଏହାକୁ ଅନେକେ ଭୁଲ ବୁଝି ମେଳି ନାଁ ଦେଇଥାନ୍ତି; ମାତ୍ର ଏପରି ସଭା କୋଉ କାଳରୁ ଲାଗି ଆସିଅଛି । ବର୍ଗୀ ସରଦାର ମହାଆଡ଼ମ୍ବରରେ ଆସି ପହଞ୍ଚିଲେ । ସଭା ହେଲା । ଜଣେ ମୁଖିଆ ଦଳବେହେରା ଆଗେ ଠିଆ ହୋଇ କହିଲେ- ‘‘ଭାଇମାନେ, ବହୁ ଦିନ ଆମ୍ଭମାନଙ୍କର ଏହି ମରହଟ୍ଟା ସରଦାରଙ୍କ ସହିତ ଯୁଦ୍ଧ ହେଲା । ଏଥିରେ, ଆମର ଜନ୍ମଭୂଇଁ ନରସିଂହପୁରର ବହୁତ ଲୋକ ମଲେ, ବହୁତ ଧନ କ୍ଷତି ହେଲା, ବହୁତ ସ୍ତ୍ରୀ ବିଧବା ହେଲେ, ରକ୍ତ କୁଣ୍ଡ ତିଆରି ହେଲା, ମହାନଦୀ ପାଣିରେ ରକ୍ତ ଧାର ମିଶିଲା । ତଥାପି ଯୁଦ୍ଧ ସରିଲା ନାହିଁ । ବର୍ଗୀ ଯେ ଅଳ୍ପ ମଲେ ତା ମଧ୍ୟ ନୁହେଁ । ସେମାନେ ଯେତେ ମଲେହେଁ ଫେରିଯିବାକୁ ଅମଙ୍ଗ । ଆମ୍ଭେମାନେ ଆସ ଆଜି ଗୋଟାଏ ଆପୋଷ କରିନେଇ ତାଙ୍କୁ କୁହା ପୋଛା କରି ତିନି ବର୍ଷର ହେଉ, ପାଞ୍ଚ ବର୍ଷର ହେଉ ଖଜଣା ଦେଇଦେବା । ପ୍ରଜା ବଞ୍ଚିଲେ ତ ରାଜ୍ୟ ରହିବ । ପ୍ରଜା ମଲେ ଆଉ ରାଜ୍ୟ ରହି ଲାଭ କ’ଣ ? ଆମେ ଆଉ ରଜାଙ୍କ କଥା ମାନି ଚଳିପାରିବା ନାହିଁ । ଏହି କଥା ଆମ୍ଭେମାନେ ମରହଟ୍ଟା ସରଦାରଙ୍କ ସହିତ ଚୁକ୍ତି କରି ତାଙ୍କୁ ଡକାଇ ଆଣିଅଛୁଁ- ସେ ମଧ୍ୟ ସ୍ୱୀକୃତ ଅଛନ୍ତି ।’’

 

ଲୋକ ବହୁତ ଥିଲେ । ଯେଉଁମାନଙ୍କ ଦେହରେ ତେଜ ଶକ୍ତି ପୂରି ରହିଥିଲା, ସେମାନେ ଏ କଥାକୁ ଅପସନ୍ଦ କଲେ । ତେବେ ସେମାନେ ଏପରି ହଇରାଣ ହରକତ ହୋଇଥିଲେ ଯେ, କେହି କିଛି ମାତ୍ର ବାଦ ନ କରି ସମସ୍ତେ ହଁ କଲେ । ମାତ୍ର ହରିଚନ୍ଦନପୁର-ନିବାସୀ ଜଣେ ବ୍ରାହ୍ମଣ ସନ୍ନ୍ୟାସୀ ଘୋର ଗର୍ଜ୍ଜନ କରି ଉଠିଲେ । ତାଙ୍କର ନାମ ‘ଦ୍ୱାରକା ଦାଶ’ ।

 

ବ୍ରାହ୍ମଣ ବୀର ଦ୍ୱାରକା ଦାଶ ମଙ୍ଗରାଜଙ୍କର ପ୍ରିୟ ସଙ୍ଗୀ । ଦ୍ୱାରକା ଦାଶଙ୍କର ମସ୍ତ ବଡ଼ ଗୋରା ଦେହ ଦେଖିଲେ, ମୁହଁର ଦାଢ଼ି ଦେଖିଲେ ସିଂହ ହେଲେ ବାଟ ଛାଡ଼ି ଦେବ । ତାଙ୍କ ବଂଶର ବୀରତ୍ୱ ଆଜିଯାଏ ମଧ୍ୟ ରହିଅଛି । ତାଙ୍କର ବଂଶଧର ବୃଦ୍ଧ ବ୍ରାହ୍ମଣ ଆନନ୍ଦ ଦାଶଙ୍କର ଏବେ ମଧ୍ୟ ଶତ ପରାଧୀନ ଯୁଗରେ ପୂର୍ବ ତେଜ, ପୂର୍ବ ସାହସ ଓ ସ୍ୱାଧୀନତା ରହିଅଛି । ତାଙ୍କର ବୃଦ୍ଧ ପିତାମହ ବଦ୍ରି ଦାଶ ଗୋଟାଏ ହୁଙ୍କାରରେ ଖଜୁରି ଗଛ ଉପାଡ଼ି ଯେ ରଜା ସେମନାଥଙ୍କ ଠାରୁ ବହୁତ ଜମି ପୁରସ୍କାର ପାଇଥିଲେ, ଏହା ନରସିଂହପୁରରେ ଏବେ ସୁଦ୍ଧା ସମସ୍ତେ ଜାଣନ୍ତି ।

 

‘ଦ୍ୱାରକା ଦାଶ’ ଘଡ଼ଘଡ଼ି ପରି ପାଟି କରି କହିଲେ–‘‘କିଏ ରେ କୁଳାଙ୍ଗାର, ଯୁଗେ ଯୁଗେ ଯେ ନରସିଂହପୁରର ଖ୍ୟାତି ପର୍ବତ ପରି ମୁଣ୍ଡ ଟେକି ରହିଚି–ଯେଉଁ ପାଇକ ଜାତି ଧର୍ମଜୟ ସିଂହର ଅଙ୍ଗୁଠି ଚାଳନା ମାତ୍ରେ ଲକ୍ଷ ଲକ୍ଷ କନ୍ଧ ମୁଣ୍ଡ ଗଡ଼ାଇ ମୁଣ୍ଡଗଡ଼ା ପର୍ବତରେ ତାର ସ୍ମୃତି ରକ୍ଷା କରିଚି–ସେଇ ରାଜ୍ୟରେ, ସେଇ କୁଳରେ ତୋର ଜନ୍ମ ? ଏହି ୨୦ ବର୍ଷ ପୂର୍ବର ବୀରେନ୍ଦ୍ର ଦୟାନିଧିଙ୍କର ବୀରତ୍ୱ କ’ଣ ତୋର ପାଶୋରି ଗଲାଣି ? ଯେ ବୀରକେଶରୀ ଶତ ଶତ ରଜାମାନଙ୍କ ମଧ୍ୟରୁ ସାହସରେ ଯାଇ ଦୁର୍ଦ୍ଦାନ୍ତ ଶକ୍ତିଧର କୁଜଙ୍ଗ ରଜାକୁ ବନ୍ଦୀ କରି ଆଣିଥିଲେ, ତାର ଶ୍ରୀହସ୍ତ ତରବାରୀ–ତାର ବୃଷଭାଙ୍କିତ ପତାକା ଦେଖି ସୁଦ୍ଧା ଆଜି ଏ ବୀଭତ୍ସ ଲୀଳା କରିବାକୁ ସାହସ କରୁଚ ? ଧିକ୍, ଧିକ୍, ଶତଧିକ୍ ! ସ୍ୱର୍ଗରେ ଦୟାନିଧି, ଶକୁନ୍ତଳା, ପାର୍ବତୀ, ସୁଲୋଚନା, ଦିଗମ୍ବର, ଧର୍ମଜୟ ପ୍ରଭୃତି ମାତୃଭୂମିର ସେବକମାନେ ତୁମର ଏ ପ୍ରାଣହୀନ ବ୍ୟାପାର ଦେଖି ହସୁଥିବେ । ପାଷାଣ୍ଡ ! ହା ଧିକ୍‍, ନରସିଂହପୁରର ପ୍ରଜା ଆଜି ପରର ବଶତା ସ୍ୱୀକାର କରିବାକୁ ଏକାଠି ହୋଇଅଛନ୍ତି । ବିଧାତା, ଏ ଅନ୍ଧକାର ଭିତରେ ପଥ ଦେଖାଅ ।’’

 

ଏ କଥା ଶୁଣି ପ୍ରଜାମାନେ ତେଜି ଉଠିଲେ ସତ; ମାତ୍ର ମରହଟ୍ଟା ସରଦାର ଭୀଷଣ ପାଟି କରି କହିଲେ- ‘‘ବ୍ରାହ୍ମଣ, ମିଛରେ ଏଠାରେ ଗୋଳମାଳ କରି କୌଣସି ଲାଭ ନାହିଁ । ଜାଣ, ଜାଣ ମରହଟ୍ଟା ସରଦାରର ଶକ୍ତି କେତେ ? ଯେ ଜାତି ଦିନେ ବିଜାପୁର ନବାବକୁ ଧ୍ୱଂସ କରି ଦେଇଚି, ଆରଙ୍ଗଜେବର ଗର୍ବ ଧ୍ୱଂସ କରିଚି–ମୁଁ ସେହି ଜାତିର ପୁଅ । ଏ ରାଜ୍ୟ ମରହଟ୍ଟାର ରାଜ୍ୟ-। ମରହଟ୍ଟା ଏ ଦେଶର ରାଜ । ଯଦି ପ୍ରାଣକୁ ଭୟ ଥାଏ, ତେବେ ଚୁପ୍ କର; ନଚେତ୍ ଏହି ତରବାରୀ ଏହିକ୍ଷଣି ତୋ ମୁଣ୍ଡରେ ପଡ଼ିବ । ବ୍ରାହ୍ମଣ ବୋଲି କ୍ଷମା ଦେଲି ।’’

 

ଦ୍ୱାରକା ଦାଶଙ୍କର ଦେହ ଥରି ଉଠିଲା । ସେ କାଳାନଳ ମୂର୍ତ୍ତି ଧରି ଗମ୍ଭୀର ସ୍ୱରରେ କହିଲେ–‘‘କ୍ଷମା, କ୍ଷମା, ଦ୍ୱାରକା ଦାଶ କାହାର କ୍ଷମାର ପାତ୍ର ? ସାରା ସଂସାରରେ ଏପରି କିଏ ଅଛି–ଯେ ବ୍ରାହ୍ମଣପୁତ୍ର ଦ୍ୱାରକା ଦାଶକୁ କ୍ଷମା ଦେବ ? ଅସମ୍ଭବ । ମୂର୍ଖ, ଧୈର୍ଯ୍ୟ ଧର । ଜାଣୁ ମୁଁ କିଏ ? ମୋତେ ହତ୍ୟା କରିବୁ ? ପାପିଷ୍ଠ ! ମୋର ଏହି ଜଡ଼ ଶରୀରକୁ ହତ୍ୟା କରିବୁ ? ଭୟ ନାହିଁ ନାରକି । ଜାଣୁ, ତାଣୁ, ମୋର ଆତ୍ମା ଅବିନାଶୀ । ତୋର ଏହି ତୁଚ୍ଛ ତରବାରୀରେ ତାର କିଛି ହେବ ନାହିଁ । ଦିନେ ଏହି ଉତ୍କଳ ଦେଶରେ କପିଳ, ଦଧୀଚି ନିଜ ନିଜର ସେହି ତେଜ ଦେଖାଇ ଜଗତରେ ଅମର ହୋଇଅଛନ୍ତି । ମୁଁ ତାଙ୍କରି ବଂଶଧର । ଯେଉଁ ମୃତ୍ୟୁକୁ ନରସିଂହପୁରର ସାଧାରଣ ପ୍ରଜା ଭୟ କରେ ନାହିଁ–ତାକୁ ଭୟ କରେ ଦ୍ୱାରକା ଦାଶ । ହୋଃ । ହୋଃ ! ତୋରି ଭଳି ମରହଟ୍ଟାର ଏ ରାଜ୍ୟ ! ନା ? ଯେଉଁ ବୀରେନ୍ଦ୍ର ଶିବାଜୀ ହିନ୍ଦୁସ୍ଥାନର ଗୌରବ ରକ୍ଷା ପାଇଁ ଅତ୍ୟାଚାରୀର ଅତ୍ୟାଚାର ବିରୁଦ୍ଧରେ ନିଜର ପ୍ରାଣ ପର୍ଯ୍ୟନ୍ତ ବଳି ଦେବାକୁ ଟିକିଏ କୁଣ୍ଠିତ ହୋଇ ନ ଥିଲେ–ତୁ ପୋଡ଼ାମୁହାଁ ସେହି ବଂଶର ପୁଅ । ମିଥ୍ୟା ଅତ୍ୟାଚାର ଆସି ୯ ବର୍ଷ ହେଲା କରୁଛୁ ? ମୁଁ ବଞ୍ଚି ଥାଉ ଥାଉ ମୋର ଜନ୍ମଭୂମି ନରସିଂହପୁର ଧରା ତୋର ପଦଦଳିତ ହେବ ନାହିଁ ! କାଟ୍ କାଟ୍, ମୋର ମୁଣ୍ଡ ଦେଖାଇ ଦେଉଚି–କାଟ୍ କିପରି କାଟିବୁ ? ତୁ ସୟତାନ ରାକ୍ଷସ ଏ କଥା ଥରେ ନୁହେ ମୁଁ ଲକ୍ଷେ ଥର କହିବି । ଏହି ମୂର୍ଖମାନଙ୍କୁ ବଶୀଭୂତ କରି ତୁ ଏ ଲୀଳା କରୁଛୁ ?’’

 

ଏହା କହି ‘ଦ୍ୱାରକା ଦାଶ’ ନିଜର ମୁଣ୍ଡ ନେଇ ମରହଟ୍ଟା ସରଦାରର ତରବାରୀ ପାଖରେ ଲଗାଇଦେଲେ । ସରଦାରର ତଥାପି ଧର୍ମଜ୍ଞାନ ହେଲା ନାହିଁ । ସେ ଜଳନ୍ତା ଅଙ୍ଗାର ଭଳି ଦେଖାଗଲା ଏବଂ କହିଲା–‘‘ବୋଧ ହୁଏ କିଛି କପଟ ମନ୍ତ୍ରଣା କରି ତୁମ୍ଭେମାନେ ଏଠାକୁ ଆସିଅଛ, ଅସମ୍ଭବ କ’ଣ ? ଭାଇମାନେ, ତେବେ କ’ଣ, ପୁଣି ସେହି ଯୁଦ୍ଧର ବାଜା ବାଜିବ ? ମିଳାମିଶା ହେବ ନାହିଁ ? ତେବେ ମୁଁ ଗଲି ।’’ ଏହା କହି ଯେତେବେଳେ ସେ ଶହ ଶହ ସୈନ୍ୟଙ୍କୁ ଧରି ଯିବାକୁ ବାହାରିଲା, ସେତେବେଳେ ଦ୍ୱାରକା ଦାଶ ପୁଣି କହିଲେ–‘‘ବୀର, ଯଥାର୍ଥ କହିଚ । ସମ୍ମୁଖ ଯୁଦ୍ଧକୁ ତିଆରି ହେଲେ ତୁମର ଶକ୍ତି ଜଣା ପଡ଼ନ୍ତା । ଏପରି ଚୋରପରି ନରହତ୍ୟା କରି ଯେ ପାପ ଅର୍ଜୁଛ ତାର ପ୍ରାୟଶ୍ଚିତ୍ତ କେତେ ନିକଟରେ ହେବ, ମୁଁ କହିଦେବି ବନ୍ଧୁ ।’’

 

ଜଣେ ବୃଦ୍ଧ ସରଦାର ଉଠିପଡ଼ି କ’ଣ କହିଦେବାରୁ ବହୁତ ଲୋକ ଭୀଷଣ ପାଟି କରି ଦ୍ୱାରକା ଦାଶଙ୍କୁ କଥା କହିବାକୁ ମନା କଲେ ଏବଂ ବୃଦ୍ଧ ସରଦାର ଧୀର ସ୍ଥିର ଭାବରେ କହିଲେ–‘‘ବନ୍ଧୁ, ଆପଣ ଫେରିଯିବା ଉଚିତ ନୁହେଁ । ଆପଣଙ୍କୁ ଆମ୍ଭେମାନେ ଡାକି ଆଣିଅଛୁଁ । ଆପଣ ଅପେକ୍ଷା କରନ୍ତୁ, ନିଶ୍ଚୟ କିଛି ନିଷ୍ପତ୍ତି ହୋଇଯିବ । ଏ ବ୍ରାହ୍ମଣଙ୍କର ଦୋଷ ଧରିବେ ନାହିଁ । ସେମାନେ ଅଦଣ୍ଡ୍ୟ । ତାଙ୍କର ଜଗତରେ କିଛି ପ୍ରଲୋଭନ ନାହିଁ । ସେମାନେ ଜାତିର ପ୍ରଭୁ । ରଜା ପ୍ରଜା, ଛୋଟ ବଡ଼, ସବୁ ତାଙ୍କ ଆଖିରେ ସମାନ । ସେମାନେ ଚିର ସ୍ୱାଧୀନ ଜାତି । ପ୍ରାଣ ପାଇଁ ତାଙ୍କର କାହାକୁ ଡର ନ ଥାଏ । ସେମାନଙ୍କର ସତ୍ୟ, ଅହିଂସା, ତେଜ, ବୀରତ୍ୱ ସବୁ ଆମଠୁ ପୃଥକ୍-। ତାଙ୍କ କଥା ଛାଡ଼ନ୍ତୁ । ଆପଣ କୋପ ଶାନ୍ତ କରନ୍ତୁ । ଆମ୍ଭେମାନେ କପଟ କରିଥିଲେ, ଏପରି ନିରସ୍ତ୍ର ହୋଇ ଏଠାକୁ ଆସିଥାନ୍ତୁ ଏବଂ ଆପଣ ସହସ୍ର ସଶସ୍ତ୍ର ସୈନ୍ୟ ଧରି ଉପସ୍ଥିତ ହୋଇଥାନ୍ତେ-?’’

 

ମରହଟ୍ଟା ସରଦାର ବୁଢ଼ାଙ୍କ କଥାରେ ଚୁପ୍ ହୋଇ ବସିଲେ । ଏଥର ସରବରାକାର ଓ ସରଦାରମାନଙ୍କ ମଧ୍ୟରେ କଥା ପଡ଼ିଲା । ପାଇକ ସରଦାରମାନଙ୍କ ମଧ୍ୟରୁ ବୋକଡ଼ାର ସରଦାର ଏଠାକୁ ଆସି ନ ଥିଲେ । ଆଉ ଯେଉଁମାନେ ଆସିଥିଲେ, ସେମାନଙ୍କ ମଧ୍ୟରୁ ବହୁତ ଲୋକ ପ୍ରଜାଙ୍କ ଅନୁରୋଧରେ ଆସିଥିଲେ । ତାଙ୍କର ଅଧୀନ ହେବାର ମତ ନ ଥିଲା । ତେବେ ବହୁତ ପ୍ରଜାଙ୍କର ମତ ଥିଲା–କିପରି ଏ ଯୁଦ୍ଧ ଶେଷ ହେଉ ।

 

କଥା ବିଚାର ହେଉଚି–ଠିକ୍ ଏହି ସମୟରେ କାହୁଁ ଆସି ଦୁଇ ଜଣ ଅଶ୍ୱାରୋହୀ ସଭାରେ ପହଞ୍ଚିଗଲେ । ସେ ଦୁହେଁ ପହଞ୍ଚିଗଲା ମାତ୍ରେ ସଭାରେ ଥିବା କେତେକ ପ୍ରଜା ଉଠି ତାଙ୍କୁ ସମ୍ମାନ କଲେ ଏବଂ ଅଶ୍ୱାରୋହୀ ଦୁହେଁ ସେମାନଙ୍କୁ ପ୍ରତି-ନମସ୍କାର ଦେଇ ସଭାଠାରୁ ପାଖେଇ ହୋଇ ଦୀନ ଅରକ୍ଷିତଙ୍କ ପରି ବସିଥିବା ବ୍ରାହ୍ମଣମାନଙ୍କୁ ନମସ୍କାର କଲେ । ଅଳ୍ପ ତିନି ଚାରି ଜଣ ବ୍ରାହ୍ମଣ ଥିଲେ–ସେମାନେ ଆସିବା ସାଙ୍ଗେ ସାଙ୍ଗେ ଆଖି ବୁଲାଇ ସେ ଦୁଇ ଜଣଙ୍କୁ ଆଶୀର୍ବାଦ କଲେ; ମାତ୍ର ଦ୍ୱାରକା ଦାଶଙ୍କ ନାଲି ଆଖିରେ ସେ କାହାକୁ ଦେଖି ପାରିଲେ ନାହିଁ । ରାଗରେ ଜର ଜର ହୋଇ ସେ ନିରସିଂହପୁରର ଅଧୋଗତି ବିଷୟ ଭାବୁଥିଲେ । କ’ଣ ହେଲା ଯେଉଁ ରାଜ୍ୟ ଥାପନା ବେଳେ ରକ୍ତ ବର୍ଷ । ହୋଇଥିଲା, ସେହି ରାଜ୍ୟର ପୁତ୍ର ଆଜି ପ୍ରାଣ ରଖିବାକୁ ଶତ୍ରୁ, ପାଖରେ ଶରଣ ମାଗୁଛନ୍ତି । ଏ ମାଟିରେ ସେ ଯୁଗରୁ କେହି ହେଲେ ଜଣେ କ୍ଷମା ମାଗି ନାହିଁ–ବରଂ କ୍ଷମା ଦେଇଛନ୍ତି । ଆଜି ଏ କୁଳାଙ୍ଗରଗୁଡ଼ାକ କରୁଛନ୍ତି କ’ଣ ? ହାୟ ସେ ଦିନ । କନ୍ଧ ରଜା ନରସିଂହ ଜେନା, ପୁର ଜେନା ସୁଦ୍ଧା ଏ ଭୂଇଁରେ କ୍ଷମା ନ ମାଗି ମୃତ୍ୟୁ ପର୍ଯ୍ୟନ୍ତ ବରଣ କଲେ; ମାତ୍ର ଆଜି ମୂର୍ଖଗୁଡ଼ାକ କରୁଚନ୍ତି କ’ଣ ? ତାଙ୍କ ଦେହ ଜଳି ଉଠୁଥାଏ ।

 

ଏହି ସମୟରେ ତାଙ୍କର ପିଠିରେ ହାତ ମାରିଦେଲେ ଅଶ୍ୱାରୋହୀ ଭିତରୁ ଜଣେ ମଙ୍ଗରାଜେ । ଦ୍ୱାରକା ଦାଶ ତାଙ୍କୁ ଚାହିଁଲେ; ମାତ୍ର କିଛି କଥା କହିଲେ ନାହିଁ । ଅଶ୍ୱାରୋହୀମାନେ ମଧ୍ୟ ତାଙ୍କୁ କିଛି ବୋଇଲେ କିଛି ପଚାରିଲେ ନାହିଁ । ତେବେ ଦ୍ୱାରକା ଦାଶ କ୍ଷଣକୋପୀ । ତାଙ୍କ ରାଗ ଦଣ୍ଡକେ କୁଆଡ଼େ ଚାଲିଗଲା । ସେ କେଜାଣି କାହିଁକି ମଙ୍ଗରାଜ ଏବଂ ରଜାଙ୍କୁ ଚାହିଁ ଟିକିଏ ହସିଦେଲେ ।

 

ସେତିକିବେଳେ ମରହଟ୍ଟା ସରଦାର ଭୀତ ହୋଇ ଶ୍ରୀଘ୍ର ନିଷ୍ପତ୍ତି କରିବାକୁ ପାଟି କରି ଉଠିଲା ଏବଂ ଅଶ୍ୱାରୋହୀ ଦୁଇ ଜଣଙ୍କୁ ଦେଖି ନିଜ ମଧ୍ୟରେ ମଧ୍ୟରେ ଚୁପ୍ ଚୁପ୍ ପରାମର୍ଶ କରି ବସିଲା ।

 

ଏତିକିବେଳେ ଜଣେ ବୁଢ଼ା ସରଦାର ସବୁ କଥାରେ ବାଧା ଦେଇ ଖୁବ୍ ସାହସରେ କହିଲେ–‘‘ମୁଁ ଯୁଦ୍ଧକୁ ମୋର ବଞ୍ଚିବା ୭୦ ବର୍ଷ ଭିତରେ କେବେ ଯାଇ ନ ଥିଲେହେଁ ଯେଉଁ ସବୁ ଯୁଦ୍ଧ ହୋଇଚି ମୁଁ ତାର ଢଙ୍ଗରଙ୍ଗ ଭଲ କରି ଜାଣେ । ବୃଥାରେ ବଡ଼ବଡ଼ କ୍ଷତ୍ରୀମାନଙ୍କ ସହିତ ଯୁଦ୍ଧ କରି ବହୁତ ଲୋକ ମରିଚନ୍ତି । ଯେ ଟାଣୁଆ ହେଲା–ତା ଅଧୀନରେ ତ ରହିଗଲେ ଗଲା । ବୃଥା ହଣାମରାରୁ କ’ଣ ମିଳିବ ?

 

ଭାଇମାନେ, ଏ ରଜା ଯୋଗେ ଆମର ସର୍ବସ୍ୱ ଯାଇଚି, ଏବେ ମରହଟ୍ଟା ସରଦାରଙ୍କୁ ୩ ବର୍ଷରେ ଖଜଣା ଦେଇ ଦେଇ ଆସ ସୁଖରେ ରହିବା ।’’

 

କେହି ଜଣେ ‘ସାଧୁ’ ‘ସାଧୁ’ କହିଲା ମାତ୍ରେ ସମସ୍ତେ ଏକସ୍ୱରରେ କହି ଉଠିଲେ–‘ସାଧୁ’ ‘ସାଧୁ’ । ସେତିକିବେଳେ ମରହଟ୍ଟା ସରଦାରଙ୍କର ମୁହଁରେ ହସ ଦେଖାଗଲା ।

 

ଏସବୁ ଦେଖି ରଜା ଏବଂ ମଙ୍ଗରାଜଙ୍କର ମନ ଭାଙ୍ଗିଗଲା । ପ୍ରଜାମାନେ ତ ନଷ୍ଟ ହୋଇଗଲେ, ଆଉ ରାଜ୍ୟ ରକ୍ଷା କରିବ କିଏ ? ଦୁହେଁ ସଭା ଭିତରେ ପଶିଗଲେ ଏବଂ ରଜା ଛିଡ଼ା ହୋଇ କହିଲେ–

 

‘‘-ଭାଇମାନେ,

ତୁମେମାନେ ଆଜି-’’

 

ସଙ୍ଗେ ସଙ୍ଗେ ଘୋର ଗର୍ଜ୍ଜନ ଶୁଭିଲା–‘‘ବସ, ବସ, ବସ, ଆମେ ତୁମ କଥା ଶୁଣିବାକୁ ନାହିଁ, ଆମେ ତୁମ ଶାସନରେ ଚଳିବୁ ନାହିଁ–ମରହଟ୍ଟା ସରଦାର ଆମର ରଜା ।’’

 

ମରହଟ୍ଟା ସରଦାର ହୋ ହୋ ହୋଇ ହସି ଉଠିଲେ । ବର୍ଗୀମାନେ ବମ୍ ବମ୍ ହର ହର ବୋଲି ଏପରି ପାଟି କଲେ ଯେ, ମଧୁବନ ତୋଟା ଭାଙ୍ଗିପଡ଼ିଲା ପରି ଲାଗିଲା ।

 

ମରହଟ୍ଟା ସରଦାର ଛିଡ଼ା ହୋଇ କହିଲେ–‘‘ଭାଇମାନେ, ଏତେ ଦିନେ ତୁମେମାନେ ନିଜ ନିଜର ଭୁଲ ବୁଝି ପାରିଅଛ । ମୁଁ ତୁମମାନଙ୍କୁ ଆଦରରେ ଅଭିନନ୍ଦନ କରୁଅଛି । ଆମେମାନେ ମିଛରେ କିଛି ନ ବୁଝି ନ ଶୁଝି ଯେ ଯୁଦ୍ଧ କରି ନିଜ ନିଜର କ୍ଷତି କରିଚେଁ, ତାହା ଭାଗ୍ୟର ଦୋଷ କହିବାକୁ ହେବ । ଏବେ ଆସ ଭାଇ, ଆମେମାନେ ଏକାଠି ମିଳି ଗାଇବା-ଜୟ ଜୟ ବଂ ବଂ ହର ହର।’’

 

ସମସ୍ତେ ଏକ ସ୍ୱରରେ ବଂ ବଂ ହର ହର ଶବ୍ଦ କରି ଉଠିଲେ । ତା ସାଙ୍ଗରେ ମଧ୍ୟ ‘ମରହଟ୍ଟା ସରଦାରକି ଜୟ’ ଶବ୍ଦ କାନ ଅତଡ଼ା ପକାଇଦେଲା । ମରହଟ୍ଟା ସରଦାର ପୁଣି କହିଲେ, ‘‘ଭାଇମାନେ, ଦମ୍ଭ ଧର, ଭୟ କର ନାହିଁ । ମୁଁ ତୁମମାନଙ୍କ ରାଜ୍ୟର ଯେତେ ଦୂର କ୍ଷତି ହୋଇଚି ତାହା ପୂରଣ କରି ଦେବି । ମୁଁ ଆନନ୍ଦ ସହିତ ତୁମ୍ଭମାନଙ୍କ କଥାରେ ମୁଗ୍‌ଧ ହୋଇ ୧୦ ବର୍ଷ ଖଜଣାରୁ ପାଞ୍ଚ ବର୍ଷର ଖଜଣା ଛାଡ଼ିଦେଲି ।’’

 

ଏ କଥା ଶୁଣିବା ମାତ୍ରେ ‘‘ସାଧୁ ସାଧୁ ସରଦାର’’ ବୋଲି ପୁଣି ଘୋର ଗର୍ଜ୍ଜନ ଶୁଭିଲା । ଜଣେ ସରଦାର ଉଠି ପଡ଼ି କହିଲେ- ‘‘ଭାଇମାନେ, ଏଭଳି ଦୟାର ଅବତାର ପ୍ରଭୁଙ୍କୁ ଛାଡ଼ି ଆମେ କି ଭୁଲରେ ପଡ଼ିଥିଲେଟି ? ନଅ ବର୍ଷ କାଳ କ’ଣ ଅଳ୍ପ ଦୁଃଖ ପାଇଅଛେଁ ? ହାୟ ହାୟ ଭାଗବାନ-!’’

 

ମରହଟ୍ଟା ସରଦାର ଏଥର ପୁଣି ପଚାରିଲେ–‘‘ପ୍ରଜାଗଣ, ତୁମେମାନେ ପ୍ରକୃତରେ କ’ଣ ମୋତେ ହୃଦୟର ସହିତ ତୁମ ରାଜ୍ୟର ଦାୟିତ୍ୱ ଦେଉଅଛ ନା ଭୟ କରି କହି ଦେଉଅଛି ?’’

 

ଏକ ସ୍ୱରରେ ଶୁଭିଲା–‘‘ହୃଦୟର ସହିତ ।’’

 

ସବୁ ପ୍ରଜା ଯେ ଏ କଥା କହୁଥିଲେ ତାହା ନୁହେଁ–ତେବେ ଅଧିକାଂଶଙ୍କ ପାଟିରେ ସବୁ ଘୋଡ଼ାଇ ହୋଇ ଯାଉଥିଲା ।

 

ସରଦାରଙ୍କର ହୁକୁମ ହେଲା–‘ଭାଇମାନେ, ମୁଁ ବାଧ୍ୟ ହୋଇ ତୁମର ଅତ୍ୟାଚାରୀ ରଜା ମନ୍ଦରଧରଙ୍କୁ ବନ୍ଦୀ କରିବାକୁ ଆଜ୍ଞା କରୁଅଛି । ସେ ବର୍ତ୍ତମାନ ରାଜ୍ୟର ଶାନ୍ତିରକ୍ଷା ପାଇଁ ବନ୍ଦୀ ହେଲେ ।’

 

ସେତେବେଳେକୁ ରଜା ମନ୍ଦରଧର ଏହିସବୁ ଚିତ୍ର ଏକ ଦୃଷ୍ଟିରେ ଚାହିଁ ଦେଖୁଥିଲେ । ଯେତେବେଳେ ବର୍ଗୀ ସିପେଇ ଆସି ତାଙ୍କୁ ବାନ୍ଧିବାକୁ ଚେଷ୍ଟା କଲେ, ମଙ୍ଗରାଜେ କ’ଣ ପଦେ କହିଦେଇ ଅଲଗା ହୋଇଗଲେ । ରଜାଙ୍କ ହାତରେ ତରବାରୀ ଥିଲେହେଁ ସେ ବନ୍ଦୀ ହେବାପାଇଁ ହାତ ବଢ଼ାଇ ଦେଇ କହିଲେ–‘ମରହଟ୍ଟା ସରଦାରର ହୁକୁମ ମାନି ଆଜି ଅଜେୟ ନରସିଂହପୁରର ରଜା ବନ୍ଦୀ ହେଉ ନାହିଁ- ସେ ବନ୍ଦୀ ହେଉଚି କେବଳ ତାର ସ୍ନେହର ପ୍ରଜା ଯାହାକୁ ଶାସକ ବୋଲି ସ୍ୱୀକାର କରୁଚନ୍ତି ତାହାର ଆଦେଶରେ ।’ ଏତିକିମାତ୍ର ଶୁଭିଚି କି ନାହିଁ–ବର୍ଗୀମାନେ ଘୋର ପାଟିକଲେ, କାଳେ ରଜାଙ୍କ କଥା ଶୁଣି ପ୍ରଜା ବଦଳିଯିବେ, ଏଇଥିପାଇଁ ।

 

ରଜା ବନ୍ଦୀ ହେଲାପରେ ମରହଟ୍ଟା ସରଦାର କହିଲେ–‘ମୁଁ ବୀର-ସିଂହ ମଙ୍ଗରାଜଙ୍କୁ ପଚାରେଁ ସେ କ’ଣ ରଜାଙ୍କ ପରି ବନ୍ଦୀ ହେବାକୁ ଇଚ୍ଛା କରନ୍ତି ନା ରାଜ୍ୟର ମଙ୍ଗଳ ଚାହାନ୍ତି । ଯଦି ମଙ୍ଗଳ ଚାହାନ୍ତି, ତେବେ ସେ ତାଙ୍କର ଅଭିମତ ପ୍ରଜାସାଧାରଣରେ କହନ୍ତୁ ।’

 

ଏତିକିବେଳେ ମଙ୍ଗରାଜଙ୍କୁ ସୁବିଧା ମିଳିଲା । ସେ କପିରି ସୁବିଧା ପାଇବେ ଖୋଜୁଥିଲେ । ଦୈବଯୋଗକୁ ଆପେ ଆପେ ସୁବିଧା ଆସି ପହଞ୍ଚିଲା । ମଙ୍ଗରାଜେ ଛିଡ଼ା ହୋଇ କହିଲେ–‘‘ମରହଟ୍ଟା ସରଦାର ଏବଂ ରାଜ୍ୟର ଭାଇମାନେ,

 

ବହୁଦିନ ପୂର୍ବର ଇଚ୍ଛା ଆଜି ଏତେ ଶୀଘ୍ର ମୋ ଭାଗ୍ୟକୁ ପୂର୍ଣ୍ଣ ହେବ ବୋଲି ମୁଁ ଭାବି ନ ଥିଲି । ମରହଟ୍ଟା ସରଦାର ମୋତେ ଏପରି ସୁବିଧା ଦେଇ ମୋର ଆନନ୍ଦଭାଜନ ହୋଇଚନ୍ତି ।

 

ଭାଇମାନେ, ବିଶେଷ କ’ଣ କହିବି-ଆଜି ଆପଣମାନଙ୍କର ନୂଆ ରଜାଙ୍କ ଅନୁଗ୍ରହରୁ ମୁଁ ବହୁ କଷ୍ଟରୁ ଉଦ୍ଧାର ପାଇଚି, ବହୁତ ଅପମାନରୁ ନିବର୍ତ୍ତିଛି-ତୁମେମାନେ ଏଥର ନିଶ୍ଚୟ ସୁଖ ଶାନ୍ତିରେ କାଳ କଟାଇବ ।’’

 

ଏତିକିମାତ୍ର କହିଚନ୍ତି, ସେତିକିବେଳେ ପ୍ରଜାଙ୍କ ପକ୍ଷରୁ ‘ଠିକ୍, ଠିକ୍’ ବୋଲି ଶବ୍ଦ ଶୁଭିଲା-

 

ମଙ୍ଗରାଜେ ପୁଣି ଧୀରେ ଧୀରେ କହିଲେ–‘‘ଭାଇମାନେ,

 

ତୁମ୍ଭମାନଙ୍କର ନବୀନ ରଜା ଆଜି ତୁମ୍ଭମାନଙ୍କୁ କି ଅପୂର୍ବ ସୁବିଧା ଦେଇ ନାହାନ୍ତି । ୧୦ ବର୍ଷ ଖଜଣାରୁ ଏକାବେଳେ ୫ ବର୍ଷର କାଟି ଦେଇଚନ୍ତି । ଆଉ ଏପରି ସୁବିଧା ତୁମେମାନେ କେବେ ପାଇଥିଲ କି ? ଦୟାନିଧି ସିଂହଙ୍କ ପୁଅ ମନ୍ଦରଧର ସିଂହ ତୁମର ଇଜ୍ଜତ ମହତପାଇଁ ନିଜର ସବୁ ସୁଖ ସୁବିଧା ଛାଡ଼ି ଗରିବ ପରି ଚଳୁଥିଲେ କ’ଣ ହେବ, ସେ ତ ଆଉ ତୁମମାନଙ୍କର ପ୍ରିୟ ନବୀନ ରଜାଙ୍କ ପରି ୧୦ ବର୍ଷ ସ୍ଥାନରେ ୫ ବର୍ଷର କର କେବେ ଛାଡ଼ି ଦେଇ ନାହାନ୍ତି । ସେ ଅଳ୍ପ ଖଜଣା ନେଇ ଖାସ୍ ତୁମରି ହିତପାଇଁ ତାହା ଖର୍ଚ୍ଚ କଲେ କ’ଣ ହେବ-ତୁମମାନଙ୍କ ନବୀନ ରଜାଙ୍କ ଅନୁଗ୍ରହ ତୁଳନାରେ ତାହା ନିତାନ୍ତ ତୁଚ୍ଛ, ନିତାନ୍ତ ତୁଚ୍ଛ !’’

 

ଏତକ ଶୁଣିବା ମାତ୍ରେ ଲୋକେ ଚୁପ୍ ରହି ଶୁଣିବାକୁ ଲାଗିଲେ । ସେ ପୁଣି କହିଲେ–‘‘ଭାଇମାନେ, ମୋର ଆଉ ସେପରି କିଛି କହିବାର ନାହିଁ । ମୋତେ ତୁମମାନଙ୍କ ନୂତନ ରଜା ରାଜ୍ୟର ମଙ୍ଗଳ ପାଇଁ ଯେଉଁ କଥା ପଚାରିଚନ୍ତି, ମୁଁ ତାହା କହୁଚି, ଶୁଣ । ମୁଁ ଅକଞ୍ଚନ-ତୁମମାନଙ୍କର ଦାସାନୁଦାସ । ତୁମେମାନେ ଯେଉଁ ବାଟେ ଯିବ, ମୁଁ ସେହି ବାଟେ ଯିବ ।’’

 

ଶୁଣୁଶୁଣୁ ମରହଟ୍ଟା ସରଦାର ଆନନ୍ଦରେ କରତାଳି ଦେଇଦେଲେ ।

 

‘‘ମୋର ବା କି ଆୟତ୍ତ ଅଛି ? ଆଜି ତ ମହାବୀର ଦୟାନିଧି ସିଂହ ନାହାନ୍ତି କି ବୀରା ଶକୁନ୍ତଳା ନାହାନ୍ତି ଯେ ତୁମ୍ଭମାନଙ୍କୁ ଡାକି କହିବେ–ଦେହରେ ରକ୍ତ ଥାଉଁ ଥାଉଁ, ପିଣ୍ଡରେ ପ୍ରାଣ ଥାଉଁ ଥାଉଁ ପରର ଅଧୀନତା ସ୍ୱୀକାର କରିବ ନାହିଁ, ନିଜ ମାତୃଭୂମିକୁ ପରପାଦରେ ଦଳାଇବ ନାହିଁ-। ବରଂ ମରିବ; ମାତ୍ର ଅଧିନ କାହାର କେବେ ହେବ ନାହିଁ ।

 

‘‘ଭାଇମାନେ, ଆଜି ତୁମ୍ଭମାନଙ୍କର ନବୀନ ରଜା ସେ ଭୟ ଦୂର କରିଚନ୍ତି । ଆଉ କୁରୁକ୍ଷେତ୍ର ଯୁଦ୍ଧ ହେବ ନାହିଁ। ଏଣିକି ତୁମ୍ଭେମାନେ ପଶୁଠୁ ଆହୁରି ସୁଖରେ ନିଶ୍ଚିନ୍ତରେ ଖାଇ ପିଇ ଦିନକାଳ କଟାଇବ ।’’

 

ଏତିକିବେଳେ ଜନତା ଥରି ଉଠିଲା । ମଙ୍ଗରାଜେ ପୁଣି ତରତର କରି କହିଗଲେ–‘‘ଭାଇମାନେ, ନଅ ବର୍ଷ କାଳ ଦୁଃଖ ଭୋଗି ଆଜି ତୁମମାନଙ୍କର ନୂଆ ରଜା ମନ୍ଦରଧରଙ୍କୁ ବନ୍ଦୀ କରି କିଛି ନ କଲେହେଁ ଗୋଟିଏ କଥା ବନ୍ଦ କରିବେ । ସେ କଥାଟି କ’ଣ ଜାଣ ଭାଇମାନେ ? ସେ କଥାଟି ଜାଣିବାକୁ ତୁମ୍ଭମାନଙ୍କ ଭିତରୁ କାହାର କ’ଣ ଆଦର ଅଛି ? ସେ କଥାଟି ତୁମେ ଜାଣିବାର ସୁବିଧା ପାଇ ନାହଁ । ଶୁଣିବ ? ଶୁଣିବ ?’’

 

ମରହଟ୍ଟା ସରଦାର ସେତିକିବେଳେ ପାଟି କରି କହିଲେ–‘‘ନା, ନା, ଆଉ କହିବା ଲୋଡ଼ା ନାହିଁ । ଆପଣ ଢେର କହିଚନ୍ତି ।’’ ମାତ୍ର ପ୍ରଜାମାନଙ୍କ ଭିତରୁ ଦଳେ ପାଟି କଲେ ‘ନା, ନିଶ୍ଚୟ କହିବେ–ଆମ୍ଭେମାନେ ଶିଣିବୁଁ ଶୁଣିବୁଁ ।’

 

ମଙ୍ଗରାଜ ଟିକିଏ ଥକାହୋଇ ରହିଗଲାରୁ ସମସ୍ତ ପ୍ରଜା ଏକସ୍ୱରରେ କହିଲେ–‘‘କହ, କହ, ଶୀଘ୍ର କହ ।’’ ମଙ୍ଗରାଜ କହିଲେ–‘‘ଭାଇମାନେ, କହିବି କି ନ କହିବି ଠିକ୍ କରିପାରୁ ନାହିଁ । ସେ ବଡ଼ ଭୀଷଣ କଥା । ସେ କଥା ତୁଣ୍ଡରେ ଧରିବାକୁ ସାହସ ହେଉ ନାହିଁ । ତୁମ୍ଭମାନଙ୍କୁ କିପରି କହିବି ?’’ ଜନତା ଆହୁରି ପ୍ରବଳ ଆକାର ଧରି ଥରି ଉଠିଲା–‘‘ନିଶ୍ଚୟ କହିବ, ନିଶ୍ଚୟ କହିବ ।’’

 

ପୁଣି ମଙ୍ଗରାଜ କହିଲେ–‘‘ମୁଁ କାହାର ଦୋଷ ଦେଉ ନାହିଁ । ତୁମମାନଙ୍କର ନୂତନ ରଜାଙ୍କର ଆଜ୍ଞାରେ ମୁଁ କେତେ ପଦ ମାତ୍ର କହିଚି । ସେହି କଥାଟି ନ କହି ରହି ପାରୁ ନାହିଁ ।

 

‘‘ଭାଇମାନେ–ତୁମମାନଙ୍କର ପ୍ରିୟ ନୂତନ ରଜାଙ୍କ ଆଜ୍ଞାରେ ନରସିଂହପୁରରେ ଶାନ୍ତିଧାରା ଯେତେବେଳେ ବୋହିବ, ସେତେବେଳେ ମୁଁ ଆଶା କରୁଚି ତୁମର ମାଆ ଭଉଣୀଙ୍କୁ ତାଙ୍କୁ ଉପହାର ଦେବାରେ କ୍ଷତି କ’ଣ ? ସେ ଆମ୍ଭମାନଙ୍କର ରଜା- ଶାନ୍ତି ସଂସ୍ଥାପକ । ଚାରିଦିନ ତଳେ ତୁମ ଧର୍ମ୍ମାବତାର ନୂଆ ରଜାଙ୍କ ଆଜ୍ଞାରେ ବର୍ଗୀମାନେ ମୋର ଏବଂ ତୁମମାନଙ୍କର ପ୍ରିୟ ପୁତ୍ର ମୁକୁନ୍ଦଙ୍କୁ ଖଣ୍ଡ ଖଣ୍ଡ କରି କାଟି ହତ୍ୟା କରିଚନ୍ତି । ମୋର ବୀର ଶିଶୁ ଆନନ୍ଦରେ ହସି ହସି ସେ ନୂତନ ରଜାଙ୍କ ଅନୁଗ୍ରହ ଗ୍ରହଣ କରିଚି । ଏତିକି ନୁହେ- ଘୋର ଜଙ୍ଗଲରେ ମୋର ପୁତ୍ରବଧୂ ମାଳତୀ, ଯେ ୯ ମାସର ଗର୍ଭାବସ୍ଥାରେ ଗୋଟିଏ ପିଲା ଜନ୍ମ କରିଥିଲା, ତାହା ପ୍ରତି ତୁମର ଏହି ନୂତନ ରଜାଙ୍କ ସୈନିକମାନେ ଅତ୍ୟାଚାର କରିବାକୁ ଛାଡ଼ି ନାହାନ୍ତି । ସଜ ଜନ୍ମ ହେଲା ପିଲାକୁ କୋଡ଼ରେ ଧରି ମାଳତୀ ନିଜର ସତୀତ୍ୱ ରକ୍ଷା କରିଚି । ଏଭଳି ନୂତନ ଘଟଣା ତୁମେମାନେ ପୁରୁଣା ମନ୍ଦରଧରଙ୍କ ଅମଳରେ କାହୁଁ ଜାଣିବ ?’’ ଏହି ସମୟରେ ଜନତା ରାଗରେ ଜଳିଗଲା । ଏଣେ ମରହଟ୍ଟା ସରଦାର ସେତିକି ହେଉ ବୋଲି କହିଲେହେଁ ପ୍ରଜା ଶୁଣିବାକୁ ଜିଗର କଲେ ।

 

‘‘ଭାଇମାନେ, ହରିଶ୍ଚନ୍ଦ୍ର ପତିଜ୍ଞା କରି ଚଣ୍ଡାଳର ମଡ଼ା ପୋଡ଼ା କାମ କରିଥିଲେ, ପ୍ରତିଜ୍ଞା କରି ଭୀଷ୍ମ ଜିଇଥିଲା ଯାକେ ବିବାହ କଲେ ନାହିଁ । ତୁମେମାନେ ଏତେ ଶୀଘ୍ର ତୁମର ପ୍ରତିଜ୍ଞା ଏହି ୯ଟା ବର୍ଷରେ ଭୁଲିଗଲ ? ନରସିଂହପୁରିରେ ପରା କୁଆ କୋଇଲି ଥିବା ଯାଏ ଶତ୍ରୁ ସହିତ ଯୁଦ୍ଧ ହେବ ବୋଲି ପ୍ରତିଜ୍ଞା କରିଥିଲ ?

 

‘‘ମହାବୀର ଦୟାନିଧି, କୁଜଙ୍ଗ ରାଜଜେମା ସତୀ-ସୀମନ୍ତିନୀ ପାର୍ବତୀଙ୍କର ଏକମାତ୍ର ପୁତ୍ର ଆଜି ତୁମମାନଙ୍କ ସମ୍ମୁଖରେ ବନ୍ଦୀ । ମନ୍ଦିରଧର ତୁମର କି କ୍ଷତି କରିଚନ୍ତି ? ତୁମେ କ’ଣ ଥରେ ଭାବୁ ନାହଁ–ମନ୍ଦରଧର କିଏ ? ଆଉ ଏ ଚୋର ଡକାଏତ ପରଧନଲୋଭୀ ମରହଟ୍ଟା ଠକଟି କିଏ ? ଯେଉଁ ଖଜଣା ତୁମଠୁ ସେ ନେବ, କେଉଁ ଆଡ଼େ ନେବ ଥରେ ଭାବିଚ ? ସେ ଧନ ତୁମର ରାସ୍ତା ଘାଟ, ଦେଉଳ ପୋଖରୀରେ ଖର୍ଚ୍ଚ ହୋଇପାରିବ କି ? ଆଜି ଏ ଧରା କ’ଣ ବୀରଶୂନ୍ୟ ? ଏଥିରେ କ’ଣ କେହି ଏପରି ବୀର ନାହାନ୍ତି, ଯେ ମାତୃଭୂମି ରକ୍ଷା କରିବାକୁ ନଅ ବର୍ଷ ପରି ପୁଣି ପ୍ରାଣବଳି ଦେବେ ?

 

‘‘ଭାଇମାନେ । ଯେଉଁ ମନ୍ଦରଧର କେବଳ ଦେଶର ମାନ ପାଇଁ, ଜାତିର ମହତ୍ତ୍ୱ ପାଇଁ, ସ୍ୱାଧୀନତା, ସତ୍ୟ ପାଇଁ ଆଜି ଘୋର ଅରଣ୍ୟରେ ତୁମଠୁ ଦୁଃଖରେ ଥାଇ ତୁମକୁ ଜଗି ରହିଚନ୍ତି–ଯେଉଁ ରାଜବଂଶ ଯୋଗେ ତୁମେ ମନୁଷ୍ୟ ଆଖ୍ୟା ପାଇଚ–ହାୟ,ହାୟ, ସେ ଆଜି ତୁମ ସାମନାରେ ବିଦେଶୀ ଠକ ଜୁଆଚୋର ସାମନାରେ ବନ୍ଦୀ ହୋଇଅଛି ? ପୋଡ଼ି ଯାଉ ନାହିଁ ତୁମର ଦେହ, ଜଳି ଯାଉ ନାହିଁ ତୁମା ହୃଦୟ ! ତୁମଠି କ’ଣ ବୀରରକ୍ତ ବିନ୍ଦୁଏ ନାହିଁ ? ଉଠ, ଉଠ, ସ୍ୱର୍ଗରେ ଥାଇ ଦୟାନିଧି ତୁମ୍ଭଙ୍କୁ କ’ଣ କହିବେ ? ଭୀରୁ କାପୁରୁଷ ବୋଲି ଜଗତହସା ହେବ ସିନା ?’’ ଜମାଏତ ଶକ୍ତି ଥରି ଉଠିଲା । ପ୍ରଳୟ ଡାକ ପକାଇ ପ୍ରଜାମାନେ ‘ରେରେ’ କାର କରି ଧାଇଁଲେ । ‘ଜୟ ଜୟ ହରିଚନ୍ଦନକି ଜୟ’ ବୋଲି ଏପରି ଶବ୍ଦ ହେଲା ଯେ, ଯେପରି ମେଘ ଫାଟି ପଡ଼ିବ ! ମରହଟ୍ଟା ସରଦାର କେତେ ପାଟି କଲେ; ମାତ୍ର ତାଙ୍କ ପାଟି କେହି ଶୁଣିଲା ନାହିଁ । ଲୋକେ ବର୍ଗୀମାନଙ୍କୁ ଠେଲି ଫିଙ୍ଗି ଦେଇ ରଜାଙ୍କୁ ମୁକୁଳାଇ କହିଲେ, ‘ପ୍ରଭୁ, ଦୋଷ କ୍ଷମା କର । ଏବେ ଯେଉଁ ବାଟେ ନବ, ସେହି ବାଟେ ଯିବୁଁ ।’ ଏତିକି ବେଳେ ବର୍ଗୀ ସରଦାର ଖସିଯିବାକୁ ଉପାୟ କରୁଥିଲେ; ମାତ୍ର ସେ ଖୋଲା ଭୂଇଁରେ ଆଉ ଯିବାର ଉପାୟ ମିଳିଲା ନାହିଁ ।

 

ମଙ୍ଗରାଜ ଯେତେବେଳେ ବଂଶୀ ବଜାଇଦେଲେ, ସେତେବେଳେ କେଉଁ ପଦା, ଖଣ୍ଡି, ଗାତ ଭିତରେ ଲୁଚି ରହିଥିଲେ କେଜାଣି ହଜାର ହଜାର ପାଇକ ଆସି ବର୍ଗୀଙ୍କୁ ବେଢ଼ିଗଲେ । ଭୀଷଣ ଯୁଦ୍ଧ ହେଲା । ମହାନଦୀକୁ ରକ୍ତଧାର ବୋହିଗଲା । ବର୍ଗୀମାନେ ସମସ୍ତେ ଭାଣ ଖାଇ ମଲେ । ନରସିଂହପୁରରୁ କେତେ ସୈନ୍ୟ ମଲେ । ବାକି ମରହଟ୍ଟା ସରଦାରକୁ ବଡ଼ କଷ୍ଟରେ ରଜା ମନ୍ଦରଧର ବନ୍ଦୀ କରି ଜୟପୁର ନେଇ ଚାଲିଗଲେ । ସେହିଦିନୁ ବର୍ଗୀଙ୍କ ଅତ୍ୟାଚାର ନରସିଂହପୁରରୁ ଶେଷ ହେଲା ।

 

ମହାତ୍ମା ଦ୍ୱାରକା ଦାଶଙ୍କୁ ପ୍ରାର୍ଥନା କରି ବର୍ଗୀ ସରଦାରଙ୍କର ବିଚାର ଭାର ରଜା ମନ୍ଦରଧର ଦେଇଥିଲେ । ଦିନେ ବିଚାର ହେଲା । ଦ୍ୱାରକା ଦାଶ ବନ୍ଦୀ ସରଦାରଙ୍କୁ ପଚାରିଲେ–‘‘ମହାଭାଗ ! ଆପଣ କ’ଣ କ୍ଷମା ଲୋଡ଼ନ୍ତି ?’’ ସରଦାର କଠିନ ଭାଷାରେ କହିଲେ–‘‘ଦେବ, ମରହଟ୍ଟା କେବେ କ୍ଷମା କାହାକୁ ମାଗେ ନାହିଁ । ସେ ଚାହେଁ–ଶୂଳୀ କିମ୍ବା ଫାଶୀ-।’’

 

ଦ୍ୱାରକା ଦାଶ ପୁଣି ପଚାରିଲେ–‘ଆପଣ କ’ଣ ମୁକ୍ତି ଚାହାନ୍ତି ?’

 

ସରଦାର ହସି ହସି କହିଲେ–‘ମୃତ୍ୟୁ ଚାହେଁ-ମୁକ୍ତି ସେଥିରେ ଅଛି ।’ ଦ୍ୱାରକା ଦାଶ କେତେ କ’ଣ ବୁଝାଇଲେ । ଶେଷକୁ କହିଲେ, ‘‘ବତ୍ସ ! ବୃଥା କ୍ରୋଧ ତ୍ୟାଗ କର । ମୋଠାରୁ ଶୁଣ । ମୁଁ ତୁମ୍ଭଙ୍କୁ କ୍ଷମା କରିବି ନାହିଁ କିମ୍ବା ପୃଥିବୀର କେହି କରି ପାରିବେ ନାହିଁ । ତୁମ୍ଭେ ନିଜେ ତୁମ୍ଭଙ୍କୁ କ୍ଷମା କରିବ ।’’ ଏହିପରି କେତେ କ’ଣ ତତ୍ତ୍ୱଜ୍ଞାନ ବୁଝାଇବାରୁ ଶେଷକୁ ସେ ସରଦାର ଦ୍ୱାରକା ଦାଶଙ୍କ ପାଦତଳେ ପଡ଼ି ତାଙ୍କର ଶିଷ୍ୟ ହେବାକୁ ପ୍ରାର୍ଥନା କଲେ ।

 

ଦ୍ୱାରକା ଦାଶ ତାଙ୍କ ଗୁଣର ପ୍ରଶଂସା କଲେ, ତାଙ୍କ ସାହସକୁ ଧନ୍ୟବାଦ ଦେଲେ ଏବଂ ତାଙ୍କୁ ଶିଷ୍ୟ କଲେ । ମରହଟ୍ଟା ସରଦାର ଜୀବନର ଶେଷ ଯାଏ ଋଷିଧର ପର୍ବତର ଗୁମ୍ପାରେ ରହି ନରସିଂହପୁର ପ୍ରଜାଙ୍କର ହିତ କରି କରି ଶେଷରେ ସ୍ୱର୍ଗକୁ ଗଲେ ।

 

ମନ୍ଦରଧର ଜୟ କଲା ଦିନୁ ବର୍ଗୀ ଆଉ ସେ ରାଜ୍ୟକୁ ଆସନ୍ତି ନାହିଁ କି କରଫର କେବେ ନେବାର ଶୁଣା ଯାଇ ନାହିଁ ।

 

-୧୧-

 

ବର୍ଗୀମାନଙ୍କ ସାଙ୍ଗରେ ଯୁଦ୍ଧ କରି ମନ୍ଦରଧରଙ୍କର ଅମଳ ଚାଲିଗଲା । ତାଙ୍କ ପିତା ଦୟାନିଧିଙ୍କ ଅମଳରେ ମଧ୍ୟ ଯୁଦ୍ଧ ଛାଡ଼ି ନ ଥିଲା । କେବଳ ଦୟାନିଧିଙ୍କ ପିତାଙ୍କ ଅମଳରେ ନରସିଂହପୁରରେ ଆଦୌ ଯୁଦ୍ଧ ନ ଥିଲା । ସେ ରଜା ନରସିଂହପୁରରେ ବହୁତ ଗାଁ ଗଣ୍ଡା ବସାଇ କୃଷି, ବ୍ୟବସାୟ ପ୍ରତି ବଡ଼ ଦୃଷ୍ଟି ଦେଇଥିଲେ ।

ମନ୍ଦରଧର ପୁଣି ନୂଆ ରାଜ୍ୟ ତିଆର କଲେ । ଲୋକେ ଗାଁ ଗଣ୍ଡାକୁ ଫେରି ଘର ଦୁଆର କଲେ । ବର୍ଷଟାକରେ ନୂଆ ରାଜ୍ୟ ଗଢ଼ି ହୋଇଗଲା । ୩ ବର୍ଷ ମୋଟେ ରାଜୁତି କରିଚନ୍ତି, ତାଙ୍କର କି ଏକ ରୋଗ ହେଲା, ସେ ସଂସାର ଛାଡ଼ି ଚାଲିଗଲେ । ସେତେବେଳକୁ ଯୁବରାଜଙ୍କ ବୟସ ମୋଟେ ୧୨ ବର୍ଷ ।

ମନ୍ଦରଧର ଯୁଦ୍ଧ ଜୟ କଲା ପରେ ରାଜ୍ୟର ମାନନୀୟ, ବ୍ରାହ୍ମଣ ପଣ୍ଡିତମାନଙ୍କଠାରୁ ଯେଉଁ ସବୁ କାବ୍ୟ କବିତା ଉପହାର ପାଇଥିଲେ, ସେ ସବୁ ଆଜି ଆଉ ନାହିଁ–ଉଇ ଖାଇ ସବୁ ଧ୍ୱଂସ ହୋଇ ଯାଇଚି । ସତ ଘଟଣା ବୋଲି ବିଶ୍ୱାସ କରିବାକୁ ତିନି ପଦ ଉପହାର ଶ୍ଳୋକ ଗୋଟିଏ ସେ କାଳର ପୋଥିରୁ ଏଠାରେ ଲେଖାଯାଉଛି । ଏହା ପୁରୀ ଗଜପତିଙ୍କ ପାଖରୁ ଆସିଥିବା ମହାତ୍ମା ପରମଲକ୍ଷ୍ମୀ ରାଜଗୁରୁଙ୍କର ପୁଅ ପରମାନନ୍ଦ ରାଜଗୁରୁଙ୍କର ଲେଖା । ସେ ଲେଖିଥିଲେ–

‘ବୀର ଶ୍ରୀ ଜୟପୁର୍ଧରାପତି କୁଳାକୂପାର ଶୀତ ଦ୍ୟୁତେ

ବୀର୍ଯ୍ୟ ଭର୍ତ୍ସିତ-କାର୍ତ୍ତିକେୟ ! ଯଶସା ଶୁଭ୍ରୀକୃତ-କ୍ଷ୍ମାତତେ ।

ଗାମ୍ଭୀର୍ଯ୍ୟାଦି-ଗୁଣୈରୁପେତ ମତିମନ୍ ଧନ୍ୟଂ ଭବଜ୍ଜୀବନଂ

ମନ୍ୟେ ଧୀରବରିଷ୍ଠ ‘ମନ୍ଦରଧର’ କ୍ଷୌଣୀନ୍ଦ୍ର-ବୃନ୍ଦାଗ୍ରଣୀଃ ।

ଯସ୍ମାତ୍ତ୍ୱଂ ତବ ତୀବ୍ର-ବିକ୍ରମ-ବତା ମନ୍ତ୍ରାଧିବେତ୍ତ୍ର । ଯୁତୋ

ଭାନ୍ୱାଖ୍ୟେନ ଚ ମଙ୍ଗରାଜପଦବୀଭାଜାଜିଭୂମୌ ପରାନ୍ ।

ଜିତ୍ୱା ଶୂରମରଠକାଜ୍ଞନମନୋମୋଦଂ ବ୍ୟତାନୀଃ ପୁନଃ

ଖ୍ୟାତାଖ୍ୟାର୍ନଦୟାନିଧେ’ନର୍ପସମାଜେନ୍ଦୋର୍ଭବାନନ୍ଦନଃ ।

ଯଃ ସଂଜିତ୍ୟ କୁଜଙ୍ଗ ଭୂଭୁଜମଥୋ ତସ୍ୟାତ୍ମଜାଂ ପାର୍ବତୀଂ

ସାନନ୍ଦଂ ପରିଣୀୟ କୀର୍ତ୍ତିମବନାବସ୍ଥାପୟଦୂତ୍ତମାଂ

ତେନା ନୀତ ଗୁଣାଳି ଭୂପରମଲକ୍ଷ୍ମୀକସ୍ୟ ସୂନୁ ସ୍ତ୍ୱହଂ

ତସା ତ୍ତାବକ ସମ୍ମଦୋଽନବରତଂ ମେ ବାଞ୍ଛନୀୟୋ ଭୃଶଂ ।

 

ମୋଟ କଥାରେ ଏହାର ଅର୍ଥ ଏହି ଯେ-ଜୟପୁର ରାଜବଂଶରୂପୀ ସମୁଦ୍ରର ଚନ୍ଦ୍ରମାରୂପୀ, ଶକ୍ତିରେ କାର୍ତ୍ତିକେୟଙ୍କ ପରି ଯାହାଙ୍କ ଯଶ ସଂସାରକୁ ଶୁଭ୍ର କରିଚି, ଏପରି ବହୁଗୁଣପରିପୂର୍ଣ୍ଣ ମନ୍ଦରଧର ରଜା ଗୁଣିଗଣମାନଙ୍କ ମଧ୍ୟରେ ଶ୍ରେଷ୍ଠ । ତୁମେ ବିକ୍ରମ ବଳରେ ଏବଂ ସେନାପତି ଭାନୁମଙ୍ଗରାଜଙ୍କ କୌଶଳରେ ମରହଟ୍ଟାମାନଙ୍କୁ ଜୟ କରି ପ୍ରଜାମାନଙ୍କୁ ମୁଗ୍ଧ କରିଚ- ତୁମେ ସେଇ ପ୍ରସିଦ୍ଧ ରାଜା ଦୟାନିଧିଙ୍କର ପୁତ୍ର । ଯେ କୁଜଙ୍ଗ ରାଜାଙ୍କୁ ଜିଣି ତାଙ୍କର କନ୍ୟା ପର୍ବତୀଙ୍କୁ ବିବାହ କରି ଉତ୍ତମ କୀର୍ତ୍ତି ଥାପି ଯାଇଚନ୍ତି, ତାଙ୍କରି ଦ୍ୱାରା ଅଣା ହୋଇଥିବା ପରମ ଲକ୍ଷ୍ମୀଙ୍କର ପୁଅ ମୁଁ ଆପଣଙ୍କୁ ଅଭିନନ୍ଦନ କରୁଅଛି ।

 

ଏହିପରି କେତେ ଉପହାର ଦେଇଥିଲେ; ଆଜି ସେସବୁ ଆଉ ମିଳୁ ନାହିଁ ।

 

ମନ୍ଦରଧର ମରିଗଲା ପରେ ସେ ରାଜ୍ୟକୁ ମଙ୍ଗରାଜଙ୍କ ଜିମା ଦେଇ ଯାଇଥିଲେ । ସେତେବେଳେ ବର୍ଗୀ ରାଜ୍ୟରେ ନ ଥିଲେ କ’ଣ ହେବ–ଏଣେ ପାଖ ରାଜ୍ୟ ଦଶପଲା, ଅନୁଗୁଳ ଟାକି ବସିଥାନ୍ତି; କାରଣ ଜଙ୍ଗଲ ଖଣ୍ଡିଏ ଖଣ୍ଡିଏ ନେବେ ବୋଲି । ନରସିଂହପୁର ଜଙ୍ଗଲର ଶାଳବଣି, ନାହିଁ ନ ଥିବା କାଠ–ସେ ରଜାମାନଙ୍କର ସେଥିରେ ବଡ଼ ଲୋଭ । ପୁଣି ଅଧିକାଂଶ ହାତୀ ନରସିଂହପୁର ଜଙ୍ଗଲରେ ।

 

ଯେତେବେଳେ ମନ୍ଦରଧର ଆଖି ବୁଜିଲେ, ସେତେବେଳେ ତ ପୂର୍ଣ୍ଣଚନ୍ଦ୍ର ପିଲା । ଅନୁଗୁଳ ରଜା ଏତିକି ବେଳେ ସୁବିଧା ଖୋଜିଲେ–କିପରି ଜଙ୍ଗଲ ଖଣ୍ଠିଏ ନେବେ ବୋଲି । ମଙ୍ଗରାଜ ବଞ୍ଚିଥିବା ଯାଏ ନରସିଂହପୁରରେ ହାତ ଦେବ, ଏପରି ପୁଅ କିଏ ଥିଲା ? ମଙ୍ଗରାଜଙ୍କ ନା ଶୁଣିଲେ ସେତେବେଳେ ରାଜ୍ୟ ରାଜ୍ୟ ଲୋକେ ଚମକି ପଡ଼ନ୍ତି । କହନ୍ତି–‘ବାପ୍‌ରେ, କେତେ ବଡ଼ ବୀର ।’ ତେବେ ଅନୁଗୁଳର ରଜା ବ୍ରଜକିଶୋର ଜଗଦେବ ସେତେବେଳେ ଊଣା ରଥୀ ନ ଥିଲେ । ତାଙ୍କର ସାତଟି ଅଙ୍ଗରଖା ବୀର ଥିଲେ ଯେ, ସେମାନେ ଏକୁଁ ଏକେ ଧନୁର୍ଦ୍ଧର । ତା ଛଡ଼ା ତାଙ୍କର ରାଜ୍ୟ ମସ୍ତ ବଡ଼, ପୁଣି ବହୁତ ପାଇବ ତାଙ୍କ ରାଜ୍ୟରେ ଥାନ୍ତି ।

 

ସତକୁ ସତ ଦିନେ ଯୁଦ୍ଧବାଜା ବାଜି ଉଠିଲା । ଘର ପୋଡ଼ି ପଛେ ପଛେ ଶରଣ ପରି, ମଡ଼ା ଉପରେ ଖଣ୍ଡା ଭଳି ଏ ବିପଦ ନରସିଂହପୁରକୁ ବଡ଼ ଅଡ଼ୁଆରେ ପକାଇଲା । ଲୋକେ ଆଉ ବୁଦ୍ଧି ଉପାୟ ପାଇଲେ ନାହିଁ । ତିନି ବର୍ଷ ତଳେ ଦଶ ବର୍ଷ କାଳ ବର୍ଗୀଙ୍କ ଯୋଗେ ଯେ କଷ୍ଟ ଭୋଗିଚନ୍ତି, ତା କହି ନୁହେଁ କି କୁହାଇ ନୁହେଁ । ପୁଣି ବିପଦ ! ପଥର ସୁଦ୍ଧା ସମ୍ଭାଳି ନ ପାରି ଗୁଣ୍ଡ ହୋଇଯିବ । ପ୍ରଜାମାନଙ୍କ କଥା ଦୂରେ ଥାଉ–ପାଇକମାନେ ସୁଦ୍ଧା କହିଲେ–‘ସେ ଯାହା ଇଚ୍ଛା ତା କରୁ, ଜଙ୍ଗଲ ସବୁ ପଛକେ ନେଉ, ଆମେ ଆଉ ଲଢ଼େଇ କରିପାରିବୁ ନାହିଁ ।’

 

ଏ କଥା ଶୁଣି ମଙ୍ଗରାଜେ ଗର୍ଜି ଉଠିଲେ–‘‘କ’ଣ ? ନରସିଂହପୁରର ପାଇକ, ନରସିଂହପୁରର ପ୍ରଜା, ଯେ ଜନ୍ମଭୂମିକୁ ଯୁଗେ ଯୁଗେ ସ୍ୱାଧୀନ ରଖି ଅମର ହୋଇଚି- ସେ ଆଜି ଏପରି ଭୀରୁ କାପୁରୁଷ ପରି ଘର ଉହାଡ଼ରେ ଲୁଚି ରହିବ ? ଜଗତରେ ଜନ୍ମ ହୋଇଚ କ’ଣ ପାଇଁ-? ନିଜର ମାଆକୁ ଶତ୍ରୁ ହାତରେ ପ୍ରାଣକୁ ଡରି ଦେବାପାଇଁ ? ନିଜ ଜନ୍ମଭୂମିକୁ ଖଣ୍ଡିଆ କରିଦେବ ଶତ୍ରୁ, ପୁଣି ତୁମର ଜନ୍ମଭୂଇଁକୁ ବଳାତ୍କାରରେ ଶତ୍ରୁ ଭୋଗ କରିବ-ତୁମେ ଚାହିଁଥିବ ? ବଞ୍ଚି ରହି ବା ଲାଭ କ’ଣ ? ତୁମେ ପରରାଜ୍ୟକୁ ଲୋଭ କରି ଖଣ୍ଡିଏ ନିଜ ରାଜ୍ୟରେ ମିଶାଇବାକୁ ଯୁଦ୍ଧ କରି ନ ପାର; ମାତ୍ର ତୁମର ନିଜ ଘର ତୁମେ ରଖିବ ନାହିଁ ? କାଲି ପରା ‘ମନଆ’ କନ୍ଧ ଅନୁଗୁଳ ଜଗଦେବଙ୍କୁ ଜବାବ ଦେଇ ଆସିଚି ‘ତୁମେ ଜଗଦେବ ଛାଡ଼ି ଗଜପତି ହୁଅ କି ଅଶି କୋଶର ରଜା ଛାଡ଼ି ଆଠଶ କୋଶର ରଜା ହୁଅ, ଆମେ ତୁମକୁ ମାନୁ ନା । ତୁମ ତଳେ ଆମେ ନାହୁଁ–କେବେ କାହା ତଳେ ମଧ୍ୟ ନ ଥିଲୁଁ । ମୋର ବାପ ଅଜା ତେପନ ପୁରୁଷରୁ ହରିଚନ୍ଦନଙ୍କ ରାଜ୍ୟରେ ଘର, ଆମ୍ଭେମାନେ ସ୍ୱାଧୀନ ପ୍ରଜା । ମନେ ରଖ ତୁମ ଜିତିବା ଭୂଇଁରେ ନରସିଂହପୁର ପ୍ରଜା ରହିପାରିବ ନାହିଁ।’ ତୁମର କନ୍ଧ କଥା ସୁଦ୍ଧା ମନେ ନାହିଁ ?’’

 

ରାଜ୍ୟରେ ଲୋକମାନଙ୍କୁ ଏ କଥା ବଡ଼ ବାଧିଲା । ପ୍ରଜାମାନେ ସାହାଯ୍ୟ କଲେ–ପାଇକମାନେ ଯୁଦ୍ଧ କଲେ; ମାତ୍ର ଘୋର ଯୁଦ୍ଧରେ ଏକାବେଳେ ହାରିଗଲେ । ମଙ୍ଗରାଜଙ୍କୁ ବନ୍ଦୀ କରି ଅନୁଗୁଳ ରଜା ଗଡ଼କୁ ନେଇଗଲେ । ଏଣେ ନରସିଂହପୁରରେ ହାଲହୋଳି ପଡ଼ିଗଲା । ଚକ୍ରଗଡ଼ ଠାରୁ ୫ କୋଶ ଭୂଇଁ ଅନୁଗୁଳ ଛଡ଼ାଇ ନେଇ ସେଠି ତାର ନିଜ ସିପେଇ, ସୈନ୍ୟ ଜଗାଇଦେଲା ।

 

ମାଳତୀ ଯେତେବେଳେ ମଙ୍ଗରାଜ ବନ୍ଦୀ ହେବା ଖବର ପାଇଲେ, ସେତେବେଳେ ସେ ତାଙ୍କର ଶିଶୁ ୪ବର୍ଷର ଝିଅଟିକୁ ରାଣୀଙ୍କ ପାଖରେ ଛାଡ଼ି ଦେଇ ଅନୁଗୁଳ ଯିବାକୁ ବାହାରିଲେ । ରାଣୀ ତାଙ୍କୁ ମନା କରିବାକୁ ମନ କଲେ; ମାତ୍ର ବଡ଼ ଜେନାଙ୍କ କଥା ଭାବି ମନା କରିପାରିଲେ ନାହିଁ-। ମାଳତୀଙ୍କ ଅନୁଗୁଳ ଯିବା ଖବର ରାଜମାତାଙ୍କ ଛଡ଼ା ଆଉ କେହି ଜାଣି ନ ଥିଲେ । ତେବେ ୧୩ ବର୍ଷର ପୁଅ ପୂର୍ଣ୍ଣଚନ୍ଦ୍ର ଯେତେବେଳେ ସେ କଥା ଜାଣିଲେ, ସେ ତାଙ୍କର ମାଆ ଏବଂ ମାଳତୀଙ୍କର ଶତ ଅନୁରୋଧ ସୁଦ୍ଧା ନ ମାନି ଅନୁଗୁଳ ଯିବାକୁ ବାହାରିଲେ । ଅତି ଗୋପନରେ ରାଜ୍ୟରୁ ପାଣ ପାଇକ ଶହେ ଜଣ ଏବଂ ବୋକଡ଼ା ସରଦାର ଚମ୍ପା ବଡ଼ଜେନା ପୁଅ ରଘୁ ବଡ଼ଜେନାକୁ ଧରି ମାଳତୀ ଓ ପୂର୍ଣ୍ଣଚନ୍ଦ୍ର ଶୁଭ ବେଳାରେ ଅନୁଗୁଳ ବାହାରିଲେ । ଏ କଥା ନରସିଂହପୁରରେ କେହି ଜାଣିଲା ନାହିଁ ।

 

ନରସିଂହପୁର ଆଉ ଅନୁଗୁଳ ଭିତରେ ଗୋଟାଏ ଭୀଷଣ ପାହାଡ଼ ଅଛି । ତା ନାଁ ଘାଟୀ ପାହାଡ଼ । ସେ ପାହାଡ଼ର ଉଚ୍ଚ ଏକ ହଜାର ଫୁଟ ହେବ । ଏହି ହଜାରେ ଫୁଟ ଉପରକୁ ଉଠିଲେ ଗୋଟାଏ ୫କୋଶ ଆକ୍ରାନ୍ତର ଭୂଇଁ ଅଛି । ତାହା ଏଣେ ହିନ୍ଦୋଳ ତେଣେ ଅନୁଗୁଳକୁ ଲାଗିଚି । ଏ ପାଖେ ଉଠିବ ହଜାରେ ଫୁଟ, ସେ ପାଖେ ଗଡ଼ିବ ଅନୁଗୁଳ ଓ ହିନ୍ଦୋଳ ପଟକୁ ପିଛୁଳି ଘାଟୀରେ ୫୦୦ ଫୁଟ । ମଝିଟା ସମାନ ଉଚୁଆ ଭୂଇଁରେ ୩ କୋଶ ବାଟ ଗଲେ ଏ ପାଖରୁ ସେ ପାଖକୁ ଯାଇ ହେବ । ସେତେବେଳେ ଆଜି ପରି ସଡ଼କ ରାସ୍ତା ନ ଥିଲା । ଲୋକେ ଉଠି ଉଠି ଯିବା ଆସିବା କରୁଥିଲେ । ଉଚୁଆ ପାଞ୍ଚ କୋଶ ଭୂଇଁ ନରସିଂହପୁରର । ତାକୁ ସେଠାରେ ଦେବଭୂମି ବୋଲି କହନ୍ତି । ‘ବୁଢ଼ାବୁଢ଼ୀ’, ‘ମଗରମୁହିଁ’ ପ୍ରଭୃତି ବହୁତ ଦେବତା ସେଠାରେ ଅଛନ୍ତି । ସେଥିରେ ଏପରି ଝାଡ଼ ଜଙ୍ଗଲ ଅଛି ଯେ, କଥାରେ କହି ହେବ ନାହିଁ । ସେ ସ୍ଥାନଟି ବଡ଼ ସୁନ୍ଦର, ଆକାଶକୁ ଯେପରି ସେ ସ୍ଥାନଟି ମିଶି ଯାଇଚି । ବର୍ଷା ହେଲାବେଳେ ମେଘ ସେଠାରେ ଭୂଇଁତଳେ ଲାଗିଯାଏ-। ସେ ଦୃଶ୍ୟ ଦେଖିବାକୁ ଅତି ଚମତ୍କାର । ପୁଣି ସେ ଉଚ୍ଚ ଭୂଇଁରେ କେତେ ହଜାରେ ଦେଢ଼ ହଜାରେ ଫୁଟର ପର୍ବତ ରହିଚି । ସେ ପାଞ୍ଚ କୋଶଯାକ ଶାଳ, ପିଆଶାଳ, ଶିଶୁ, ବାନ୍ଧଣ ଇତ୍ୟାଦି କାଠ ଗଛ ଯେପରି ଅଛି, ଚମ୍ପା, ଆମ୍ବ, ମୁଚୁକୁନ୍ଦ, ପଣସ, ଜାମୁ, ନାଗେଶ୍ୱର ପ୍ରଭୃତି ବହୁତ ଦରକାରୀ ଫୁଲ ଫଳ ଗଛ ରହିଚି । ସେଠାରେ ସିଂହ ଗଣ୍ଡା ଛଡ଼ା ଆଉ ଅଧିକାଂଶ ପଶୁପକ୍ଷୀ ଦେଖାଯାନ୍ତି । ସେଠାରେ ଅମର ମଉଷଧି ଥିବାର ମଧ୍ୟ ଶୁଣାଯାଏ ।

 

ମାଳତୀ ଶିଶୁ ପୂର୍ଣ୍ଣଚନ୍ଦ୍ରଙ୍କୁ ସାଙ୍ଗରେ ଧରି ସେହି ବାଟେ ଘୋଡ଼ାରେ ଚଢ଼ି ଗଲେ । ଯେଉଁ ଚମ୍ପା ବଡ଼ଜେନା କିଛି ଦିନ ଆଗେ ଅନୁଗୁଳ ରଜାଙ୍କ ଅନ୍ୟାୟ ତରବାରୀରେ ଦିଖଣ୍ଡ ହୋଇ ଯାଇଥିଲେ, ତାଙ୍କରି ପୁଅ ରଘୁ ବଡ଼ଜେନା ବାଟ ଦେଖାଇଲେ । ମାଳତୀ ଯୁବରାଜଙ୍କୁ ସାଙ୍ଗରେ ଧରି କିପରି ଅନୁଗୁଳରେ ଲୁଚିରହି ମଙ୍ଗରାଜଙ୍କୁ ଉଦ୍ଧାର କରିଥିଲେ, ତା ଏଥିରେ ଲେଖିବା ସମ୍ଭବ ନୁହେଁ ।

 

ସେ ମସ୍ତ ବଡ଼ କଥା । ଶିଶୁ ୧୩ ବର୍ଷର ପୁଅ ପୂର୍ଣ୍ଣଚନ୍ଦ୍ରଙ୍କର ସାହସ ଶୁଣିଲେ ଏକାବେଳେ ଲୋକେ ମିଛ ମଣିବେ । ମାଳତୀ କିପରି ଅନୁଗୁଳ ରଜାଙ୍କୁ ହଟାଇ ମଙ୍ଗରାଜଙ୍କୁ ମୁକୁଳାଇ ଆଣିଥିଲେ–ଶୁଣିଲେ ରୋମ ଟାଙ୍କୁରି ଉଠିବ। ଅନୁଗୁଳର କଳା ପାଟ ଠାକୁରାଣୀ ଆଉ ସେ ଗଡ଼ର ଭୀଷଣ କାହାଣୀ ଶୁଣିଲେ ହୃଦୟ କମ୍ପିଯାଏ । ମଙ୍ଗରାଜ ସେହି ଠାକୁରାଣୀଙ୍କ ପାଖରେ ବଳି ପଡ଼ିଥାନ୍ତେ; ମାତ୍ର ମାଳତୀ ଏପରି ଉପାୟ କଲେ, ଯହିଁରେ ସମସ୍ତଙ୍କ ସାମନାରେ ମଙ୍ଗରାଜ ନିଜର ବଳବପୁ ଦେଖାଇ ଯୁବରାଜ ପୂର୍ଣ୍ଣଚନ୍ଦ୍ରଙ୍କୁ କୋଳରେ ଧରି ରାଜ୍ୟକୁ ଫେରି ଆସିଥିଲେ । ଗୋଟିଏ ୧୩ ବର୍ଷର ପୁଅ ଏବଂ ଗୋଟିଏ ୨୨ ବର୍ଷର ବିଧବା ଯୁବତୀ ସ୍ତ୍ରୀ କ’ଣ କରିପାରେ, ସେ କଥା ଶୁଣିଲେ ନିଶ୍ଚୟ ଲୋମ ଟାଙ୍କୁରି ଉଠିବ ।

 

-୧୨-

 

ଅନୁଗୁଳରୁ ମଙ୍ଗରାଜ ଘରକୁ ଫେରି ଆସିଲେ ସତ; ମାତ୍ର ସେ ପ୍ରାୟ ଦୁଇ ମାସ କାଳ ହରିକାଠ ଭିତରେ ରହି ଅନୁଗୁଳ ରଜାଙ୍କର ବହୁ ଅତ୍ୟାଚାର ସହି ବାତରେ ପଡ଼ିଲେ । ତାଙ୍କୁ କ୍ଷମା ପାର୍ଥନା ପାଇଁ ସେ ରଜା ଯେତେ ଭୟ ଦେଖାଇଲେ, ସେ କୌଣସି ପ୍ରକାରେ ସେତେବେଳେ ଖାତର କରି ନ ଥିଲେ । ଏବେ ସେ ଆଉ ଘରୁ ଉଠି ପାରିଲେ ନାହିଁ । ଏହି ରୋଗରେ ସେ ସାତ ବର୍ଷ କାଳ ପଡ଼ିଲେ । ସାତ ବର୍ଷ ଭିତରେ ନରସିଂହପୁରରୁ ଦଶପଲା ଖଣ୍ଡିଏ ଏବଂ ଅନୁଗୁଳ ଯୁଦ୍ଧରେ ଜିଣି ୫ କୋଶଟି ନେଇ ଆନନ୍ଦରେ ରହିଥିଲେ । ଅନୁଗୁଳ ରଜା ନରସିଂହପୁର ରଜା ଘରର ବନ୍ଧୁବାନ୍ଧବ ହେଲେ କ’ଣ ହେବ, ତାଙ୍କର ଲୋକନିନ୍ଦାକୁ ତିଳେ ବୋଇଲେ ତିଳେ ଖାତିର ନଥିଲା ।

 

ଏହି ସାତ ବର୍ଷ ଭିତରେ ମଙ୍ଗରାଜେ ରୋଗ ଶେଯରେ ପଡ଼ି ପୂର୍ଣ୍ଣଚନ୍ଦ୍ରଙ୍କୁ କି ପାଠ, କି ଧନୁର୍ବିଦ୍ୟା, କି ସାହସ, କି ତେଜ ସବୁଥିରେ ତାଲିମ କରି ଦେଲେ । ପୂର୍ଣ୍ଣଚନ୍ଦ୍ରଙ୍କର ପିଲାଦିନୁଁ ପ୍ରତିଭା ଥିଲା । ମଙ୍ଗରାଜଙ୍କ ଶିକ୍ଷାରେ ସେ ଜଗଜ୍ଜିତା ହୋଇ ଉଠିଲେ ।

 

ଏହି ସମୟରେ ଯୁବରାଜ ନିଜେ ନିଜେ ଗାଁକୁ ଗାଁ ବୁଲି ସବୁ ଦେଖୁଥିଲେ- ଲୋକଙ୍କ ସାଙ୍ଗରେ ମିଳାମିଶା କରୁଥିଲେ । ରାଜ୍ୟ ଖଣ୍ଡିଏ ଲେଖାଏଁ ସିନା ପାଖ ପଡ଼ିଶା ନେଇଗଲେ–ନ ହେଲେ ନରସିଂହପୁରରେ ଏହି ସାତ ବର୍ଷ ଭିତରେ ଆଉ କିଛି ବିପଦ ପଡ଼ି ନ ଥିଲା । ସେଥିପାଇଁ ପ୍ରଜାମାନେ ବେଶ୍ ଭଲରେ ଥିଲେ । ଯୁବରାଜଙ୍କୁ ପ୍ରଜାଏ ଗାଁରେ ପାଇଲେ ବଡ଼ ଆନନ୍ଦ ହେଉଥିଲେ, ଭକ୍ତି କରୁଥିଲେ ଏବଂ ବହୁତ ସମ୍ମାନ ଦେଖାଉଥିଲେ । ମଙ୍ଗରାଜଙ୍କ ରୋଗ ଯୋଗୁଁ ପ୍ରଜାମାନେ ମନରେ ଆନନ୍ଦ ନ ଥିଲା, ଯୁବରାଜଙ୍କୁ ଦେଖି ସେମାନଙ୍କ ମନରେ ଟିକିଏ ଶାନ୍ତି ଆସୁଥିଲା ।

 

ପୂର୍ଣ୍ଣଚନ୍ଦ୍ର ମଙ୍ଗରାଜଙ୍କଠାରୁ ଯାହା ଶିଖିଲେ, ତାହା ରାଜ୍ୟର ନୂଆ ନୂଆ ପାଇବ ପିଲାମାନଙ୍କୁ ଶିଖାଇବାକୁ ଲାଗିଲେ ଏବଂ ଇସ୍କୁଲ କରି ଚାରିଆଡ଼େ ପାଠ ପଢ଼ାଇବାକୁ ଲାଗିଲେ । ଗୋଟାଏ ବର୍ଷରେ ହଜାର ହଜାର ପାଇକ ପୁଣି ଯୋଗାଡ଼ ହୋଇଗଲେ । ଏସବୁ ଖବର ଅନ୍ୟ ରାଜ୍ୟର ଲୋକେ କେହି ଜାଣିଲେ ନାହିଁ । ସେମାନେ ଚୋରା ଦୂତସବୁ ପଠାଇଲେହେଁ ପୂର୍ଣ୍ଣଚନ୍ଦ୍ର ଏପରି ଜଙ୍ଗଲ ଭିତରେ ଏହି କାର୍ଯ୍ୟ କରୁଥିଲେ ଯେ, ତାହା ଜାଣିବାକୁ କାହାରି ସୁବିଧା ନ ଥିଲା ।

 

ବାସେଳୀ ହତାରେ ବାରୁଦ ତିଆରି ହୋଇ ମହଣ ମହଣ ସାଇତା ହେଲା । ବୋକଡ଼ା, ଚକ୍ରିଗଡ଼, ଶରଧାପୁର, ଜୟମଙ୍ଗଳ, ଅଲରା, ରଣସିଂହପୁର, ଋଷିପଡ଼ା, ପାଇକ ବାରବାଟୀ, ସୁବଳୟା ଓ ଡମିରିଆ ପ୍ରଭୃତି ଗ୍ରାମମାନଙ୍କରୁ ଟମକ ନିଶାଣ ତୂରୀ ଭେରୀ ବାଜି ଉଠିଲା । କାନପୁରୀ ଖଣ୍ଡାରେ ଶାଣ ଦିଆଗଲା । ମଙ୍ଗରାଜେ ରୋଗ ଶେଯରେ ପଡ଼ି ଯୁବରାଜଙ୍କ କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହେଲେ । ପ୍ରକୃତରେ ସିଂହର ପିଲା ସିଂହ ପରି ହେବ ସିନା ! ତାର ଡ଼ର ଭୟ କ’ଣ-? ମହାବୀର ଦୟାନିଧିଙ୍କ ନାତି, ବୀର କେଶରୀ ମନ୍ଦରଧରଙ୍କ ପୁଅ ପିଲାଦିନରୁ ଏପରି କାର୍ଯ୍ୟ କରିବା କିଛି ଅସମ୍ଭବ ନୁହେଁ ।

 

ମଙ୍ଗରାଜ ରୋଗ ଶେଯରେ ପଡ଼ି ସବୁ ଆଡ଼କୁ ଦୃଷ୍ଟି ଦେଇଥିଲେ । ତାଙ୍କର ପ୍ରାଣର ପ୍ରାଣ ସେହି ମାଳତୀର ଝିଅଟି ଯୋଗୁଁ ତାଙ୍କର ଦିନ କଟି ଯାଉଥିଲା । ମାଳତୀ ବଳାଙ୍ଗୀ ବାଉଁଶ ବଣରେ ତାକୁ ଜନ୍ମ କରିଥିଲେ ବୋଲି ତାର ନାମ ‘‘ବଳାଙ୍ଗୀ’’ ଦେଇଥିଲେ । ବଳାଙ୍ଗୀକୁ ତିନି ବର୍ଷ ଦିନୁଁ ବୁଢ଼ା ରୋଗ ଶେଯରେ ରହି ତାର ଶିକ୍ଷା, ତାର ଉନ୍ନତି ପାଇଁ ବହୁତ ଯତ୍ନ କରିଥିଲେ । ବଳାଙ୍ଗୀ ମାଳତୀ ଆଉ ମୁକୁନ୍ଦର ଝିଅ । ସେଥିପାଇଁ ସେ ସବୁ ଗୁଣରେ ପୂର୍ଣ୍ଣ ଥିଲା । ମାଳତୀ ପିଲାଟିକୁ ଦେଖି ସ୍ୱାମୀ ଚିନ୍ତା ଭୁଲି ଯାଇଥିଲେ । ସେତେବେଳେ ସେ ପିଲାଟି ଶହ ଶହ ଆଖିର ମାଣିକ ହୋଇଥାଏ । ତାର ହସ, ତାର କଥା, ତାର ଚାଲି ସବୁ ସୁନ୍ଦର! ସେ ଏପରି ପିଲା ଯେ, ତାକୁ କିଛି ନ ଶିଖାଇଲେ ମଧ୍ୟ ସେ ଦେଖିକରି ସବୁ ଶିଖୁଥିଲା ।

 

ବୟସ ଯେତିକି ବଢ଼ିଲା, ସେ ଯୁଦ୍ଧବିଦ୍ୟା ମଧ୍ୟ ଶିଖିଲା । ଯୁବରାଜଙ୍କ ସାଥିରେ ରହି ଘୋଡ଼ାଚଢ଼ା, ଖଣ୍ଡାବୁଲା, ବାଣମରା ଇତ୍ୟାଦି ସବୁ କାମରେ ତାର ଟାଣ ବେଳକୁ ବେଳ ଫୁଟି ଉଠିଲା । ଦଶବର୍ଷ ସମୟରେ ସେ ଘୋଡ଼ାରେ ଚଢ଼ି ବଣରୁ ହରିଣ ଶିକାର କରି ପାରୁଥିଲା ।

 

ମଙ୍ଗରାଜ ରୋଗ ଶେଯରେ ରହି ଯୁଦ୍ଧ-ନିଶା ଛାଡ଼ି ଦେଇଥିଲେ । ତେବେ ଯୁବରାଜଙ୍କ କାର୍ଯ୍ୟ ଦେଖି ବେମାରି ଅବସ୍ଥାରେ ମଧ୍ୟ ପୁଣି ତାଙ୍କ ସୁପ୍ତ ତେଜ ଜାଗି ଉଠିଲା । ବଳାଙ୍ଗୀ ବୁଢ଼ାଙ୍କୁ ଯୁଦ୍ଧ କଥା ପଚାରି ବ୍ୟସ୍ତ କରି ଦିଏ । ତାର ଜନ୍ମ କଥା ଶୁଣି ସେ ଆଶ୍ଚର୍ଯ୍ୟ ହୁଏ । ସେ ପିଲା କେତେବେଳେ ଖାଏ, କେତେବେଳେ ପିଏ; କେତେବେଳେ ଶୁଏ–କେହି ଜାଣନ୍ତି ନାହିଁ । ସଦାବେଳେ ସଫାସୁତୁରା, ସଦାବେଳେ ହସ ହସ ମୁଖ, ତାର ମୁଣ୍ଡର ବେଣୀ ପାଦକୁ ଲମ୍ବି ଥାଏ । ସେ ଗହଣା ଲଗାଏ ନାହିଁ । କହେ, ମୋର ମାଆର ତ ନାହିଁ ମୋର କ’ଣ ହେବ ? ତାକୁ ପଚାରିଲେ ସେ ଏପରି ସରଳ ଭାବରେ ଉତ୍ତର ଦିଏ ଯେ, କେହି ତା କଥାରେ ଆଉ କିଛି ଜବାବ ଦେଇ ପାରନ୍ତି ନାହିଁ ।

 

ତାକୁ ଯେତେବେଳେ ବୟସ ଏଗାର ହେଲା, ସେତେବେଳେ ସେ ଠିକ୍ ଦରଫୁଟା ଫୁଲ ପରି ନିର୍ମଳ ଆଉ ସରଳ ! କିଛି ବୋଇଲେ କିଛି ଛନ୍ଦ କପଟ ଜାଣେ ନାହିଁ । ମିଛ କ’ଣ ସେ ଜାଣେ ନାହିଁ । କେବଳ ବଣରୁ ଶିକାର କରିବା–ଏହାଛଡ଼ା ସେ ଆଉ ମାଛିକି ମର ବୋଲି କହୁ ନ ଥିଲା । କାହାକୁ କିଛି ନ କହିଲେ କ’ଣ ହବ–ମିଛ, ପାପ, ଅନ୍ୟାୟ ଦେଖିଲେ ସେ ଖୋଳରୁ ଖଣ୍ଡା ବାହାର କରି ଚଣ୍ଡୀ ରୂପରେ ଛିଡ଼ା ହେଉଥିଲା । ଏ ଗୁଣଟା ଯେପରି ତାର ଜନ୍ମଗତ ଥିଲା । ତାର ଗୋଲ ସରଳ ଦେହଟିରେ କେତେ ଯେ ବଳ ଥିଲା, କହି ହବ ନାହିଁ । ତାର ଦେହର ତେଜ ଏପରି ଉଜ୍ଜ୍ୱଳ ଥିଲା ଯେ, ତାକୁ ବେଶୀ ବେଳ ଚାହିଁ କେହି ରହି ପାରୁ ନ ଥିଲା ।

 

ବଳାଙ୍ଗୀର ସେବା ଶୁଶ୍ରୂଷା ମଙ୍ଗରାଜଙ୍କ ପ୍ରାଣରେ ଯେପରି ସୁଖ ଦେଉଥିଲା, ଆଉ କାହିଁରେ ସ ସୁଖ ଅଛି ବୋଲି ସେ ଭାବି ପାରୁ ନ ଥିଲେ । କେତେ ଦିନ ପରେ ମଙ୍ଗରାଜଙ୍କର ଦେହ ସୁସ୍ଥ ହେଲା । ସେ ଉଠିଲେ, ଯିବା ଆସିବା କଲେ । ଆସ୍ତେ ଆସ୍ତେ ବଣର ଚେର ମୂଳ ଔଷଧ ଖାଇ ତାଙ୍କ ଦେହରେ ବଳ ହେଲା । ମାସ ଚାରିଟାରେ ସେ ପୁଣି ତାଙ୍କର ପୂର୍ବ ବଳ ପାଇ ରାଜ୍ୟ ତମାମ ଥରେ ବୁଲି ଆସିଲେ । ରାଜ୍ୟ ବୁଲିଯିବା ସମୟରେ ବଳାଙ୍ଗୀ ତାଙ୍କ ସାଙ୍ଗରେ ଯାଇ ଚନ୍ଦ୍ରଗିରିରୁ ଯେପରି ବାଘ ଶିକାର କରିଥିଲା- ତାହା ଦେଖି ଓ ଶୁଣି ରାଜ୍ୟ ତମାମ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ ।

 

ମଙ୍ଗରାଜ ରାଜ୍ୟ ତମାମ ବୁଲି ଆସି ରାଜମାତାଙ୍କୁ କହିଥିଲେ–‘ତୁମର ପୁଅ ଦିଗ୍‌ବିଜୟୀ ବୀର ହେବ । ସେ ପୁଣି ତାର ପିତା ସମ୍ପତ୍ତି ଫେରିପାଇବ । ଲୋକଙ୍କଠାରୁ ଶୁଣିଲି, ଆମ ଯୁବରାଜ ମଣିଷ ନୁହନ୍ତି ଦେବତା ।’

 

ରାଜମାତା ପୁଅର ଏପରି ସୌଭାଗ୍ୟ ଶୁଣି ଖସି ହେଲେ ନାହିଁ । ସେ ତାଙ୍କ ସ୍ୱାମୀଙ୍କ ପରି କିପରି ନ ହେଉ, ସେଥିପାଇଁ ସଦାବେଳେ ପ୍ରଭୁଙ୍କୁ ଜଣାଉଥିଲେ । ଦୀର୍ଘ ନିଶ୍ୱାସ ପକାଇ କହିଲେ–‘ପ୍ରଭୁ ଯାହା କରିବେ ?’

 

ଏହି ସମୟରେ ଯୁବରାଜ ଆଶ୍ୱାରୋହୀମାନଙ୍କୁ ଯୁଦ୍ଧବିଦ୍ୟା ଶିଖାଇ ଘରେ ପହଞ୍ଚିଲେ । ମଙ୍ଗରାଜ ତାଙ୍କୁ ଦେଖିବାମାତ୍ରେ କୋଳକୁ ଟାଣି ନେଇ କେତେ ଆଦର କଲେ ଏବଂ କହିଲେ–‘ବୀର, ଏଥର ରାଜା ହୁଅ । ତୁମେ ତୁମର ରାଜ୍ୟ ପାଳନ କର । ଆମେ ବୁଢ଼ା, ଆମର ବୟସ ଯାଇଚି; ଆମକୁ ବିଶ୍ରାମ ଦିଅ ।’

 

ଯୁବରାଜ ହସି ହସି କହିଲେ–‘ଆପଣ ଯଦି ବୁଢ଼ା, ତେବେ ଯୁବକ କିଏ ?’

 

ମଙ୍ଗରାଜ କହିଲେ–‘ଆମର ବାଳ ପାଚିଲା, ଦାନ୍ତ ପଡ଼ିଲା, ବଳ ଖସିଲା, ଆମେ ବୁଢ଼ା ନୋହୁଁ ତ ଆଉ କିଏ ?’

 

‘‘ନା, ବାଳ ପାଚିଲେ ବୁଢ଼ା ହୁଅନ୍ତି, ମୁଁ ଜାଣେ ନା । ଦାନ୍ତ ପଡ଼ିଲେ ବୁଢ଼ା ହୁଅନ୍ତି–ମୁଁ ବୁଝେ ନାହିଁ । ଯାହାର ମନ ଓ ହୃଦୟ ନିସ୍ତେଜ–ମୁଁ ଜାଣେ ସେହି ବୁଢ଼ା । ଆପଣଙ୍କର ତେଜ ତ ଯୁବକର ତେଜଠାରୁ ଶତ ଗୁଣ । ଆପଣ ବୁଢ଼ା କିପରି ? ଏ ରାଜ୍ୟ କ’ଣ ମୋର ? ଏ ରାଜ୍ୟ ଆପଣଙ୍କର । ଆପଣ ଏ ରାଜ୍ୟ ରକ୍ଷା କରିବେ । ମୁଁ କ’ଣ ଜାଣେ ଯେ କ’ଣ କରିବି ? ଆପଣଙ୍କ ଆଜ୍ଞାରେ ମୁଁ ବାଟ ଚାଲିବି । ଆପଣ ଯେଉଁ ବାଟେ ନେବେ, ମୁଁ ସେଇ ବାଟେ ଯିବାକୁ ବାଧ୍ୟ । ମାଳତୀ ଏ ରାଜ୍ୟର ମାନମହତ୍ତ୍ୱ ରଖିଚନ୍ତି, ଆପଣ ଏ ରାଜ୍ୟର ପ୍ରଜାଙ୍କୁ ସାଇତିଚନ୍ତି । ଜାଣନ୍ତି–ଆଜି ପିତାଙ୍କ ନାଁ ସାଙ୍ଗରେ କାହାର ନାଁ ରାଜ୍ୟ ସାରା ବୋଲା ହେଉଚି ? ସନ୍ଧ୍ୟା ହେଲେ କୁମାରୀମାନେ, ଗୃହିଣୀମାନେ ସଞ୍ଜବଳିତା ବସାଇଲା ବେଳେ କେଉଁ ବୀରସିଂହଙ୍କର ଶୁଭ ମନାସନ୍ତି ?’’

 

ମଙ୍ଗରାଜ ଏତକ ଶୁଣି ନୀରବ ହେଲେ । ରାଜମାତା ତାଙ୍କର ୧୯ ବର୍ଷ ପୁଅର କଥା ଶୁଣି ଦୀର୍ଘ ନିଶ୍ୱାସ ପକାଇଲେ । କିଛିକ୍ଷଣ ପରେ ମଙ୍ଗରାଜ ଯୁରାଜଙ୍କର ମୁଣ୍ଡ ଆଉଁସିଲେ–ତାଙ୍କ ଆଖିରୁ ଆନନ୍ଦରେ ଲୁହଧାର ବୋହିଗଲା । ସେ ଦୃପ୍ତ ସ୍ୱରରେ କହିଲେ–‘‘ବାପା, ନିର୍ଭୟରେ ଥାଅ-। ମଙ୍ଗରାଜ ଥାଉଁ ଥାଉଁ ତୁମ ଉପରେ କିଛି ପଡ଼ିବ ନାହିଁ । ମଙ୍ଗରାଜ ବୃଦ୍ଧ ନୁହେଁ–ସେ ପ୍ରକୃତରେ ଯୁବକ । ଯେତେ ଦିନ ଯାଏ ତା ଦେହରେ ଗୋଟିଏ ଆଙ୍ଗୁଠି ପର୍ଯ୍ୟନ୍ତ ଜୀବିତ ଅଛି–ଟିକିଏ ରକ୍ତବିନ୍ଦୁ ବହୁଚି- ସେତେ ଦିନଯାଏ ତୁମର ଅଣୁ ମାତ୍ର ଭୟ ନାହିଁ । ମୁଁ ଜାଣେ, ତୁମେ ଏ ବଂଶରେ କେହି ମହାତ୍ମା ଜନ୍ମ ହୋଇଚ ।’ ତାଙ୍କର ଆଖି କହୁ କହୁ ଜଳି ଉଠିଲା । ରାଜମାତାଙ୍କ ଆଖିରୁ ଲୁହଧାର ବହିଗଲା । ଯୁବରାଜ ନିରାଟି ଚାହିଁ ରହିଲେ ।

 

-୧୩-

Unknown

 

ଠିକ୍ ଏହି ସମୟରେ କୁମାରୀ ‘ବଳାଙ୍ଗୀ’ କୁଆଡ଼ୁ ଧାଇଁ ଆସି ପହଞ୍ଚିଗଲା । ତାର କୋମଳ କେତକୀ ପାଖୁଡ଼ା ପରି ଦେହ ଲାଲ ହୋଇ ଯାଇଚି । ଝାଳ ଗମ୍ ଗମ୍ ବହି ଯାଉଚି । ଛନ ଛନ ଆଖିରେ ସେ କହି ପକାଇଲା–‘ବାପା, ବାପା, ବଡ଼ ଆଶ୍ଚର୍ଯ୍ୟ କଥା । ଚକ୍ରଗଡ଼ ପାଖ ଲୋକେ ତେଜି ଉଠିଚନ୍ତି । ସେମାନେ ଏହା ଭିତରେ ଅନୁଗୁଳର କେତେ ଜମାଦାର, ଚଉକିଆଙ୍କୁ ମାରି ଦେଲେଣି । ଶୁଣିଲି ଯେ, ରଜାଙ୍କ ପ୍ରତିନିଧି ସାମନ୍ତଙ୍କୁ କୁଆଡ଼େ ଆକ୍ରମଣ କରିବେ । ମୁଁ ସେ ପାଖେ ଆଜି ଯାଉ ଯାଉ ବାଟରେ ଗୋଟିଏ ଲୋକଠାରୁ ଏହା ଶୁଣି ଚକ୍ରଗଡ଼କୁ ଗଲି । ସେମାନେ ମୋତେ ଦେଖି ଆନନ୍ଦରେ ବଡ଼ ସମ୍ବର୍ଦ୍ଧନା କଲେ । ମୁଁ ସେମାନଙ୍କୁ ଏପରି ତେଜି ଉଠିବା ଅନ୍ୟାୟ ବୋଲି କହିବାରୁ ସେମାନେ ରାଗରେ ଗର ଗର ହୋଇ କହିଲେ–‘‘ମା, ତୁମେ ମାଳତୀଙ୍କର ଝିଅ ନା ? ଯାଅ ଘୋଡ଼ିଘାଡ଼ି ହୋଇ ଘରେ ଶୋଇ ପଡ଼ିବ । ରଜାକୁ ଦେଖିଲେ କହିବ–ଯୁବା ଆସି ହେଲେ, ଆଉ କେବେ ଆମକୁ ଉଦ୍ଧାର କରିବେ ? ଜାଣିଲୁ, ସେ ରଜା ନୁହେଁ–ସେ ଗୋଟିଏ, ଡରୁଆ ଜୀଅନ୍ତା କାଠପିତୁଳା । ଆମ ବାଟ ଆମେ ଧରିବୁଁ । ଆମେ ଆଉ ଏ ଅନୁଗୁଳ ପିଶାଚଙ୍କ ତଳେ ରହି ନାକମୋଡ଼ା ଖାଇ ପାରିବୁ ନାହିଁ । ଆମ ଘର * ‘ଅରାଟ’ । ପୁଣି ନରସିଂହପୁରକୁ ‘ଅରାଟ’ କରିବୁଁ । ମଙ୍ଗରାଜ ରୋଗ ଶେଯରେ ପଡ଼ି ନ ଥିଲେ ମା, ତୁମେ ଏପରି ଆମକୁ କହନ୍ତି ନାହିଁ ।’’

 

* ଏହା ନରସିଂହପୁରର ପ୍ରାଚୀନ ନାମ । କନ୍ଧରାଜାଙ୍କ ମୃତ୍ୟୁ ପରେ ଧର୍ମଜୟ ନରସିଂହପୁର ନାମ ଦେଲେ ।

 

ସେମାନେ ମୋତେ କେତେ ଯେ କ’ଣ କହିଗଲେ ସେ କଥା କ’ଣ କହିବି ? ମୋ ଦେହ ଜଳି ଉଠିଲା । ମୁଁ ସେମାନଙ୍କୁ ବୁଝାଇ ଦେଇ ଆସିଚି ଯେ,‘‘ ବାପା ବର୍ତ୍ତମାନ ବେମାରୀରୁ ଉଠିଲେଣି–ସେ ତୁମମାନଙ୍କ ପାଖ ଛଡ଼ା ରାଜ୍ୟ ତମାମ ବୁଲି ଆସିଲେଣି । ଏ ଥାନଟା ଅନୁଗୁଳ ଛଡ଼ାଇ ନେଇଚି ବୋଲି ଲାଜରେ ଆସି ନାହାନ୍ତି । ତୁମେ ଦମ୍ଭ ଧର, ମୁଁ ଯାଉଚି ତାଙ୍କୁ ନେଇ ଆସିବି ।’’

 

ସେମାନେ ମୋ କଥା ଶୁଣି କହିଲେ–‘‘ମା, ଯାଅ କି ନ ଯାଅ- ଆଉ ଡର ନାହିଁ କି ଡେରି ନାହିଁ । ପୁଣି ମନ୍ଦରଧର ପ୍ରତିଜ୍ଞା ଆମର ମନେ ପଡ଼ିଲାଣି । ଏଥର ଅନୁଗୁଳ ଜଗୁଆଳିଙ୍କ କଥା ଛାଡ଼ିଦିଅ, ସାରା ନରସିଂହ ପୁରରେ ପ୍ରତିଦିନ ବିପ୍ଳବ ଲଗାଇ କେତେ ଯେ ଗୁପ୍ତ ହତ୍ୟା ହେବ ତାହା ପରେ ପୁଣି ଜାଣିବ । ଯେ ଆମକୁ ପରର ବନ୍ଦିଶାଳକୁ ପଠାଇ ଦେଇ ସୁଖରେ ଆମରି ପାଖରେ ରହି ମଉଜ କରୁଚନ୍ତି–ଆମେ ତାଙ୍କୁ ମାରି ଯେ ରକ୍ତ ନଈ ବୁହାଇବୁଁ, ଏକଥା ଠିକ୍‌ । ଏହି ବ୍ରତ କରି ଏଥର ଦଳ ବାନ୍ଧି ସାରିଚ ।’’

 

ଏହିପରି ସେମାନଙ୍କର ଘଟଣା ଯାହା ଦେଖିଲି, ସେମାନେ ଦୁଃଖ ଶୋକରେ ରକ୍ତ କାନ୍ଦିଲେଣି । ବର୍ଗୀଙ୍କଠାରୁ ତାଙ୍କ ଦାଉ ଏଣିକି ଅସହ୍ୟ ହେବ ।

 

ବାଳିକା ଥକା ହୋଇ ରହିଗଲା । ଆଉ କିଛି କହି ପାରିଲା ନାହିଁ । ମଙ୍ଗରାଜ ଦୀର୍ଘ ନିଶ୍ୱାସ ମାଇଲେ । ତାଙ୍କ ଦେହରୁ ଗୋଟିଏ ଝାଳ ବୋହି ଗଲା । ପାଖରେ କେହି ସୈନ୍ୟସାମନ୍ତ ଥିଲେ ସେ ‘‘ଚାଲ’’ ବୋଲି ଡାକ ପକାଇ ଦେଇଥାନ୍ତେ । ତେବେ ସେ ଅସମ୍ଭାଳ ହୋଇ ଖଣ୍ତା ଉଲାରି ବୁଲାଇ ଉଠିଲେ । ଯେପରି ନିଜେ ନିଜକୁ ଏହି ଅପମାନର ପ୍ରତିଶୋଧ ପାଇଁ ହାଣି ଦେବେ-

 

ବଳାଙ୍ଗୀ ସମ୍ଭାଳି ପାରିଲା ନାହିଁ–ଯାଇ ହଠାତ୍‌ ତାଙ୍କୁ କୁଣ୍ଢାଇ ପକାଇ କହିଲା–‘ବାପା, ବାପା, ଏ କ’ଣ ? ଏ କ’ଣ ?’

 

‘‘ନା ମା, କିଛି ନାହିଁ ଦେଖୁଚି, ରୋଗ ଶେଯରେ ପଡ଼ି ଆଉ ତରବାରୀ ଧରିବାର ଶକ୍ତି ଅଛି କି ନାହିଁ ।’’

 

‘‘ନାଇଁ ବାବା, ତୁମେ ତରବାରୀ ରଖିଦିଅ । ମୋତେ ଭୟ ଲାଗୁଚି ।’’

 

‘‘ବଳାଙ୍ଗୀ ! ତୋତେ ଭୟ ଲାଗୁଚି ନା ଥଟ୍ଟା ଲାଗୁଚି ?’’

 

‘‘ନା ବାପା, ଭୟ ଲାଗୁଚି । ବାପା, ଆମେ କ’ଣ ସଦାବେଳେ ପଥର ପରି କର୍କଶ ରହିଥିବୁଁ, ଆମର କ’ଣ ତିଳେ ମାୟା ମମତା ନାହିଁ ?’’

 

‘‘ନା ମା, ତା ମୁଁ କହୁ ନାହିଁ–ତେବେ ଅପମାନର ପ୍ରତିଶୋଧ ଚିନ୍ତା ବେଳେ ତୁ ଡରୁଚୁ-?’’

 

‘ବାପା, ପ୍ରତିଶୋଧର ଚିନ୍ତାର ଏ କ୍ଷେତ୍ର ନୁହେଁ ? ରାଣୀ ମାଆ ଯେ ପାଖରେ ।’

 

ଯୁବରାଜ ଧୀର ସ୍ଥିର ହୋଇ ବସିଥିଲେ । ରାଜମାତାଙ୍କର ଦେହ ପଡ଼ୁଥିଲା, ଉଠୁଥିଲା । ମଙ୍ଗରାଜେ ତରବାରୀକୁ ଗୋଟିଏ ଚୁମ୍ବନ ଦେଇ କହିଲେ, ‘‘ସାଙ୍ଗ, ସାତବର୍ଷ ତଳର କଥା ମନେ କର ।’’ ତା ପରେ ଖୋଳ ଭିତରେ ରଖି ଦେଲେ ।

 

ଯୁବରାଜ ଧୀରେ ଧୀରେ ମଙ୍ଗରାଜଙ୍କର କୋପ ଶାନ୍ତି ପରେ କହିଲେ–‘‘ଦେବ, ତୁମର ପ୍ରତାପ ଦେଖି ପ୍ରକୃତରେ ମୋତେ ଭୟ ଲାଗୁଚି । ମୁଁ ଯେତେବେଳେ ତୁମର ଆଗ କଥା ଶୁଣୁଥିଲି ତୁମଙ୍କୁ ରୋଗ ଶେଯରେ ଦେଖି ମୋର ସେପରି ମନେ ହେଉ ନ ଥିଲା । ଆଜି ଏ ତୀବ୍ର ତେଜ ଦେଖି ଥରି ଉଠୁଚି । ତୁମେ ମୋର ପିତାଙ୍କର ସାଙ୍ଗ ପୁଣି ସେନାପତି । ଭାବୁଚି, ମୋର ପିତା କିପରି ହୋଇଥିବେ । ତୁମେ ମୋର ଆଉ କେହି ନୁହଁ–ପିତା ।

 

‘‘ପିତା ! ମୋର ଯୁଦ୍ଧ କରିବାକୁ ବଳ ହୋଇଥିଲେହେଁ ମୁଁ ଭାବୁଚି, ବର୍ତ୍ତମାନ କୌଶଳ କରିବା ଆବଶ୍ୟକ । ତୁମେ ବର୍ତ୍ତମାନ ଶୀଘ୍ର ଯାଇ ଚକ୍ରଗଡ଼ ଲୋକଙ୍କୁ ଆଶ୍ୱାସନା ଦିଅ ଏବଂ କହ ଯେ, ତୁମର ରଜା ଅନୁଗୁଳ ରଜା ପାଖକୁ ଯାଇଚନ୍ତି, ରାଜ୍ୟ କଥା ଠିକଣା କରିବାକୁ; ତୁମେମାନେ ବର୍ତ୍ତମାନ ଥୟ ହୁଅ । ଅନୁଗୁଳ ରାଜ୍ୟର ଲୋକମାନଙ୍କ ଉପରେ କିଛି ଅତ୍ୟାଚାର କର ନାହିଁ । ଯଦି ରଜା ତେଣୁ ଫେରି ଆସନ୍ତି, ତୁଛା ହାତରେ; ତେବେ ତୁମ ସହିତ ନରସିଂହପୁର ସମୁଦାୟ ସାମିଲ ହେବ ଏବଂ ତୁମ ରଜା ଫାଶିକାଠରେ ଝୁଲିବେ; ନ ହେଲେ ତ ପୂର୍ଣ୍ଣ ସ୍ୱାଧୀନତା ଆସିବ, ଏ କଥା ସତ୍ୟ,ସତ୍ୟ, ସତ୍ୟ ।’’

 

ମଙ୍ଗରାଜ ଆନନ୍ଦରେ କାନ୍ଦିପକାଇ ପୂର୍ଣ୍ଣଚନ୍ଦ୍ରଙ୍କୁ କୋଳକୁ ଟାଣି ନେଲେ ଏବଂ କଥାକୁ ପସନ୍ଦ କରି କହିଲେ–‘ମୁଁ ବାହାରିଲି–ତୁମେ ବାପା, ସାବଧାନରେ ଯିବ ।’

 

ମଙ୍ଗରାଜ ଚକ୍ରଗଡ଼କୁ ସାଥିରେ ନାତୁଣୀ ବଳାଙ୍ଗୀକୁ ନେଇ ଚାଲିଲେ । ଏଣେ ରଜା ତାଙ୍କର ମାଆଙ୍କୁ ଆଶ୍ୱାସନା ଦେଇ ଘୋଡ଼ାରେ ଚଢ଼ି ଏକା ଏକା ଅନୁଗୁଳ ବାହାରିଲେ ।

 

-୧୪-

 

ଏକା ପୂର୍ଣ୍ଣଚନ୍ଦ ଯେତେବେଳେ ଅନୁଗୁଳରେ ପହଞ୍ଚିଲେ, ସେତେବେଳେ ଅନୁଗୁଳ ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ମଙ୍ଗରାଜଙ୍କର ଛାଡ଼ିବାକୁ ମନ ହେଉ ନ ଥିଲା । ସେ ଅନୁଗୁଳ ରଜାଙ୍କୁ ବିଶ୍ୱାସ କରୁ ନ ଥିଲେ । ତେବେ କାଳେ ମନାକଲେ ପୂର୍ଣ୍ଣଚନ୍ଦ୍ରଙ୍କର ସାହସ କମିଯିବ, ଏଇଥିପାଇଁ କିଛି କହିଲେ ନାହିଁ; ମାତ୍ର ଏଣେ ପଛରେ ଚୋରା ପାଣ ପାଇକ ବାଛି ବାଛି ପ୍ରାୟ ପଚିଶ ଜଣ ପଠାଇଦେଲେ ଯେଉଁ ମାନେ ତାଙ୍କୁ ପ୍ରତିଦିନର ଘଟଣା ଆସି କହୁଥିବେ ।

 

ନରସିଂହପୁର ରଜା ପୂର୍ଣ୍ଣଚନ୍ଦ୍ର ଆସିଛନ୍ତି, ଏ କଥା ଅନୁଗୁଳ ରାଜ୍ୟ ତମାମ ରାଷ୍ଟ୍ର ହୋଇଗଲା । ବ୍ରଜକିଶୋର ଜଗଦେବ ତାଙ୍କୁ ବଡ଼ ସସମ୍ମାନରେ ପାଛୋଟି ଆଣି ଏକାବେଳେ ଅନ୍ତଃପୁରକୁ ନେଇଗଲେ । ପୂର୍ଣ୍ଣଚନ୍ଦ୍ରଙ୍କୁ ଦେଖିବାମାତ୍ରେ ସେ ଏପରି ବାତୁଳ ହୋଇଗଲେ ଯେ ତାଙ୍କୁ ନିଜର ଗୁପ୍ତ କଥା କିଛି ଲୁଚାଇ ରହି ପାରିଲେ ନାହିଁ । ପୂର୍ଣ୍ଣଚନ୍ଦ୍ରଙ୍କୁ ସେ ତାଙ୍କର ଯୁଦ୍ଧ ସାଜସଜ୍ଜା ସବୁ ଦେଖାଇଲେ । ସିଂହଦ୍ୱାର ପାଚେରୀ ପାଖରେ କିପରି ସେ ଲୁହା ତାରରେ ମସ୍ତ ବଡ଼ ବଡ଼ ପଥର ବାନ୍ଧି ରଖିଚନ୍ତି–ସେ ପଥର ସବୁ କିପରି ଶୂନ୍ୟରେ ଓହଳିଚି, ତାକୁ ଦେଖାଇଲେ । କେତେ କ’ଣ ଦେଖାଇଲେ, ସେ ସବୁ କିଏ କହିପାରିବ ? ଅନୁଗୁଳ ରଜା ଘର ତ ଗନ୍ଧର୍ବ ପୁରୀ !

 

ପୂର୍ଣ୍ଣଚନ୍ଦ୍ରଙ୍କୁ ଦେଖିବାପାଇଁ ସେ ରାଜ୍ୟର ବହୁତ ଲୋକ ରୁଣ୍ତ ହୋଇଗଲେ । ମନ୍ଦରଧରଙ୍କ ରୂପ ତାଙ୍କଠାରେ ଠିକ୍‌ ରହିଚି ଦେଖି ଲୋକେ ଆନନ୍ଦରେ ଚାହିଁ ରହିଲେ । ରଜା ଏବଂ ପ୍ରଜା ତାଙ୍କୁ ଏପରି ଆଦର କଲେ ଯେ ସେପରି ଆଦର ଗୌରବ ଆଉ ପୂର୍ଣ୍ଣଚନ୍ଦ୍ର ଆଗରୁ କେବେ ପାଇ ନ ଥିଲେ । ତେବେ ଶିଶୁସିଂହ ପୂର୍ଣ୍ଣଚନ୍ଦ୍ର ଏଥିରେ ଭୁଲିଲେ ନାହିଁ ।

 

ପୂର୍ଣ୍ଣଚନ୍ଦ୍ର ରଜାଙ୍କ ଉଆସ ଭିତରେ ରହି ଯେଉଁ ଭୁଲ କଲେ ସେହି ଭୁଲପାଇଁ ସେ ଅନେକ ଦିନ ବଡ଼ ଦୁଃଖରେ ପଡ଼ିଥିଲେ । ଅନୁଗୁଳ ରଜାଙ୍କର ‘ଚିତ୍ରମାଳୀ’ ବୋଲି ଗୋଟିଲ ଝିଅ ଥିଲା । ସେ ଝିଅଟି ବଳାଙ୍ଗୀ ଠାରୁ ସୁନ୍ଦର । ଅନୁଗୁଳ ରଜାର ଝିଅ ସେ । ଗୋଟିଏ ଚାଉଳରେ ଗଢ଼ା । ସତେ ଯେପରି କନକ ପ୍ରତିମା । ରଜା ତା ପାଇଁ କେତେ ଆଡ଼େ ବର ଖୋଜାଇଲେ; ମାତ୍ର ଚିତ୍ରମାଳୀ ପାଇଁ ବର କେଉଁ ରାଜ୍ୟରେ ଘଟଣା ହେଲା ନାହିଁ । କେବଳ ଯେ ତାର ବରକୁ ସାଜନ୍ତା, ସେ ତାଙ୍କର ଶତ୍ରୁ । ନରସିଂହପୁର ଯୁବରାଜ ଯେତେବେଳେ ହଠାତ୍‌ ଯାଇ ପହଞ୍ଚିଗଲେ, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ଏ କିମ୍ଭୂତକିମାକାର କଥା । ନରସିଂହପୁରରୁ ଅନୁଗୁଳ ଏତେ ବଡ଼ ରାଜ୍ୟ ଛଡ଼ାଇ ଆଣିଚି, ପୁଣି ତାଙ୍କର ସେନାପତିଙ୍କୁ ରଜା ଭାରି ହଟହଟା କରିଚନ୍ତି–ସେ ଯୁବରାଜ ଏତେ ନିଡରରେ କୁଆଡ଼େ ଏକା ଆସିଚନ୍ତି ? କିଏ କେତେ ପ୍ରକାର ସନ୍ଦେହ କଲେ, କିଏ କେତେ କଥା ଭାବିଲେ; ମାତ୍ର କେହି କିଛି ଖୋଜ କି ଖବର ପାଇଲେ ନାହିଁ ।

 

ରାଜପୁରୋଧା, ରାଣୀ, ପୋଇଲି, ପରିବାରୀ, ମନ୍ତ୍ରୀ ଯେ ଦେଖିଲେ ସେ ଆଖି ପିଛୁଳା ପକାଇପାରିଲେ ନାହିଁ । କହିଲେ, ଏ ଚିତ୍ରମାଳୀ ପାଇଁ କେବଳ ଗଢ଼ା ହୋଇଚନ୍ତି । ଏ ଦୁହେଁ ନିଶ୍ଚୟ ଏ ଯୁଗର ଦୁଷ୍ମନ୍ତ ଶକୁନ୍ତଳା କି ରାମ ସୀତା ! ମାତ୍ର ଏ କଥା କେହି କାହାକୁ କହି ପାରିଲେ ନାହିଁ । ଏପରି ସାହାସୀ କେହି ନ ଥିଲା–ଯେ ବ୍ରଜକିଶୋରଙ୍କୁ ଏ କଥା କହି ପାରିବ । ତାଙ୍କର ରାଣୀ ତ କହିବାକୁ ପାରଙ୍ଗମ ନ ଥିଲେ ଆଉ କା କଥା କିଏ ପଚାରେ ?

 

ଅନୁଗୁଳ ଗଡ଼ ଚାରିପାଖ ଭାରି ବଡ଼ ବଡ଼ ପର୍ବତ । ସତେ ଅବା ଜରାସନ୍ଧ ପୁରୀ । ଏବେ ଅନୁଗୁଳରେ ସେ ସ୍ଥାନ ଅଛି । ଲୋକେ ତାକୁ ପୁରୁଣା ଗଡ଼ କହନ୍ତି । ପାଖରେ ମାତଳିଆ ନଈ ବହି ଯାଉଚି । ସେ ପର୍ବତ ଭିତରେ ଗଡ଼ ମସ୍ତ ବଡ଼ । ଗୋଟିଏ ବାଟ ଯେ ସେଠି ଗୋଟିଏ ମସ୍ତ ବଡ଼ ଲୁହା କବାଟ ଲାଗିଥାଏ । ଶହ ଶହ ଜଗୁଆଳି ସେ ବାଟ ଜଗିଥାନ୍ତି । ସେ ବାଟ ଗୋଟିକ ଛଡ଼ା ଆଉ ବାଟ ସେ ଗଡ଼କୁ ନ ଥାଏ । ତାରି ଭିତରେ ରଜା ଘର, ଦେଉଳ, ପୋଖରୀ ଇତ୍ୟାଦି ସବୁ ଥାଏ । ଯେତେବେଳେ ପୂର୍ଣ୍ଣଚନ୍ଦ୍ର ରଜାଙ୍କ ଉଆସକୁ ଯାଇଥିଲେ, ସେତେବେଳକୁ ଚିତ୍ରମାଳୀକୁ ବୟସ ୧୫ ବର୍ଷ ଉପରେ । ସେ ତାର ଯାହା ମନ ପାଉଥାଏ, ତା କରୁଥାଏ । ତାକୁ ରଜା ଅତି ଭଲ ପାଆନ୍ତି ଏବଂ ଆଦୌ କୌଣସି କଥାରେ ଆକଟ କରନ୍ତି ନାହିଁ । ସେ ତାର ୧୧ ବର୍ଷର ସାଙ୍ଗ କସ୍ତୁରୀ ସାଙ୍ଗରେ ବଣକୁ ଶିକାର କରି ଯାଏ ।

 

ଦିନେ ସେ ସୂର୍ଯ୍ୟ ରତ ରତ ବେଳକୁ ବଣରୁ ଝାଳନାଳ ହୋଇ କସ୍ତୁରୀ ସାଙ୍ଗରେ ଫେରୁଥାଏ । ତା ହାତରେ ଧନୁଶର, ମୁଣ୍ତବାଳ ସବୁ ଫିଟିଯାଇଚି ଦେହରେ ଖଣ୍ତେ ବୋଇଲେ ଖଣ୍ତେ ଗହଣା ନାହିଁ ଖାଲି ହାତରେ ପଟିଏ ଲେଖାଏଁ ସିଂହମୁହାଁ ସରୁ ସରୁ ସୁନା ଖଡ଼ୁ ପିନ୍ଧିଛି । ଦେହରେ ଗୋଟିଏ କାଞ୍ଚୁଲା ଏବଂ ଗୋଟିଏ ଶାଢ଼ୀ । ପଛରେ କସ୍ତୁରୀ ହାତରେ ବନ୍ଧୁକଟିଏ । ଦୁହେଁ କଥାବାର୍ତ୍ତା ହୋଇ ଚାଲିଚନ୍ତି ।

 

ଏଣେ ବ୍ରଜକିଶୋର ପୂର୍ଣ୍ଣଚନ୍ଦ୍ରଙ୍କୁ ସାଙ୍ଗରେ ଆଣି ଚାରିପାଖ ବୁଲାଇ ଦେଖାଉଥାନ୍ତି । ଏଣୁ ଏ ଦୁହେଁ, ତେଣୁ ସେ ଦୁହେଁ ଏପରି ଚାରିଜଣଙ୍କର ଭେଟ ହୋଇଯିବ ସାଙ୍ଗେ ସାଙ୍ଗେ ବ୍ରଜକିଶୋର ପାଟି କରି କହି ଦେଖାଇ ଦେଲେ–‘‘ଯୁବରାଜ, ମୋର ଝିଅ ଏହି ଚିତ୍ରମାଳୀ । କୁଆଡ଼େ ଜଙ୍ଗଲକୁ ଶିକାର କରି ଯାଇଥିଲା । ବୁଲୁଚିତ ? କି ମା, ଆଜି କିଛି ତ ନାହିଁ ?’’

 

ଚିତ୍ରମାଳୀ ବାପାଙ୍କୁ ଚାହିଁବା ପୂର୍ବରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଚାହିଁ କେଜାଣି କାହିଁକି ଶୀତେଇ ପଡ଼ିଲା । ତା ପରେ ପିତାଙ୍କୁ ନମସ୍କାର କରି କହିଲା–‘‘ନାଇଁ ପିତା, ଆଜି କିଛି ହୋଇନାହିଁ ।’’ ପୂର୍ଣ୍ଣଚନ୍ଦ୍ର ଆସିବା ଖବର ସେ ଜାଣିଥିଲା । ମାତ୍ର ତାଙ୍କୁ ଦେଖି ନ ଥିଲା । ଯୁବରାଜ ନାଁ ଶୁଣି ଠିକ୍‌କରିନେଲା ଏହି ପୂର୍ଣ୍ଣଚନ୍ଦ୍ର ନିଶ୍ଚୟ ।

 

ଏ କଥା କହିବାରେ ତାର ସେପରି ମନ ନ ଥିଲା । ସେ ପୂର୍ଣ୍ଣଚନ୍ଦ୍ରଙ୍କୁ ଦେଖି ଏକାବେଳେ ଥକା ହୋଇ ପଡ଼ିଲା । ଥମ୍ବି ପଡ଼ି ଆଉ ପାଟିରୁ କଥା ବାହାରିଲା ନାହିଁ । ତାର ଜିଭ ଶୁଖିଗଲା । ସେ ଆଉ ଥରେ ଯେତେବେଳେ ଚାହିଁ ଦେଲା, ସେତେବେଳେ ପୂର୍ଣ୍ଣଚନ୍ଦଙ୍କ ଦୁଇ ଆଖି ସାଙ୍ଗରେ ତାର ଆଖି ଦୁଇଟି ମିଶିଗଲା । ଚିତ୍ରମାଳୀ ବାଟ ଭାଙ୍ଗି ଚାଲିଗଲା । ମାତ୍ର ମନରେ ପାଞ୍ଚିକରି ଗଲା; ଏହି ପୂର୍ଣ୍ଣଚନ୍ଦ୍ର ଛଡ଼ା ଆଉ ଜୀବନରେ କାହାକୁ ବିବାହ କରିବି ନାହିଁ ।

 

ପୂର୍ଣ୍ଣଚନ୍ଦ୍ର ମଧ୍ୟ ତାଙ୍କ ହୃଦୟରେ ସେହି ପ୍ରତିଜ୍ଞା କଲେ । କେହି କାହା ହୃଦ କଥା ଜାଣିଲା ନାହିଁ । ବ୍ରଜକିଶୋରଙ୍କ ସାଥିରେ ସେ କିଛି ବାଟ ଗଲେ; ମାତ୍ର ଆଉ ଯିବାକୁ ତାଙ୍କର ମନ ହେଲା ନାହିଁ । ସେ ଫେରି ଆସି ବସାରେ ଚିନ୍ତାରେ ଶୋଇପଡ଼ିଲେ ।

 

ଏହା ପରେ ପୂର୍ଣ୍ଣଚନ୍ଦ୍ର ବ୍ରଜକିଶୋରଙ୍କ ରାଜସଭାରେ ନରସିଂହ ପୁରର ଭୂଇଁ ଫେରାଇ ଦେବାକୁ ଅନୁରୋଧ କଲେ । ଅନୁଗୁଳ ରଜା ତାଙ୍କୁ ଭୁଲାଭୁଲି କରିଦେଇ ଆଜି ବାଘମରା, କାଲି ହାତୀଧରା, ପରଦିନ ଲିଙ୍ଗରା ନଈରେ ଡ଼ଙ୍ଗାଖେଳ କରି ଆଉ ସେ ବିଷୟ କିଛି ପକାଇଲେ ନାହିଁ । ପୂର୍ଣ୍ଣଚନ୍ଦ୍ର ଆଉ ଆଦୌ ସୁଯୋଗ ପାଇଲେ ନହିଁ, ରାଜ୍ୟ ବିଷୟରେ କିଛି ସାଲିସ କରିବେ ବୋଲି । ଶେଷାରେ ମହାସମାରୋହରେ ବିଦାହେଲା ବେଳେ ବ୍ରଜକିଶୋର ଖଣ୍ତିଏ ପତ୍ର ଦେଇ କହିଲେ–‘‘ଯୁବରାଜ, ମୁଁ ତୁମର ଆସିବ କଥା ଭଲ କରି ଜାଣି ପାରିଚି । ମଙ୍ଗରାଜଙ୍କୁ ଏହି ପତ୍ରରେ ସେ ସବୁ ବିଷୟ ଲେଖିଚି । ସେ ପଢ଼ିଲେ ତୁମ୍ଭଙ୍କୁ କହିବେ ।’’

 

ପୂର୍ଣ୍ଣଚନ୍ଦ୍ର ରାଜ୍ୟକୁ ଫେରି ଆସି ଶୁଣିଲେ ଯେ ଚକ୍ରଗଡ଼ ଲୋକେ ସେ ଗଲାଦିନୁଁ ଚାହିଁ ବସିଚନ୍ତି । ସେମାନେ କିଛି ଅତ୍ୟାଚାର ନ କରିଥିବା ଶୁଣି ସେ ବଡ଼ ଆନନ୍ଦିତ ହେଲେ । ମଙ୍ଗରାଜଙ୍କୁ ଚିଠି ଖଣ୍ତି ନେଇ ଦେଲେ । ଚିଠି ଫିଟାଇ ଦେଖିଲେ ସେଥିରେ ଲେଖାଅଛି–‘‘ବନ୍ଧୁବର-!

 

ଗତ କଥା ଆଉ ଆପଣଙ୍କର ମନେ ଥିବ, ଏହା ମୋର ମନେ ହେଉ ନାହିଁ । କାରଣ ବୀର ସାଧୁ ପୁରୁଷମାନଙ୍କର ଜୀବନରେ ଯେଉଁ ବିପ୍ଳବ ଓ ଦୁଃଖ ଆସେ, ତାହା ସେମାନଙ୍କର ପରୀକ୍ଷା ।

ଯୁବରାଜ ପୂର୍ଣ୍ଣଚନ୍ଦ୍ର ଅସମୟରେ ଆସି ମୋ ରାଜ୍ୟର ମନ ହରଣ କରି ନେଇଅଛନ୍ତି । ବହୁଦିନୁଁ ଯାହା ଭାବିଥିଲି ଏବଂ ଭାବିଅଛି, ଆପଣ ସେଥିରେ ବିରୋଧୀ ହେବେ ନାହିଁ । ମୋର ଜେମାମଣି ଚିତ୍ରମାଳୀ ପାଇଁ ପୂର୍ଣ୍ଣଚନ୍ଦ୍ରହିଁ ପ୍ରକୃତ ବରପାତ୍ର । ମୁଁ ଓ ମୋର ଆତ୍ମୀୟ ସ୍ୱଜନ ସମସ୍ତେ ଏହା ଠିକ୍‌କରିଚନ୍ତି ।

ପୂର୍ଣ୍ଣଚନ୍ଦ୍ର ଚିତ୍ରମାଳୀକୁ ବିବାହ କଲା ପରେ ମୁଁ ଯୁଦ୍ଧରେ ଜିଣିଥିବା ଭୂଇଁ ଖଣ୍ତି ଯୌତୁକରେ ଦେବାକୁ ପ୍ରତିଜ୍ଞା କରୁଅଛି ।

ବ୍ରଜସୁନ୍ଦର ଜଗଦେବ’’

 

ମଙ୍ଗରାଜେ ଚିଠି ଖଣ୍ତି ପଢ଼ି ନିଶରେ ହାତ ମାରି ଉଠିଲେ । କ’ଣ ଯୌତୁକରେ ନେବୁ-? ଅସମ୍ଭବ ! ଖଣ୍ତିଏ ଚିଠି ଲେଖି ଜଣେ ବିଶ୍ୱାସୀ ସୈନିକ ଦ୍ୱାରା ପଠାଇ ଦେଲେ । ସେଥିରେ ଲେଖିଲେ–‘‘ମହାରାଜ, ନରସିଂହ ପୁରର ରାଜା କୃପାର ପାତ୍ର ହୋଇ ନିଜର ରାଜ୍ୟ ଦାନ ନେବାକୁ ଚାହାନ୍ତି ନାହିଁ । ସେ ଯଦି ତାହା ଆଗେ ଫେରି ପାଆନ୍ତି, ତେବେ ଅନ୍ୟାନ୍ୟ ସମ୍ବନ୍ଧ ବିଷୟ ସ୍ୱତନ୍ତ୍ର ଭାବରେ ଠିକ୍‌ କରିବାକୁ ହେବ । ଯଦି ତାହା ନ ହୁଏ ତେବେ ସେ ପରିଷ୍କାର ଯୁଦ୍ଧ କରି ଶତ୍ରୁକୁ ଯୁଦ୍ଧରେ ହଟାଇ ନେବେ ତ ନେବେ, ନଚେତ୍‌ ତାହା ହୋଇ ପାରିବ ନାହିଁ । ପୂର୍ଣ୍ଣଚନ୍ଦ୍ରଙ୍କ ସହିତ ଚିତ୍ରମାଳୀର ସମ୍ବନ୍ଧକୁ ମୁଁ ମଧ୍ୟ ପସନ୍ଦ କରୁଚି । ନମସ୍କାର

 

ଭାନୁ ମଙ୍ଗରାଜ’’

 

ଯଥାସମୟର ଜଗଦେବ ଯେତେବେଳେ ଚିଠି ଖଣ୍ତି ପାଇଲେ, ସେତେବେଳେ ପଢ଼ି ଦେଇ ହସି ଉଠିଲେ । ‘‘ହାଃ, ହାଃ, ହାଃ, ଏମାନେ ଯୁଦ୍ଧ କରି ସତେଇଶ ପୁରୁଷ ଲାଗିଲେ ମୋଠାରୁ ରାଜ୍ୟ ଛଡ଼ାଇ ନେବେ ନା ? ମୋ ରାଜ୍ୟର ସୈନ୍ୟ ଯାଇ ଛିଡ଼ା ହେଲେ ଥାନ ଅଣ୍ଟିବ ନାହିଁ–ମଙ୍ଗରାଜ ଏତେ ଅବସ୍ଥା ମୋଠାରୁ ଭୋଗି ତଥାପି ବୁଢ଼ା କାଳକୁ ଏପରି ତେଜ ।’’ ଏହା କହି ମନ୍ତ୍ରଣା ଘରକୁ ଯାଇ କେତେ ଜଣ ବିଶ୍ୱାସୀ ସେନା-ପତିଙ୍କ ସହିତ କଥାବାର୍ତ୍ତା ହେଲା । ସେ କହିଲେ–‘‘ମୁ ନିଶ୍ଚୟ ଚିତ୍ରମାଳୀ ସହିତ ପୂର୍ଣ୍ଣଚନ୍ଦ୍ରକୁ ବିବାହ ଦେବି । ଚୋରି କରି ଯୁବରାଜକୁ ନେଇ ଆସି ବିବାହ କରାଇ ଦେଲେ ରାଜ୍ୟର ମହତ୍ତ୍ୱ ରହିଲା-ଆଉ କ’ଣ ତେଣିକି ଅଛି ?

 

ଜଣେ ସେନାପତି କହିଲେ-‘ମଙ୍ଗରାଜ ଥାଉଁ ଥାଉଁ ତାଙ୍କୁ ଚୋରି କରି ଆଣିବା ଯେପରି କଷ୍ଟ ଏଣେ ସେ ବିବାହ କରିବା ମଧ୍ୟ ସେହିପରି କଷ୍ଟ ।’

 

ରଜା କହିଲେ–‘ଚୋରି କରିବା କଷ୍ଟ ହୋଇପାରେ; ମାତ୍ର ବିବାହ କରିବା ଯୁବକ ନିକଟରେ ସେପରି କଷ୍ଟ ନୁହେଁ । ମୁଁ ସେ ସବୁ କଥା ଆଗରୁ ଜାଣିଚି ।’

 

ରଜାଙ୍କର ଉଦୟନ ବାସବଦତ୍ତାଙ୍କ ବହୁ ଅତୀତ ଯୁଗର ପୁରାଣ ଚିତ୍ର ମନେ ପଡ଼ିଲା । କିପରି ଚୋରି କରିବେ ଏହି ବ୍ୟବସ୍ଥା କରିବାକୁ ଲାଗିଲେ ।

 

ଚିଠି ପଠାଇଲା ବେଳେ ପୂର୍ଣ୍ଣଚନ୍ଦ୍ର ମଙ୍ଗରାଜଙ୍କୁ କରୁଣ ଆଖିରେ ଚାହିଁ ରହିଥିଲେ । ଏପରି କର୍କଶ ଚିଠି ଲେଖିବାକୁ ତାଙ୍କର ମନ ହେଉ ନ ଥିଲା । ମାତ୍ର ସେ କିଛି ମାତ୍ର ବାଦ ନ କରି ଚୁପ୍‌ ରହିଲେ । ଅନୁଗୁଳ ରଜା ଯୌତୁକ ଛଡ଼ା ରାଜ୍ୟ ଫେରାଇବେ ନାହିଁ ବୋଲି ସଫା ଲେଖି ଜଣାଇ ଦେଲେ । ଯୁବରାଜ ଯୁଦ୍ଧ କରିବେ କି ନାହିଁ ବୋଲି କେତେ କ’ଣ ଭାବିଲେ । ମୁହୂର୍ତ୍ତକେ ତାଙ୍କର ବୀର ତେଜ ଜଳି ଉଠିଲା । ସେ ଖଣ୍ତା ଛୁଇଁ ପ୍ରତିଜ୍ଞା କଲେ–‘ଯଦି ମୁଁ ଚିତ୍ରମାଳୀ ପାଇଁ ପାଗଳ, ତେବେ ନିଜର ବୀରତ୍ୱ ଶୌର୍ଯ୍ୟ ଦେଖାଇ ତାକୁ ପାଇବି ନଚେତ୍‍ ଭୀରୁ କାପୁରୁଷ ପରି ପାଇବା ମୋ ପକ୍ଷରେ ମୃତ୍ୟୁ ।’ ଏତିକିବେଳେ ବଳାଙ୍ଗୀ ଗାଇ ଦେଲା,

 

ବୀର, ସମର ତୂରୀ ଭେରୀ ବଜାଅ

ବୀର ଧରମ ଧରି- ବୀର କରମ ବରି

ବୀର ବରମ ଭରି ଦେହ ସଜାଅ ।

 

-୧୫-

 

ବୀର ସମର ତୂରୀ ଭେରୀ ବଜାଅ

ବୀର ଧରମ ବରି ବୀର କରମ କରି

ବୀର ବରମ ଭରି ଦେହ ସଜାଅ ।

 

ବାଜେ ଘନ ଘନ ଟମକ ନିଶାଣ

ଘୁମୁ ଘୁମୁ ଘୁମୁରା ପ୍ରଳୟ ବିଷାଣ

ଫର ଫର ନାଚେ ବିଜୟୀ କେତନ

ବୀର କେଶରୀ ତୁମେ ବୀରେ ମଜାଅ ।

 

ଦୁର୍ଜ୍ଜୟ ବୀରେ ନାଚି ନାଚି ଆସ

ଗିରି ଦରି କୋଳେ ଅରି ଶିର ନାଶ,

ଯାଉ ପଛେ ପ୍ରାଣ ନୁହଁ ପରାଧୀନ

ବୀର ପରାଣୁଁ ଡର ଦୂରେ ହଜାଅ ।

 

ଯୁଦ୍ଧ ବାଜା ବାଜି ଉଠିଲା । ଦିନେ ସେନାପତି ମଙ୍ଗରାଜ ତାଙ୍କର ଆଦେଶ ପତ୍ର ଅନୁଗୁଳ ରାଜକର୍ମଚାରୀମାନଙ୍କ ପାଖକୁ ପଠାଇ ଦେଲେ । ସେମାନେ ପତ୍ର ପାଇ ରାଜ୍ୟ ଛାଡ଼ିଲେ ନାହିଁ–ବରଂ ସେ ପତ୍ରକୁ ଚକ୍ରଗଡ଼ରେ ଥିବା ଅନୁଗୁଳିଆ ସରଦାର ସବୁ ଲୋକଙ୍କ ସାମନାରେ ଗୋଡ଼ରେ ଦଳି ଫିଙ୍ଗି ଦେଲେ । ସେତିକି ବେଳେ ବିଦ୍ରୋହ ବହ୍ନି ଜଳି ଉଠିଲା । ନରସିଂହପୁରର ସେନାପତିର ପତ୍ରକୁ ଗୋଟାଏ ସାମାନ୍ୟ ସରଦାରର ଏତେ ଘୃଣା ! ପୁଣି ଗୋଡ଼ରେ ଦଳି ଦେଲା-? ଚକ୍ରଗଡର ଗ୍ରାମବାସୀ ମାନେ ଏହା ସହି ପାରିଲେ ନାହିଁ । ହେଉ ମୃତ୍ୟୁ, ନ ହେଲେ ତ ଜୟ ! ଏହି ଦୁଇ କଥା ଠିକଣା କରି ଆସି ସରଦାରକୁ ଆକ୍ରମଣ କଲେ । ସେହି ଆକ୍ରମଣରେ ସରଦାରର ମୁଣ୍ତ କଟିଗଲା; ମାତ୍ର ଅନୁଗୁଳ ସୈନ୍ୟମାନଙ୍କ ଦ୍ୱାରା ବହୁତ ଲୋକ ହାଣ ଖାଇଲେ ।

 

ଅନୁଗୁଳର ଗୁପ୍ତଚର ତାଙ୍କ ରଜାଙ୍କୁ ସମ୍ବାଦ ଦେଲା । ଏଣେ ନରସିଂହପୁରର ଗୁପ୍ତଚର ମଙ୍ଗରାଜଙ୍କୁ ଖବର କଲା । ମଙ୍ଗରାଜ ନିଜର ସୈନ୍ୟସାମନ୍ତ ପଠାଇ ଅନୁଗୁଳର କର୍ମଚାରୀ ଓ ସୈନ୍ୟମାନଙ୍କୁ ଚକ୍ରଗଡ଼ରୁ ବାହାର କରିଦେଲେ । ସେମାନଙ୍କ ମଧ୍ୟରୁ ଅନେକ ବାର ନିଜେ ବଞ୍ଚିଥିବା ଯାଏ ଯୁଦ୍ଧ କରି ବରଂ ମଲେ ପଳାଇଲେ ନାହିଁ ତେବେ ଅନେକ ଭୟାଳୁ ବାଟଘାଟ ଭାଙ୍ଗି ପଳାଇଲେ । ଅନୁଗୁଳ ରାଜା ଯେତେବେଳେ ଏ ସମ୍ବାଦ ପାଇଲେ, ସେତେବେଳେ ରାଗରେ ଗରଗର ହୋଇ ସ୍ନେହ, ପ୍ରୀତି ସବୁ ଭୁଲିଯାଇ କାଳାନଳ ମୂର୍ତ୍ତି ହୋଇ ବାହାରିଲେ । ସାଙ୍ଗରେ ହଜାର ହଜାର ସୈନ୍ୟ ଧରି ନରସିଂହପୁରର ‘ଟୋଲକ ପାଟିଆ’ ନାମକ ସ୍ଥାନରେ ଉପସ୍ଥିତ ହେଲେ ।

 

ସେହିଠାରେ ନରସିଂହପୁରର ଯେଉଁ ଭୀଷଣ ଯୁଦ୍ଧ ହୋଇଥିଲା, ତାହା ଏବେ ଲୋକଙ୍କ ମୁହଁରୁ ଶୁଣିଲେ ରୋମ ଟାଙ୍କୁରି ଉଠେ । ଅନୁଗୁଳ ରଜା ଭାବିଥିଲେ–‘ନରସିଂହପୁର ତ ଏଡ଼େ ଟିକିଏ ରାଜ୍ୟ, ତାଙ୍କର ବା ଲୋକ କେତେ ? ସେଠି କି ବହୁତ ସୈନ୍ୟ ନେଇ ଲାଭ କ’ଣ ? ପୂର୍ଣ୍ଣଚନ୍ଦ୍ର ଆଉ ମଙ୍ଗରାଜ ଏହି ଦୁଇଜଣ କ’ଣ କରିବେ ? ଆଗରୁ ଚମ୍ପା ବଡ଼ଜେନା ତ ମରିଚି; ମୋର ଜୟ ସୁନିଶ୍ଚିତ ।’ ମାତ୍ର ସୁଯୋଗ ଏଥର ତାଙ୍କୁ ଘଟିଲା ନାହିଁ ।

 

ଟୋଲକ ପାଟିଆ ପାଖ ଭୂଇଁ ଖଣ୍ତ ରକ୍ତରେ ଭାସି ଉଠିଲା । ବୀର ମଙ୍ଗରାଜଙ୍କ କୌଶଳ ଆଉ ରାଜା ପୂର୍ଣ୍ଣଚନ୍ଦ୍ରଙ୍କ ଖଣ୍ତାଧାରରେ ଅନୁଗୁଳ ଏକାବେଳକେ ହାରିଗଲା । ଏପରି ଉଜୁନ୍ତରି କରି ବାଣ ମାଇଲେ ଯେ ଅନୁଗୁଳ ସୈନ୍ୟମାନେ ପ୍ରାଣ ବିକଳରେ ପଳାଇଲେ । ସେମାନେ ବୀର, ଏକଥା ଭୁଲିଗଲେ । ରାଜା ଜଗଦେବ ନିର୍ଭୀକ ଚିତ୍ତରେ ଏକା ଛିଡ଼ାହୋଇ ରହି ତାଙ୍କ ସୈନ୍ୟମାନଙ୍କୁ ବହୁତ ଡାକିଲେ; ମାତ୍ର ପଳାଉଥିବା ସୈନ୍ୟମାନେ ତାଙ୍କ କଥା ଶୁଣିଲେ ନାହିଁ-। ସେଥିପାଇଁ ପରେ ଅନୁଗୁଳରେ କେତେ ଯେ ନରହତ୍ୟା ହୋଇଥିଲା, ତାହା କହି ହେବ ନାହିଁ । ବ୍ରଜକିଶୋର ଜଗଦେବ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କଲେ; ମାତ୍ର ଶେଷରେ ବନ୍ଦୀ ହୋଇ ପୂର୍ଣ୍ଣଚନ୍ଦ୍ରଙ୍କ ଦ୍ୱାରା ଅର୍ଚ୍ଚିତ ହେଲେ। ସେ ପୂର୍ଣ୍ଣଚନ୍ଦ୍ରଙ୍କୁ ଚାହିଁଲେ ନାହିଁ କେବଳ ରାଗରେ ଜଳିଉଠିଲେ-। ମହାବୀର ମଙ୍ଗରାଜ ରାଜାଙ୍କୁ ନମସ୍କାର କଲେ । ବ୍ରଜକିଶୋର ପ୍ରତିଉତ୍ତରରେ କହିଲେ–‘ମୋ ରାଜ୍ୟରେ ବୀରବାଳା ମାଳତୀ ନାହିଁ, ମୋତେ ଉଦ୍ଧାର କରିବାକୁ । ଏଥର ମୋର ପ୍ରାୟଶ୍ଚିତ୍ତର ବେଳ ଆସିଚି-।’ ଏହି କହି ତୁନି ହେଲେ । ତାଙ୍କର ମନେହେଲା ସେ ଯେପରି ମଙ୍ଗରାଜଙ୍କୁ କଷ୍ଟ ଦେଇଥିଲେ, ସେ ସେହିପରି ତାଙ୍କୁ କଷ୍ଟ ଦେବେ ବୋଲି ! ମାତ୍ର ମଙ୍ଗରାଜ କହିଲେ–

 

‘ମହାରାଜ, ସେପରି ଆଶା କରିବେ ନାହିଁ । ଆପଣ କାହାର ବନ୍ଦୀ ନୁହନ୍ତି । ଆପଣଙ୍କୁ କିଏ ଉଦ୍ଧାର କରିବ ? ମାଳତୀ ନ ଥିଲେ ତ ଚିତ୍ରମାଳୀ ଅଛନ୍ତି–ଚିନ୍ତା କାହିଁକି ?’

 

ଜଗଦେବ ଏକଥା ଶୁଣିବା ମାତ୍ରେ ଦୀର୍ଘ ନିଶ୍ୱାସ ମାଇଲେ । ଆଉ କିଛି କହିଲେ ନାହିଁ । ତାପରେ ଗଉଡ଼ ବେହେରା ତାଙ୍କୁ ସବାରିରେ ବସାଇ ଅନୁଗୁଳରେ ଛାଡ଼ିଦେଇ ଆସିଲେ । ସେ ରାଜ୍ୟରେ ପହଞ୍ଚି ପଳାଇ ଆସିଥିବା ସୈନ୍ୟମାନଙ୍କର ହଣା ପର୍ବ ଆରମ୍ଭ କଲେ ।

 

ଜଗଦେବ ମଙ୍ଗରାଜଙ୍କର ବ୍ୟବହାରରେ ତରଳିଗଲେ । ପ୍ରତିଜ୍ଞା କଲେ, ପ୍ରତିଶୋଧ ନେବି-ମାତ୍ର ଆଉ ଯୁଦ୍ଧ କିମ୍ବା ନରହତ୍ୟାରେ ସେ ପ୍ରତିଶୋଧ ନେଇ ପାରିବି ନାହିଁ । କୌଶଳରେ ମଙ୍ଗରାଜକୁ ଅନ୍ଧ କରି ନିଶ୍ଚୟ ପୂର୍ଣ୍ଣଚନ୍ଦ୍ର ସହିତ ଚିତ୍ରମାଳୀର ବିବାହ ଦେବି, ଦେବି, ଦେବି । ଏହି ପ୍ରତିଜ୍ଞା ମନେ ମନେ କରି ରାଜ୍ୟରେ ଏହି ମର୍ମରେ ପ୍ରଚାର କଲେ ଯେ–ମୁଁ ନରସିଂହପୁର ଧ୍ୱଂସ କରିବି । ନିଶ୍ଚୟ, ନିଶ୍ଚୟ, ଏହା ନିଶ୍ଚୟ । ତାଙ୍କର ପ୍ରତିଜ୍ଞା ଶୁଣି ଲୋକଙ୍କ ମନରେ ଭୟ ଅଇଲା । କୁମାରୀ ଚିତ୍ରମାଳୀ ବ୍ୟାକୁଳ ହେଲେ । ସେତେବେଳକୁ ସେ ପୂର୍ଣ୍ଣଚନ୍ଦ୍ରଙ୍କ ପାଇଁ ବାୟାଣୀ ହୋଇ ଯାଇଥିଲେ । ତାଙ୍କ ପ୍ରାଣରେ ଆଶଙ୍କା ଆସିଲା । କାରଣ ଅନୁଗୁଳ ୮୦ କୋଶ ମୁଲକ । ପୁଣି ରଜା ଯେ, ସେ ଦୁର୍ଦ୍ଦାନ୍ତ ବୀର କେଶରୀ ! ନରସିଂହପୁର ପରି ଏଡ଼େ ଟିକିଏ ରାଜ୍ୟ, ତାଙ୍କ ଦାଉଘାତ କ’ଣ ସହିବ ? ତେବେ ନରସିଂହପୁର ଲଢ଼େଇରେ ଜିଣିଚି, ଏକଥା ଶୁଣି ଅନ୍ୟ ରାଜ୍ୟର ଲୋକସବୁ ଆଶ୍ଚର୍ଯ୍ୟ ହେଲେ । ଯେଉଁମାନେ ନରସିଂହପୁର ରଜା ଏବଂ ତାଙ୍କ ପ୍ରଜା ଓ ପାଇକମାନଙ୍କର ବୀରତ୍ୱ କଥା ପୂର୍ବରୁ ଜାଣିଥିଲେ, ସେମାନେ କଥାଟାକୁ ଆଶ୍ଚର୍ଯ୍ୟ ମଣିଲେ ନାହିଁ ।

 

ବ୍ରଜକିଶୋର ଚୋରା ଦୂତ ସବୁ ଚାରି ଆଡ଼େ ରଖି ନରସିଂହପୁରର ହାଲଚାଲ ବୁଝୁଥାନ୍ତି । ଅନେକ ଦିନ ଗତ ହେଲା । କିନ୍ତୁ ସେ କାମ ହାସଲ କରିପାରିଲେ ନାହିଁ । ଚିତ୍ରମାଳୀର ବୟସ ଆସ୍ତେ ଆସ୍ତେ ବଢ଼ିଲା । ସେ ତାକୁ ଦେଖି ବେଳେ ବେଳେ ବ୍ୟାକୁଳ ହେଲେ । ଭାବିଲେ ଆଉ କାହାକୁ ଏହାକୁ ଦେବି ? ଏ ଯେ ମୋର ବାକ୍ୟରେ ସମ୍ପ୍ରଦାନ ହୋଇ ଯାଇଛି । ପୁଣି ସେ ଯେ ତାକୁ ହୃଦୟରେ ବରଣ କରି ସାରିଚି ।’

 

ଅନେକ ଭାବିଲେ; ମାତ୍ର କୂଳ କିନାରା କିଛି ପାଇଲେ ନାହିଁ । ଶେଷକୁ ଠିକ୍‌ କଲେ ଯେ, ଆଉ ଏକ ପ୍ରତିଜ୍ଞା ଚାରିଆଡ଼େ ଜଣାଇବି–ଯହିଁରେ ମହାବୀର ମଙ୍ଗରାଜ ଛଡ଼ା ତାହା ଆଉ କେହି କରିପାରିବେ ନାହିଁ । ସେ ଗୋଟିଏ ପ୍ରତିଜ୍ଞା ଲେଖିଲେ–‘‘ମୁଁ ଏହି ପ୍ରତିଜ୍ଞା କରୁଅଛି ଯେ, ଯେଉଁ ରଜା କିମ୍ବା ତାଙ୍କର କେହି ବୀର ମୋ ସିଂହଦ୍ୱାରରେ ଥିବା ସାତବୀରଙ୍କ ସହିତ ବାହୁଯୁଦ୍ଧ କରି ସୋମନଙ୍କୁ ପରାସ୍ତପୂର୍ବକ ଉଆସ ଭିତରେ ଥିବେ ଦେବୀ ଦେଉଳରୁ ନିର୍ଭୟରେ ଜେମାମଣିର ରତ୍ନକଟାରୀ ଅପହରଣ କରିବ ଅବା ଅନ୍ୟ କୌଣସି ଉପାୟରେ ତାହା ନେଇ ପାରିବ ସେହି ରାଜପୁତ୍ର ଜେମାଙ୍କୁ ବିବାହ କରି ପାରିବେ ।’’

 

ଏ କଥାରେ ଦୁଇଟି ରହସ୍ୟ ଥିଲା । ସେତେବେଳେ କୌଣସି ରାଜ୍ୟରେ ଏପରି କେହି ବୀର ନ ଥିଲା, ଯେ ଅନୁଗୁଳର ସାତ ବୀରଙ୍କୁ ବାହୁ ଯୁଦ୍ଧରେ ଜିଣି ପାରିବ । ପାରିଲେ ସେ କେବଳ ମଙ୍ଗରାଜ । ମଙ୍ଗରାଜ ପୂର୍ଣ୍ଣଚନ୍ଦ୍ରଙ୍କ ପାଇଁ ଆସି ଯଦି ସାତବୀରଙ୍କୁ ଜିଣନ୍ତି, ତେବେ ତ କାମ ହେବ; ନଚେତ୍‌ ତାଙ୍କୁ ବନ୍ଦୀ କଲେ ପୂର୍ଣ୍ଣଚନ୍ଦ୍ରଙ୍କୁ ଚୋରାଇ ଆଣି ହେବ। ପୂର୍ଣ୍ଣଚନ୍ଦ୍ରଙ୍କଠାରେ ଅନୁରକ୍ତ ଥିଲେହେଁ ମାନ ନିମିତ୍ତ ରାଜା ଜଗଦେବ ଏହି ଉପାୟ ସ୍ଥିର କଲେ । ଏ ପ୍ରତିଜ୍ଞା ଯେ ଶୁଣିଲା, ସେ ଚମକି ପଡ଼ିଲା । ଚିତ୍ରମାଳୀ ଏ କଥା ଶୁଣି ଏକାବେଳେ ଶୁଖିଗଲେ । ତାଙ୍କର ପ୍ରାଣ ହୁ ହୁ ହୋଇ ଜଳି ଉଠିଲା ।

 

ରାଜ୍ୟ ରାଜ୍ୟ ଏ ଖବର ଭାଟମାନେ ଯାଇ ଗାଇ ବୁଲିଲେ । ଅନେକ ରଜା ଚିତ୍ରମାଳୀ ପରି କନ୍ୟାରତ୍ନ ପାଇବା ପାଇଁ ଗିରି କନ୍ଦର, ନଈ ନାଳ ଡେଇଁ ଆସିଲେ; ମାତ୍ର ଦାନ୍ତ କାମୁଡ଼ି ଘରକୁ ଫେରିଲେ । କେତେ ରଜା ଏହା ଅସମ୍ଭବ ଜାଣି ସୁଦ୍ଧା ଲୋଭପରବଶ ହୋଇ ନିଜ ନିଜର ପ୍ରଧାନ ସେନାପତିମାନଙ୍କୁ ପଠାଇ ନିରାଶ ହେଲେ । କେତେ ରଜା କଟାରୀ ଚୋରି କରି ନେବାର କୌଶଳ କରି ଧରା ପଡ଼ିଲେ । କାରଣ ଗୋଟିଏ ବାଟ ଛଡ଼ା ସେ ଗଡ଼କୁ ଦୁଇଟି ବାଟ ନ ଥିଲା ।

 

ଏ ସମ୍ବାଦ ସମସ୍ତେ ଜାଣିଲେ ସତ; ମାତ୍ର ମଙ୍ଗରାଜେ ଶୁଣି ନ ଶୁଣିଲା ପରି ରହିଲେ । କାରଣ ସେ ଜଗଦେବଙ୍କ ପ୍ରତିଜ୍ଞା ଶୁଣି କେବଳ ମାତ୍ର ହସିଥିଲେ । ତାଙ୍କର ପୂର୍ଣ୍ଣ ଆଶା ଥିଲା, ଚିତ୍ରମାଳୀ ସହିତ ପୂର୍ଣ୍ଣଚନ୍ଦ୍ରଙ୍କର ସମ୍ବନ୍ଧ ଅତି ନିକଟ । ଯୁବରାଜ ତାଙ୍କ ମନ କଥା ଆଦୌ ଜାଣି ନ ପାରି ତୁନି ହୋଇ ରହିଲେ । ତାଙ୍କ ମନରେ, ପ୍ରାଣରେ, ହୃଦୟରେ ସର୍ବଦା ଚିତ୍ରମାଳୀ ଚିନ୍ତା ଘାରି ପକାଇଲା । ସେ ଭାବୁଥିଲେ, କ’ଣ କଲେ ରାଜ୍ୟର ମାନ ରଖି ଚିତ୍ରମାଳୀକୁ ପାଇବେ; ମାତ୍ର ସେପରି ସୁବିଧା ତାଙ୍କୁ ଆଦୌ ମିଳିଲା ନାହିଁ । ତେବେ ସେ ଯେ ପ୍ରତିଜ୍ଞା କରିଥିଲେ ଚିତ୍ରମାଳୀ ଛଡ଼ା ଜୀବନରେ ଅନ୍ୟ ସ୍ତ୍ରୀ ଗ୍ରହଣ କରିବେ ନାହିଁ, ତାହା ଭୁଲିଲେ ନାହିଁ । ଦିନକ ଦେଖାରେ ଦୁଇଟି ପ୍ରାଣୀର ଏପରି ଗଭୀର ଆକର୍ଷଣ ବର୍ଷ ବର୍ଷ ଧରି ରହିବା କମ୍‌ ଆଶ୍ଚର୍ଯ୍ୟର ବିଷୟ ନୁହେଁ !

 

ପୂର୍ଣ୍ଣଚନ୍ଦ୍ରଙ୍କ ପାଇଁ କେତେ ଆଡ଼ୁ ଯେ କେତେ ସମ୍ବନ୍ଧ ଆସିଥିଲା, ତାର ଠିକଣା ନାହିଁ, ମାତ୍ର ଯୁବରାଜ ସେ ସବୁକୁ ନିହାତି ଅନାଦର କରି ଫେରାଇ ଦେଉଥିଲେ । ମଙ୍ଗରାଜ ଯୁବରାଜଙ୍କ ମନ କଥା ଜାଣିପାରି ଆଉ ଅପେକ୍ଷା ନ କରି ରତ୍ନକଟାରୀ ଚୋରି କରିବା ପାଇଁ ପାଣ ପାଇକମାନଙ୍କୁ ପଠାଇ ଦେଲେ ।

 

ଏ ପାଣ ପାଇକ ସବୁ ଏପରି ଚୋର ଯେ, ଦିନ ଦିପହରେ ମଣିଷ ନେଇ ପଳାଇବେ । ସେମାନଙ୍କୁ ଧରିବା ସହଜ ନୁହେଁ । ଏମାନେ କେବେ କାହାର ଧନ ସମ୍ପତ୍ତି ଚୋରି କରନ୍ତି ନାହିଁ । ମରହଟ୍ଟା ବର୍ଗୀମାନଙ୍କ ଅତ୍ୟାଚାରରେ ପଡ଼ି ମଙ୍ଗରାଜେ ପାଣମାନଙ୍କୁ ପାଇକ କାମ ଶିଖାଇଥିଲେ-। ସେମାନଙ୍କୁ ଏପରି କୌଶଳସବୁ ଶିଖାଇଥିଲେ ଯାହା ସେ ନିଜେ କରି ପାରୁ ନ ଥିଲେ; ମାତ୍ର ଏ ପାଣମାନେ କରି ପାରୁଥିଲେ । ପାଣ ପାଇକମାନେ ଘୋର ଜଙ୍ଗଲରେ ରାତି ଅଧରେ ପ୍ରାଣ ମାୟା ଛାଡ଼ି ଯିବା ଆସିବା କରନ୍ତି । ବାଘ ସିଂହ ଯେପରି, ସେମାନେ ଠିକ୍‌ ସେହିପରି । ସେଥିରୁ କେତେ ଜଣ ମଙ୍ଗରାଜେ ପଠାଇଲେ-ରତ୍ନକଟାରୀ ଆଣି ପାରୁଚନ୍ତି କି ନାହିଁ ପରୀକ୍ଷା ପାଇଁ ।

 

ଅନୁଗୁଳ ଉଆସ ଭିତରେ ଚତ୍ରମାଳୀ ପୂର୍ଣ୍ଣଚନ୍ଦ୍ରଙ୍କୁ ଭାବି ଶୁଖି ଯାଉଥିଲେ । ନରସିଂହପୁର ଗଡ଼ରେ ପୂର୍ଣ୍ଣଚନ୍ଦ୍ର ମୁହଁରେ ହସ ଦେଖାଇଲେ କ’ଣ ହବେ, କଥାକେ କଥେକେ ଝାଉଁଳି ପଡ଼ୁଥିଲେ । ତାଙ୍କର କାର୍ଯ୍ୟରେ ହାତ ଠିକଣା ନ ଥିଲା । ସେ ବାତୁଳ ପରି ଏଣେ ତେଣେ ବୁଲୁଥିଲେ । ଏକୁଟିଆ ବସି ନିକାଞ୍ଚନ ଜାଗାରେ କେତେ ଏପାଖ ସେପାକ ହେଉଥିଲେ । ଜୟପୁର, ସାରଘରିଆ ପ୍ରଭୃତି ସୁନ୍ଦର ଜଙ୍ଗଲ ଦେଖି କି ବଣୁଆ ପଶୁପକ୍ଷୀଙ୍କ ଖେଳ ଦେଖି ତାଙ୍କର ତିଳେ ମାତ୍ର ଆନନ୍ଦ ନ ଥିଲା । ମୟୁର ନାଚ ଦେଖିଲେ ସେ ଆଖି ବୁଜି ଲୁହ ଢାଳୁଥିଲେ । ସଦାବେଳେ ଦୀର୍ଘଶ୍ୱାସ ପକାଇ ଲୋକଙ୍କ ପାଖରୁ ଦୂରରେ ରହିବାକୁ ସେ ବଡ଼ ଭଲ ମଣୁଥିଲେ ।

 

ବଡ଼ ଆଶ୍ଚର୍ଯ୍ୟର କଥା, ପୂର୍ଣ୍ଣଚନ୍ଦ୍ରଙ୍କର ଅବସ୍ଥା ଯେପରି ଥିଲା, ତେଣେ ଚିତ୍ରମାଳୀଙ୍କର ଅବସ୍ଥା ଠିକ୍‌ସେଇପରି ଥିଲା । ସେ ତାଙ୍କର ପ୍ରିୟ ସାଥୀ କସ୍ତୁରୀ ସହିତ ସଦାବେଳେ ପୂର୍ଣ୍ଣଚନ୍ଦ୍ରଙ୍କ କଥା ହେବାକୁ ଭଲ ପାଉଥଲେ । ତାହା ଛଡ଼ା ଆଉ କୌଣସି କଥା ତାଙ୍କୁ ଭଲ ଲାଗୁ ନ ଥିଲା । ସେ ବହୁତ ସମୟରେ ଅଚେତା ହୋଇ ଯାଉଥିଲେ ଏବଂ ପୂର୍ଣ୍ଣଚନ୍ଦ୍ରଙ୍କୁ ଦୋଷ ଦେଇ କହୁଥିଲେ–‘‘ସଖି, ମୁଁ ତାଙ୍କୁ ଯେ ମନ ପ୍ରାଣ ଦେଇ ଦେଇଚି, ସେ କ’ଣ ତାହା ଜାଣନ୍ତି ନାହିଁ ! ବାପାଙ୍କ ପ୍ରତିଜ୍ଞା ପରେ ପରା ତୁ ପତ୍ର ପଠାଇଲୁ ! ସେ କ’ଣ ବୁଝି ନାହାନ୍ତି-ସାବିତ୍ରୀ ସୀତାଙ୍କ ବଂଶର ଚିତ୍ରମାଳୀ, କେବେ ଆଉ ଅସତୀ ହେବ ନାହିଁ !’’

 

ଏ ସବୁ ଘଟନା ଭିତରେ ବର୍ଷେ କାଳ କଟିଗଲା । ବ୍ରଜକିଶୋର ତାଙ୍କ ଉପାୟରେ ରହିଥାନ୍ତି । ସୂତ୍ର ସାତ୍ର, ଖଞ୍ଜ ଖାଞ୍ଜ ଖୋଜି ବୁଲୁଥାନ୍ତି । ତାଙ୍କର ରାଜ୍ୟ ଲୋଭ ସ୍ପୃହା ନ ଥିଲେ କ’ଣ ହେବ, ମାନ ସମ୍ମାନ ସ୍ପୃହା ପାଇବା ପାଇଁ ସେ ବଡ଼ ଲାଳାୟିତ ଥିଲେ । କିପରି ପୂର୍ଣ୍ଣଚନ୍ଦ୍ରଙ୍କୁ ବନ୍ଦୀ କରି ଆଣିବେ, ଏଥିପାଇଁ ସେ ଦିନରାତି ଯୋଗାଡ଼ରେ ଲାଗି ରହିଥାନ୍ତି । ନରସିଂହପୁରରୁ କେତୋଟି ଖଳ ବଦମାସ ଲୋକ ପାଇଥାନ୍ତି- ଯେଉଁମାନେ ତାଙ୍କୁ ସୁବିଧା ବତାଇବା ପାଇଁ ଧନ ପଦାର୍ଥ ନେଉଥାନ୍ତି । ସେହି ଖଳଙ୍କ ଭିତରୁ ଜଣେ ବ୍ରାହ୍ମଣ ଧରାପଡ଼ି ଲୋକଙ୍କ ଦ୍ୱାରା ଯେ ଲାଞ୍ଛନା ଭୋଗିଥିଲେ, ତାହା କହି ହେବ ନାହିଁ । ଶୁଣାଯାଏ ପରଓଳି ତଳେ ରହି କେବଳ ଧନ ସକାଶେ ସେହି ବ୍ରାହ୍ମଣ ବଂଶରେ ପାପପୁଣ୍ୟର ବିଚାର ଆଦୌ ନ ଥାଏ । ସେମାନେ ଧନ ପାଇଁ ଭାଇବନ୍ଧୁ, ରଜାପ୍ରଜା କିଛି ବିଚାର ନ କରି ସମସ୍ତଙ୍କ ତଣ୍ଟି ଚିପି ଖାଇ ପିଇ କେବେ ହସି ଦିଅନ୍ତି, କେବେ କାନ୍ଦି ଉଠନ୍ତି, କେବେ ଶୋଇ ପଡ଼ନ୍ତି; ମାତ୍ର ପୁଣି ଦେଖିଲା ବେଳକୁ ଅଲାଜୁକ ମୁହଁରେ କଥା-ସାଗର ଖୁବ୍‌ ଲହରୀ ମାରେ ।

 

ମଙ୍ଗରାଜ ସବୁ ବିଷୟରେ ସାବଧାନ ଥିଲେ କ’ଣ ହେବ-ଏଭଳି ଚୋରଙ୍କୁ ଶାସନ କରିବା ପାଇଁ ଅଧିକ ଦୃଷ୍ଟି ଦେଇ ପାରି ନ ଥିଲେ । କାରଣ ସେ ମନେକରୁଥିଲେ, ଏଗୁଡ଼ାକ ଦ୍ୱାରା କ୍ଷତିର ସମ୍ଭାବନା ଥିଲେହେଁ ସାକ୍ଷାତ ବିଦ୍ରୋହ ଘଟାଇବା ପାଇଁ ଏମାନେ ଟାଣୁଆ ନୁହନ୍ତି । ଯୁଦ୍ଧ ପରେ ଯୁଦ୍ଧ, ନାନା ଅତ୍ୟାଚାର ସହି ସହି ପ୍ରଜାମାନେ ପଥର ପାଲଟି ଯାଇଥିଲେ ।

 

-୧୬-

 

ଯୁବରାଜ ପୂର୍ଣ୍ଣଚନ୍ଦ୍ର ଦିନେ ଗୋଟିଏ ଝରଣା କୂଳରେ ବସିଥିଲେ । ତାଙ୍କ ଆଖିରୁ ଲୁହଧାର ବହି ଯାଉଥାଏ । ସେ ତାଙ୍କ ମନ ଭିତରେ ଉପାୟ ଖୋଜି ଖୋଜି କିଛି ବୋଇଲେ କିଛି ପାଉ ନ ଥାନ୍ତି । ‘ପ୍ରକୃତରେ କ’ଣ ପାଣ ପାଇକଙ୍କ ଦ୍ୱାରା ଏ କାର୍ଯ୍ୟ ସଫଳ ହେବ ? ଅସମ୍ଭବ ! ମଙ୍ଗରାଜଙ୍କର ଏହା ମୋ ପ୍ରତି ଛଳନା ମାତ୍ର ! ମୋର ଏବେ ଏତେ ଅପମାନ କାହିଁକି ? ସତ କଥାକୁ ଲୁଚାଇ ରଖି ଗୋଟାଏ ଅନିଷ୍ଟ ମୁଁ କରୁଚି କାହିଁକି ? କେଉଁ ଲାଭ ପାଇଁ ? ମୁଁ ଏବେ ଅନୁଗୁଳ ରାଜାଙ୍କୁ ଧରା ଦେଲେ ହାନି କ’ଣ ହୁଅନ୍ତା ? ରାଜ୍ୟର ମାନ କ’ଣ ଏଇଥିପାଇଁ ତଳେ ପଡ଼ିଯାନ୍ତା ?

ମାଆ କହିଲେ–‘ମାନ ତଳେ ପଡ଼ିବ ।’ ପ୍ରଜା କହନ୍ତି ରଜା ରୂପରେ ବାଇ ହୋଇଚି ? ନା, କେଭେଁ ନୁହେଁ ତ ? ତେବେ ? ରୂପ ଛଡ଼ା ମନୁଷ୍ୟକୁ କ’ଣ ଆଉ କୋଉଥି ପାଇଁ ଭଲ ପାଇବାକୁ ହୁଏ ନାହିଁ ? ରୂପ ପାଇଁ ଭଲ ପାଇବାଟା କେତେ କାଳ ରହେ ? ଭଲ ପାଇବା ଯଦି ରୂପକୁ ଅପେକ୍ଷା କରେ, ତେବେ ସେ ଭଲ ପାଇବା ନୁହେଁ–ମୋହ ।

ସେ ଏହିପରି କେଜେ କ’ଣ ଭାବୁଥାନ୍ତି–ତାଙ୍କର ଜ୍ଞାନ ଆଦୌ ନ ଥାଏ । ସେ ହାତରେ ଗୋଡ଼ିଗୁଡ଼ାଏ ଦରି ଏ ପାଖ ସେ ପାଖ କରୁଥାନ୍ତି ।

ଏହି ଝରଣା ଉଆସଠାରୁ ଅଧ କୋଶ ବାଟ ହେବ । ପାଖରେ ଜନ ପ୍ରାଣୀ କେହି ନାହିଁ-। ଯୁବରାଜ ତାଙ୍କର ଖଣ୍ଡା ଖଣ୍ଡି ତଳେ ଥୋଇ ଦେଇଥାନ୍ତି । ଆଉ ଚିତ୍ରମାଳୀର ସେ ଦିନର କଥା, ସେ ଦିନର ଚିଠି, ସେ ଦିନର ଦେଖା କଥା ଭାବୁଥାନ୍ତି ।

ବଳାଙ୍ଗୀକୁ ସେତେବେଳକୁ ବୟସ ବାର ବର୍ଷ । ସେ ଘୋଡ଼ାରେ ଚଢ଼ି ବହୁତ ସମୟରେ ଏସବୁ ଜଙ୍ଗଲକୁ ବୁଲି ଆସେ । କେବେ ଯଦି ଏକା ଆସେ, ତେବେ ସେ ବେଶୀ ଦୂରକୁ ନ ଆସି ଅଳ୍ପ ବାଟରୁ ଚାଲିଯାଏ । କେବେ କେବେ ଯଦି ତାର ମାଆ ସାଙ୍ଗରେ ଆସେ, ତେବେ ସେ ବେଶୀ ଦୂରକୁ ଯାଏ ।

 

ସ୍ୱାମୀ ମଲା ଦିନୁଁ ମାଳତୀ କେବେ ହେଲେ ଘରୁ ବାହାରନ୍ତି ନାହିଁ । ତାଙ୍କର ସ୍ୱାମୀ ଚିନ୍ତାରେ ଦିନସବୁକୁ ବାରଓଷା ଉପାସ, ପୁଣ୍ୟ ତୀର୍ଥ କରି କଟାଉଥାନ୍ତି । ଶଶୁରଙ୍କୁ ସେବା କରିବା, ଝିଅଟିକୁ ସାଇତି ରଖିବା ସେ ତାଙ୍କର ଧର୍ମ୍ମ ମଣିଥାନ୍ତି । ବଳାଙ୍ଗୀ ତାର ନିଜ ଜନ୍ମକଥା ଯେତେବେ;ଳେ ତାଙ୍କଠାରୁ ଶୁଣିଲା, ସେତେବେଳେ ଆଶ୍ଚର୍ଯ୍ୟ ହୋଇ ପଚାରିଲା–‘‘ମା, ମା, ତେବେ ତୁମେ କ’ଣ ମୋ ପରି ଖଣ୍ଡା ବୁଲାଇ ଜାଣ ? ମୋ ପରି ତୁମେ ନିଡରରେ ଘୋଡ଼ାରେ ଚଢ଼ି ଶିକାର କରି ଜାଣ ? ତୁମକୁ ତ ମୁଁ କେବେ ସେପରି ଦେଖି ନାହିଁ ମା !’’

 

ମାଳତୀ ନିଜ କଥା କ’ଣ କହିବେ ? ସତରେ ସେ ନିଜେ କେବେ ତାଙ୍କର ଝିଅକୁ ପାଠ ଛଡ଼ା ଖଣ୍ଡା ତରବାରୀ କଥା ଶିଖାଇ ନ ଥିଲେ । ବଳାଙ୍ଗୀ ଯୁବରାଜଙ୍କ ଠାରୁ ଶିଖି ଭାବିଥିଲା ମାଆ କିଛି ଜାଣନ୍ତି ନାହିଁ; ମାତ୍ର ଯେତେବେଳେ ସେ ତାର ମାଆର ପ୍ରସବ କଲାବେଳର ଯୁଦ୍ଧ କଥା ଶୁଣିଲା, ସେତେବେଳେ ଚମକି ପଡ଼ିଲା ଏବଂ ଜିଗର ଧରି କହିଲା–‘‘ମା, ଆଜି ତୁମେ ମୋ ସାଙ୍ଗରେ ବୁଲି ଚାଲ ।’’

 

ସ୍ନେହମୟୀ କନ୍ୟାର କଥା ମାଳତୀ କେବେ ଏଡ଼ୁ ନ ଥିଲେ । କାରଣ ସେଇ ପିଲାଟି ଛଡ଼ା ଆଉ ତାଙ୍କର କେହି ନ ଥିଲା ।

 

ବାଧ୍ୟ ହୋଇ ମାଳତୀ ବଣକୁ ଯିବାକୁ ବାହାରିଲେ । ମନ ଯେତେ ନ ଥିଲେ କ’ଣ ହେବ–ବୀର ରମଣୀମାନେ ଖଣ୍ଡା ଛୁରୀ ସାଙ୍ଗରେ ନ ଧରି କାହିଁ ଯାଆନ୍ତି ନାହିଁ । ସେଥିପାଇଁ ସେ ତାଙ୍କ ସ୍ୱାମୀଙ୍କର ତରବାରୀଟିକୁ ବାହାର କଲେ । ଫିଟାଇ ଦେଖିଲେ, ତହିଁରେ ଟିକିଏ ମାତ୍ର କଳଙ୍କି ଲାଗି ନାହିଁ ସେ ଯେପରି ପୁଣି ରକ୍ତ ଲୋଡ଼ୁଚି । ଏହି ତରବାରୀ କେତେ ବର୍ଗୀଙ୍କର ମୁଣ୍ଡ କାଟି ରକ୍ତନଈ ବୁହାଇ ଦେଇଥିଲା । ତାଙ୍କର ମନେ ହେଲା, ସେ ଆଜି ଖୋଳ ଭିତରେ ରହି ଯେପରି କାନ୍ଦୁଚି । ତାକୁ ହାତରେ ଧରି ମାଳତୀଙ୍କର ଦେହ ଥରି ଉଠିଲା । ସେ ତାକୁ ଫିଟାଇ ବାହାରେ ରଖି ନ ପାରି ଅତି ଶୀଘ୍ର ଖୋଳ ଭିତରେ ଭର୍ତ୍ତି କରିଦେଲେ ।

 

ଶୀଘ୍ର କାମ ସାରି ମାଆ ଝିଅ ବେଳ ଗଡ଼ିଲା ବେଳକୁ ଘୋଡ଼ାରେ ବସି ବାହାରି ପଡ଼ିଲେ । ଯେପରି ଭୁବନେଶ୍ୱରୀ ଆଉ ଭୁବନମୋହିନୀ ଚଣ୍ଡୀ ! କିଶୋରୀ ବଳାଙ୍ଗୀ ଜ୍ୟୋତ୍ସାବୋଳା ମୁଖରେ ହସି ଉଠି ନୀଳକଇଁ ପରି ଆଖିରେ ଚାହିଁ ଚାହିଁ କହିଲା–‘‘ମା ମା, ମୁଁ ତ ତୁମକୁ ଆଜି ଚିହ୍ନି ପାରୁ ନାହିଁ । ତୁମେ ମୋର ମାଆ ନା ?’’ସେ କ’ଣ ବା ତାକୁ ଉତ୍ତର ଦେବେ ! ଟିକିଏ ହସି ଦେଇ ଘୋଡ଼ା ଚଳାଇ ଦେଲେ । ବଳାଙ୍ଗୀ ବେଳୁ ବେଳ ଆଶ୍ଚର୍ଯ୍ୟ ହେଲା ତାର ମାଆଙ୍କର ଘୋଡ଼ା ଚଳାଇବା ଦେଖି । ତେବେ ମାଆ ଝିଅ ପବନ ବେଗରେ ଘୋଡ଼ା ଚଳାଇ ଦଣ୍ଡକେ ଯାଇ ପ୍ରଗଳା ଠାକୁରାଣୀଙ୍କ ପାଖରେ ପହଞ୍ଚିଲେ ସେଠାରେ ଘୋଡ଼ାରୁ ଉତୁରି ମଣ୍ଡପକୁ ଗଲେ ।

 

ମଣ୍ଡପରେ ଠାକୁରାଣୀ କହିଲେ ଖଣ୍ଡା ଖଣ୍ଡିଏ । ସେ ଜୀଅନ୍ତା ଦେବତା ! ଆଗରୁ କୁହାଯାଇଛି ଯେ, ନରସିଂହପୁରର ନାମ ଅରାଟ ଥିବା ବେଳେ ନରସିଂହ ଜେନା ଆଉ ପୁରଜେନାକୁ ଯେଉଁ ଦୁର୍ଜ୍ଜୟ ବୀର କେଶରୀ ଧର୍ମ ଜୟସିଂହ ଲକ୍ଷେ କନ୍ଧଙ୍କ ସହିତ ମାରି ରାଜ୍ୟର ନାମ କନ୍ଧ ରାଜାଙ୍କ ପ୍ରାର୍ଥନା ଅନୁସାରେ ନରସିଂହପୁର ରଖିଥିଲେ, ତାଙ୍କରି ଝିଅ ‘ପ୍ରଗଳା’ ଅରାଟରେ ଥିବା ବେଳେ କନ୍ଧ, ପାଢ଼ୀ, ମାଳୀ ତିନିଜଣ ରଜା ରାଜ୍ୟ ଲୁଟି କରି ଖାଉଥିଲେ । ଅଜେୟ ପାଢ଼ୀ ରାଜା ସହିତ ଯେତେବେଳେ ଯୁଦ୍ଧ ହେଲା, ସେତେବେଳେ ପାଢ଼ୀର ବଜ୍ର ଚୋଟରେ ଧର୍ମଜୟ ମରିଥାନ୍ତେ; ମାତ୍ର କୁମାରୀ ୧୩ ବର୍ଷର ଝିଅ ପ୍ରଗଳା ବାପକୁ ରକ୍ଷା କରିବା ପାଇଁ ନିଜ ମୁଣ୍ଡ ବଢ଼ାଇଦେଲା । ସେ ପାଢ଼ୀ ଚୋଟରେ ମଲା; ମାତ୍ର ଧର୍ମଜୟ ବଞ୍ଚିଗଲେ । କିଛିଦିନ ପରେ ପାଢ଼ୀ ସର୍ବଶରେ ମଲା ସତ୍ୟ; ମାତ୍ର ପ୍ରଗଳାର ରକ୍ତ ବିନ୍ଦୁ ଭୂଇଁରୁ ଲିଭିଲା ନାହିଁ । ତାର ଅପୂର୍ଣ୍ଣ ଜୀବାତ୍ମା ମୁକ୍ତ ନ ହୋଇ ଏହି ବଣରେ ରହି ତାର ଭାଇ ଚୁଟିଆ ସିଂହଙ୍କୁ ସପନାଇବାରୁ ସେ ଏହିଠାରେ ପୂଜା ପୂଜିର ସବୁ ବନ୍ଦୋବସ୍ତ କରି ଦେଲେ । ସେହି ଦିନୁଁ ପ୍ରଗଳା ନରସିଂହପୁରର ଇଷ୍ଟଦେବୀ । ସେ ଯେପରି ନରସିଂହପୁରର ମାନ ରଖିବା ପାଇଁ ଯୁଦ୍ଧକ୍ଷେତ୍ରରେ ପ୍ରାଣବଳି ଦେଇ ଆଜିଯାଏ ନାନା ଭାବରେ ରାଜ୍ୟର ଉପକାର କରି ଆସୁଅଛି–ନରସିଂହପୁରର ରାଜା ପ୍ରଜା ସେହିପରି ତାଙ୍କ ପ୍ରତି ଦୃଢ଼ ବିଶ୍ୱାସ ରଖି କୃତଜ୍ଞ ରହିଅଛନ୍ତି ।

 

ଏହି ଦେବତା କଥାରେ ବିଶ୍ୱାସ ଓ ଅବିଶ୍ୱାସ କେତେ, ତାହା ବଡ଼ ବଡ଼ ଦାର୍ଶନିକମାନେ ମଧ୍ୟ ମୀମାଂସା କରି ପାରି ନାହାନ୍ତି ।

 

ସେ ଦୁହେଁ ପ୍ରଗଳା ମଣ୍ଡପରେ ପହଞ୍ଚିବା ମାତ୍ରେ ଦେଖିଲେ ଯେ ପ୍ରଗଳା ଖଣ୍ଡାଟି କେଜାଣି କାହିଁକି ଉଠୁଥାଏ ପଡ଼ୁଥାଏ । ଏଭଳି ଭୟଙ୍କର ଶବ୍ଦ ହେଉଥାଏ ଯେ, ମାଆ ଝିଅଙ୍କ ଛାତି ଥରି ଉଠିଲା । କଥାଟା କ’ଣ ସୋମନେ ଜାଣିପାରିଲେ ନାହିଁ । ହଠାତ୍‌ ମାଳତୀ ସେଠି ଆଖି ବୁଜି ବସିଗଲେ ଏବଂ ଠାକୁରାଣୀଙ୍କୁ ଧ୍ୟାନ କଲେ । ଭାବିଲେ, ‘ମାଆ, ଆମର କି ଦୋଷ ?’

 

ଏଣେ ବଳାଙ୍ଗୀ ତ ନିର୍ଭୀକ । ସେ ଡର ଭୟ କ’ଣ ଆଦୌ ଜାଣେ ନାହିଁ । ସେ ପ୍ରଗଳାଙ୍କ ପାଖକୁ ଯାଇ ତାଙ୍କୁ ଧରିବାକୁ ଗଲା । ସତକୁ ସତ ସେ ଦେଖିଲା ତାକୁ କିଏ ଜଣେ ପଛରୁ କୋଳରେ ଧରିଚି । ହାତ ଦୁଇଟି ପଦ୍ମ ପାଖୁଡ଼ା ପରି । ଯେପରି ତାରି ହାତ ଦୁଇଟି ! ପଛକୁ ଚାହିଁଲା–ହଠାତ୍‌ ସେ ଯାହା ଦେଖିଲା ତା ମନ ବଡ଼ ଆନନ୍ଦ ହେଲା, ଆନନ୍ଦରେ ମାଆକୁ କହିବାକୁ ତାର ଚିତ୍ତ ଛନ ଛନ ହେଲା । ତାକୁ ଦିଶିଲା, ତାରି ପରି କିଏ ଗୋଟିଏ ଝିଅ; ତାଠୁ ଟିକିଏ ବଡ଼ ହେବ । ତେବେ ତା ସାଙ୍ଗକୁ ଏକା ସେ ବଡ଼ ଖାପ ଖାଇବ । ସେ ତାକୁ କୋଡ଼ରେ ଜାକିଧରି ଚୁମି ପକାଉଚି । ସେ କଥା କ’ଣ କିଛି ବୁଝି ପାରିଲା ନାହିଁ । ପଚାରିବାକୁ ତାର ମନ ହେଲା; ମାତ୍ର ସେ ପଚାରି ପାରିଲା ନାହିଁ । ଯେପରି ସପନ ସେ ଦେଖୁଚି ! ଟିକିଏ ସମୟ ଯାଇଚି କି ନାହିଁ, ହଠାତ୍‌ ସେ ଦେଖିଲା ଯେ ଆଉ କେହି ନାହିଁ । ଖଣ୍ଡା ଖଣ୍ଡି ଯେପରି ଥିଲା, ସେଇପରି ଥୁଆ ହୋଇଚି ।

 

ସେ ଏପାଖ ସେପାଖ ଖୋଜିଲା । ଖୋଜ କି ଖବର କିଛି ବୋଇଲେ କିଛି ପାଇଲା ନାହିଁ । ତାକୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ମାଆକୁ ଝଟକିନା ଡାକିଲି, ‘ମା, ମା, ସେ କାଇଁ ?’

 

ମାଳତୀ ଉଠି ପଡ଼ି କହିଲେ–‘କ’ଣ ମା, କଥା କ’ଣ ?’ ସେ ଗୋଟିକଠୁ ସବୁ କହିଯିବାରୁ ତାଙ୍କର ମନ ଊଣା ପଡ଼ିଗଲା । ସେଇଥିପାଇଁ ସେ ତାକୁ ପ୍ରଗଳା ମନ୍ଦିରକୁ ଛାଡ଼ନ୍ତି ନାହିଁ କି ବଳାଙ୍ଗୀ କେବେ ହେଲେ ଆସି ନ ଥିଲା । ତାଙ୍କ ମନରେ କେତେ କଥା ଅଇଲା । ସେ ବୀରବାଳା ! କୌଣସି କଥାରେ ଭୀତ ହୁଅନ୍ତି ନାହିଁ । ତେବେ ଆଖି ବୁଜି ଯାହା ଦେଖିଥିଲେ, ତାଙ୍କ ହୃଦୟ ଥରୁଥିଲା । ମନରେ ସାହସ ଥିଲେ କ’ଣ ହେବ, ମନୁଷ୍ୟ ହ୍ୟୃଦୟର କୋମଳତା ତ ଲୋପ ହେବ ନାହିଁ !

 

ସେ ଆଖି ବୁଜିବା ବେଳେ ଦେଖିଥିଲେ- ଗୋଟାଏ ଝରଣା କୂଳରେ ରଜାଙ୍କୁ ଶତ୍ରୁମାନେ ତାଙ୍କ ପାଟିରେ ଲୁଗା ଭିଡ଼ି ନେଇ ଯାଉଛନ୍ତି । ଏଣେ ଗଡ଼ରେ ନିଆଁ ଲାଗିଚି ଯେ, ଘରସବୁ ପୋଡ଼ି ଯାଉଚି । ପୁଣି ଆଉ ଥରେ ଦେଖିଥିଲେ, ରଜାଙ୍କୁ କିଏ ଆସି ଦଉଡ଼ାରେ ଭିଡ଼ି ପକାଉଚି । ବଳାଙ୍ଗୀ ଗୋଟାଏ ବିମାନରେ ବସି କାନ୍ଦୁଚି, ହସୁଚି, ନାଚୁଚି ଇତ୍ୟାଦି ।

 

କଥାଟା କ’ଣ, ଶୁଭ କି ଅଶୁଭ–ସେ କିଛି ବୁଝି ପାରିଲେ ନାହିଁ । ଶେଷକୁ ସେ ଠାକୁରାଣୀଙ୍କ ଆଡ଼କୁ ଅନାଇ କରି ରହିଗଲେ । ତାଙ୍କୁ ପରିଷ୍କାର ଦେଖାଗଲା, ରଜାଙ୍କୁ ଚୋରମାନେ ଦୂରରେ ଗୋଟାଏ ଝରଣା କୂଳରୁ ବାନ୍ଧି ନେଇ ଯାଉଛନ୍ତି । ଏହା ଦେଖିବା ପରେ ସତକୁ ସତ ଠାକୁରାଣୀ–ଖଣ୍ଡାଟି ବିଜୁଳି ମାଇଲା ପରି ଯାଇ ପଦାରେ ପଡ଼ିଗଲା । ମାଳତୀ ଆଉ ସମ୍ଭାଳି ପାରିଲେ ନାହିଁ । ଅତି ଶୀଘ୍ର ଘୋଡ଼ାରେ ଚଢ଼ି ସେହି ଖଣ୍ଡା ପଛେ ପଛେ ଯାଇ ଦେଖିଲେ, ସତକୁ ସତ କଥାଟା ଠିକ୍‌; ମାତ୍ର ଠାକୁରାଣୀ କୁଆଡ଼େ ଅଦୃଶ୍ୟ ହୋଇଗଲେ ।

 

ସେ ମାଆ ଝିଅ ଝରଣା କୂଳରେ ଦେଖିଲେ ପ୍ରାୟ ୧୫ଜଣ ଦନ୍ତାବଳ ଭେଣ୍ଡିଆ ଖଣ୍ଡା ତରବାରୀ ଧରି ରଜାଙ୍କୁ ବେଢ଼ି ଧରିଚନ୍ତି । ତାଙ୍କ ହାତରେ କିଛି ବୋଲି କିଛି ଅସ୍ତ୍ର ନାହିଁ । ଜଣେ ପାଇକ ତାଙ୍କ ଖଣ୍ଡାଟିକୁ ଛଡ଼ାଇ ନେଇ ରଖିଚି । ସେଇ ଖଣ୍ଡା ବାଘମାରୀ ଖଣ୍ଡା । ସେ ଖଣ୍ଡାରେ ଧର୍ମ ଜୟସିଂହ ଦୁଇଟି ମହାବଳ ବାଘ ବାଘୁଣୀ ଯେଉଁମାନେ କନ୍ଧରାଜା ଅମଳରେ ତିନିଶ ମଣିଷ ଖାଇଥିଲେ, ତାଙ୍କୁ ହାଣି ଲୋକଙ୍କର ପ୍ରିୟପାତ୍ର ହୋଇଥିଲେ । ମାଳତୀ ରଜାଙ୍କର ଏପରି ଦୁଃଖ ଦେଖି ଅସମ୍ଭାଳ ହୋଇଗଲେ । ଆଉ ତାଙ୍କ ଜୀବନରେ ସେ ତରବାରୀ ଧରିବେ, ଏହା ଭାବି ନ ଥିଲେ–ଏଠାରେ ଧରିବାକୁ ବାଧ୍ୟ ହେଲେ ।

 

ଘୋଡ଼ାରୁ ଝଟକିନା ତଳକୁ ଡେଇଁ ପଡ଼ିଲେ । ଡେଇଁ ପଡ଼ିବା ମାତ୍ରେ ହଠାତ୍‌ ଏପରି ଭାବରେ ଖଣ୍ଡା ବୁଲାଇଲେ ଯେ, ଶତ୍ରୁମାନେ ଏ ପାଖ ସେ ପାଖ ହୋଇ କେତେ ଜଣ ରାଜାଙ୍କୁ ଛାଡ଼ି ଆସି ମାଳତୀଙ୍କ ସହିତ ଯୁଦ୍ଧ କଲେ । ଏ ଯୁଦ୍ଧ ଅଦେଖା ଅଶୁଣା ଯୁଦ୍ଧ ! ଅନୁଗୁଳର ବୀରମାନେ ଭାବିଲେ, ଗୋଟାଏ ସ୍ତ୍ରୀର କ’ଣ ଏତେ ବଳ ଅଛି ? ମାତ୍ର ମାଳତୀଙ୍କର ଖଣ୍ଡା ବୁଲା ଦେଖି ଶତ୍ରୁଙ୍କର ଦେହ ଥରି ଉଠିଲା । ଏତିକିବେଳେ ବଳାଙ୍ଗୀ ଥିଲା ଥିଲା, ଘୋଡ଼ାକୁ ଏପରି ଜୋରରେ ଚଳାଇ ଦେଇ ଯେଉଁ ପାଇକ ବାଘମାରୀ ଖଣ୍ଡା ଧରିଥିଲା, ତାଠୁ ଏପରି ଜୋରରେ ଚଡ଼ାଇ ନେଲା ଯେ, ସେ ଥକା ହୋଇ ଚାହିଁ ରହିଲା ।

 

ଚୋରମାନେ ରଜାଙ୍କର ହାତ ଗୋଡ଼ ବାନ୍ଧି ପକାଇଥିଲେ ଏବଂ ମୁହଁରେ ଗୋଟାଏ ଲୁଗା ଭିଡ଼ି ଦେଇଥିଲେ । ବଳାଙ୍ଗୀ ସହି ପାରିଲା ନାହିଁ । ସେ ଘୋଡ଼ା ଉପରେ ରହି ବେଳେ ବେଳେ ଖଣ୍ଡା ଦାଢ଼ରେ ଚୋଟେ ଚୋଟେ ପକାଇ ଦୂରେଇ ହୋଇ ଛିଡ଼ା ହୋଇ ରହୁଥାଏ । ଶେଷକୁ ତଳକୁ ଡେଇଁ ପଡ଼ିଲା । ତାର ତରବାରୀ ବିଜୁଳି ପରି ଚମକି ଉଠିଲା । ମଙ୍ଗରାଜଙ୍କର ନାତୁଣୀ ସେ । ତାକୁ ଯୁବରାଜ ପୂର୍ଣ୍ଣଚନ୍ଦ୍ର ଶିକ୍ଷା ଦେଇଚନ୍ତି । ୧୨ ବର୍ଷର ଝିଅ ହେଲେ କ’ଣ ହେବ, ତାର ବୀରତ୍ୱ ଦେଖି ଶତ୍ରୁ ଅସମ୍ଭାଳ ହେଲେ । ଶତ୍ରୁମାନେ ମହା ମହା ବୀର ! ବଳରେ ମାଳତୀ, ବଳାଙ୍ଗୀ, ପୂର୍ଣ୍ଣଚନ୍ଦ୍ର କେହି ତାଙ୍କ ଜଣକୁ ସରି ନୁହନ୍ତି ! ମାତ୍ର ବଳରେ ଏମାନେ ତାଙ୍କଠୁ ଅତି ବଡ଼ ।

 

ମାଳତୀଙ୍କ ସହିତ ଯୁଦ୍ଧ କରିବାକୁ ଦଶ ଜଣ ଚାଲିଗଲେ । ମାଳତୀ ସେସାନଙ୍କୁ ଏପରି କଲେ ଯେ, ସେମାନେ ଆଉ ଉପାୟ ପାଇଲେ ନାହିଁ । ତରବାରୀ ଦଶଦିଗ ଧରି ଘନ ଘନ ବୁଲିଲା-। ବଳାଙ୍ଗୀ ଆଖି ପିଞ୍ଛଡ଼ାକେ ପୂର୍ଣ୍ଣଚନ୍ଦ୍ରଙ୍କୁ ଧରିଥିବା ପାଞ୍ଚଜଣରୁ ଦୁଇଜଣକୁ ତରବାରୀ ମୁନରେ ଫୋଡ଼ି ତଳେ ପକାଇଦେଲା । ସେମାନେ ବନ୍ଦୀ ରାଜାଙ୍କୁ ଘେନି ପଳାଇବାକୁ ଯେତେ ଚେଷ୍ଟା କଲେ, ବଳାଙ୍ଗୀ ଯୋଗୁଁ ତାହା ହୋଇ ପାରିଲା ନାହିଁ । ଅନ୍ୟ ତିନିଜଣ ବଲାଙ୍ଗୀର ଖଣ୍ଡା ଚୋଟକୁ ଭୟ କରି ଯୁଦ୍ଧକୁ ବାହାରିଲେ । ସେ ସେମାନଙ୍କୁ ଏପରି ଘାଉଆ କରି ଘଉଡ଼ି ଘଉଡ଼ି ନେଇଗଲା ଯେ ସେମାନେ ବହୁତ ବାଟରେ ଗୋଟାଏ ଖାତରେ ହାବୁଡ଼ି ଲଦଲାଦ୍‌ ହୋଇ ପଡ଼ିଗଲେ । ଏ ସବୁ ଯେ ୧୨ ବର୍ଷର ଝିଅ ବଳ ଦେଖାଇ କଲା, ତାହା ନୁହେଁ । ଯୁକ୍ତ କରିବାର କୌଶଳ ଶିକ୍ଷାହିଁ ଏଥିର ମୂଳ ।

 

ସେ ତିନିଜଣ ସେଠାରୁ ଉଠିବାକୁ ଟିକିଏ ଡେରି ହେଲା । ସେମାନେ ଚଣ୍ଡ ବେଗରେ ଆସୁ ଆସୁ ବଳାଙ୍ଗୀ ରଜାଙ୍କ ମୁହଁରୁ ଲୁଗା ଫିଟାଇ ହାତରୁ ଦଉଡ଼ାକୁ କାଟି ଦେଲା । ଏହି ସମୟରେ ରଜା ସଫା ଦଉଡ଼ାରୁ ମୁକୁଳି ନାହାନ୍ତି, ସେ ତିନିଜଣ ଆସି ହାଜର ହୋଇଗଲେ । ବଳାଙ୍ଗୀ ଆଗରେ ଛିଡ଼ା ହୋଇ ତାଙ୍କ ସହିତ ଘୋର ଯୁଦ୍ଧ କଲା । ସେମାନେ ରାଗରେ ଜଳି ଯାଇଥିଲେ । ଏଥର ବଳାଙ୍ଗୀ ଆଉ ସମ୍ଭାଳି ପାରିଲା ନାହିଁ । ତାର ଦେହ ଛିଣ୍ଡି ଛାଣ୍ଡି ରକ୍ତ ବୋହିଲା-। ସେ ତିନିଜଣ ବୀରଙ୍କର ଆକ୍ରମଣରେ କିଶୋରୀ ବାଳିକା ଉଜୁନ୍ତରି ହୋଇଗଲା । ଭାବିଲା, ବଞ୍ଚି ପାରିବ ନାହିଁ । ସେ ସିଂହିନୀର କନ୍ୟା–ସେଥିପାଇଁ ପଛଘୁଞ୍ଚା ଦେଲା ନାହିଁ ।

 

ଯେତେବେଳେ ବଳାଙ୍ଗୀର ହାତ ରହି ଆସିଲା, ଠିକ୍‌ ସେତିକିବେଳେ ପୂର୍ଣ୍ଣଚନ୍ଦ୍ର ଦେହରୁ ଦଉଡ଼ାଗୁଡ଼ାକ ବହୁ କଷ୍ଟରେ ଫିଙ୍ଗି ଦେଇ ବାଘମାରୀ ଖଣ୍ଡା ଧରି ସିଂହ ପରି ଗୋଟାଏ ଡିଆଁ ମାରି ବଳାଙ୍ଗୀକୁ ପଛ କରି ଆଗରେ ଛିଡ଼ା ହୋଇଗଲେ ଏବଂ ଆଖି ପିଞ୍ଛଡ଼ାକେ ତିନୋଟିଯାକଙ୍କୁ ମାରି ଶୁଆଇ ଦେଲେ ।

 

ବଲାଙ୍ଗୀର ଦେହରୁ ରକ୍ତ ଝର ବୋହୁଥିଲା । ସେ ହାଲିଆ ହୋଇ ତଳେ ପଡ଼ିଗଲା । ପୂର୍ଣ୍ଣଚନ୍ଦ୍ର ତାକୁ ଆଦୌ ନ ଚାହିଁ ଏଣେ ଦେଖିଲେ ଯେ, ମାଳତୀଙ୍କର ଦେହରେ ଏପରି ସ୍ଥାନ ନାହିଁ, ଯେଉଁଠି ରକ୍ତ ଧାର ନ ବହୁଚି । ତାଙ୍କର ଦେହରୁ ବହୁତ ଥାନ କଟି ଯାଇଚି । ପୂର୍ଣ୍ଣଚନ୍ଦ୍ରଙ୍କୁ ଜଗିଥିବା ବୀରମାନେ କ’ଣ କଲେ, ଏ ଖିଆଲ ମାଳତୀଙ୍କ ସହିତ ଯୁଦ୍ଧ କରୁଥିବା ପାଇକମାନେ ମୂଳରୁ ଭାବି ନ ଥିଲେ । ସେମାନେ ମାଳତୀଙ୍କ ଖଣ୍ଡାବୁଲା ଦେଖି ଆଉ କେଉଁଠିକି ଚାହିଁବାକୁ ବେଳ ନ ଥିଲେ । ସେ ଚୋରମାନଙ୍କ ମଧ୍ୟରୁ ୫ ଜଣ ମଧ୍ୟ ମାଳତୀଙ୍କ ଚୋଟରେ ମରିଥିଲେ । ବାକି ୫ଟା ମହା ଧନୁର୍ଦ୍ଧର ତାଙ୍କର କିଛି ବୋଇଲେ କିଛି ଖାତିର ନ ଥିଲା । ସେମାନେ ଏପରି ତେଜି ଉଠିଥିଲେ ଯେ ମାଳତୀଙ୍କୁ ଗଡ଼ ଗଡ଼ କରି କାଟିଲେ ସୁଦ୍ଧା ତାଙ୍କର ତେଜ କମିବ ନାହିଁ । ବୀରା ମାଳତୀ ଯେ ସାମାନ୍ୟ ସ୍ତ୍ରୀଲୋକ ଥିଲେ ତାହା ନୁହେଁ । ସେ ତାଙ୍କର ପାରୁ ପର୍ଯ୍ୟନ୍ତ ନାନା କୌଶଳରେ ତରବାରୀ ଘୂରାଇ ନିଜ ଦେହ ରକ୍ଷା କଲେ ।

 

ପୂର୍ଣ୍ଣଚନ୍ଦ୍ର ଚଡ଼କ ମାଇଲା ପରି ପହଞ୍ଚିଯାଇ ଏପରି ଭାବରେ ଯୁଦ୍ଧ କଲେ, ଯହିଁରେ ସେହି ୫ ଜଣରୁ ଦୁଇ ଜଣ ସଙ୍ଗେ ସଙ୍ଗେ ପ୍ରେତପୁରକୁ ଗଲେ । ଆଉ ୩ ଜଣ ପ୍ରାଣ ଧରି ପଳାଇଲେ । ପଳାତକ ଚୋରଙ୍କୁ ଧରିବାକୁ ପୂର୍ଣ୍ଣଚନ୍ଦ୍ର ଗଲେ ନାହିଁ, ବରଂ ହସି ହସି ଛିଡ଼ା ହୋଇ ଚାହିଁ ରହିଲେ ।

 

ଏସବୁ ଦୃଶ୍ୟ ତାଙ୍କୁ ସ୍ୱପ୍ନ ପରି ଜଣାଗଲା । ସେ କି ଲୀଳା ବୋଲି ବୁଝି ପାରିଲେ ନାହିଁ । ସେ ବନ୍ଦୀ ହେଲେ ମାଳତୀ ବା ଏଠି ଆସି କାହୁଁ ପହଞ୍ଚିଲେ ? ତାଙ୍କର ବା ବହୁଦିନ ପରେ ଏ ବୀରାବେଶ କାହିଁକି ? କିଛି ବୁଝି ପାରିଲେ ନାହିଁ । ଘୋଡ଼ା ଉପରେ ଆହତ ବଳାଙ୍ଗୀ ଆଉ ମାଳତୀଙ୍କୁ ଥୋଇ ଗଡ଼ରେ ପହଞ୍ଚିଲେ ଏବଂ ଲୋକ ପଠାଇ ଦରମରା ଚୋରର ସୈନ୍ୟଙ୍କୁ ମଧ୍ୟ ବୁହାଇ ଆଣିଲେ ।

 

ବଳାଙ୍ଗୀ ଅତି ଅଳ୍ପଦିନରେ ଭଲ ହେଲା; ମାତ୍ର ମାଳତୀଙ୍କ ପୀଡ଼ା ଆରୋଗ୍ୟ ହେଲା ନାହିଁ । ଯୁବରାଜ ସଦାବେଳେ ଯାଇ ତାଙ୍କୁ କହନ୍ତି–‘ମୋରି ଯୋଗେ ତୁମର ଏ ଦଶା ହେଲା ।’

 

ମାଳତୀ କହନ୍ତି–‘ଯୁବରାଜ, କ୍ଷତ୍ରିୟ ରମଣୀ ଏସବୁକୁ ତିଳେ ଡରେ ନାହିଁ । ତୁମର ବାପା, ଭୟ କରିବାର କୌଣସି କାରଣ ନାହିଁ । ସୁଖୀ ହୁଅ । ନିଜ କର୍ମଫଳ ନିଜେ ଭୋଗ କରିବ, ସେଥିରେ ଆଉସବୁ ନିମିତ୍ତ ମାତ୍ର ।’

 

ମଙ୍ଗରାଜ ଏବଂ ରାଜ୍ୟର ପ୍ରଜାମାନେ ଏସବୁ କଥା ଶୁଣଇ ଆଶ୍ଚର୍ଯ୍ୟ ହେଲେ । ମାଳତୀ ରୋଗ ଶେଯରେ ପଡ଼ି ସେ ଦିନର ପ୍ରଗଳାଙ୍କ ସ୍ୱପ୍ନ ଭାବୁଥିଲେ । ତାହା କେତେ ଠିକ୍‌–ତାଙ୍କୁ ସେ କଥା ବଡ଼ ଘାଣ୍ଟି ପକାଉଥିଲା । ଏଣେ ଯୁବରାଜ ଭଲ ହୋଇ ଯାଇଥିବା ସୈନ୍ୟଙ୍କୁ ଅନୁଗୁଳକୁ ପଠାଇ ଦେବାରୁ ସେଠାର ଲୋକେ ତାଙ୍କୁ ଧନ୍ୟ ଧନ୍ୟ କଲେ । ବ୍ରଜକିଶୋରଙ୍କୁ ମଧ୍ୟ ବଡ଼ ଅପମାନ ଲାଗିଲା । ଉଆସ ଭିତରେ ଚିତ୍ରମାଳୀ ପୂର୍ଣ୍ଣଚନ୍ଦ୍ରଙ୍କୁ ଝୁରି ବାୟାଣୀ ହୋଇଗଲେ ।

 

ଅନୁଗୁଳର ଯେଉଁ ଆହତ ସୈନିକମାନେ ରାଜ୍ୟକୁ ଫେରିଥିଲେ, ମଙ୍ଗରାଜେ ସେମାନଙ୍କ ହାତର ବ୍ରଜକିଶୋରଙ୍କ ପାଖକୁ ଖଣ୍ଡେ ପତ୍ର ଦେଇଥିଲେ । ସେଥିରେ ଲେଖା ଥିଲା–‘ଚୋରି କରି ପ୍ରତିଜ୍ଞା ଆଉ ମହତ୍ତ୍ୱକୁ ସଫଳ କରିବାକୁ ଭାବିଚ; ମାତ୍ର ତାହା ହେବା ସହଜ ନୁହେଁ । ଚୋରି କରି କାମ ଠିକଣା କରିବାକୁ ହେଲେ ମଙ୍ଗରାଜଠାରୁ ତୁମେ ଯେ ବେଶୀ ଉପାୟ ଜାଣ, ତାହା କେଭେଁ ନୁହେଁ । ପ୍ରୟୋଜନ ହେଲେ ମୋର ଭୂତଙ୍କ କେଳି ତୁମେ ନିକଟରେ ଦେଖିବ-।’

 

ବ୍ରଜକିଶୋର ଚିଠି ପାଇ ବଡ଼ ସାବଧାନ ହେଲେ । ମଙ୍ଗରାଜ ଊଣା ଲୋକ ନୁହନ୍ତି । କେତେବେଳେ କ’ଣ କରିବେ ତା କିଏ କହି ପାରେ ? ଉତ୍ତର କିଛି ଦେଲେ ନାହିଁ ।

 

-୧୭-

 

ଦଶପଲା ସହିତ ନରସିଂହପୁରର ବେଳେ ବେଳେ ସୀମା ପାଇଁ ଯୁଦ୍ଧ ଲାଗେ । ବ୍ରଜକିଶୋର ସେଥିପାଇଁ ଭାବୁଥିଲେ, ଯେବେ ସେ ଦଶପଲା ସହିତ ନରସିଂହପୁରର ଲଢ଼େଇ ଭିଆଇ ପାରନ୍ତେ, ତେବେ ପୂର୍ଣ୍ଣଚନ୍ଦ୍ରଙ୍କୁ ବନ୍ଦୀ କରିବା ସହଜ ହୁଅନ୍ତା । ସେଥିପାଇଁ ଦଶପଲା ରାଜାଙ୍କର ମନ ନ ଥିଲେ ସୁଦ୍ଧା ମିଛରେ ସେ ଗୋଟାଏ ଯୁଦ୍ଧର ଆୟୋଜନ କରିଥିଲେ ଏବଂ ନିଜେ ସମସ୍ତ ଟଙ୍କା ପଇସା ଦେଇ ଷଡ଼ଯନ୍ତ୍ର ଭିଆଇଲେ ।

 

ଏହି ଷଡ଼ଯନ୍ତ୍ର ବିଷୟ ଦଶପଲା କି ନରସିଂହପୁର କେହି ଆଦୌ ଜାଣି ପାରି ନ ଥିଲେ-। ବ୍ରଜକିଶୋରଙ୍କ ସୈନ୍ୟମାନେ ଗୁପ୍ତ ବେଶରେ ଦଶପଲା ଆଉ ନରସିଂହପୁର ସୀମାରେ ରହି ସୀମା ଜଗୁଆଳିମାନଙ୍କୁ ଲାଞ୍ଚ ମିଛରେ ବଶ କରି ଏହି ଯୁଦ୍ଧ ସୃଷ୍ଟି କରିଥିଲେ । ସତକୁ ସତ ଦିନେ ନରସିଂହପୁର ଆଉ ଦଶପଲାର ଯୁଦ୍ଧବାଜା ବାଜି ଉଠିଲା । ମଙ୍ଗରାଜ ଭାବି ନ ଥିଲେ ଆଉ ତାଙ୍କ ଜୀବନରେ ସେ ଯୁଦ୍ଧଭୂଇଁକୁ ଯିବେ ବୋଲି । ତାଙ୍କୁ ଏଥର ବଡ଼ ଅଡ଼ୁଆ ଜଣାଗଲା । ଏଣେ ଅନୁଗୁଳ ଜଗିଚି–ତେଣେ ଦଶପଲା ଯୁଦ୍ଧକୁ ଡାକୁଚି । ଏଥିପାଇଁ ତାଙ୍କର ମନ କାହିଁରେ ଭଲ ଲାଗିଲା ନାହିଁ । ଯୁଦ୍ଧ ରକ୍ତପାତରେ ନରସିଂହପୁର ତାଙ୍କ ଅମଳରେ ବହୁତ କ୍ଷତିଗ୍ରସ୍ତ ହୋଇଅଛି । ପ୍ରଜା ଓ ପାଇକାନଙ୍କୁ ଡାକି ସୀମା ରଖିବା ପାଇଁ ଯୁଦ୍ଧ କରିବାକୁ ତାଙ୍କର ମନ ହେଲା ନାହିଁ । ଭାବିଲେ ଯାହା ହେବାର ହୋଇ ଯାଉ । ଯୁବରାଜଙ୍କର ବିବାହ ବୟସ ହୋଇଥିଲେହେଁ ତାଙ୍କର ଦେହ ଭଲ ନ ଥିଲା । ଚିନ୍ତାର କାରଣ ମଙ୍ଗରାଜ ବୁଝିଥିଲେହେଁ କେଜାଣି କାହିଁକି କିଛିଦିନ ଅପେକ୍ଷା କରି ରହିଥିଲେ । ମହା ସନ୍ଧିକ୍ଷଣରେ ପଡ଼ି ସେ କେତେ କ’ଣ ଭାବି ଥଳକୂଳ କିଛି ପାଇଲେ ନାହିଁ । ତାଙ୍କ ପରି ଜଣେ ଜ୍ଞାନୀ, ବୀର ସେନାପତିଙ୍କର ବୁଦ୍ଧି ଭ୍ରମ ହୋଇଗଲା । ବାତୁଳ ଭଳି ଉଚ୍ଚସ୍ୱରରେ କହି ଉଠିଲେ–‘‘ଏ ଭୀଷଣ ସମସ୍ୟାରେ ମୋ ପାଇଁ ବାଟ କାହିଁ ?’’

 

କୋମଳ ହାସ୍ୟରେ ୧୨ ବର୍ଷର ବାଳିକା କହି ଉଠିଲା-‘ବାବା, ବାଟ, ବାଟ ? ତରବାରୀର ଧାର ବୃଷଭାଙ୍କିତ ପତାକାର ଫର ଫର ଶବ୍ଦ । ତୁମେ ଥାଉଁ ଥାଉଁ ନରସିଂହପୁରର ତରବାରୀ ଧାରରେ କଳଙ୍କ ଲାଗିବ ନାହିଁ କି ତୁମେ ଥାଉଁ ଥାଉଁ ପତାକା ନଇଁବ ନାହିଁ ।

 

ବୁଢ଼ା ଉଠିପଡ଼ି କହିଲେ–‘‘ସତ, ସତ, ମା, -ମୋ ପରେ ?’’

 

‘‘ତୁମ ପରେ–ଯୁବରାଜ ପୂର୍ଣ୍ଣଚନ୍ଦ୍ର, ତା ପରେ ବଳାଙ୍ଗୀ ।’’

 

‘‘କ’ଣ, ତାପରେ ବଳାଙ୍ଗୀ ! ବଳାଙ୍ଗୀ ଦେଶ କ’ଣ ବୁଝି ସାରିଲାଣି !’’

 

‘‘ଆଜି ବୁଝିଛି ନା ଦଶବର୍ଷ ବେଳୁ ବୁଝିଛି । ବାବା, ବଳାଙ୍ଗୀର ତରବାରୀ ଧାର ସଦାବେଳେ ମୁକୁଳା ।’’

 

ମଙ୍ଗରାଜ ବାଳିକାର ଅସୀମ ସାହସ ଓ ଯୁକ୍ତିଯୁକ୍ତ କଥା ଶୁଣି ଅସମ୍ଭାଳ ହୋଇ ବାଳିକା ନିକଟକୁ ଯାଇ ଦେଖିଲେ ସେ ଏକାନ୍ତରେ ବସି ଗୋଟାଏ ପୋଥି ପଢ଼ାରେ ଲାଗିଚି । ତାହା ନରସିଂହପୁରର ଇତିହାସ । ସେଥିରେ କୋଉ ଯୁଗରୁ କେତେ କ’ଣ ଲେଖା ରହିଅଛି । ସେ ଯେତେବେଳେ ଗୋଟିଏ ଗୋଟିଏ ବିଷୟ ପଢ଼ି ସାରୁଚି ଦୀର୍ଘ ନିଶ୍ୱାସ ପକାଇ ଆଖିରୁ ଲୁହ ବୁହାଇ ଦେଉଚି ଏବଂ କେବେ କେବେ ତରବାରୀ ଧରି ଚମକି ପଡ଼ୁଚି । ବୁଢ଼ା ମଙ୍ଗରାଜ ବାଳିକାର ଏ ଅବସ୍ଥା ଦେଖି କୋଳକୁ ଟାଣି ନେଇ କହିଲେ–‘ମା, କ’ଣ ପଢ଼ି ଏପରି ହେଉଛୁ ?’

 

ବଳାଙ୍ଗୀ ପୁଣି ଦୀର୍ଘ ନିଶ୍ୱାସ ଛାଡ଼ି କହିଲା, ‘‘ବୀରା ଶକୁନ୍ତଳା’’ । ବୀର ବିକ୍ରମସିଂହକୁ ସାମନାରେ ପାଇଲେ ମୁଁ ଶତ ଖଣ୍ଡ କରି ଦିଅନ୍ତି ବାବା । ସେ ରାଣୀ ଶକୁନ୍ତଳାଙ୍କୁ କି ଦଣ୍ଡ ଦେଇ ନାହିଁ ? ଶକୁନ୍ତଳା ତେବେ ଏତେ ଦୁଃଖ ଭୋଗି ରାଜ୍ୟ ଉଦ୍ଧାର କରିଚନ୍ତି ?’’

 

ମଙ୍ଗରାଜ କହିଲେ–‘ମା, ଯେଉଁଠି ବସିଚୁ, ଏହି ଘର ଶକୁନ୍ତଳାଙ୍କର । ରାଜଧାନୀରୁ ତଡ଼ା ଖାଇ ସେ ଏହିଠି ଏହି ଘର ତିଆରି କରାଇ ୧୨ ବର୍ଷ ଯୁଦ୍ଧ କରିଥିଲେ ।’ ଶୁଣୁ ଶୁଣୁ ବଳାଙ୍ଗୀର ଆଖି ଜଳି ଉଠିଲା ।

 

‘ବାବା, ବାବା, ତେବେ ଆମେ ତାଙ୍କରି ଘରେ ରହିଛେଁ । କି ସୌଭାଗ୍ୟ ଆମର !’

 

ଏହି ସମୟରେ ବାହାର ପାଖରେ ତୁରୀଭେରୀ, ଟମକ ନିଶାଣ ବାଜି ଉଠିଲା । ବୀର ସେନାପତି ବାହାରେ ଆସି ଦେଖିଲେ ହଜାର ହଜାର ସୈନ୍ୟ ବିନା ଡକରାରେ ଆସି ହାଜର ହୋଇଚନ୍ତି । ଦଶପଲା ସୀମାନ୍ତ ନେବା କଥା ସେମାନେ ନିଜେ ବୁଝି ପାରିଚନ୍ତି । ମଙ୍ଗରାଜ କୌଣସି ପ୍ରକାର କିଛି ପ୍ରତିବାଦ ନ କରି କେତକ ସୈନ୍ୟ ସହିତ ଯୁବରାଜଙ୍କୁ ନଗର ରକ୍ଷକ ଭାବରେ ରଖି ନରସିଂହପୁରର ବିପୁଳ ସୈନ୍ୟବାହିନୀ ଘେନି ଜୀବନର ଶେଷ ଯୁଦ୍ଧକୁ ବାହାରି ପଡ଼ିଲେ । ତାଙ୍କ ଜୀବନ କେବଳ ଯୁଦ୍ଧ ଯୁଦ୍ଧରେ ଗଲା । ବୀର ହୋଇ ଜନ୍ମ ହେଲେ ଯୁଦ୍ଧହିଁ ଶାନ୍ତି । ମାନ, ଇଜ୍ଜତ ମାତୃଭୂମିର ମହତ୍ତ୍ୱପାଇଁ ନିଡରରେ ପ୍ରାଣବଳି ଦେବାହିଁ କର୍ତ୍ତବ୍ୟ । ଶଙ୍ଖ ହୁଳହୁଳି ବାଜି ଉଠିଲା । ନାରୀମାନେ ବୀରମାନଙ୍କୁ ବନ୍ଦାଇ ରକ୍ତଭୂମିକୁ ପଠାଇ ଦେଲେ । ବଳାଙ୍ଗୀ ତାର ରୁଗ୍‌ଣା ମାଆର ସେବାପାଇଁ ଏବଂ ଗଡ଼ରକ୍ଷା କାର୍ଯ୍ୟରେ ରହି ତାର ଚିରସ୍ନେହମୟ ବୃଦ୍ଧ ପିତାଙ୍କଠାରୁ ବିଦାୟ ନେଲା ।

 

ମଙ୍ଗରାଜେ ଯୁଦ୍ଧକ୍ଷେତ୍ରକୁ ପ୍ରାୟ ସମସ୍ତ ସୈନ୍ୟ ଘେନି ଚାଲିଗଲେ । ବାକି ଅତି ଅଳ୍ପ ସୈନ୍ୟ ରଜାଙ୍କ ପାଖରେ ରହିଥିଲେ । ରୋଗୀ, ବୁଢ଼ା, ସ୍ତ୍ରୀଲୋକ–ଏମାନଙ୍କୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ରଜା ସେହି କେତେ ଜଣ ସୈନ୍ୟ ସହିତ କଡ଼ା ପହରା ଦେଉଥିଲେ ।

 

ଅନୁଗୁଳର ଚୋରା ଦୂତମାନେ ଏତିକିବେଳେ ଯାଇ ବ୍ରଜକିଶୋରଙ୍କୁ ସମ୍ବାଦ ଦେଲେ ଯେ, ଏ ସୁଯୋଗ ଆଉ ମିଳିବ ନାହିଁ । ଏତେ ଦିନେ ତାଙ୍କ ମନ ମୁତାବକ ସୁବିଧା ମିଳିଗଲା । ଏକଥା ଶୁଣିବା ମାତ୍ରେ ଅକଳନ୍ତା ସୈନ୍ୟ ଘେନି ତରତର ହୋଇ ଚାଲି ଅଇଲେ । ଘୋର ଅରଣ୍ୟରେ ରାତି ରାତି ଆସି ନରସିଂହପୁରର ଜୟପୁର ଗଡ଼ରେ ଦିନ ଉପରବେଳାକୁ ଆସି ପଅଞ୍ଚିଲେ ।

 

ଅନୁଗୁଳ ଟାକି ରହିଚି–ଏହା ମଙ୍ଗରାଜେ ଜାଣିଲେହେଁ ଦଶପଲା ଉପରେ ସମସ୍ତ କ୍ରୋଧ ଢାଳିଦେଇ ସମସ୍ତ ସୈନ୍ୟସାମନ୍ତ ନେଇ ଚାଲି ଗଲେ । ତେଣୁ ଅନୁଗୁଳ ବ୍ରଜକିଶୋର ଜଗଦେବଙ୍କୁ ଭୟ ହୋଇ ତିଳେ ନ ଥିଲା । ସେ ତାଙ୍କର ମହା ଧନୁର୍ଦ୍ଧର ସାତବୀରଙ୍କୁ ସାଙ୍ଗରେ ଧରି ଆସିଥିଲେ । ନରସିଂହପୁରର ଗଡ଼ ଚାରିପାଖ ଘେରି ଯାଇ ନିର୍ଭୟରେ ଯୁଦ୍ଧବାଜା ବଜାଇ ଦେଲେ ।

 

ପୂର୍ଣ୍ଣଚନ୍ଦ୍ରଙ୍କର ଛାତି ଥରି ଉଠିଲା । ସେ ତାଙ୍କର ଯେ କେତକ ସୈନ୍ୟ ଥିଲେ, ତାଙ୍କ ସହିତ ଗଡ଼ ଜଗି ରହିଲେ; ମାତ୍ର ଜଗଦେବଙ୍କ ଅକଳନ୍ତା ସୈନ୍ୟଙ୍କୁ ଅଟକାଇ ପାରିଲେ ନାହିଁ । ତେବେ ଜଗଦେବ ଯୋଉଥିପାଇଁ ସୈନ୍ୟସାମନ୍ତ ଧରି ଆସିଥିଲେ, ତହିଁରେ ସହଜେ ସଫଳ–ମନୋରଥ ହୋଇ ପାରିଲେ ନାହିଁ । ସିଂହ ଶିଶୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଧରିବା ପାଇଁ ତାଙ୍କର ସୈନ୍ୟ ମଧ୍ୟରୁ ୫୦୦ ଯାଏ ମରିଗଲେ । ଅନୁଗୁଳର ସୈନ୍ୟମାନେ ଏଥର ଏପରି ଶିକ୍ଷା ପାଇ ଆସିଥିଲେ ଯେ ମଲେ ବରଂ ମାଇଲେ ନାହିଁ–ବଡ଼ କଷ୍ଟରେ ଠିକ୍‍ ସୂର୍ଯ୍ୟାସ୍ତ ପୂର୍ବରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଧରି ସବାରିରେ ବସାଇ ନେଇ ଚାଲିଗଲେ । ଗଡ଼ରେ ଯେଉଁ ବୁଢ଼ା ବୁଢ଼ା ବୀରମାନେ ଥିଲେ, ସେମାନେ ଯୁବରାଜଙ୍କୁ ରକ୍ଷା କରିବା ପାଇଁ ପ୍ରାଣ ଦେଲେ; ମାତ୍ର ଏତେ ସୈନ୍ୟଙ୍କୁ ସେ ବାଧା ବାଧିଲା ନାହିଁ ।

 

ବଳାଙ୍ଗୀ ସେଦିନ ଜଙ୍ଗଲକୁ ଯାଇଥିଲା । ସେ ବୁଲି ବୁଲି ଫେରି ଆସିବାବେଳେ ଦେଖିଲା ଯେ, ହଜାର ହଜାର ସୈନ୍ୟ ଜଙ୍ଗଲକୁ ଦଳି ଦାଳି ଦେଇ ଚାଲିଚନ୍ତି । ସେ ଘୋଡ଼ା ଉପରେ ଥାଇ ଗଛ ଆଢ଼ୁଆଳରେ ରହି ଶୁଣିଲା, ଦୁଇଜଣ ସୈନିକ କଥାବାର୍ତ୍ତା ହେଉଚନ୍ତି । ଜଣେ କହୁଚି–‘‘ଏ ଭଳି ବୀର ଦେଖା ନାହିଁ କି ଶୁଣା ନାହିଁ । ମୋ ବାପରେ, ଘଡ଼ିଟାକରେ ୫୦୦ ସୈନ୍ୟ ମାରି ପଦା କରିଦେଲା ! କି ଚୋଟରେ ବାପା ସେ ଯେ ପାଇକ ବୁଢ଼ାଗୁଡ଼ାକ ! ସେ ଯେ କି ଟାଣୁଆ-! ଯେମିତି ପଥରରେ ତିଆରି ତାଙ୍କର ଦେହ ! ମୋର ମନେ ହେଉଚି, ସେଥିରୁ ଜଣକୁ ଆମର ପଚାଶ ଜଣ ନିଅଣ୍ଟ ।’’

 

ଆଉ ଜଣେ କହୁଚି–‘‘ଏକା ଜେମାମଣିଙ୍କୁ ଏ ବର ଠିକ୍‌ ଲାଖ ଖାଇବ । ବିଧାତା ସର୍ଜ୍ଜନା-! ପୂର୍ଣ୍ଣଚନ୍ଦ୍ର ! ନା କିମିତିକା ! ରାଜ୍ୟରେ ପହଞ୍ଚିଲେ ବିଭାଘର । ଜେମାଙ୍କୁ ଯୁବରାଜ ଦେଖିଲେ ଆଉ କ’ଣ ତାଙ୍କର ଏ ଯୁଦ୍ଧ ମନେ ପଡ଼ିବ ? ମରିବା ମଝିରେ ଆମେ । ନ ହେଲେ କିଏ କାର ନ ହେବ-?’’

 

ହଜାର ହଜାର ଲୋକେ ବାଟ ଚାଲିଥିଲେ । ମାତ୍ର ଉଁ କି ଚୁଁ କିଛି ବୋଲି କିଛି ଶୁଭୁ ନ ଥିଲା । କେବଳ ପଛରେ ବସି ରହି ଦୁଇଜଣ ସୈନିକ କଥା ହେଉଥିବାରୁ ବଳାଙ୍ଗୀ ଏତକ ଶୁଣି ତାର ହାତ ଥରିଉଠିଲା । ଭାବିଲା, ତେବେ ପୂର୍ଣ୍ଣଚନ୍ଦ୍ର ବନ୍ଦୀ–ବାବାର ମାନ ତଳେ ପଡ଼ିଚି ? ତାର ମନେ ହେଲା ଏହିକ୍ଷଣି ଯୁଦ୍ଧକୁ ବାହାରି ପଡ଼ିବ–ଏ ସମସ୍ତଙ୍କୁ ଖଣ୍ଡ ଖଣ୍ଡ କରି କାଟି ରଜାଙ୍କୁ ଉଦ୍ଧାର କରିବ । ମାତ୍ର ଅକଳନ୍ତା ସୈନ୍ୟ ସମୁଦ୍ର ଦେଖି ସେ ନିଜକୁ ଉପହାସ କଲା ।

 

ମନ ବୁଝିଲା ନାହିଁ–ବିଜୁଳି ମାଇଲା ପରି ଘୋଡ଼ାକୁ ଦଉଡ଼ାଇ ଦେଲା । ଘରେ ଯାଇ ଦେଖିଲା, ମାଆ ଆରାମରେ ଶୋଇଚନ୍ତି ।

 

ବଳାଙ୍ଗୀର ଧଡ଼ଧାଡ଼ ଶୁଣି ମାଳତୀ ଚମକି ଉଠି ପଡ଼ିଲେ । ଆଉ ତାକୁ ପାଖକୁ ଡାକିଲେ । ସେ ମାଆ ପାଖକୁ ଯାଇ କହିଲା–‘ମାଆ, ସର୍ବନାଶ ! ଅନୁଗୋଳ ରଜା ଆମ ଯୁବରାଜଙ୍କୁ ବାନ୍ଧି ନେଇଗଲେଣି । ରକ୍ତ ନଈରେ ଗଡ଼ ଭାସୁଚି । ମାଳତୀ ଏକଥା ଶୁଣି ଦୀର୍ଘ ନିଶ୍ୱାସ ମାଇଲେ ।

 

ତାଙ୍କ ଦେହରୁ ଘା ଘଉଡ଼ ସବୁ ଶୁଖିଯାଇଥିଲେ କ’ଣ ହେବ, ସେ ଯିବା ଆସିବା କରି ପାରୁ ନ ଥିଲେ । ସେ ତାଙ୍କ ଉଜ୍ଜ୍ୱଳ ଆଖି ଦିଓଟିକୁ ଚକ୍ରଭଳି ବୁଲାଇ ଉଠି ପଡ଼ିଲେ । ଯେପରି ଏହିକ୍ଷଣି ପ୍ରଳୟ କରି ଦେବେ ! ମାତ୍ର ଝଟକିନା ପଡ଼ିଗଲେ । ବଳାଙ୍ଗୀ ଧରି ଶୁଆଇ ଦେଲା । ସାପୁଆ ମନ୍ତ୍ରରେ ନାଗ ସାପ ଯେପରି ହୁଏ, ସେ ରୋଗ ଦାଉରେ ସେହିପରି ହେଲେ । ମାତ୍ର ମନ ତହିଁରେ ବେଶୀ ବିକଳ ହେଲା । ଆଖିରୁ ଲୁହ ଝରିଲା । ଉପାୟ କିଛି ପାଇଲେ ନାହିଁ । ଏକାବେଳେ ତୁନି ହୋଇ ରହିଗଲେ ।

 

ବଳାଙ୍ଗୀ ଧୀରେ ଛିଡ଼ା ହୋଇ ମାଆର ଏ ଦୃଶ୍ୟ ଦେଖୁଥିଲା । ସେ ମା ପାଖକୁ ମୁହଁ ନେଇ କହିଲା–

 

‘‘ମା, ମା, ମୁଁ ଏହିକ୍ଷଣି ଯିବି ଏ ଖବର ବାପାଙ୍କୁ କହି ଆସିବି । ମୁଁ ତ ଏ ଗଡ଼ରେ ବାକି ଅଛି–ମୁଁ ଥାଉଁ ଥାଉଁ ନରସିଂହପୁରର ମାନ କ’ଣ ତଳେ ପଡ଼ିବ ? ତା ହେବ ନାହିଁ–ରାଜପୁତ କନ୍ୟା ବଞ୍ଚି ଥାଉଁ ଥାଉଁ ଏହା ହେବ ନାଇଁ ମା । ବାପା ଜାଣିଲେ ତୁରନ୍ତ ଏହାର ଉପାୟ କରିବେ ।’’

 

ଏହା କହି ସେ ସଙ୍ଗେ ସଙ୍ଗେ ଘରେ ପଶି ଗୋଟାଏ ଲାଲ ଶାଢ଼ୀ ପିନ୍ଧି ହାତରେ ଗୋଟାଏ ଭାଲି ଧରି ଆସି ପହଞ୍ଚିଲା ।

 

ମାଳତୀଙ୍କର ଆଖି ଛଳ ଛଳ ହେଲା । ସେ ଚାହିଁ ଚାହିଁ କ୍ଷୀଣକଣ୍ଠରେ କହିଲେ, ‘ବାୟାଣି-! ବାପା କ’ଣ ଏଇଠି ପାଖରେ ଅଛନ୍ତି ? ସେ ଏଠୁ ୫କୋଶ ବାଟରେ ଅଛନ୍ତି । ପୁଣି ଏଠାରୁ ସେପରି ବାଟ ନାହିଁ । ଯେ ବା ବାଟ ଅଛି, ସେ ବାଟେ ଯିବାକୁ ମନା । ତାହା ଅଗ୍ନାଅଗ୍ନି ବନସ୍ତ । ଜଙ୍ଗଲ ପାଇଁ ଜଙ୍ଗଲ ଭିତରେ ଯୁଦ୍ଧ ହେଉଚି–ତୁ ସେଠିକି ଏ ନିଶା ରାତିରେ କିପରି ଯିବୁ ମୋର ଶକ୍ତି ଥାଆନ୍ତା କି ।’

 

ବଳାଙ୍ଗୀ ଆଖି ଛନ ଛନ କରି କହିଲା–‘‘ମା, କ’ଣ କହିଲ ? ଅଗ୍ନା ଅଗ୍ନି ବନସ୍ତରେ ବୀର କନ୍ୟା ପାଇଁ ରାତିରେ ଯିବାକୁ ବାଟ ମନା ଅଛି ? ତରବାରୀ ଧାରରେ ନିୟତିର ଉପହାସକୁ ମଙ୍ଗରାଜର ନାତୁଣୀ–ମାଳତୀର କନ୍ୟା ଖାତିର କରେ ନାହିଁ । ମୁଁ ନିଶ୍ଚୟ ଯିବି–ଘୋଡ଼ାରେ ଚଢ଼ି ଯିବ ।’

 

‘‘ମା, ମା, ଏତେ ବାଟ ତୁ ଯାଇ ପାରିବୁ ? ହାୟ–ମୋର ବଳ ଥାଆନ୍ତା କି ! ତୁ ଯେତେବେଳେ ଯାଇ ପହଞ୍ଚିବୁ–ସେତେବେଳକୁ ଶତ୍ରୁ ରାଜ୍ୟ ପାରି ହୋଇ ସାରିଥିବ ।’’

 

‘‘ନାଇଁ ମା, ମା, ମୁଁ ଖୁବ୍‌ଶୀଘ୍ର ଯିବି । ବାପା ଖବର ପାଇବା ମାତ୍ରେ ଉପାୟ କରିବେ । ମୁଁ ଅଧଘଡ଼ିଏ ବେଳରେ ନିଶ୍ଚୟ ପହଞ୍ଚିବି । ମା, ତୁମେ ମୋତେ ମନା କର ନାହିଁ । କାରଣ ତୁମେ ସେଇ ମାଳତୀ ଯେ ଅନୁଗୁଳରେ ଦଣ୍ଡକେ ବିପ୍ଳବ ସୃଷ୍ଟି କରି ମୋର ବାପାଙ୍କୁ ମୁକ୍ତ କରି ଆଣିଚ ।

 

ବଳାଙ୍ଗୀ ମାଆର ଅନୁମତି ପାଇଁ ସାଶ୍ରୁ ନେତ୍ରରେ ଚାହିଁ ରହିଲା । ମା ଯେପରି ହଁ କଲେ, ଚାଲିଲା । ମାତ୍ର ମାଳତୀ କ’ଣ କହିବେ, କିଛି ଠିକ୍‌ କରି ପାରିଲେ ନାହିଁ । ତାଙ୍କ ମନରେ ଆକାଶପାତାଳ ଚିନ୍ତା ଅଇଲା । ୧୨ ବର୍ଷ ଝିଅ ଯେ ତାଙ୍କୁ ନିରୁତ୍ତର କରି ଦେଉଚି । ଯେ ତାଙ୍କର ପ୍ରାଣ, ଯେ ତାଙ୍କର ସର୍ବସ୍ୱ-ତାକୁ କିପରି ଏ ନିଶା ରାତିରେ ସେ ଯିବାକୁ କହି ଦେବେ ? ତା ଛଡ଼ା ତାଙ୍କର ତ୍ରିଭୁବନରେ କେହି ନାହିଁ । ଏହି ଘୋର ନିଶା ରାତିରେ ନିଛାଟିଆ ଭାବରେ ନିକାଞ୍ଚନ ବଣଭୂଇଁରେ ଏକା କିପରି ଛାଡ଼ିବେ ? ତାଙ୍କ ଆଖିରୁ ଲୁହ ଧାର ବହିଲା । ଗଡ଼ରେ ଜଣେ ଏପରି ଆଉ ପାଇକ ନ ଥିଲା, ଯେ ବଳାଙ୍ଗୀର କାମ କରି ପାରିବ । ସେ ବଳାଙ୍ଗୀକୁ କୋଳରେ ଧରି ହୃଦରେ ଭିଡ଼ି କେତେ ଚୁମ୍ବନ ଦେଲେ ଏବଂ ତାଙ୍କର ଦୁଇଟି ଯାକ କଥା ମନେ ପଡ଼ିଗଲା । ଗୋଟିଏ ଜ୍ୟୋତିଷର ବାଣୀ, ଅନ୍ୟଟି ସନ୍ନ୍ୟାସୀର ବାଣୀ ।

 

ଶିଶୁ ବୟସରେ ବଳାଙ୍ଗୀକୁ ଦେଖି ଜଣେ ବୃଦ୍ଧ ଜ୍ୟୋତିଷୀ କହିଥିଲେ, କୈଶୋର ଅବସ୍ଥାରେ ଏ ବାଳିକାର ବିପଦ ରହିଚି । ଗୋଟିଏ ମହାକାର୍ଯ୍ୟରେ ସେ ସଂସାରତ୍ୟାଗିନୀ ହେବ । ମହାତ୍ମା ସନ୍ନ୍ୟାସୀ କହିଥିଲେ, ନିଶାକାଳରେ ଯୋଦ୍ଧୃବେଶରେ ଯାତ୍ରା କରିବା ଏହି ଭୁବନମୋହିନୀ ବାଳିକାର ଶେଷ ଅଭିନୟ । କାରଣ ସ୍ୱର୍ଗର ସୌନ୍ଦର୍ଯ୍ୟ ଏହା ଦ୍ୱାରା ପୂରଣ ନ କରି ଦେବତାମାନେ ସ୍ଥିର ହୋଇ ରହି ପାରିବେ ନାହିଁ ।

 

ଯଦି ସେ ଏ ଦୁଇଟି କଥା ଶଶୁରଙ୍କୁ ସୁଦ୍ଧା କହି ନ ଥିଲେ, ତେବେହେଁ ତାଙ୍କର ପୂରା ମୁଖସ୍ଥ ଥିଲା । ମନେ ମନେ ସେ ଭାବିଲେ, ସେହି ସମୟ ଆସି ପହଞ୍ଚିଲା । ଏଇ ଦୁଇଟି କଥା ନୁହେଁ–ସେତେପେଳେ ଲୋକମୁଖରେ ସର୍ବଦା ଶୁଣାଯାଉଥିଲା ଯେ, ଜୟପୁରଠାରୁ ଯୋତମୁକୁ ଯାଇଥିବା ଦଣ୍ଡା ରାସ୍ତା ମଧ୍ୟରେ ଗୋଟିଏ ‘ଜଳି’ ଅଛି–ଯାହା ରାତିରେ ଜଳି ଉଠେ; ଆଉ ଭୀଷଣ ଶବ୍ଦ କରେ । ରାତିରେ କୌଣସି ଏକୁଟିଆ ଯାତ୍ରୀ ସେବାଟେ ଯାଇ ବଞ୍ଚିଥିବାର ଶୁଣାଯାଏ ନାହିଁ ।

 

ସବୁକଥା ସେ ଭାବିଲେ । ତଥାପି ତାଙ୍କର ନିଜର ମତ ଥିଲା–ତାଙ୍କର ନିଜର ହୃଦୟର ଶକ୍ତି ଥିଲା । ସେ ଏସବୁକୁ ଭୟ କରୁ ନ ଥିଲେ । ବଳାଙ୍ଗୀକୁ ପାଖରୁ ଛାଡ଼ିଦେବାକୁ ତାଙ୍କର ଇଚ୍ଛା ନ ଥିଲା । ଅପତ୍ୟ ସ୍ନେହ ଛଡ଼ା ମୃତ୍ୟୁ ପ୍ରତି ତାଙ୍କର ତିଳେ ଖାତିର ନ ଥିଲା । ସେ ବଡ଼ କଷ୍ଟରେ କହିଲେ, ‘ମା, ତୋ କଥା ଠିକ୍‌ । ତୁ ଜାତିର ଓ ଦେଶର ମହତ୍ତ୍ୱ ରଖିବା ପାଇଁ କହୁଚୁ, ମୁଁ ଏହା ବୁଝିପାରୁଚି । ହେଲେ ତୁ ମୋର ଗୋଟିଏ-ତୋ ଛଡ଼ା ମୋର ଆଉ କିଏ ଅଛି ?’

 

‘‘ମା, ମା, ମୋ ଛଡ଼ା ତୋର ଆଉ କେହି ନାହିଁ ? ଏ ନରସିଂହପୁରର ଯେତେ ପୁଅ ଝିଅ ସେ ସବୁ କାହାର ? ସେ ସବୁ ତୋର ନୁହନ୍ତି ? ସେମାନଙ୍କୁ କ’ଣ ତୁ ମୋ ପରି ଭଲ ପାଉ ନାହୁଁ ? ତୋ ଦେଶର ରଜାର ଅପମାନ କ’ଣ ତୁ ଚାହୁଁ ? ମୋର ପ୍ରାଣ ଯଦି ବାଟରେ ଯାଏ, ତା ପଛେ ଭଲ; ମାତ୍ର ମୁଁ ଜାଣୁ ଜାଣୁ ଏପରି ତୁନି ରହିବା କ’ଣ ଉଚିତ ? ସୁଭଦ୍ରା ତାଙ୍କର ଗୋଟିଏ ପୁଅ ଅଭିମନ୍ୟୁକୁ ବେଶ କରି ଯୁଦ୍ଧଭୂଇଁକୁ ପଠାଇବାର କଥା ପରା ତୁ ମୋତେ କେତେ ଥର କହିଚୁ-? ଆଛା, ସେ କଥା ଛାଡ଼ିଦେ-ଆଜି ଯେ ପୂର୍ଣ୍ଣଚନ୍ଦ୍ରଙ୍କୁ ଅନୁଗୁଳ ରଜା ବନ୍ଦୀ କରି ଧରି ନେଇଚି, ସେ ଯଦି ମୋର ବାପାଙ୍କ ପରି ତାଙ୍କୁ କଳାପାଟଠାରେ ବଳି ଦିଏ–ତେବେ ତାଙ୍କର ମାଆ କ’ଣ କରିବ-? ତାଙ୍କ ହୃଦୟ ଏବେ କ’ଣ ହେଉ ନ ଥିବ ? ଗଲୁ, ଦେଖି ଆସିବୁ । ତାଙ୍କର ପୂର୍ଣ୍ଣଚନ୍ଦ୍ର ଗୋଟିଏ ନା ଯୋଡ଼ିଏ ? ପୁଣି ସେ ତୋ ପରି ବୀରା ନୁହନ୍ତି । ତୁ ନିଜେ ଯୁଦ୍ଧ କରି ଜାଣି ମୋତେ ଏପରି କ’ଣ କହୁଚୁ ?’’

 

ମାଳତୀ ଛଳ ଛଳ ଆଖିରେ ଚାହିଁଲେ । ତାଙ୍କର ରକ୍ତ ତାତିଗଲା । ସେ ଜଳି ଉଠିଲେ । ଉଠିବାକୁ ଚେଷ୍ଟା କଲେ; ମାତ୍ର ଉଠି ପାରିଲେ ନାହିଁ । ଧୀରେ ଧୀରେ ବାଳିକାକୁ କରୁଣ ଆଖିରେ ଚାହିଁ କହିଲେ–

 

‘ମା, ଯା, ଯା, ଆନନ୍ଦରେ ବିଦାୟ ଦେଉଚି । ମୋର ଭୟ ଅଛି ସତ; ତେବେ ସେ ଭୟ ଦୂର କଲି । କାରଣ ତୁ ଆଜି ଦେଶ ଓ ଜାତିର ମାନ ରକ୍ଷା ପାଇଁ ବାହାରିଚୁ । ହେଉ ମା, ଶୀଘ୍ର ଯା-। ପ୍ରେମ ଆଛ ସ୍ନେହ ପାଇଁ ମନୁଷ୍ୟର ରକ୍ତମାଂସ ଦେହର ଏପରି ଦୁର୍ବଳତା ସ୍ୱାଭାବକ । ତା ନ ହେଲେ ଜଗତ ନନ୍ଦନକାନନ ନ ହୋଇ ଶ୍ମଶାନ ହୋଇଥାନ୍ତା ।’

 

ଏହା କହି ବଳାଙ୍ଗୀକୁ କୋଳକୁ ନେଇ ଆଉ ଥରେ ଚୁମ୍ବନ ଦେଇ ‘ମାଆ ପ୍ରଗଳା’ ବୋଲି ଥରେ ଗାଇ ବିଦା କରିଦେଲେ । ବଳାଙ୍ଗୀ ମୁହୂର୍ତ୍ତକେ ତା ଘୋଡ଼ାଟିକୁ ଧରି ବାହାରି ପଡ଼ିଲା-। ଗଲାବେଳେ ମାଆର ପଦଧୂଳି ନେଇ କହିଗଲା–‘ମା, ବୀରବାଳାର ଜନ୍ମ କେବଳ ଏଇଥିପାଇଁ, ଯାଉଚି ।’ ଆଉ କିଛି କହିଲା ନାହିଁ । ସେ ଯିବା ପରେ ମାଳତୀ ମୁହଁ ମାଡ଼ି ରହିଗଲେ-

 

ବଳାଙ୍ଗୀ ବାହାରକୁ ବାହାରି ଭୀଷଣ ଅରଣ୍ୟ ଭେଦି ଯିବାକୁ ବାହାରିଲା । ଘୋଡ଼ାରେ ଚଢ଼ି ପଛକୁ ଚାହିଁ ଆଖିରୁ ଲୁହ ଗଡ଼ାଇ କହିଲା–‘‘ମା ଜନ୍ମଭୂମି, ବିଦାୟ । ଯଦି ପ୍ରାଣ ଧରି ଫେରିଆସିବି, ତେବେ ପୁଣି ତୋର କଅଁଳ କୋଳରେ ମୋତେ ଥାନ ମିଳିବ, ପୁଣି ତୋର ସବୁଜା ଘାସ ଉପରେ ସଞ୍ଜ ପବନରେ ଶୋଇ ପଶ୍ଚିମ ମେଘର ଶୋଭା ଦେଖିବି - ତୋର ଝରଣା କୂଳରେ ବସି ଖେଳ ଖେଳିବି । ମା, ମା, ବିଦାୟ ।’’

 

ଏହାକହି ବିଜୁଳି ଝଟକିଲା ପରି ସେ ଘୋଡ଼ାକୁ ଜଙ୍ଗଲ ଭିତରକୁ ଚଳାଇଦେଲା ।

 

-୧୮-

 

ସେତେବେଳକୁ ସୂର୍ଯ୍ୟ ସାତଘରିଆ ପର୍ବତ ତଳେ ଅସ୍ତ ହେଉଥିଲେ । କନକ କିରଣରେ ପୃଥ୍ୱୀସାରା ଏପରି ସୁନ୍ଦର ଦିଶୁଥିଲା–ଯେପରି ଗଛ, ଲତା, ବଣ, ମଣିଷ, ପଶୁ ସମସ୍ତଙ୍କ ଦେହ ଉପରେ ସୁନାରଙ୍ଗର ପୁଟ ଦିଆଯାଇଚି । ସୂର୍ଯ୍ୟ ସେ ପର୍ବତ ରାଜ୍ୟକୁ ଦେଖାଯାଉ ନ ଥିଲେ । କେବଳ ଶେଷ କିରଣ ଟିକକ ଭୁବନମୋହିନୀ କିଶୋରୀ ବଳାଙ୍ଗୀ ଉପରେ ପକାଇ ଦେଇ ସେ ନିମିଷକେ ଲୁଚିଗଲେ । ବଳାଙ୍ଗୀ ସେ କିରଣରେ କିପରି ଦିଶୁଥିଲା ? ସତେ ଯେପରି କନକରେ ଗଢ଼ା ପ୍ରତିମାଟିଏ । ଦେହରେ ଆଦୌ କେଉଁଠି ଚିନେ ଅଳଙ୍କାର ନାହିଁ–ମୁଣ୍ଡର ଲମ୍ବା କଳା ବାଳ ଗୁଡ଼ିକର ବେଣୀ ପଛ ପାଖରେ ଉଠୁଚି ପଡ଼ୁଚି । କୈଶୋର ଓ ଯୌବନର ସନ୍ଧିରେ ବାଳିକାର ନୂତନ ଦେହଟି କି ସରଳ, କି ମୋକଳ । ପୁଣି ସେ ବଜ୍ରଠୁଁ କଠିଣ ହୃଦୟରେ ରାଜ୍ୟ ଓ ଜାତିର ମାନ, ଇଜ୍ଜତ ରଖିବା ପାଇଁ ଯେପରି ବାଟୋଇ ହୋଇଥିଲା, ତାହା ଏକାବେଳକେ ନୂଆ କଥା । କେଉଁଠି ବାରବର୍ଷର ଝିଅ ଘୋର ଜଙ୍ଗଲରେ-ଦେଶର ସ୍ୱାଧୀନତା ରକ୍ଷା ପାଇଁ ଏକାକୀ ବାଟ ଚାଲିଚି ?

 

ଜୟପୁରଠାରୁ ଯୋଡ଼ୁମ ପାଞ୍ଚକୋଶ ବାଟ । ଗୋଟିଏ ମାତ୍ର ଦଣ୍ଡା ବାଟ । ସେ ବାଟରେ କୌଣସି ଭୁଲ ହେବାର ଭୟ ନ ଥିଲା–କାରଣ ତାହା ଏ ମୁଣ୍ଡୁ ସେ ମୁଣ୍ଡଯାଏ ଗୋଟିଏ । ତେବେ ସେଥିରୁ ଚାରିକୋଶ ବାଟ କେବଳ ଜଙ୍ଗଲ । ଏଭଳି ଜଙ୍ଗଲ ଯେ, କେତେବେଳେ ସୂର୍ଯ୍ୟ ଉଦୟ ହୋଇ ଅସ୍ତ ହୁଅନ୍ତି, ତା ଭିତରେ ଜଣା ପଡ଼ିବ ନାହିଁ । ଗୋଟିଏ ପତ୍ର ପଡ଼ିଲେ ଗୋଟାଏ ଗଛ ଭାଙ୍ଗିଲା ପରି ସେଠାରେ ଶୁଭେ । ଚାରିଆଡ଼ ଶୂନଶାନ ! ଶାଳ, ପିଆଶାଳ, ଶିଶୁ, ବାନ୍ଧଣ ଗଛ ଏବଂ ବହୁତ ଲଟିବୁଦାରେ ଚାରିଆଡ଼ ପୂର୍ଣ୍ଣ । ବାଉଁଶ ବଣରେ ହାତୀପଲ, କଣ୍ଟାବଣିରେ ମୃଗ, ସମ୍ବର, ଅନ୍ଧାରିଆ ଲଟିବୁଦା ସନ୍ଧିରେ ମହାବଳ, ହେଟା, ପଥର କୋରଡ଼ରେ ଭାଲୁ, ବିଲୁଆ ଉପରେ ଆସି ପଡ଼ୁଥାନ୍ତି । ଏପରି କେହି ପୁଅ ନାହିଁ ଯେ, ସେ ବଣରେ ଏକୁଟିଆ ଚାଳିଯିବ ଦିନରେ । ସାଥୀ ସାଙ୍ଗ ନ ଧଇଲେ କନ୍ଧ ଶବର ଯା ଆସ କରନ୍ତି ନାହିଁ । ଲୋକଙ୍କର ମଧ୍ୟ ତାହା ଯିବା ଆସିବା ବାଟ ନୁହେଁ । କେବଳ ମଙ୍ଗରାଜେ ଦଶପଲା ଯୁଦ୍ଧକୁ ଯିବା ପାଇଁ ସେହି ବାଟେ ଯାଇଥିଲେ । ବଳାଙ୍ଗୀ ତାହା ଦେଖିଥିଲା । ଲୋକେ ବର୍ଷରେ କେବେ କେବେ କାଠ ବାଉଁଶ ସେ ବାଟେ ଆଣିଥାନ୍ତି । ବାଟଟା ବହୁତ ପୁରୁଣା । କୋଉଠି ଢିମା ପଥର ବଣ, କୋଉଠି ଖାତ, ଗୁହା, କୋଉଠି ନିଘଞ୍ଚ କଣ୍ଟା ବଣର ସୀମା ନାହିଁ । ଧନ୍ୟ ସେ ଘୋଡ଼ା–ଧନ୍ୟ ସେ ବଳାଙ୍ଗୀ ! ରାତିରେ କିଛି ନ ମାନି ନିଡ଼ରରେ ପବନ ବେଗରେ ଚାଲିଥାଏ ।

 

କୋଶେ ଦି କୋଶ ନୁହେ, ପାଞ୍ଚ କୋଶ ବାଟ ବଳାଙ୍ଗୀ ଘଣ୍ଟାକରେ ଯିବ ! କେଉଁଠି ବାଘ ଗର୍ଜ୍ଜନ, କେଉଁଠି ହାତୀ ରଡ଼ିଲେ ଆକାଶ ଫାଟି ପଡ଼ୁଚି, କେଉଁଠି ସାପସବୁର ସୁସୁକାର କରୁଚନ୍ତି, କେଉଁଠି ଭାଲୁସବୁ ଲଢ଼େଇ କରୁଚନ୍ତି ଯେ ଶୁଣିଲେ ରକ୍ତ ପାଣି ହୋଇଯିବ, କେଉଁଠି ପବନରେ ବାଉଁଶ ବଣସବୁ-ବାଉଁଶରେ ବାଉଁଶ ଘଷି ହୋଇ ମଧୁର ସ୍ୱର ହେଉଚି ଯେ ମନେ ହେଉଚି, ଯେପରି ଏ ଭୀଷଣ ନିକାଞ୍ଚନ ବଣରେ କିଏ ଗୀତ ଗାଉଚି ବଇଁଶୀ ବଜାଇ ।

 

ଜନ ମଣିଷର ପାଟି ନାଇଁ-ତୁଣ୍ଡ ନାଇଁ-ବଣ ମାଡ଼ି ପଡ଼ୁଚି, କେଉଁଠି ଘୋର ନିସ୍ତବ୍ଧତା ମଧ୍ୟରେ ଦୁଲୁଦୁଲୁ କମ୍ପୁଚି । ଏପରି ବନସ୍ତରେ ପ୍ରାଣର ଆଶା ଛାଡ଼ି ବଳାଙ୍ଗୀ ଚାଲିଚି । ତାର ଆଗକୁ ଦୃଷ୍ଟି–ତାର ପ୍ରାଣ ଛାଡ଼ି ଆସିଥିବା ମାଆ ପାଦ ତଳେ–ତାର ମନ, ଜ୍ଞାନ, କର୍ତ୍ତବ୍ୟ–ଯୁଦ୍ଧକୁ ଯାଇଥିବା ବାପା ପାଖରେ । କେତେ ବାଟ ଅଇଲାଣି, କେତେ ବାଟ ଅଛି, ଏ ହିସାବ ସେ ଜାଣେ ନାହିଁ କି ତାର ଏ ହିସାବରେ ଆଦୌ ଆବଶ୍ୟକ ନାହିଁ । ତା ମନ, ସେ ଅଧଘଣ୍ଟାକରେ ଯେପରି ପହଞ୍ଚିବ–ବାପାଙ୍କୁ ଯାଇ କ’ଣ କହିବ ।

 

ଆଉ ଅଳ୍ପ ବାଟ ଅଛି, ତା ମନରେ ଛନକା ପଶିଲା–ଘୋର ଅରଣ୍ୟ ଭିତରଟାରେ କିଏ ତାକୁ ପଛଆଡ଼ୁ ଟାଣିଲା । ସେ ଅଟକିଗଲା । ଆଗକୁ ଯିବାକୁ ଘୋଡ଼ାକୁ ଯେତେ ଗୋଡ଼ ମାଇଲା, ହାତ ମାଇଲା, ଲଗାମ ଭିଡ଼ିଲା, ତାର ପ୍ରିୟ ଘୋଡ଼ା କେବେ ଚାଲିଲା ନାହିଁ । ମନ ତାର ବଡ଼ ବିକଳ ହେଲା । କ’ଣ କରିବ ? ପାଟି କଲା, ପାଟି ଶୁଭିଲା ନାହିଁ । ଦେହ ତାର ଥର ଥର ହୋଇ ଥରି ଉଠିଲା । ତାର ଆଖି ଆଗରେ କେତେ କ’ଣ ଅଦ୍ଭୁତ ଇନ୍ଦ୍ରଜାଲ ରୂପସବୁ ଦିଶିଗଲା । ଦେଖିଲା ତା ଦେହକୁ ଲାଗି ବିଜୁଳି ଘୋଡ଼ାରେ ବସି କେତ ଯୁବକ ଆଉ ଯୁବତୀ, ଠିକ୍‌ ସୁନାପରି ରଙ୍ଗ ତାଙ୍କର ଦିଶୁଚି-ପଳାଇଚନ୍ତି, ଆଖି ପିଞ୍ଛଡ଼ାକେ କୋଟି କୋଟି । ଦୁଇ ପାଖରେ ସେ ସ୍ରୋତ ଆଉ ଛିଡ଼ିବାକୁ ନାହିଁ । ସେମାନେ ବଡ଼ ସୁନ୍ଦର । ସେ ତାଙ୍କୁ ଚାହିଁଥାଏ । ଦେଖିଲା, ଡାହାଣ ପାଖରେ ଯେଉଁମାନେ ଯାଉଚନ୍ତି, ସେଥିରୁ ସମସ୍ତେ ଗୋଟିଏ ପୁଅକୁ ଗୋଟିଏ ଝିଅ–ଏପରି ହୋଇଚନ୍ତି; ମାତ୍ର ଗୋଟିକର ପାଖରେ ଝିଅଟିଏ ନାହିଁ–ସେ ଏକା । ଚାଲିଚି–ମାତ୍ର ଚାହିଁଚି ଏକ ଦୃଷ୍ଟିରେ ତାକୁ । ସେ ପୁଅର ଆଖିରୁ ଲୁହ ଗଡ଼ୁଚି । ସେ କେତେ ଥର ପବନ ବେଗରେ କୁଆଡ଼େ ଦଉଡ଼ି କୋଉ ପାଖ ଦେଇ ପୁଣି ଆସି ଯେ ମୁହୂର୍ତ୍ତକେ ତାରି ପାଖରେ ହାଜର ହେଉଚି ତା ଦେଖି ତାର ଆଖି ବୁଜି ହୋଇଗଲା । ଏତେ ସ୍ତ୍ରୀ ପୁରୁଷ ଯୋଡ଼ି ହୋଇ ଯାଉଚନ୍ତି, କେହି ତାକୁ କେବେ ହେଲେ ଚାହୁଁ ନାହାନ୍ତି; ମାତ୍ର ସେଇ ଗୋଟିକିଆଟି ତାକୁ ଦେଖି ଅଟକି ଯାଉଚି-ଆଉ ଲୁହ ଗଡ଼ାଇ ପୁଣି ପଳାଉଚି-

 

ବଙ୍ଗାଳୀ ସମସ୍ତଙ୍କଠାରୁ କେଜାଣି କାହିଁକି ତାକୁ ବେଶୀ ସୁନ୍ଦର ବୋଲି ଭାବିଲା । ବହୁତ ବେଳ ପରେ ସେହି ମାୟାପୁରୀ ଭିତରେ ରହି ତା କୋଳକୁ ଡେଇଁ ପଡ଼ିବା ବେଳକୁ ତାକୁ କିଏ ଗୋଟିଏ ସୁନ୍ଦରୀ ଅପ୍ସରା ପରି ଯୁବତୀ ବାଳିକା ଅଟକାଇଦେଲା । ସେ ପ୍ରଗଳାଙ୍କ ମଣ୍ଡପରେ ତାରି କୋଳରେ ଦିନେ ରହିଥିବାର ତାର ମନେ ହେଲା । କିଛିକ୍ଷଣ ଗଲା, ବଳାଙ୍ଗୀ ଦେଖିଲା -ସେ ମାୟା ପୁରୀର ରହସ୍ୟ ଦଣ୍ଡକେ କୁଆଡ଼େ ସବୁ ଲିଭିଗଲା । ସେ ଆଖି ବୁଲାଇ ଚାହିଁଲା–ସେ ପଦାରେ ଚାଲିଚି, ତା ଦେହରୁ ଘମ ଘମ ଝାଳ ବୋହି ଯାଉଚି । ତା ଦେହ ଚାହୁଁ ଚାହୁଁ ଶୀତେଇ ଆସୁଚି !

 

ଭାବିଲା–ଏ କ’ଣ ? ସ୍ୱପ୍ନ ନା ସତ୍ୟ । କଥା କ’ଣ ? ତା ଦେହରୁ ବେଶୀ ଝାଳ ବୋହିଲା–ଶୀତରେ ସେ ଥର ଥର ହେଲା । ଘୋଡ଼ଟା ଧକଇଲା, ଯେପରି ମରିଯିବ । ସେ ଦୂରରୁ ଯେପରି କାହାର ପାଟି ଶୁଣିଲା–ତେଣୁ ପବନରେ ଭାସି ଆସୁଚି–

 

ଧରି ନ ପାରିବ ଏ ଅମୂଲ୍ୟ ନୀଧି

ଅଳପ ଦିନକୁ କିପାଁ ଦେଲେ ବିଧି ?’

 

ସେ କିଛି ବୁଝି ପାରିଲା ନାହିଁ । ଅଧଘଣ୍ଟାକରେ ଯୁଦ୍ଧ ଥାନରେ ପହଞ୍ଚି ଘୋଡ଼ାରୁ ଉତୁରିବାଯାଏ ତା ଦେହରେ ଜୋର ଥିଲା ତା ପରେ ସେ ବାପ, ବାପା, ବୋଲି ଦୁଇ ପଦ ଡାକି ଦେଇ ତଳେ ଶୋଇ ପଡ଼ିଲା । ମଙ୍ଗରାଜ ଏ ନିର୍ମ୍ମମ ରକ୍ତରାଜ୍ୟରେ ବାପା ଡ଼ାକ ଶୁଣି ଚମକି ପଡ଼ିଲେ । ବାହାରେ ଆସି ଦେଖିଲେ, ତାଙ୍କର ପ୍ରାଣର ପ୍ରିୟ ବଳାଙ୍ଗୀ ଭୂଇଁରେ ପଡ଼ିଚି । ତାକୁ କୋଳକୁ ଉଠାଇ ନେଲେ । ଆଗକୁ ଚାହିଁ ଦେଖିଲେ ତାର ଘୋଡ଼ାଟି ମରି ଯାଇଚି । ବଳାଙ୍ଗୀକୁ ତମ୍ବୁ ଭିତରକୁ ନେଇ ପଚାରିଲେ–‘‘ମା, ମା, କଥା କ’ଣ ?’’

 

ବଳାଙ୍ଗୀ ଆଖି ଫିଟାଇଲା ନାହିଁ । ଧୀରେ ଧୀରେ ରଜାଙ୍କ ବନ୍ଦୀ ହେବା ଖବର କହି ଦେଇ ତୁନି ରହିଲା । ମଙ୍ଗରାଜ ତାକୁ ଆଉ ଯେତେ ପ୍ରଶ୍ନ ପଚାରିଲେ, ସେ କୌଣସି ଉତ୍ତର କଲା ନାହିଁ । ବୃଦ୍ଧ ଛଳ ଛଳ ଆଖିରେ କେତେ ଜଣ କ’ଣ ଭାବିଲେ । ବାଳିକାକୁ କୋଡ଼କୁ ନେଇ ଗୋଟିଏ ଚୁମ୍ବନ ଦେଇ ପବନ କରିବାକୁ ପାଇକମାନଙ୍କୁ କହିଲେ । ବଳାଙ୍ଗୀକୁ କିପରି ଛାଡ଼ିଯିବେ ଏଥିପାଇଁ ସେ କେତେ କ’ଣ ଭାବିଲେ । ତାଙ୍କର ସ୍ନେହ ଉଛୁଳି ଉଠିଲା; ମାତ୍ର ଦେଶ ପାଇଁ କଠୋର କର୍ତ୍ତବ୍ୟ ନିକଟରେ ତାଙ୍କୁ ଶତ ବଳାଙ୍ଗୀ ତୁଚ୍ଛ ଜଣାଗଲା ।

 

ଏଥର ଦୁର୍ଦ୍ଦାନ୍ତ କେଶରୀର ଭୀଷଣ ଗର୍ଜ୍ଜନ ଶୁଭିଲା । ‘‘ଆଉ ଅନୁଗୁଳ ରାଜେନ୍ଦ୍ରକୁ ରକ୍ଷା କରିବାକୁ ଏଥର ସାରା ସୃଷ୍ଟିରେ କେହି ନାହିଁ । ଅନ୍ୟାୟର ପ୍ରତିଶୋଧ–ନେବି, ନେବି’’ ନେବି କହି ଗୋଟାଏ ଶାବେଳୀ ଧରି ଘୋଡ଼ା ଉପରେ ଉଠି ବସିଲେ । ସଙ୍ଗେ ସଙ୍ଗେ ସୈନ୍ୟମାନଙ୍କ ଭିତରେ ଚହଳ ପଡ଼ିଲା । ସମସ୍ତେ ସେନାପତିଙ୍କୁ ବେଢ଼ି ଛିଡ଼ା ହେଲେ ଏବଂ କାତର ଦୃଷ୍ଟିରେ ଚାହିଁ ରହିଲେ-। ମଙ୍ଗରାଜ ଗମ୍ଭୀର ଗର୍ଜ୍ଜନ କରି କହିଲେ, ‘‘ପ୍ରିୟ ସୈନ୍ୟଗଣ,

 

ବିପଦ କଷଟି ପଥରରେ ମନୁଷ୍ୟର ମନୁଷ୍ୟତ୍ୱ ଜଣାପଡ଼େ । ଏବେ ନରସିଂହପୁରରେ ସେହି ସମୟ ଆସିଚି । ଦେଶ ଓ ଜାତିର ମାନ ରକ୍ଷା ପାଇଁ ତୁମମାନଙ୍କର ଜନ୍ମ । ସତ୍ୟ ରକ୍ଷା ପାଇଁ ମାରିବା ଓ ମରିବା ତୁମର ଧର୍ମ୍ମ । ପଛଘୁଞ୍ଚା ତୁମର ପାପ ଏବଂ ମୃତ୍ୟୁ । ମୁଁ ଏହିକ୍ଷଣି ଏକା ଅନୁଗୁଳ ରଜାର ଦଶହଜାର ସୈନ୍ୟ ବିରୁଦ୍ଧରେ ଯାଉଚି । କଥାଟା ତୁମ୍ଭଙ୍କୁ ଅସମ୍ଭବ ଜଣା ଯାଇପାରେ । ତେବେ ମନେରଖ, ତୁମର ଦେଶର ମଉଡ଼ମଣି ଆଜି ପର ହାତରେ ବନ୍ଦୀ ।

 

ଶୁଣ ତୁମେମାନେ ସେନାପତି ଅଭାବରେ ଯେପରି ନରସିଂହପୁରର ମାନ ତଳେ ନ ପକାଅ । କେତେ ଦୁଃଖ, କେତେ ଯନ୍ତ୍ରଣା, କେତେ ରକ୍ତପାତରେ ତୁମେ ତୁମର ବୃଷଭାଙ୍କିତ ପତାକା ଆଜିଯାଏ ଟେକି ରଖିଚ ସେ ଯେପରି ତଳକୁ ନ ନୁଏଁ ସାବଧାନ । ଯାହାପାଇଁ ମୋର ପ୍ରାଣ ଅଛି, ତାକୁ ବର୍ତ୍ତମାନ ମଲା ପରି ଅବସ୍ଥାରେ ତୁମ ପାଖରେ ଦେଇଗଲି । ତାର ଉପଯୁକ୍ତ ସେବା କରିବ–ଜାଣ, ତା ଛଡ଼ା ମୋର ଆଉ କିଛି ବନ୍ଧନ ନାହିଁ । ତୁମର ସେନାପତି ସେଇ ମୁମୂର୍ଷୁ ୧୨ ବର୍ଷର ବାଳିକା ଯେ ତୁମ ଦେଶର ମାନ ରଖିବା ପାଇଁ ଅନ୍ଧାର ରାତିରେ ଘନ ନିଘଞ୍ଚ ବଣରେ ଏକା ଖବର ଦେବାକୁ ଆସିଚି ।’’

 

ସୈନ୍ୟମାନେ ଘନ ଗର୍ଜ୍ଜନ କରି ‘ଜୟ ବଳଙ୍ଗୀକି ଜୟ’ କହି ଉଠିଲେ ।

 

‘‘ମୁଁ ଫେରେ କିବା ମରେ, ତୁମେ ସେ ବିଷୟରେ ଆଦୌ ଚିନ୍ତା ନ କରି କଳାନଳ ମୂର୍ତ୍ତିରେ ଶତ୍ରୁ ସହିତ ଯୁଦ୍ଧ କରିବ । ଯେପରି ମୋର ଜୀଅନ୍ତା ଦେହ କି ମଲା ପ୍ରେତ ଜାଣିବ ନାହିଁ, ନରସିଂହପୁରର ପାଇକ-ନରସିଂହପୁରର ବୀର, ଯୁଦ୍ଧରେ ନ ଜିଣି ଘରକୁ ଫେରିଛନ୍ତି । ଏହିଠାରେ ମରି ବରଂ କୁକୁର ବିଲୁଆର ଖାଦ୍ୟ ହେବ; ମାତ୍ର ତୁମର ଦେହ ଯେପରି ପଛଘୁଞ୍ଚା ନ ଦିଏ । ଯଦି ପାଦେ ମାତ୍ର ପଛକୁ ଫେର, ତେବେ ସ୍ୱର୍ଗରେ ଥାଇ ରାଣୀ ସୁଲୋଚନା, ଶକୁନ୍ତଳା, ବୀର ଦୟାନିଧି, ଧର୍ମ୍ମଜୟ, ଦିଗମ୍ବର, ମନ୍ଦରଧର ହସି ଉଠିବେ-କହିବେ କୁଳାଙ୍ଗାର ! ତୁମର ଭିବଷ୍ୟତ୍‌ ବଂଶଧରଗଣ କହିବେ କାପୁରୁଷ !

 

ଭାଇମାନେ, ଜାଣ, ସୈନିକ ଜୀବନ ବଡ଼ ମାୟାହୀନ । ସେ ତାର ମା, ବାପ, ସ୍ତ୍ରୀ, ପିଲାପିଲା ସମସ୍ତଙ୍କୁ ଭୁଲି ଯୁଦ୍ଧଭୂଇଁରେ ମୁଣ୍ଡ ଦେଖାଇ ଦେବାକୁ ଚାଲି ଆସେ । ମୁଁ ଆଜି ସେହି ନିଷ୍ଠୁର ହୃଦୟରେ ଏହି ବୃଦ୍ଧ ବୟସରେ ମୋ ଲକ୍ଷ ଆଦରର ଧନମଣିକୁ ଏହି ଶ୍ମଶାନରେ ଛାଡ଼ି ଦେଇ ନିଘଞ୍ଚ ବଣରେ ଏକାକୀ ଗୋଟାଏ ବିରାଟ ଶକ୍ତି ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଉଚି ତୁମେମାନେ ତରୁଣ, ଯେପରି ଏକ ପାଦ ତୁମର ପଛକୁ ନ ହଟେ । ଗାଅ ଥରେ ଏକସ୍ୱରରେ ‘ଜୟ ପ୍ରଗଳାଙ୍କର ଜୟ’ ।’’

 

ସୈନ୍ୟମାନେ ଜୟ ଗାନ କରି ପ୍ରତିଜ୍ଞା କଲେ ଯେ, ସେମାନେ ବଞ୍ଚି ଥାଉଁ ଥାଉଁ କେବେ ଏ ସ୍ଥାନ ଛାଡ଼ିବେ ନାହିଁ । ସେମାନେ ଭଲ କରି ଜାଣିଥିଲେ–ବଞ୍ଚି ମହୀଭୋଗ କିମ୍ବା ମରି ସ୍ୱର୍ଗଭୋଗ ।

 

-୧୯-

 

କାନନ-କେଶରୀ ମଙ୍ଗରାଜ ମୁହୂର୍ତ୍ତକେ ଲୁହା ସାବେଳିଟି ଧରି ଘୋଡ଼ା ଉପରେ ବସି ପ୍ରାୟ ଘଣ୍ଟାକରେ ୨୫ମାଇଲ ରାସ୍ତା ଚାଲିଗଲେ । ସେତେବେଳେ ତାଙ୍କର ବୀର ମୂର୍ତ୍ତି ଦେଖିଲେ ଜଣା ପଡ଼ିବ, ସେ ଯେପରି କୁରୁକ୍ଷେତ୍ର ଯୁଦ୍ଧରେ ପିତାମହ ଭୀଷ୍ମ । ଆଖି ବୁଜି ହୋଇଯିବ–ଯେପରି ପ୍ରଳୟର ଅବତାର । ହାତରେ ସାବେଳି ବା ବଡ଼ ଭାଳୀଟା ଚକ୍‌ ଚକ୍‌ କରି ଜଳି ଉଠୁଚି । ଲାଲ ଲାଲ ଆଖି, ମୁହଁରେ ବାଘନିଶ । ଘୋଡ଼ା ଉପରେ ସେ ବୀରେନ୍ଦ୍ର କେଶରୀ ଶିବାଜି କି ରାଜପୁତ–ମଉଳି ପ୍ରତାପ ବା ସମରସିଂହ ପରି ଦେଖାଯାଉଥିଲେ ।

 

ମଙ୍ଗରାଜ ଘାଟି ପାହାଡ଼ ତଳେ ପହଞ୍ଚି ଉପର ହାଲୋଳି ଶୁଣି ଭାବିଲେ, ନିଶ୍ଚୟ ଏମାନେ ଚୋର । ଘୋଡ଼ା ପିଠିକି ଚାପୁଡ଼ାଇ ସ୍ନେହରେ ତାକୁ ଆଉଁଶି ପକାଇଲେ । ଘୋଡ଼ା ଧୀରେ ଧୀରେ ଚାଲିଲା । ସତକୁ ସତ ଅନୁଗୁଳ ରାଜା ବାଟବଣା ହୋଇ ବଡ଼ କଷ୍ଟରେ କେତେବେଳକେ ବାଟ ପାଇ ଉପରକୁ ଉଠୁଥିଲେ ।

 

ମଙ୍ଗରାଜ ଧୀରେ ଧୀରେ ଉପରକୁ ଯାଇ ଦେଖିଲେ ସମାନ ସ୍ଥାନରେ ବୁଢ଼ା ବୁଢ଼ୀଙ୍କ ପାଖରେ ରଜା-ଚୋର ଦଳ ଧଇଁସଇଁ ହୋଇ ହାଲିଆ ମାରୁଚନ୍ତି । ସୁଚତୁର ମଙ୍ଗରାଜ ସମସ୍ତଙ୍କ ଅଜଣାରେ ରଜା ବ୍ରଜକିଶୋରଙ୍କୁ ଚିହ୍ନିସାରି ତାଙ୍କର ବିଜୟୀ ଘୋଡ଼ାକୁ ସେହି ହଜାର ହଜାର ସୈନ୍ୟସାମନ୍ତଙ୍କ ଭିତରେ ଏପରି ଝସାଇ ପୂରାଇ ଦେଲେ ଯେ କେହି କିଛି ଜାଣି ସୁଦ୍ଧା ପାରିଲେ ନାହିଁ । ମଙ୍ଗରାଜ ସାଇଁ କିନା ବ୍ରଜକିଶୋରଙ୍କ ପାଖରେ ପହଞ୍ଚି ତାଙ୍କ ଛାତିରେ ସାବେଳିଟି ଲଗାଇ ଦେଇ ଭୀଷଣ ଗର୍ଜ୍ଜନ କରି କହିଲେ-

 

‘‘ମହାରାଜ, ମୃତ୍ୟୁ ଆଗରୁ ତରବାରୀରେ ହାତ ଦେଇପାରିବେ ନାହିଁ ସାବଧାନ, ମୁଁ ମଙ୍ଗରାଜ–ଆପଣଙ୍କର ପରିଚିତ ବନ୍ଧୁ ।’’

 

ବ୍ରଜକିଶୋର ଜଡ଼ ଭଳି ରହିଗଲେ । ତାଙ୍କ ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲା । ସେ ତରବାରୀକୁ ହାତ ନେବେ କ’ଣ, ତାଙ୍କର ବୁଦ୍ଧି ବଣା ହୋଇଗଲା । କାଳେ ପୁଣି କେଜାଣି କାହିଁକି ଆନନ୍ଦରେ ଆଖି ନାଚି ଉଠିଲା । ସେ କଥା କହି ପାରିଲେ ନାହିଁ । କେବଳ ତରାଟି ଚାହିଁ ରହିଲେ ।

 

ମଙ୍ଗରାଜ ଭୀଷଣ ଗର୍ଜ୍ଜନ କରି କହିଲେ, ‘‘ଅନୁଗୁଳର ସୈନ୍ୟ ସମରନ୍ତଗଣ, ଦେଖ ମୋ ଉପରେ ଗୋଟିଏ ସୁଦ୍ଧା ବାଣ କି ଶର ଯଦି କେହି ଫିଙ୍ଗେ, ତେବେ ଏକ ମୁହୂର୍ତ୍ତରେ ତୁମର ଏହି ଅଶୀକୋଶର ରଜା ବ୍ରଜକିଶୋରଙ୍କୁ ମାରି ପକାଇଦେବି । ସାବଧାନ, କେହି ଯେପରି କାହା ସ୍ଥାନରୁ ତିଳେ ନ ଘୁଞ୍ଚେ । ଲୁଚାଇ ବାଣ ମାଇଲେ ମଙ୍ଗରାଜ ମରିବା ଆଗରୁ ବ୍ରଜକିଶୋରଙ୍କୁ ମାରି ସ୍ୱର୍ଗକୁ ଯିବ–ସାବଧାନ ।’’

 

ସୈନ୍ୟସାମନ୍ତ ଚୁପ୍‌ ହୋଇ ହାତ ବାନ୍ଧି ଛିଡ଼ା ହୋଇ ରହିଲେ । ମଙ୍ଗରାଜ ପୁଣି ସାତ ବୀରଙ୍କୁ ଚାହିଁ କହିଲେ–‘‘ଦେଖ, ତୁମେମାନେ ଏଠାରୁ ଆହୁରି ଦୂରକୁ ଘୁଞ୍ଚିଯାଅ ।’’ ତାଙ୍କ କଥା ଶୁଣି ସମସ୍ତେ ମଧ୍ୟ ଘୁଞ୍ଚିଗଲେ । ତେବେ ସେମାନଙ୍କ ପ୍ରାଣ ଡହଳବିକଳ ହେଲା । କେତେ ଥର ଉହୁଙ୍କିଲେ, କେତେ ଆଖି ଛନଛନ କଲେ; ମାତ୍ର କିଛି କରିପାରିଲେ ନାହିଁ । ପ୍ରାଣ ଯେ ତୋଟି ପାଖରେ । ପୁଣି ମଙ୍ଗରାଜ କହିଲେ, ‘‘ଯାହାଠି ଯାହା ଅସ୍ତ୍ର ଅଛି, ସେ ସବୁ ଏକାଠି ଜମା କର । ମୋର ଆଦେଶ ଅକ୍ଷରେ ଅକ୍ଷରେ ମାନ, ନଚେତ୍‌ ଆଉ ତୁମର ରଜାଙ୍କୁ ପାଇବ ନାହିଁ ।’’

 

ଅସ୍ତ୍ରଶସ୍ତ୍ର ଜମା ନ କରିବାକୁ ଚାରା କାହିଁ ? ନ କଲେ ଯେ ମଙ୍ଗରାଜ ସାବେଳିରେ ରାଜ୍ୟ ଶେଷ ହେବ । ସମସ୍ତେ ଆଣି ଦଣ୍ଡକେ ଜମା କରିଦେଲେ ।

 

ପୁଣି ମଙ୍ଗରାଜ କହିଲେ–‘ଦେଖ, ତୁମେମାନେ ଆହୁରି ଦୂରକୁ ଯାଇ ହାତ ଟେକ । ମୋର ଯୁବରାଜଙ୍କୁ ବନ୍ଧନରୁ ମୁକ୍ତ କର ।’

 

ବ୍ରଜକିଶୋର ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଚାହୁଁଥିଲେ । ସେ ଆନନ୍ଦରେ କହିଉଠିଲେ–‘‘କାନନକେଶରୀ ! ଶାନ୍ତ ହୁଅ, ତୁମ ବୀରତ୍ୱର ପୁରସ୍କାର ମୁଁ ଆଜି ଦେବି । ଅପରାଧୀ ମୁଁ, ଦସ୍ୟୁ ମୁଁ, ମୋର ନିଜ ହାତରେ ମୁଁ ଯୁବରାଜଙ୍କର ବନ୍ଧନ ମୋଚନ କରିବି । ଆଜି ମୋର ମୁଖରେ ଚରାଚର ଜାଣିବ, ତୁମଠୁ ବଡ଼ କେହି ନାହିଁ । ତୁମେହିଁ ଏ ସାମନ୍ତ ରାଜ୍ୟମାନଙ୍କର ପ୍ରକୃତ ବୀର । ଆସ ବନ୍ଧୁ, ତୁମପରି ବୀରର ପୂଜା କରି ମୁଁ ଧନ୍ୟ ହୁଏଁ । ଏହି ମୋର ତରବାରୀ ଫିଙ୍ଗି ଦେଲି । ଆଉ କ’ଣ ଅବିଶ୍ୱାସ କରିବ ?’’

 

ଅନୁଗୁଳ ରଜା ନିଜର ତରବାରୀ ଫିଙ୍ଗି ଦେବାମାତ୍ରେ ବଡ଼ଜେନା ନିଜର ପ୍ରକାଣ୍ଡ ସାବେଳି ଘୁଞ୍ଚାଇ ନେଲେ ଏବଂ ଦୁଇ ମହାରଥୀ ପ୍ରେମପାଶରେ ବାନ୍ଧି ହୋଇଗଲେ । ସୈନ୍ୟମାନେ ଜୟ ଜଗଦେବ ଜୟ, ମଙ୍ଗରାଜ ଜୟ, ପୂର୍ଣ୍ଣଚନ୍ଦ୍ର ଜୟ ତାନରେ ସେ ପର୍ବତ ବଣ ଦୁଲୁ ଦୁଲୁ କମ୍ପାଇଦେଲେ ।

 

ବିଧି ନିର୍ବନ୍ଧ କିଏ ଅନ୍ୟଥା କରିବ ? ରାଜଜେମା ଚିତ୍ରମାଳୀ ନରସିଂହପୁରର ପାଣ ପାଇକମାନଙ୍କ ସହିତ ଗିରିଦୁର୍ଗ ଲଙ୍ଘି ତାଙ୍କର ସଖି କସ୍ତୁରୀ ସହିତ କିପରି ସେହି ସମୟକୁ ସେଠାରେ ପହଞ୍ଚିଥିଲେ ପ୍ରେମ ପାଇଁ ରଜକନ୍ୟା କିପରି ଶତ ଗିରି ପ୍ରାନ୍ତର ନିଜର କୁସୁମ କୋମଳ ପାଦରେ ଦଳି ଆସିଥିଲା, ସେ ଅଦ୍ଭୁତ କଥା !

 

ସେହିଠାରେ ସେହି ଦୁର୍ଗମ ଗିରି ମଧ୍ୟରେ ପୂର୍ଣ୍ଣଚନ୍ଦ୍ରଙ୍କ ସହିତ ଚିତ୍ରମାଳୀଙ୍କର ବିବାହ ଉତ୍ସବ ନିଷ୍ପତ୍ତି ହେଲା । ଦୁଇଟି ପ୍ରେମିକ ପ୍ରେମିକାଙ୍କର ଦୁଃଖ କଷ୍ଟ କୁଆଡ଼େ ଉଭେଇଗଲା । ଅନୁଗୁଳର ପ୍ରତିଜ୍ଞା ଯେପରି ରହିଲା, ନରସିଂହପୁରର ମାନ ମଧ୍ୟ ସେହିପରି ରହିଲା ।

 

ଅନୁଗୁଳ ରାଜ୍ୟ ନରସିଂହପୁରର ପରମ ମିତ୍ର ହେଲା । ସବୁ ହେଲା; ମାତ୍ର ମଙ୍ଗରାଜଙ୍କର ଏଥର ସେହି ତାଙ୍କର କଳାମାଣିକ ଅନ୍ଧର ଲଉଡ଼ି ବଳାଙ୍ଗୀ କଥା ମନେ ପଡ଼ିଲା । ସେ ସମସ୍ତଙ୍କଠାରୁ ବିଦା ହୋଇ ଶୀଘ୍ର ରାଜ୍ୟକୁ ଫେରି ଆସିଲେ । ତାଙ୍କର ବାମ ଆଖି କମ୍ପୁଥିଲା । କେବେ କେବେ ବାଟ ଭାଙ୍ଗି ସେ ଅଣବାଟରେ ଘୋଡ଼ାକୁ ଚଳାଉଥିଲେ ।

 

-୨୦-

 

ବଳାଙ୍ଗୀ ଯିବା ପରେ ମାଳତୀ ଶେଯରେ ପଡ଼ି ଅଥୟ ହେଉଥିଲେ । ତାଙ୍କ ହୃଦୟରେ ଚିନ୍ତାର ଥଳକୂଳ ନ ଥିଲା । କିପରି ରାତି ପାହିବ, ସେ ଏଥିପାଇଁ ଏ ପାଖ ସେ ପାଖ ହେଉଥିଲେ । ସେ ରାତିଟା ତାଙ୍କୁ ବହୁ ଯୁଗ ପରି ଜଣାଗଲା । ମନେ ମନେ ଭାବିଲେ, ଏ ରାତି ଆଉ ପାହିବ ନାହିଁ । ତାଙ୍କ ଜୀବନରେ ଯେପରି ଆଉ ପ୍ରଭାତ ନାହିଁ । ସେ ଏଥିପାଇଁ ଥର ଥର ହୋଇ କମ୍ପି ଉଠିଲେ ।

 

କେତେବେଳକେ ସେ ଚଡ଼େଇ ଚିରୁଗୁଣୀଙ୍କ ପାଟି ଶୁଣିଲେ । ତାଙ୍କ ଘର ଉପରେ ପେଚାର ଡାକ ଶୁଭିଲା । ଧୀରେ ଧୀରେ ଉଠି ଟିକିଏ ଦାଣ୍ଡକୁ ବାହାରକୁ ହେଲେ, କେବେ ଖବର ପାଇବେ, ବଳାଙ୍ଗୀ ଶୁଭରେ ପହଞ୍ଚିଚି ବୋଲି; ମାତ୍ର ସେ ସମ୍ବାଦ ଶୁଣିବାକୁ ତାଙ୍କୁ ଯେ ଜନ୍ମେ ଜନ୍ମେ ଅପେକ୍ଷା କରିବାକୁ ପଡ଼ିବ, ସେ ଏହା ଆଦୌ ଜାଣି ନ ଥିଲେ ।

 

ବେଳ ଦି ଘଡ଼ିଠାରେ ୧୦ ଜଣ ପାଇକ ଗୋଟିଏ ମୁଦା ବାକ୍ସ ଘେନି ତାଙ୍କ ନିକଟରେ ପହଞ୍ଚିଲେ ଏବଂ ଖଣ୍ଡିଏ ଲେଖା କାଗଜ ହାତରେ ଧରାଇ ଦେଇ ପାଦ ତଳେ ପଡ଼ିଗଲେ । ଡାକିଲେ, ‘ମଣିମା, ମଣିମା !’

 

ପାଇକମାନଙ୍କର ଲୁହରେ ସେ ଧୂଳି ଭୂଇଁ ତିନ୍ତିଗଲା; ମାତ୍ର ମାଳତୀଙ୍କ ଆଖିରୁ ଲୁହ ବାହାରିଲା ନାହିଁ । ପାଇକେ କହିଲେ, ‘ମା, ସେନାପତି ଚାଲିଗଲା ପରେ ଏହି ଜେମା ବହୁତ କଥାବାର୍ତ୍ତା କଲେ–ଏହି ଚିଠି ଲେଖିଲେ–ସେଠାରୁ ତାଙ୍କର ବାନ୍ତି ହେଲା, ରକ୍ତରେ ସେ ଖଣ୍ଡମଣ୍ଡଳ ଉଛୁଳିଗଲା ।’ ଏ କଥା ଶୁଣି ସେ ଜଡ଼ କୁଣ୍ଢେଇ ପରି ଚାହିଁ ରହିଲେ ; ଛାତି ଦୁକୁ ଦୁକୁ ହେଲା । କାଗଜଟି କର୍କଶ ଭାବରେ ଧରି ପଢ଼ିଲେ । ପଢ଼ି ପଢ଼ି ବାୟାଣୀ ପରି କହିଲେ-‘ଆଜି ମୁଁ ଧନ୍ୟା ହୋଇଚି, ମୋର ସ୍ୱର୍ଗକନ୍ୟା ପ୍ରକୃତ କାର୍ଯ୍ୟ କରି ଯାଇଚି । କିଏ ଦେଖିବ ଆସ’ କହି ଭୀଷଣ ପାଟି କରିବାକୁ ଲାଗିଲେ । ଚିଠିରେ ଲେଖା ଥିଲା–‘ମା, ସପନ ଦେବତା ମୋର ବଞ୍ଚିବା ଆଣ୍ଟ ବେଳୁ ବେଳ ଭାଙ୍ଗି ଦେଉଚି । ତୋତେ ଅମାନିଆ ହୋଇ ଆସିଥିଲି ସତ; ତେବେ ମୋର ମନୋମତ କାମ କରିଚି । ମୋର ସାଙ୍ଗ ମୋତେ ଅଥୟ କରୁଚି । ଯାଉଚି, ତୁ ମୋର ଯିବା ଖବର ଶୁଣି ଶୀଘ୍ର ଆସିବୁ ।

 

ତୋତେ ମୋର କ’ଣ କହିବାକୁ ଅଛି ? କିଛି ନାହିଁ ତେବେ ଏତିକି କହିବି- ମୋର ଶବଟିକୁ ଗୋଟିଏ ଜାଗାରେ ପୋଡ଼ିବ । ସେ ଜାଗାଟି ମୁଁ ଜାଣେ । ଥରେ ମୋତେ ବାପା ସେ ଥାନଟି ଦେଖାଇଥିଲେ । ପାଢ଼ୀ ରଜାର ବଂଶ ଯେଉଁଠାରେ ହଣା ହୋଇଚନ୍ତି ଏବଂ ମହାମାୟା ପ୍ରଗଳାଙ୍କର ରକ୍ତବିନ୍ଦୁ ଯେଉଁଠି ପଡ଼ିଚି, ମୋର ଚିତା ସେଇଠି ହେବ । ମୁଁ ରକ୍ତ ଦେବା ପାଇଁ ଆସିଥିଲି ରକ୍ତ ଦେଇଗଲି । ଆଉ କ’ଣ ? ସେଥିପାଇଁ ରକ୍ତ ଭୂଇଁରେ ମୋର ସମାଧି କରିବ । ବାପା କହୁଥିଲେ, ସେ ଥାନ ଖୋଳିଲେ ରକ୍ତ ବାହାରିବ । ସେଠାର ବାଲି ଓ ମାଟିକୁ ଚିପୁଡ଼ିଲେ ଏବେ ରକ୍ତବିନ୍ଦୁ ବାହାରିବା ସମ୍ଭବ । ତାହା ହଜାର ହଜାର ଲୋକର ରକ୍ତରେ ବତୁରି ଯାଇଚି । ସେଇଠି ଗୋଟିଏ ରକ୍ତକୁଣ୍ଡ ଖୋଳି ମୋର ହାଡ଼ ପାଉଁଶ ତା ଭିତରେ ପୋତି ଦେବ । ମୁଁ ସେହି ଥାନକୁ ବଡ଼ ଭଳ ପାଏ ।

 

ନରସିଂହପୁରର ବାଳକବାଳିକାମାନେ ଜାଣିବେ ଦେଶ ଓ ଜାତିର ମାନ ରଖିବା ପାଇଁ ଏହିଠାରେ ଦୁଇଟି ବାଳିକାର ରକ୍ତ ରହିଚି । ପ୍ରଗଳା ଆଉ ବଳାଙ୍ଗୀ ମଣିଷ ଜନ୍ମ ହେଲେ କିପରି ପ୍ରାଣକୁ ତିଳେ ଭୟ ନ କରି ଦେଶ ଓ ଜାତିର ହିତ ପାଇଁ ତାହା ଦେଇପାରେ, ସେହି ରକ୍ତ ଭୂଇଁରେ ଥରେ ନିର୍ଜ୍ଜନରେ ଆସି ବସିଲେ ଦେଶର ପୁଅଝିଏ ବୁଝି ପାରିବେ । ମୋର ଏତିକି ପ୍ରାର୍ଥନା । ରାଜା ପୂର୍ଣ୍ଣଚନ୍ଦ୍ରଙ୍କୁ ମୋର ବିଦାୟ ଖବର ଦେବୁ । ବାପାଙ୍କର ଆଉ ତୋର ସମାଧି ମୋରି ପାଖରେ କରିବାକୁ ତାଙ୍କୁ କହିଯାଇଥିବୁ । ବାପାର କୋଳ ଆଉ ପାଇଲି ନାହିଁ । ବିଦାୟ ।

 

ବଳାଙ୍ଗୀ

 

ମାଳତୀ ଦେଖିଲେ ଚିଠିଟା ଯେପରି ରକ୍ତରେ ଲେଖା ଯାଇଚି । ସେ ଏଣେ ତେଣେ ଚାହିଁ କହିଲେ- ‘ମାଆ, ଜଗତଟା ଏହିପରି । ଦେଶ ପାଇଁ ରକ୍ତ ବଳି ଦେବା ସତ୍ୟରେ ବଡ଼ କାମ । ଯେଉଁମାନେ ଭୀରୁ କାପୁରୁଷ ପରି ମୋର ଧନ, ମୋର ପୁଅ, ମୋର ଝିଅ, ଆମେ ଅମୁକ କହି ଲୁଚି ରହନ୍ତି, ପ୍ରାଣ ଦେବାବେଳେ, ସେପରି ରାଜ୍ୟରେ ମୋର ଜନ୍ମ ନ ହେଉ । ମୁଁ ଧନ୍ୟା, ମୋର ବଂଶ ଧନ୍ୟା, ମୋର ଦେଶ ଆଜି ଧନ୍ୟା !’

 

ତାଙ୍କର ଦୀର୍ଘ ନିଶ୍ୱାସ ଘନ ଘନ ବୋହିଲା । ଦେଖିଲେ ବୃଦ୍ଧ ମଙ୍ଗରାଜ ସେଠାରେ ପହଞ୍ଚି ତର ତର ହୋଇ କହିଯାଉଚନ୍ତି ପୂର୍ଣ୍ଣଚନ୍ଦ୍ରଙ୍କର ଚିତ୍ରମାଳୀ ସହିତ ବିବାହ ହୋଇଅଛି ।’ ଏ କଥା ଶୁଣି ବାୟାଣୀ ମାଳତୀ ଉଚ୍ଚ ସ୍ୱରରେ କହିଲେ–‘ବାପା, ମୋର ବଳାଙ୍ଗୀର ବିବାହ ହୋଇଚି-।’ ବୁଢ଼ା କିଛି ବୁଝି ପାରିଲେ ନାହିଁ । ଯେତେବେଳେ ପାଇକମାନେ କାନ୍ଦି କାନ୍ଦି ବଳାଙ୍ଗୀର ଖବର କହିଲେ, ସେତେବେଳେ ସେ ସେହି ଘର ଭିତରେ ବସୁ ବସୁ ଢଳି ପଡ଼ିଲେ । ତାଙ୍କ ଦେହରୁ ସାଙ୍ଗେ ସାଙ୍ଗେ ପ୍ରାଣବାୟୁ ବାହାରିଗଲା । ବଳାଙ୍ଗୀର ଚିଠି ଶୁଣିବାକୁ ସେ ରହି ପାରିଲେ ନାହିଁ ।

 

ଏ ଦୃଶ୍ୟ ଦେଖି ବାୟାଣୀ ମାଳତୀ ହୋ ହୋ ହୋଇ ହସି ଉଠିଲା । ବାକ୍ସ ଖୋଲି ଦେଖିଲା, ଛିଣ୍ଡା ପଦ୍ମ କଢ଼ ପରି ବଳାଙ୍ଗୀ ଚିରନୀଦ୍ରାରେ ଶୋଇଚି । ସେ ଯେତେବଳେ ତାର ବିଶ୍ୱବିମୋହନ କୋମଳ ମୁଖରେ ଗୋଟିଏ ଚୁମ୍ବନ ହେଲା, ସେତେବେଳେ ମାଆ ଝିଅ ଏକାବେଳକେ ଲାଖି ରହିଗଲେ । ସେ ଚୁମ୍ବନ, ସେ ଆଲିଙ୍ଗନର ବନ୍ଧନ ଆଉ ଫିଟିଲା ନାହିଁ ।

 

ଏକାଘରେ ତିନୋଟି ପ୍ରାଣୀ ଅନନ୍ତ କାଳ ପାଇଁ ଆଖି ବୁଜିଦେଲେ । କେହି ନ ଥିଲା ତାଙ୍କ ପାଇଁ କାନ୍ଦିବାକୁ । ପାଇକଗୁଡ଼ିକ ବାୟାଣୀ ମାଳତୀର ତାଡ଼ନାରେ କେତେବେଳୁ ନିଜ ନିଜ କାର୍ଯ୍ୟରେ ଚାଲିଯାଇଥିଲେ । ତାଙ୍କ ପାଇଁ କେହି କାନ୍ଦିଲା ନାହିଁ ତେବେ ନ କାନ୍ଦିଲା କିଏ ? ଆଜିଯାଏ ତାଙ୍କ ପାଇଁ ଜଗତ କାନ୍ଦୁଚି ମାନବ ଯୁଗେ ଯୁଗେ ତାଙ୍କୁ ପୂଜା କରୁଚି ଓ କରୁଥିବ ।

 

ପୂର୍ଣ୍ଣୁଚନ୍ଦ୍ର ଫେରି ଆସି ଶୁଣିଲେ ଯେ, ଦଶପଲା ସନ୍ଧି କରିଚି । ସେଥିପାଇଁ ତାଙ୍କ ମନ ଆନନ୍ଦ ହେଲା । ଯେତେବଳେ ସେ ବଳାଙ୍ଗୀର ମୃତ୍ୟୁ ଖବର ଶୁଣିଲେ, ସେତେବେଳେ ନବବିବାହିତା ପତ୍ନୀ ଚିତ୍ରମାଳୀ ସହିତ ନିଜର ମାଆଙ୍କୁ ଘେନି ମଙ୍ଗରାଜଙ୍କ ଘରେ ସେ ଯେଉଁ ଦୃଶ୍ୟ ଦେଖିଲେ ସେଥିରେ ତାଙ୍କ ହୃଦୟ ଘାଣ୍ଟି ହୋଇଗଲା । ଯୁବକ ପୂର୍ଣ୍ଣଚନ୍ଦ୍ର କ’ଣ କରିବେ ବୁଦ୍ଧି ଉପାୟ ପାଇଲେ ନାହିଁ । ଚିତ୍ରମାଳୀ ଦମ୍ଭରେ ଛିଡ଼ା ହୋଇ ସ୍ୱାମୀଙ୍କୁ ଚାହିଁ ରହିଲେ । ରାଜମାତା କାନ୍ଦି କାନ୍ଦି ରାଜବାଟୀକୁ ପଳାଇ ଆସିଲେ । କାରଣ ସେ ରମଣୀଙ୍କଠାରେ କରୁଣା, କୋମଳ ସ୍ୱଭାବ ଛଡ଼ା କର୍କଶ, ନିର୍ମ୍ମମ ଭାବ ଆଦୌ ନ ଥିଲା ।

 

ଚିତ୍ରମାଳୀ ପୂର୍ଣ୍ଣଚନ୍ଦ୍ର ବହୁବେଳ ଯାଏ ସେ ଘରର ଭୀଷଣ ସୌନ୍ଦର୍ଯ୍ୟ ଦେଖିଲେ । ଚିତ୍ରମାଳୀ ବଳାଙ୍ଗୀକୁ ମୃତା ମାଳତୀ କୋଳରୁ ବଡ଼ କଷ୍ଟରେ ଛଡ଼ାଇ ଆଣି କେତେ ଚୁମ୍ବନ ଦେଲେ କହିଲେ–‘ଆହା, ଏଭଳି ସୁନ୍ଦରୀକୁ ଏ ଜଗତରେ ସ୍ଥାନ କାହିଁ ?’ ସେ ବୁଢ଼ାଙ୍କ ପାଦ ତଳେ ପଡ଼ିଲେ; ମାଳତୀଙ୍କୁ ନମସ୍କାର କଲେ । ସେ ଘରୁ ତିଳେ ଆଖି ଅନ୍ୟ ଆଡ଼କୁ ଫେରାଇ ନେବାକୁ ତାଙ୍କର ଇଚ୍ଛା ହେଲା ନାହିଁ କି ବଳାଙ୍ଗୀକୁ ସେ ଯେତେ ଦେଖିଲେ ତାଙ୍କର ତୃପ୍ତି ହେଲା ନାହିଁ ।

 

ହାୟ, ଏ ସମସ୍ତେ ଯଦି ଦିନେ ଏକାଠି ମିଳିଥାନ୍ତେ, ତେବେ ସେ କାନନ ବଣ କି ମଧୁମୟ ହୋଇ ନ ଥାନ୍ତା ?

 

ରଜା ରାଣୀ ଦୁହେଁ ଶବ ତିନୋଟିକୁ ସାଙ୍ଗରେ ଧରି ଦାଣ୍ଡେ ଦାଣ୍ଡେ ବୁଲିଲେ । ତାଙ୍କୁ ଫୁଲ ଚନ୍ଦନର ପୂଜା କଲେ । ଘରେ ଘରେ ଶଙ୍ଖ ମହୁରୀ ବାଜି ଉଠିଲା । ସୈନିକମାନେ ଟମକ ନିଶାଣ ବଜାଇଲେ । ପୂର୍ଣ୍ଣଚନ୍ଦ୍ର ଓ ଚିତ୍ରମାଳୀ ଛତି ତରାସକୁ ସେହି ଶବମାନଙ୍କ ଉପରେ ଟେକାଇ ନିଜେ ଦାଣ୍ଡର ଭିକାରୀ ବେଶରେ ଚାଲି ଚାଲି କାହାଳୀ ବଜାଇ ବୀର ପୂଜାର ଅମର ଗୌରବ ରକ୍ଷା କଲେ । ଏହା ପୂର୍ବରୁ ସେ ବଳାଙ୍ଗୀର ଚିଠି ଖଣ୍ଡି ପାଇଥିଲେ । ତାହା ପଢ଼ି ଚିତ୍ରମାଳୀ ଓ ପୂର୍ଣ୍ଣଚନ୍ଦ୍ର ଯେ କେତେ କାନ୍ଦିଥିଲେ, ତାହା କହି ହେବ ନାହିଁ । ସେ କାନ୍ଦ ମର୍ମର କଠିଣ ବେଦନା । ତାହା ଲୁହବୁହା ସ୍ୱର ନୁହେଁ ।

 

ହଜାର ହଜାର ଲୋକ ବାଜା ବଜାଇ ବିମାନରେ ତିନି ଜଣକୁ ବସାଇ ପାଢ଼ୀ ମରିଥିବା ଥାନରେ ପହଞ୍ଚି ସେଇଠାରେ ଗୁଆ ଘିଅ ଚନ୍ଦନ କାଠରେ ଚିତା ଥାପିଲେ । ନିଆଁ ଧୁ ଧୁ ହୋଇ ଜଳି ଉଠିଲା । ବ୍ରାହ୍ମଣମାନେ ବେଦ ଧ୍ୱନି କଲେ । ପୂର୍ଣ୍ଣଚନ୍ଦ୍ର ଓ ଚିତ୍ରମାଳୀ ଆଉ ଏକ ନୂଆ ଆଦର୍ଶ ସେହିଠାରେ ଦେଖାଇଲେ । ସ୍ତ୍ରୀ ପୁରୁଷ ଦୁହେଁ ସେହି ଚିତା ଅଗ୍ନିକୁ ଛୁଇଁ ପ୍ରତିଜ୍ଞା କଲେ–‘‘ଆମର ବୃଷଭାଙ୍କିତ ପତାକା ଆଜିଠାରୁ ରକ୍ତବର୍ଣ୍ଣ ହେବ । ଦେଖିଲା ମାତ୍ରେ ମନେ ପଡ଼ୁଥିବ, ଏ ରାଜ୍ୟ ଭୋଗୀର ନୁହେଁ, ବିଳାସୀର ନୁହେଁ, ଅନୁସରଣିଆର ନୁହେଁ, ନାମଧାରୀ ରଜାର ନୁହେଁ–ଏ ରାଜ୍ୟ ତ୍ୟାଗୀର, ଏ ରାଜ୍ୟ ଯେ ରକ୍ତବଳି ଦେଶ ପାଇଁ ଦେବ ତାର । ଏ ରାଜ୍ୟ ମଙ୍ଗରାଜଙ୍କ ପରି ଦେଶଭକ୍ତଙ୍କର, ଚିତ୍ରମାଳୀ ପରି ବୀରଙ୍ଗନାର, ବଳାଙ୍ଗୀ ପରି ମହିମାମୟୀ କିଶୋରୀର ।’’

 

ଦୁହେଁ ନିଜ ଦେହରୁ ତରବାରୀ ମୁନରେ ରକ୍ତ ଖାରି ସେହି ନିଆଁକୁ ଆହୁତି ଦେଲେ । କହିଲେ- ‘ଏମାନଙ୍କ ପରି ଆମର ଜୀବନ ଏହି ରାଜ୍ୟର ସବାରେ ଶେଷ ହେଉ ।’

 

ଲୋକା ସମାଜର ଜୟ ଜୟ ଧ୍ୱନି କମ୍ପି ଉଠିଲା । ସୈନିକମାନେ ନିଜ ଦେହ ଖାରି ରକ୍ତ ଦେଲେ । ଚିତ୍ରମାଳୀ ସେଠାରୁ ବିଦା ହେଲାବେଳେ କହିଗଲେ–‘ବଳାଙ୍ଗୀର ଅସମ୍ପୂର୍ଣ୍ଣ କାର୍ଯ୍ୟ ଚିତ୍ରମାଳୀ ପୂରଣ କରିବା ଅସମ୍ଭବ ହେବ ନାହିଁ ।

 

-ଶେଷ-

 

ଯେଉଁଠାରେ ବଳାଙ୍ଗୀର ଚିତା ହୋଇଥିଲା, ପୂର୍ଣ୍ଣଚନ୍ଦ୍ର ସେହିଠାରେ ଗୋଟିଏ ପୋଖରୀ ଖୋଳାଇଲେ । ସେହି ପୋଖରୀ ଭିତରେ ତିନିଙ୍କର ହାଡ଼ ପାଉଁଶ ସବୁ ପୋତିଲେ । ତାର ‘ବଳାଙ୍ଗୀ ପୋଖରୀ’ ବୋଲି ନାମ ଦେଲେ । ଆଉ ତା ଚାରିପାଖେ ଗୋଟିଏ ବିସ୍ତୃତ ପଡ଼ିଆରେ ବଳାଙ୍ଗୀ ଉତ୍ସବ ପ୍ରତିବର୍ଷ କଲେ । ତାହା ବଳାଙ୍ଗୀର ମୃତ୍ୟୁଦିବସ ଚୈତ୍ର ମାସ ଶୁକ୍ଳ ଅଷ୍ଟମୀ ଦିନ ମହାସମାରୋହରେ ହେବାକୁ ଲାଗିଲା । ପୁଣି ସେହି ପଡ଼ିଆର ଚଉହଦୀ ଜମିକୁ ‘‘ବଳାଙ୍ଗୀ ମାଳ’’ ନାମ ଦେଇ ବଳାଙ୍ଗୀ ନାମରେ ଗୋଟିଏ ବୃହତ୍‌ ଗ୍ରାମ ବସାଇଲେ । ପ୍ରତିବର୍ଷ ବାସନ୍ତୀ ଦୁର୍ଗୋତ୍ସବ ଦିନ ରଜା ରାଣୀ ସେଠାରେ ପହଞ୍ଚି ସେହି ଉତ୍ସବ ସମାଧାନ କରୁଥିଲେ ।

 

ଆଜି ସେ ରକ୍ତ ପାଣି ଥିବା ବଳାଙ୍ଗୀ ପୋଖରୀ ଅଛି । ବଳାଙ୍ଗୀ ଜମି ଅଛି; ମାତ୍ର କାଳକ୍ରମେ ସେ ବଳାଙ୍ଗୀ ଗ୍ରାମଟି ଭାଙ୍ଗିଗଲାଣି । ଲୋକେ ଏଣେତେଣେ ଯାଇ ଭିନ୍ନ ଭିନ୍ନ ଗ୍ରାମରେ ରହିଗଲେଣି ।

 

ପୋଖରୀ ହେବାର କେତେ ଦିନ ପର୍ଯ୍ୟନ୍ତ ସେଥିରେ ଗୋଟିଏ ପଦ୍ମଫୁଲ ଫୁଟି ଲୋକଙ୍କର ବିସ୍ମୟ ଜନ୍ମାଉଥିଲା । ତାହା କେଉଁଆଡ଼େ କେଉଁ କାଳୁ ଉଭେଇଗଲାଣି ।

 

ଏବେ ସେ ଯାତ୍ରା ନାହିଁ, ଉତ୍ସବ ନାହିଁ, ବୀରପୂଜା ନାହିଁ–ଉଦାସୀନତାର ଗଭୀର ପଙ୍କରେ ବୁଡ଼ି ରହି ସେହି ବୀରସିଂହ ନରସିଂହପୁରବାସୀ ରଜା ପ୍ରଜା ସହିତ ସମସ୍ତେ ସେସବୁ କଥା ଭୁଲିଗଲେଣି ।

 

କେହି କେହି ବୁଢ଼ା କେତେ ଦିନ ଆଗେ କଥାରେ କଥାରେ କହୁଥିଲେ, ‘‘ପୂର୍ଣ୍ଣଚନ୍ଦ୍ର ଚିତ୍ରମାଳୀ ପରି ରଜାରାଣୀ, ମଙ୍ଗରାଜଙ୍କ ପରି କ୍ଷତ୍ରୀ, ମାଳତୀ ପରି ମାଆ, ବଳାଙ୍ଗୀ ପରି ଝିଅ ବିଧାତାସୃଷ୍ଟିରେ ଲକ୍ଷକରେ ଗୋଟିଏ ଥିବେ କି ନାହିଁ।’’

 

ନିଜକୁ ନ ଚିହ୍ନି ଏବେ ସେ ରାଜ୍ୟର ପୁଅଝିଏ ଏସବୁ ପାଶୋରି ଦେଲେଣି । ହାୟ ! ହାୟ !

 

‘କିସ ପୁଣି ଦେଖା ନ ଯାଏ ବଞ୍ଚିଥିଲେ ମହୀରେ ?

Image